spot_img
Home Blog Page 4725

ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରବିବାର ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ କହିଲେ ଯେ, ୩୧ ଡିସେମ୍ୱର ୨୦୦୭ ସୁଦ୍ଧା ଜନ୍ମ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ । ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି ।  ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନ ସୃଷ୍ଟି କରିବେ । ପ୍ରଥମ ପାନ ଟିକା ନେବାରୁ ୧୮ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ପାନ ଟିକା ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ମାସ ପରେ ଟିକା ନେଇପାରିବେ ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ସଚିତ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଜାନୁଆରୀ ୮ ତାରିଖରେ ପରେ ଦଶମ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ  ଟିକାଦାନ କରାଯିବ । ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦୈନିକ ଟିକାଦାନ ଅଗ୍ରଗତି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ଜଣାଇବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା: ଜାଣନ୍ତୁ କ’ଣ କହିଲେ

 

ଦିଲ୍ଲୀରେ ବେକାବୁ କରୋନା, ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆବର୍ଷ ପରଠାରୁ ସଂକ୍ରମଣ ବୃଦ୍ଧି ପାଉଛି । ଖାସ୍ କରି ମୁମ୍ବାଇ ଓ ରାଜଧାନୀ ଦିଲ୍ଲୀରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ଯଦି ଦିଲ୍ଲୀ କଥା କହିବା ତାହାଲେ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ହଜାର ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ଦିଲ୍ଲୀରେ ଚିନ୍ତା ବଢ଼ିଛି । ଏହା ସହିତ ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୪.୫୯ ପ୍ରତିଶତରେ ପହଞ୍ଚି ଯାଇଛି । ଏଥି ସହ ଦିଲ୍ଲୀରେ ଏବେ ସକ୍ରିୟ ମାମଲା ୮ ହଜାର ୩୯୭ରେ ପହଞ୍ଚିଛି ।

ଜାନୁଆରୀ ୨ରେ ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ହଜାର ୧୯୪ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯାହା ବିଗତ ୭ ମାସରେ ସର୍ବାଧିକ । ଏହା ପୂର୍ବରୁ ମେ’ ୨୦ରେ କରୋନାର ୩ ହଜାର ୨୩୧ କେସ୍ ସାମ୍ନାକୁ ଆସିଥିଲା ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୨୪୮ ଜଣ କରୋନା ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହାର ଅର୍ଥ ଯେଉଁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କ ମଧ୍ୟରେ ଲକ୍ଷଣ ସ୍ୱଳ୍ପ ରହିଛି । ଯାହା ଫଳରେ ସେମାନଙ୍କୁ ହସ୍ପିଟାଲ ଆସିବାକୁ ପଡ଼ୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ଆରୋଗ୍ୟ ହାର ୯୭.୬୯ ପ୍ରତିଶତ ଅଟେ । ଏହି ଆରୋଗ୍ୟ ହାରକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି କି କରୋନାକୁ ନେଇ ଭୟଭୀତ ଓ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ତାଜା ସୂଚନା ଅନୁସାରେ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଜଣେ ମାତ୍ର କୋଭିଡ ପଜିଟିଭଙ୍କ ମୃତ୍ୟୁ ହୋଇଛି । ଦିଲ୍ଲୀରେ ବର୍ତ୍ତମାନ ସୁଦ୍ଧା ମୋଟ ୨୫ ହଜାର ୧୦୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦିଲ୍ଲୀରେ ଡେଥ ରେଟ୍ ୧.୭୩ ପ୍ରତିଶତ ରହିଛି ।

 

ରାଜ୍ୟରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା: ଜାଣନ୍ତୁ କ’ଣ କହିଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ନୂଆ ୨୩ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରେ ୧୯ ଜଣ ପୁରୁଷ ୪ ଜଣ ମହିଳା ରହିଛନ୍ତି । ସମସ୍ତଙ୍କ ବୟସ ୮ରୁ ୮୩ ବୟସ । ସର୍ବାଧିକ ୭ ଜଣ କେନ୍ଦୁଝରରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪ , ବୌଦ୍ଧରୁ ୨ ଜଣ, ବାଲେଶ୍ୱରରୁ ୧, ଜଗତସିଂହପୁରରୁ ୧, ସମ୍ବଲପୁରରୁ୩, ପୁରୀରୁ ୩, ଅନୁଗୁଳରୁ ୨ ଜଣ ରହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦୀର୍ଘ ଦିନ ପରେ କୋଭିଡର ଲମ୍ବ ଡିଆଁ, ୪୦୦ ଟପିଲା ଦୈନିକ ସଂକ୍ରମଣ

ସମସ୍ତଙ୍କର ସାମାନ୍ୟ ଲକ୍ଷଣ ଅଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇଛି । ରିପୋର୍ଟ ଆସିବା ପରେ ପୂରା ଚିତ୍ର ସ୍ପଷ୍ଟ ହେବ । ପ୍ରାଥମିକ ରିପୋର୍ଟରୁ ୫୦ ପ୍ରତିଶତ ବିଦେଶ ଫେରନ୍ତା ଓ ୫୦ ପ୍ରତିଶତ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ଯାଞ୍ଚ୍ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଖା ଯାଉଛି ୯୦ ପ୍ରତିଶତ ଲୋକ ଲକ୍ଷଣ ନଥାଇ ହୋମ ଆଇସୋଲେସନ୍‌ରେ ଅଛନ୍ତି । ପ୍ରଥମ ଓ ଦ୍ଵିତୀୟ ପ୍ରବାହରେ ଯେଉଁ ସରଭିଲାନ୍ସ କରାଯାଇଥିଲା ତାକୁ ଆହୁରି ଜୋର୍ ଦାର କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେପଟେ ଦେଶରେ ବଢି ଚାଲିଥିବା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

କରୋନାରେ ଆକ୍ରାନ୍ତ ହେଲେ ମେସିଙ୍କ ସହ ୩ PSG ଫୁଟବଲର

ପ୍ୟାରିସ୍: ଆର୍ଜେଣ୍ଟିନାର ତାରକା ଫୁଟବଲର ତଥା ପ୍ୟାରିସ୍ ସେଣ୍ଟ ଜର୍ମାନ ଫୁଟବଲ କ୍ଲବର ତାରକା ଫରଓ୍ୱାର୍ଡ ଲିଓନାଲ ମେସି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ରବିବାର PSG ଟ୍ୱିଟ କରି ସୂଚନା ଦେଇଛି । ମେସିଙ୍କ ସହ ଆଉ ତିନି ଜଣ ଖେଳାଳି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନେ ହେଉଛନ୍ତି ଡିଫେଣ୍ଡର ଡିଫେଣ୍ଡର ଜୁଆନ୍ ବର୍ନାଟ୍, ବ୍ୟାକ୍ ଅପ୍ ଗୋଲକିପର ସର୍ଜିଓ ରିକୋ ଏବଂ ମିଡଫିଲ୍ଡର ନାଥାନ୍ ବିଟୁମାଜାଲା । ତେବେ କରୋନା ପଜିଟିଭ୍ ହୋଇଥିବା ଏହି ଚାରି ଜଣ ଫୁଟବଲର ବର୍ତ୍ତମାନ କ୍ୱାରେଣ୍ଟାଇନରେ ଏବଂ ଉପଯୁକ୍ତ ସ୍ୱାସ୍ଥ୍ୟ ପ୍ରୋଟୋକଲରେ ଅଛନ୍ତି ବୋଲି PSG ଏକ ପ୍ରେସ ବିବୃତ୍ତିରେ କହିଛି ।

ଆର୍ଜେଣ୍ଟିନାର ତାରକା ଫୁଟବଲର ଲିଓନାଲ ମେସି ୨୦୨୧ ମସିହା ଅଗଷ୍ଟ ମାସରେ ବାର୍ସିଲୋନା କ୍ଲବ ଛାଡି PSGରେ ଯୋଗ ଦେଇଥିଲେ । ମେସି ବାର୍ସିଲୋନା ପାଇଁ ୨୧ ବର୍ଷ ଖେଳିବା ପରେ ୨୦୨୧ ଅଗଷ୍ଟ ୫ରେ ବାର୍ସିଲୋନା କ୍ଲବ ଛାଡିଥିଲେ । ବାର୍ସିଲୋନା ପାଇଁ ମେସି ୭୭୮ଟି ମ୍ୟାଚ ଖେଳି ୬୭୨ଟି ଗୋଲ ସ୍କୋର କରିଥିଲେ । ୩୪ ବର୍ଷିୟ ମେସି PSGରେ ଏପର୍ଯ୍ୟନ୍ତ ୧୬ଟି ମ୍ୟାଚ ଖେଳି ୬ଟି ଗୋଲ ସ୍କୋର କରିଛନ୍ତି ।

 

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଦିଗପହଣ୍ଡି ଝିଅ ମନସ୍ୱିନୀ ନାହାକ

ଦିଗପହଣ୍ଡି: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ମନସ୍ୱିନୀ ନାହାକ । ମହାଭାରତ ଯୁଦ୍ଧର ବଡ଼ ବଡ଼ ପେନ୍ସିଲ ଆର୍ଟ କରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମନସ୍ୱିନୀ ନାହାକ ଏହି ରେକର୍ଡ ବୁକ୍‌ରେ ସ୍ଥାନ ପାଇପାରିଛନ୍ତି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତୁଳସୀପଦର ଗାଁର ସାଧୁ ନାହାକଙ୍କ ସୁକନ୍ୟା ହେଉଛନ୍ତି ମନସ୍ପିନୀ । ସେ ଦିଗପହଣ୍ଡି ଖେମୁଣ୍ଡି କଲେଜରୁ ସ୍ନାତକ ଶେଷ କରିଛନ୍ତି । ସେ ପୂର୍ବରୁ ହିଁ କଳା କ୍ଷେତ୍ରରେ କିଛି କରିବା ପାଇଁ ଆଗ୍ରହୀ ଥିବା ବେଳେ ପାଠ ପଢା ପରବର୍ତ୍ତୀ ଫାଙ୍କା ସମୟ ତାଙ୍କ ପାଇଁ ଅଧିକ ସୁଯୋଗ ଆଣିପାରିଥିଲା । ଏହି ଫାଙ୍କା ସମୟରେ ସେ ମେହେନ୍ଦୀ ଡିଜାଇନ୍ ସହ ପେନସିଲ୍ ଆର୍ଟ କରିଥିଲେ ।

ଆଉ ଏହାର ପ୍ରସ୍ତୁତି ଶୈଳୀର ଭିଡିଓକୁ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ କରି ଅପଲୋଡ୍ କରିଥିଲେ । ତାଙ୍କ ପ୍ରସ୍ତୁତି ଶୈଳୀକୁ ଲୋକେ ବେଶ୍ ପସନ୍ଦ କରିଥିଲେ । ଭିଡିଓରେ ବଢ଼ୁଥିବା ଦର୍ଶକଙ୍କ ସଂଖ୍ୟା ତାଙ୍କୁ ଆହୁରି ଭିଡିଓ କରିବାକୁ ଉତ୍ସାହିତ କରିଥିଲା । ସେ ମେହେନ୍ଦୀ ଡିଜାଇନ୍ ସହ ମହାଭାରତ ଯୁଦ୍ଧର ସମସ୍ତ ଯୁଦ୍ଧ କ୍ଷେତ୍ରକୁ ବଡ଼ ବଡ଼ ପେନ୍ସିଲ ଆର୍ଟ କରି ନିଜର Youtube ଆକାଉଣ୍ଟରେ ପକାଇଥିଲେ । ଭଲ ରେଜଲ୍ଟ ଆସିବା ପରେ ମନ ବଳିଲା ଇଣ୍ଡିଆ ବୁକ ଅଫ ରେକର୍ଡ ପାଇ ଆବେଦନ କରିବାକୁ ।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ଆବଶ୍ୟକ ସର୍ବେକ୍ଷଣ କରିବା ପରେ ତାଙ୍କ କଳାକୃତି ଏହି ସମ୍ମାନନୀୟ ରେକର୍ଡ ବୁକ୍‌ରେ ସ୍ଥାନ ପାଇପାରିଥିଲା । ଆଉ ଏହି ସମ୍ମାନ ହାସଲ ପରେ ପରେ ସେ ତାଙ୍କ ପରିବାର ଲୋକେ ଖୁସି ଥିବା କହିଛନ୍ତି । ନିଜ ଗାଁ ସାନଖେମୁଣ୍ଡି ବ୍ଲକ ତୁଳସୀପଦରରେ ମାଆ ଅଙ୍ଗନବାଡି କର୍ମୀ ଭାବରେ କାମ କରୁଥିଲେ ବି ଉଭୟ ଦୁଇ ଭଉଣୀଙ୍କୁ ପାଠ ପଢାଇ ଦୁନିଆ ଆଗରେ କିଛି କରିବା ପାଇଁ ସହଯୋଗ କରିଛନ୍ତି । ଆଜି ଘରର ବଡ଼ ଝିଅ ଏହି ଟାଇଟଲ ହାସଲ କରିଥିବା ବେଳେ ଅଞ୍ଚଳବାସୀ ମଧ୍ୟ ଖୁସି ଅଛନ୍ତି ।

ମିଡିଆ ସାମ୍ନାକୁ ଆସିବାକୁ ବିରାଟଙ୍କୁ ବାରଣ କରିଛି ଟିମ୍ ମ୍ୟାନେଜମେଣ୍ଟ, କାହିଁକି ଜାଣନ୍ତୁ…

ଜୋହାନ୍ସବର୍ଗ: ଡିସେମ୍ବର ୨୬ରୁ ଆରମ୍ଭ ହୋଇଛି ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ । ଏହି ତିନି ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଇଥିଲା । ଯେଉଁ ମ୍ୟାଚକୁ ଭାରତ ୧୧୩ ରନରେ ବିଜୟଲାଭ କରି ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଏହି ସିରିଜ୍ ଆରମ୍ଭ ପୂର୍ବରୁ ହୋଇଥିବା ପ୍ରେସ କନଫରମେନ୍ସରେ ବିରାଟ କୋହଲିଙ୍କ ସ୍ଥାନରେ ଆସିଥିଲେ ମୁଖ୍ୟ କୋଚ ରାହୁଲ ଦ୍ରାବିଡ । ଦ୍ରାବିଡଙ୍କ ସହ ବିରାଟ ମଧ୍ୟ ଉପସ୍ଥିତ ନଥିଲେ । ଆଉ ଏବେ ଜାନୁଆରୀ ୩ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସମସ୍ତେ ଚାହିଁଥିଲେ କି ବିରାଟ ମିଡିଆ ସାମ୍ନାକୁ ଆସିବେ । କିନ୍ତୁ ତାହା ହୋଇନାହିଁ । ବିରାଟଙ୍କ ସ୍ଥାନରେ ପୁଣି ଥରେ ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ମିଡିଆ ସାମ୍ନାକୁ ଆସିଥିଲେ ।

ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ହୋଇଥିବା ପ୍ରେସ କନଫରମେନ୍ସରେ ମିଡିଆ ସାମ୍ନାକୁ ଆସିଥିଲେ ବିରାଟ । ଏବଂ ଏହି ପ୍ରେସ କନଫରମେନ୍ସରେ ଅନେକ ପ୍ରଶ୍ନ ଉପରୁ ପରଦା କାଢ଼ିଥିଲେ କୋହଲି । ଏହା ପରଠାରୁ ଆଉ ମିଡିଆ ସାମ୍ନାକୁ ଆସିନାହାନ୍ତି କୋହଲି । ତେବେ କାହିଁକି ବିରାଟ ମିଡିଆ ସାମ୍ନାକୁ ଆସୁନାହାନ୍ତି ତାହା ଜାଣିବା ପାଇଁ ସମସ୍ତ ଫ୍ୟାନଙ୍କ ସହ ସାମ୍ବାଦିକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥିଲା । ବିରାଟ କାହିଁକି ମିଡିଆ ସାମ୍ନାକୁ ଆସୁନାହାନ୍ତି ଏହାର ଉତ୍ତର ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଦେଇଛନ୍ତି । ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା କରିବା ସମୟରେ ଦ୍ରାବିଡ କହିଥିଲେ କି ପ୍ରେସ କନଫରମେନ୍ସରେ କିଏ ଯିବ ତାହା ଆମେ ସ୍ଥିର କରିନଥାଉ ।  ଟିମ୍ ମ୍ୟାନେଜମେଣ୍ଟ କୋହଲିଙ୍କୁ ମିଡିଆ ସାମ୍ନାକୁ ଆସିବା ପାଇଁ ବାରଣ କରିଛି । କାରଣ ମ୍ୟାନେଜମେଣ୍ଟ ଚାହୁଁଛି କି ବିରାଟ ତାଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ ପୂର୍ବରୁ ମିଡିଆ ସାମ୍ନାକୁ ଆସନ୍ତୁ । ଆମେ ମଧ୍ୟ ଏହା ଆଶା କରୁଛୁ କି ଆପଣ ମଧ୍ୟ ବିରାଟଙ୍କ ୧୦୦ ତମ ଟେଷ୍ଟକୁ ସେଲିବ୍ରେଟ କରିବେ ଏବଂ ୧୦୦ତମ ଟେଷ୍ଟକୁ ନେଇ ତାଙ୍କୁ ପ୍ରଶ୍ନ ପଚାରିବେ ବୋଲି ଆଜି ପ୍ରେସ କନଫରମେନ୍ସରେ କହିଛନ୍ତି ରାହୁଲ ଦ୍ରାବିଡ ।

ସୂଚନା ଅନୁସାରେ ବିରାଟ କୋହଲି ଏପର୍ଯ୍ୟନ୍ତ ୯୮ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ ହେଉଛି ବିରାଟଙ୍କ ପାଇଁ ୯୯ତମ ମ୍ୟାଚ । ଏହା ପରେ ସିରିଜର ତୃତୀୟ ତଥା ଶେଷ ମ୍ୟାଚ ବିରାଟ କୋହଲିଙ୍କ ପାଇଁ ୧୦୦ତମ ଟେଷ୍ଟ ମ୍ୟାଚ ଅଟେ । ତେଣୁ ଆଶା କରାଯାଉଛି କି ବିରାଟ ତୃତୀୟ ଟେଷ୍ଟର ପୂର୍ବରୁ କିମ୍ବା ପରେ ମିଡିଆ ସାମ୍ନାକୁ ଆସିପାରନ୍ତି ।

ବିଷ୍ଣୁପଦ ସେଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଦାୟିତ୍ୱ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।୧୦ବରିଷ୍ଠ ଆଇଏଏସଙ୍କ ବିଭାଗ ଅଦଳବଦଳ ହୋଇଛି । ଏସିଏସ୍ ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଦିଆଯାଇଥିବା ବେଳେ OSMCLର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ହେଲେ କୃଷି ଉତ୍ପାଦନ କମିଶନର । ଶ୍ରୀ ଚୋପ୍ରା ଗୃହ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ।

ବଦଳିଲେ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତ ହେଲେ ବିଷ୍ଣୁପଦ ସେଠୀ । ଏବେ ରାଜସ୍ୱ ବିଭାଗ ଦାୟିତ୍ୱରେ ଅଛନ୍ତି ଶ୍ରୀ ସେଠୀ । ପରିବହନ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ହେଲେ ମଧୁସୂଦନ ପାଢ଼ୀ । SC/ST ପ୍ରମୁଖ ସଚିବ ରଂଜନା ଚୋପ୍ରାଙ୍କୁ MSME ବିଭାଗର ଅତିରିକ୍ତ ଦାୟିତ୍ୱ । ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମାଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ।  କୃଷି ସଚିବ ଏସ୍‌ କେ ବଶିଷ୍ଟ ହେଲେ ସାଧାରଣ ପ୍ରଶାସନ ବିଭାଗ OSD (ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) । ଭାସ୍କର ଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ । ବି ଏସ ପୁନିଆ ଇଡକୋର ଏମଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ।

ନୂଆ ରେକର୍ଡ କଲା ’ପୁଷ୍ପା’, ବକ୍ସ ଅଫିସରେ ରୋଜଗାର କଲା ୩୦୦ କୋଟି

ନୂଆଦିଲ୍ଲୀ: ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଧାନା ଷ୍ଟାରର ଫିଲ୍ମ ପୁଷ୍ପା ଲଗାତର ଭାବରେ ଭଲ ରୋଜଗାର କରୁଛି । ୧୭ ଡିସେମ୍ବରରେ ରିଲିଜ ହୋଇଥିବା ପୁଷ୍ପା ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୩୦୦ କୋଟି ଟଙ୍କା ରୋଜଗାର କରିସାରିଛି । ଏହି ଫିଲ୍ମ ତେଲୁଗୁ ସହିତ ହିନ୍ଦୀ, ମାଲାୟାଲମ୍, କନ୍ନଡ ଭାଷାରେ ରିଲିଜ ହୋଇଥିଲା । ହିନ୍ଦୀ ଭାଷାରେ ଏହି ଫିଲ୍ମ ଭଲ ରୋଜଗାର କରିଛି । ହିନ୍ଦୀ ଭାଷାରେ ଏହି ଫିଲ୍ମ ୭୫ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଛି ।

ଫିଲ୍ମ କ୍ରିଟିକ୍ ତରଣ ଆଦର୍ଶ ଟ୍ୱିଟ କରି ଏହି ପୁଷ୍ପାର ବକ୍ସ ଅଫିସ କଲେକସନ ବିଷୟରେ ସୂଚନା ଦେଇଛନ୍ତି । ଫିଲ୍ମ ହିନ୍ଦୀ ସ୍କ୍ରିନରେ ୫୬ କୋଟି ଟଙ୍କା ରୋଜଗାର କରିସାରିଛି । ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି କି ଏତେ ସବୁ ପ୍ରତିବନ୍ଧତା ସହ ପୁଷ୍ପା ୭୫ କୋଟି ରୋଜଗାର କରିସାରିଛି । ଯଦି ପୂରା ବକ୍ସ ଅଫିସ କଥା କହିବା ତାହାଲେ ଏହି ଫିଲ୍ମର ମୋଟ ବକ୍ସ ଅଫିସ କଲେକସନ ୩୦୦ କୋଟି ପାର କରିଛି ।

ପର କରିଦେଲା ପୁଅ: ମାଆକୁ ମଶାଣି ଆଣି ଅନ୍ତିମ ସଂସ୍କାର କଲେ ଚାରି ଝିଅ

ପୁରୀ: ପର କରିଦେଲା ପୁଅ । ଏପରିକି ମାଆର ମୃତଦେହ କାନ୍ଧେଇବାକୁ ମଧ୍ୟ ଆସିଲାନି । ଶେଷରେ ମାଆକୁ କାନ୍ଧ ଦେଇ ସ୍ୱର୍ଗଦ୍ୱାର ନେଲେ ଚାରି ଝିଅ। ମାଆ ମୃତଦେହକୁ ଚାରି କିଲୋମିଟର କାନ୍ଧେଇ ଚାଲି ଚାଲି ଯାଇଥିଲେ ସ୍ୱର୍ଗଦ୍ୱାର। ନୂଆବର୍ଷରେ ଏଭଳି ହୃଦୟବିଦାରକ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି ।

ଦିନକୁ ଦିନ ମାନବିକତା ହଜିଯାଉଛି । ଜନ୍ମ କଲା ମାଆକୁ ମଧ୍ୟ ଯତ୍ନ ନେବା ତ ଦୂରର କଥା ମଲା ପରେ କାନ୍ଧ ଓ ମୁଖାଗ୍ନି ଦେବାକୁ ନ ଆସିବା ଭଳି ଅଭାବନୀୟ ଘଟଣା ପୁରୀରେ ଦେଖିବାକୁ ମିଳିଛି । ଶେଷରେ ବିବାହିତା ଚାରି ଝିଅଙ୍କ କାନ୍ଧରେ ମାଆକୁ ନେଇ ଗଲେ ସ୍ୱର୍ଗଦ୍ୱାର । ଗତକାଲି ନୂଆବର୍ଷରେ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ପୁରୀ ବଡ଼ଦାଣ୍ଡରେ। ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟା ମାଆ ଜଟି ନାୟକଙ୍କ କ୍ଷେତ୍ରରେ ଏହା ଦେଖିବାକୁ ମିଳିଛି।

ଦୁଇ ପୁଅ ଥାଇ ମାଆର ମୃତ୍ୟ ଖବର ପାଇ ମଧ୍ୟ ଘରକୁ ଆସିବାକୁ ଉଚିତ ମନେ କଲେନି । ଶେଷରେ ସ୍ୱାର୍ଥପରତା ଓ ବିବେକାହୀନତା ଆଗରେ ମାନବିକତା ଜିତିଛି । ଚାରି ଝିଅ ସୀତାମଣୀ ସାହୁ, ସୁଶୀଳା ସାହୁ, ସୁମିତ୍ରା ସାହୁ ଓ ସରସ୍ୱତୀ ସାହୁ ସାହିବାସିନ୍ଦାଙ୍କ ସହଯୋଗରେ ମାଙ୍କ ଶବକୁ କାନ୍ଧେଇ ଦୀର୍ଘ ୪ କିଲୋମିଟର ଚାଲିଚାଲି ଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରିଛନ୍ତି। ମାଆ ବୋଝ ବୋହି ସମସ୍ତଙ୍କୁ ମଣିଷ କରିଥିଲେ। ବସ୍ତାରେ ମୁଢି ଧରି ସାହି ସାହି ବୁଲି ବିକି ଯାହା ପଇସା ଆଣନ୍ତି ସେଥିରେ ନିଜ ପିଲାଙ୍କ ତୁଣ୍ଡରେ ଦେଇଥିବା ମାଆ କିନ୍ତୁ ନିଜ ପୁଅଙ୍କ ଦ୍ୱାରା ଅବହେଳାର ଶିକାର ହୋଇଥିଲେ। ଏଭଳି କି ବିଜୁଳି ଓ ପାଣି ଦେଉନଥିଲେ ପୁଅ ମାଆ ଛାଡ଼ି ଚାଲିଯିବା ପରେ ମଧ୍ୟ କାନ୍ଧେଇବାକୁ ଆସିଲେ ନାହିଁ। ଶେଷରେ ଦିଅର କୁଞ୍ଜ ମୁଖାଗ୍ନି ଦେଇଥିଲେ। ଶବଦାହକୁ ନେଇ ଗତକାଲି ଭାଇ, ଭଉଣୀଙ୍କ ଭିତରେ ଝଗଡ଼ା ବି ହୋଇଥିଲା। ତେବେ ସାହିବାସିନ୍ଦାଙ୍କ ସହଯୋଗରେ ଶବଦାହ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଏହି ୪ ଝିଅ।

ରାଜ୍ୟକୁ କେନ୍ଦ୍ରର ପରାମର୍ଶ ତୁରନ୍ତ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କର

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିସାରିଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ତା’ର ପ୍ରଭାବ ବିସ୍ତାର କରିସାରିଛି । ଦେଶର ୨୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ନୂଆ ବର୍ଷ ପରଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୭ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ ଆକ୍ରାନ୍ତ କଥା ଯଦି କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୧୫୪୮ କେସ୍ ଚିହ୍ନଟ ହୋଇସାରିଲେଣି ।

ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ମୁକାବିଲାକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଲୋଚନା କରିଛନ୍ତି । ମେଡିକାଲ, ଅକ୍ସିଜେନ ପ୍ରସ୍ତୁତ ସହ ଟେଷ୍ଟିଂ ବୃଦ୍ଧି ପାଇଁ ଆଲୋଚନା ହୋଇଛି । ଟିକାକରଣକୁ ତ୍ୱରାନ୍ୱିତ ପାଇଁ ବୈଠକରେ ଫୋକସ୍ କରାଯାଇଛି  । ପ୍ରଥମ ଡୋଜ୍ ନେଇନଥିବା ଲୋକଙ୍କୁ ତୁରନ୍ତ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଛି । ସଂକ୍ରମଣ ବୃଦ୍ଧି ପାଉଥିବାରରୁ ସମସ୍ତ କୋଭିଡ ହସ୍ପିଟାଲକୁ ଚାଲୁ ରଖିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଏଥି ସହ ତୁରନ୍ତ ରାଜ୍ୟରେ ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।