ଯେଉଁ ଓଡ଼େଶାରେ ଋଷ ପ୍ରବଳ ବୋମା ବର୍ଷଣ କରୁଛି,ଜାଣନ୍ତୁ ତା’ର ଇତିହାସ କ’ଣ ?

1 min read

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ । ଉଭୟ ଦେଶ ମଧ୍ୟରେ ବିଗତ କିଛି ଦିନ ଧରି ଲଗାତର ଭାବରେ ବିବାଦ ଲାଗି ରହିଥିଲା । ତେବେ ଏହି ବିବାଦ ମଧ୍ୟରେ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେନା ଅପରେସନ ପାଇଁ ଘୋଷଣା କରିଛନ୍ତି । ପୁଟିନଙ୍କ ଘୋଷଣା ପରେ ଋଷ ସେନା ୟୁକ୍ରେନ ଉପରେ କରିଛି ଜୋରଦାର ଆକ୍ରମଣ । ୟୁକ୍ରେନକୁ ତିନି ପଟୁ ଘେରି ସାରିଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ୧୦ ସହରରେ ଭୟଙ୍କର ଆକ୍ରମଣ କରିଛି ଋଷ । ତେବେ ଏହି ୧୦ ସହର ଭିତରେ ଏମିତି ଏକ ସହର ରହିଛି ଯାହାର ନାମ ଓଡ଼ିଶା ସହ ସାମଞ୍ଜ୍ୟସ ରହିଛି ।

ୟୁକ୍ରେନର ‘ଓଡ଼େଶା’

ଓଡ଼େଶା ହେଉଛି ୟୁକ୍ରେନର ତୃତୀୟ ଜନବହୁଳ ନଗର । କୃଷ୍ଣ ସାଗର କୁଳରେ ଅବସ୍ଥିତ ଓଡ଼େଶା ୟୁକ୍ରେନ ପର୍ଯ୍ୟଟନ ନଗରୀ ଭାବେ ମଧ୍ୟ ପରିଚିତ । ଓଡ଼େଶାକୁ କୃଷ୍ଣ ସାଗରର ମୋତି ବୋଲି କୁହାଯାଇଥାଏ । ଋଷର ଜାର ସାମ୍ରାଜ୍ୟ ଓ ସୋଭିଏତ ଅମଳରେ ଏହା ‘ଦକ୍ଷୀଣ ରାଜଧାନୀ’ ଭାବେ ପରିଚିତ ଥିଲା । ଜାର ମାନଙ୍କ କବଳକୁ ଆସିବାର ବହୁ ପୂର୍ବରୁ ଏଠାରେ ଲୋକ ରହୁଥିଲେ । ଅତିତରେ ସେଠାରେ ଏକ ଗ୍ରୀକ ଜନବସତି ଥିବାର ପ୍ରମାଣ ମିଳେ ।୧୫୨୯ ମସିହାରେ ଏହା ତୁର୍କ ସାମ୍ରାଜ୍ୟ ଅଧିନକୁ ଆସିଥିଲା । ୧୭୯୨ ଋଷ-ତୁର୍କୀ ଯୁଦ୍ଧ ପରେ ଏହା ପୁଣିଥରେ ଋଷ ଅଧିନକୁ ଆସିଥିଲା ।
୧୭୯୨ରେ ଓଡ଼େଶା ନଗର ପ୍ରତିଷ୍ଠା ହୋଇଥିଲା । ଋଷର ସମ୍ରାଜ୍ଞୀ କାଥେରାଇନ୍ ଦି ଗ୍ରେଟ୍ ନଗରର ନାମକରଣ ଆଦେଶ ଦେଇଥିଲେ । ତାଙ୍କ ଆଦେଶରେ ଏହାର ନାମ ଓଡ଼େଶା ହୋଇଥିଲା । ୧୮୧୯ରୁ ୧୮୫୮ ପର୍ଯ୍ୟନ୍ତ ଓଡ଼େଶା ଏକ ମୁକ୍ତ ବନ୍ଦର ନଗର ଥିଲା । ସୋଭିଏତ ସଂଘ ଅମଳରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦରରେ ପରିଣତ ହୋଇଥିଲା ।

ଫିଲ୍ମ ଓ ଉପନ୍ୟାସରେ ଓଡ଼େଶା

ସୋଭିଏତ ସଂଘ ଅମଳରେ ଓଡେଶା ଗୁରୁତ୍ୱପୂର୍ଣ୍ଣ ନଗର ଭାବେ ଉଭା ହୋଇଥିଲା । ଏହି ସମୟରେ ଓଡେଶାରେ ସୋଭିଏତ ନୌସେନାର ମୁଖ୍ୟ ଘାଟି ଥିଲା । ଏହି ସହରକୁ ନେଇ ୧୯୭୨ରେ ଫେଡ୍ରିକ୍ ଫୋରସାଇଥ୍ ଏକ ଚର୍ଚ୍ଚିତ ଉପନ୍ୟାସ ‘ ଦ ଓଡେଶା ଫାଇଲ୍’ ଲେଖିଥିଲେ । ପରେ ୧୯୭୪ ମସିହାରେ ଏହି ଉପନ୍ୟାସକୁ ନେଇ ସମାନ ନାମରେ ଫିଲ୍ମ ତିଆରି ହୋଇଥିଲା ।

ଫିଲ୍ମର କାହାଣୀ

ଉପନ୍ୟାସର ମୁଖ୍ୟ ନାୟକ ଜଣେ ଜର୍ମାନୀ ସାମ୍ବାଦିକ । ସାମ୍ବାଦିକ ଜଣକ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ନାଜି ଯାତନା ଶିବିରର କମାଣ୍ଡିଂ ଅଫିସର ଥିବା ଜଣେ ଜେନରାଲଙ୍କୁ ଖୋଜି ଖୋଜି ଓଡ଼େଶାରେ ପହଂଚିଛି । ଉପନ୍ୟାସରେ ଅଭିଯୋଗ କରାଯାଇଛି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରର ପରାଜୟ ପୂର୍ବରୁ ଓଡ଼େଶାରେ ଗୋଟିଏ ସଂଗଠନ ପ୍ରତିଷ୍ଠା କରାଯାଇଥିଲା ଯାହାର ମୁଖ୍ୟ ଉଦ୍ଦେଷ୍ୟ ଥିଲା ନାଜି କମାଣ୍ଡରଙ୍କୁ ସୁରକ୍ଷା ପ୍ରଦାନ କରିବା ।

ଫିଲ୍ମ ପାଇଁ ଧରା ପଡିଥିଲା ଜଣେ ନାଜି ଯୁଦ୍ଧ ଅପରାଧୀ

ଦି ଓଡ଼େଶା ଫାଇଲ ଫିଲ୍ମ ପାଇଁ ଜଣେ ନାଜି ଯୁଦ୍ଧ ଅପରାଧି ଧରା ପଡିଥିଲା । ୧୯୭୪ ମସିହାରେ ଫିଲ୍ମ ରିଲିଜ୍ ହେବା ପରେ ‘ରିଗାର କଂସେଇ’ ଭାବେ ପରିଚିତ ଏ଼ଡୁଆର୍ଡ୍ ରୋସମ୍ୟାନ୍ ଆର୍ଜେଣ୍ଟିନାରେ ଗିରଫ ହୋଇଥିଲା । ତେବେ ପରେ ସେ ଫେରାର ହେବାରେ ସଫଳ ହୋଇଥିଲା । ୧୯୭୭ରେ ପାରାଗୁଆରେ ରୋସମ୍ୟାନର ମୃତ୍ୟୁ ହୋଇଥିଲା ।

Leave a Reply