ତପସ୍ୱିନୀଙ୍କୁ ନେଇ ଭଡ଼ା ଘରେ ରହିବେ ସୁମିତ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ: ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ ଏବଂ ସୁମିତଙ୍କ ପାରିବାରିକ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବ୍ରହ୍ମପୁର ଦୌରାଜଜ୍ କୋର୍ଟଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଯେଉଁ ଘରେ ତପସ୍ୱିନୀ ଏବେ ରହୁଛନ୍ତି, ଏକ ମାସ ପର୍ଯ୍ୟନ୍ତ ସେହି ଘରେ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଏକ ମାସ ମଧ୍ୟରେ ବାହାରେ ଘରଭଡ଼ା ନେଇ ସ୍ତ୍ରୀ ତପସ୍ୱିନୀଙ୍କ ସହିତ ରହିବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଭରଣପୋଷଣ ନେଇ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ମଧ୍ୟ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ତପସ୍ୱିନୀଙ୍କୁ ସୁମିତ ମାସିକ ୧୭ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବେ । ପ୍ରତ୍ୟେକ ମାସ ୧୦ ତାରିଖ ସୁଦ୍ଧା ଏହି ଟଙ୍କା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୮ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ବ୍ରହ୍ମପୁର ଜିଲ୍ଲା ଦୌରାଜଜ ଗତ ଜାନୁଆରୀ ୪ ତାରିଖରେ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଡାକ୍ତର ସୁମିତ ସାହୁ ହାଇକୋର୍ଟରେ ଅପିଲ କରିଥିଲେ । ସୁମିତଙ୍କ ବାପା ପ୍ରମୋଦ ସାହୁ ମଧ୍ୟ ହାଇକୋର୍ଟରେ ଅନ୍ୟ ଏକ ମାମଲା ରୁଜୁ କରିଛନ୍ତି । ଗତ ଡିସେମ୍ବର ୨୦ ତାରିଖରେ ୩୦ରୁ ଅଧିକ ମହିଳା ତାଙ୍କ ଘରର ଗେଟ ଘରେ ଭାଙ୍ଗି ପ୍ରବେଶ କରିବା ସହ ଗାଳିଗୁଲଜ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସର ନିଷ୍କ୍ରିୟତା  ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପ୍ରମୋଦ ସାହୁ । ସେପଟେ ଡାକ୍ତର ସୁମିତ ସାହୁଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ମନୋମାଳିନ୍ୟ ଥିବା ବେଳେ ବ୍ରହ୍ମପୁର ଜିଲା ଦୌରାଜଜ୍ ଗୋଟିଏ ଘରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ବିଶୃଙ୍ଖଳା ସୃଷ୍ଟି ହେବ । ପୁଣି ସେହି ଘର ସୁମିତଙ୍କର ମଧ୍ୟ ନୁହେଁ ।

ଏହା ସହ ସୁମିତ ଓ ତାଙ୍କ ପରିବାରର ସାମାଜିକ ସମ୍ମାନ କ୍ଷୁଣ୍ଣ ହୋଇଛି ବୋଲି ଅଦାଲତଙ୍କୁ ଦର୍ଶାଯାଇଥିଲେ ସୁମିତ । ହାଇକୋର୍ଟ ଆଜି ବ୍ରହ୍ମପୁର ଜିଲ୍ଲା ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ହାଇକୋର୍ଟରେ ତପସ୍ୱିନୀଙ୍କ ପକ୍ଷରୁ ଓକିଲ ମାନସ ଚାନ୍ଦ ଓ ସୁମିତଙ୍କ ପକ୍ଷରୁ ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।

Leave a Reply