spot_img
Home Blog Page 4698

ଗିରଫ ହେବେ ୧୧ ଥର କୋଭିଡ ଟିକା ନେଇଥିବା ବୃଦ୍ଧ

ପାଟନା: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଜୋରସୋର ଜାରି ରହିଛି ଟିକାକରଣ । ତେବେ ଏହି ଟିକାକରଣ ମଧ୍ୟରେ ବିହାରରୁ ଦେଖିବାକୁ ମିଳିଥିଲା ଏକ ଆଶ୍ଚର୍ଯ୍ୟକର ଘଟଣା । ବିହାରର ମାଧେପୁର ଅଞ୍ଚଳରେ ଜଣେ ୮୪ ବର୍ଷିୟ ବୃଦ୍ଧା ୧୧ ଥର କୋଭିଡ ଟିକା ନେଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ମାମଲାରେ ବର୍ତ୍ତମାନ ମାଧେପୁର ପୋଲିସ ଉକ୍ତ ବୃଦ୍ଧାଙ୍କ ନାଁରେ ମାମଲା ରୁଜୁ କରିଛି ।

ବିହାର ପୁରେଇନିସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଭିଯୋଗ କ୍ରମେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇପିସିର ଧାରା ୪୧୯, ୪୨୦ ଓ ୧୮୮ରେ ମାମଲା ରୁଜୁ  ହୋଇଛି । ମାଧେପୁର ଜିଲ୍ଲା ଚୌସାର ବ୍ରହ୍ମାନନ୍ଦ ମଣ୍ଡଳ ନାମକ ଉକ୍ତ ବ୍ୟକ୍ତି ଦାବି କରିଥିଲେ ଯେ, ସେ ବିଭିନ୍ନ ଟିକାଦାନ କେନ୍ଦ୍ରରେ ୧୧ ଥର ଟିକା ନେଲେଣି । ପ୍ରତ୍ୟେକ ଥର ଟିକା ନେବା ପରେ ସେ ବେଶ୍ ସ୍ଫୂର୍ତ୍ତି ଅନୁଭବ କରୁଛନ୍ତି । ଏହି ଟିକା ନେବା ଦ୍ୱାରା ତାଙ୍କ ଅଣ୍ଟା ଯନ୍ତ୍ରଣା  ଭଲ ହୋଇଯିବା ସହ କଫ ଓ ଥଣ୍ଡା ଆଦି ଭଲ ହୋଇଛି ବୋଲି ସେ ଦାବି କରିଥିଲେ ।  ବ୍ରହ୍ମାନନ୍ଦ ନିଜର ଗୋଟିଏ ଫୋନ ନମ୍ବର ଓ ଆଧାର କାର୍ଡକୁ ଏହି ୧୧ ଥର ବ୍ୟବହାର କରିଥିଲେ । ସରକାରୀ ବ୍ୟବସ୍ଥାରେ ଅନେକ ତ୍ରୁଟି ଯୋଗୁ ଏହା ସମ୍ଭବ ହୋଇଛି ବୋଲି ସେ କହିଥିଲେ ।

ସୁଲ୍ଲି ଡିଲ୍ସ ଆପର ମାଷ୍ଟରମାଇଣ୍ଡକୁ ଗିରଫ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ସୁଲ୍ଲି ଡିଲ୍ସ ଆପକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହି ମାମଲାରେ ଦିଲ୍ଲୀ ପୋଲିସକୁ ବଡ଼ ସଫଳତା ମିଳିଛି । ସୁଲ୍ଲିଡିଲ୍ସ ଆପ୍ ତିଆରି କରିଥିବା ଅଭିଯୁକ୍ତ ଓଁଙ୍କରେଶ୍ୱର ଠାକୁରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମଧ୍ୟପ୍ରଦେଶରୁ ଓଁଙ୍କରେଶ୍ୱରକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ମଧ୍ୟପ୍ରଦେଶର ଇନ୍ଦୋରରୁ ଓଁଙ୍କରେଶ୍ବରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ ବିଭାଗ । ସୁଲ୍ଲି ଡିଲ୍ସ ଘଟଣାରେ ଏହା ହେଉଛି ପ୍ରଥମ ଗିରଫଦାରୀ । ଗତବର୍ଷ ଲଞ୍ଚ ହୋଇଥିବା ଏହି ଆପ୍ ଜରିଆରେ ଶହ ଶହ ମୁସଲିମ ମହିଳାଙ୍କୁ ଫଟୋ ଅପଲୋଡ କରାଯିବା ସହ ସେମାନଙ୍କୁ ନିଲାମ କରାଯିବ ବୋଲି ସୂଚନା ଦିଆଯାଉଥିଲା ।

କେବଳ ସୁଲ୍ଲି ଡିଲ୍ସ ନୁହେଁ ବୁଲ୍ଲିବାଇ ଆପ୍ ଜରିଆରେ ମଧ୍ୟ ମହିଳାଙ୍କ ଫଟୋ ଅପଲୋଡ କରାଯିବା ପରେ ଦେଶବ୍ୟାପୀ ପ୍ରତିବାଦ ହୋଇଥିଲା । ତେବେ ସୁଲ୍ଲି ଡିଲ୍ ଆପ କ୍ରିଏଟର୍ସକୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଡେପୁଟି କମିଶନର କେ.ପି.ଏସ. ମାଲହୋତ୍ରା କହିଛନ୍ତି କି ସୁଲ୍ଲି ଡିଲ୍ସ ଆପ୍‌ର ମାଷ୍ଟରମାଇଣ୍ଟ ଓଁଙ୍କରେଶ୍ୱରକୁ ଗିରଫ କରାଯିବା ପରେ ତାକୁ ଜେରା କରାଯିବ । ଓଁଙ୍କରେଶ୍ୱରର ବୟସ ୨୬ ବର୍ଷ ଓ ସେ ଇନ୍ଦୋରର ନ୍ୟୁୟର୍କ ସିଟି ଟାଉନସିପର ବାସିନ୍ଦା । ସେପଟେ ବୁଲ୍ଲିବାଇ ଆପ୍‌ର ମୁଖ୍ୟ ଅଭିଯୁକ୍ତ ନୀରଜ ବିଷ୍ଣୋଇ ଆତ୍ମହତ୍ୟା କରିବାକୁ ଧମକ ଦେଇଛି । ଏପରିକି ସେ ଇତିମଧ୍ୟରେ ଦୁଇ ଥର ନିଜକୁ କ୍ଷତାକ୍ତ କରିବା ଲାଗି ଉଦ୍ୟମ କରିଛି ବୋଲି ଦିଲ୍ଲୀ ପୋଲିସ କହିଛି । ବୁଲ୍ଲିବାଇ ଆପକୁ ନେଇ ଅଭିଯୋଗ ଆସିବା ପରେ ତାକୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । ୨୧ ବର୍ଷ ଅଭିଯୁକ୍ତ ନୀରଜକୁ ଆସାମର ଜୋରହାଟରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ବୁଲ୍ଲିବାଇ ଆପ୍ ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କରାଯାଇଛି ।

‘ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି’

ଭୁବନେଶ୍ୱର: ଜାନୁଆରୀ ୧ରେ ୨୯୮, ଜାନୁଆରୀ ୯ରେ ୪ ହଜାର ୭୧୪ ସଂକ୍ରମିତ ଚିହ୍ନଟ । ମାତ୍ର ୮ ଦିନ ମଧ୍ୟରେ ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ୪ ହଜାର ୪୧୬ ବୃଦ୍ଧି ପାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସଂକ୍ରମଣ ପ୍ଲାଟୋ ଷ୍ଟେଜକୁ ନ ଆସିବା ଯାଏ କେବେ କମିବ କହି ହେବନି । ସଂକ୍ରମଣ ରୋକିବାକୁ କଟକଣା ଜାରି କରାଯାଇଛି । ବର୍ତ୍ତମାନ ସଂକ୍ରମଣ ଆକଳନ କରିବା କଷ୍ଟକର ।

Can't Say When Corona Cases Go Down in Odisha

କେବଳ ଜାନୁଆରୀ ମାସର ୮ ଦିନରେ ୧୫ ହଜାର ୬୧୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି । ଗତକାଲି ତୁଳନାରେ ଆଜି ୧୦୩୫ ମାମଲା ବୃଦ୍ଧି ପାଇଛି । ଅନ୍ୟପଟେ ପ୍ରଥମ ପ୍ରବାହର ପିକ୍ ଅତିକ୍ରମ କରିଛି ଆଜିର ସଂକ୍ରମଣ । ପ୍ରଥମ ପ୍ରବାହରେ ୨୦୨୦ ସେପ୍ଟେମ୍ବର ୨୫ରେ ୪ ହଜାର ୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୭୧୪ ସଂକ୍ରମିତ ।

ଅନ୍ୟପଟେ ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା କରୋନା ପିକ୍ ଛୁଇଁବ ବୋଲି ସେ କରିଛନ୍ତି । ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି । ଅଧିକ ହସ୍ପିଟାଲ ବେଡ୍ ଆବଶ୍ୟକତା ପଡୁନାହିଁ । ରାଜ୍ୟରେ କେସ୍ ଲୋଡ୍ ଏବଂ ହସ୍ପିଟାଲିଟି ଉପରେ କମ୍ ପ୍ରଭାବ ପଡୁଛି । ଗୁରୁତର ସଂଖ୍ୟା ବହୁତ କମ୍ ରହୁଛି । ଆମେ ଯଦି ସତର୍କ ରହିବା ଫେବ୍ରୁଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

କରୋନାକୁ ନେଇ କେଜ୍ରିଓ୍ୱାଲଙ୍କ ପ୍ରେସମିଟ୍, କହିଲେ କଟକଣା ମାନିଲେ ହେବନି ଲକଡାଉନ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଦେଢ଼ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶର ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ସଂଖ୍ୟା ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇରୁ ଚିହ୍ନଟ ହେଉଛନ୍ତି । ଦିଲ୍ଲୀରେ ଆକ୍ରାନ୍ତ ବଢ଼ିବା ପରେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଏକ ପ୍ରେସ କନଫରମେନ୍ସ କରିଥିଲେ । ଏହି ପ୍ରେସ୍ କନଫରମେନ୍ସରେ ସେ କହିଥିଲେ କି ଯଦି ଦିଲ୍ଲୀବାସୀ କଟକଣା ମାନିବେ, ମାସ୍କ ପିନ୍ଧିବେ ତେବେ ଦିଲ୍ଲୀରେ ଲକଡାଉନ କିମ୍ବା ସଟଡାଉନ ହେବ ନାହିଁ ।

ଅରବିନ୍ଦ କେଜ୍ରିଓ୍ୱାଲ ଆହୁରି କହିଛନ୍ତି କି ଭୟ କରିବାର କୌଣସି କାରଣ ନାହିଁ । କାରଣ ଦ୍ୱିତୀୟ ଲହର ତୁଳନାରେ ଦିଲ୍ଲୀରେ ମୃତ୍ୟୁ ହାର ଯଥେଷ୍ଟ କମ ରହିଛି  । ଆବଶ୍ୟକ ଅନୁସାରେ ବେଡ ଓ ମେଡିସିନ୍ ମହଜୁଦ ରହିଛି  । ଲୋକେ ସଚେତନ ରହିଲେ କରୋନାର ଭୟ ରହିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ  । ଦିଲ୍ଲୀରେ ଏବେ ଦୈନିକ ସଂକ୍ରମଣ ୨୦ ହଜାର ପାର କରିଛି  । ଏହାର ମୁକାବିଲା ପାଇଁ ଦିଲ୍ଲୀ ସରକାର ତୟାର ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ଜାରି ରହିଛି ସାପ୍ତାହିକ କର୍ଫ୍ୟୁ । ଶୂନଶାନ ଲାଗୁଛି ରାଜଧାନୀ ଦିଲ୍ଲୀ  । ଶୁକ୍ରବାର ରାତି ୧୦ଟାରୁ ଦିଲ୍ଲୀରେ କର୍ଫ୍ୟୁ ଲାଗୁ ହୋଇଛି ।

ଦିଲ୍ଲୀରେ ଲକଡାଉନ୍ ନେଇ ଏମିତି ବୟାନ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣ ମାମଲା ମଧ୍ୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗତ ସପ୍ତାହରେ କୋଭିଡ୍ ସଂକ୍ରମିତ ହୋଇଥିବା କେଜ୍ରିୱାଲ୍ କୋଭିଡରୁ ସୁସ୍ଥ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ବେଳେ ଦିଲ୍ଲୀରେ ଲକଡାଉନ୍ ହେବ ନା ନାହିଁ ସେ ନେଇ ସୂଚନା ଦେଇଛନ୍ତି । ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ସ୍ଥିତି ସଙ୍ଗୀ ଅଛି କିନ୍ତୁ ଡରିବାର ନାହିଁ ।

କିଛି ଲୋକ ପଚାରୁଛନ୍ତି ଲକଡାଉନ୍ ହେବ କି ? ମୁଁ କହିବାକୁ ଚାହୁଁଛି ଯଦି ଆପଣମାନେ ମାସ୍କ ପିନ୍ଧିବେ ତ ଲକଡାଉନର ଆବଶ୍ୟକତା ପଡ଼ିବ ନାହିଁ । ଯେତେବେଳେ ବି ଘରୁ ବାହାରକୁ ବାହାରୁଛନ୍ତି ମାସ୍କ ନିଶ୍ଚିତ ପିନ୍ଧନ୍ତୁ । ଅତ୍ୟନ୍ତ ଜରୁରୀ ନଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ । ଚେଷ୍ଟା କରୁଛୁ ଯଥା ସମ୍ଭବ କମରୁ କମ୍ ପ୍ରତିବନ୍ଧକ ଲଗାଇବୁ ।

ଦିଲ୍ଲୀ ସହ ପୂରା ଦେଶରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ୁଛି । ଦିଲ୍ଲୀରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି । ଗତକାଲି ୨୦ ହଜାର ମାମଲା ଆସିଥିବା ବେଳେ ଆଜି ପ୍ରାୟ ୨୨ ହଜାର କେସ୍ ଆସିବ । ପ୍ରତିଦିନ ବଢ଼ୁଥିବା ସଂକ୍ରମଣ ମାମଲା ଚିନ୍ତାର ବିଷୟ। କିନ୍ତୁ ଏଥିପାଇଁ ଡରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାସଲ୍ ।

ଗତ ସପ୍ତାହରେ କେଜ୍ରିୱାଲ କୋଭିଡ୍ ସଂକ୍ରମିତ ହେବା ପରେ ଆଇସୋଲେସନରେ ଥିଲେ । ଏନେଇ ସେ କହିଛନ୍ତି, ମୋତେ ପ୍ରାୟ ୨ ଦିନ ଜର ଲାଗି ରହିଲା । ଏହା ପରେ ମୁଁ ଠିକ୍ ହୋଇଯାଇଛି ।

ରାଜଧାନୀରେ ବଢ଼ି ଚାଲିଛି କୋଭିଡ୍ କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା, ବଢ଼ି ଚାଲିଛି କଣ୍ଟେନମେଣ୍ଟ ଜୋନ୍ । ବିଏମସିର ଦକ୍ଷିଣ-ପୂର୍ବ ଜୋନରେ ଆଜି ଆଉ ୭ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଂକ୍ରମିତମାନେ ହୋମ୍ ଆଇସୋଲେସନରେ ଥିବା ବେଳେ ଆବଶ୍ୟକତା ଅନୁଯାୟୀ କୋଭିଡ୍ ହସ୍ପିଟାଲକୁ ପଠାଯାଉଛି । ଏହାସହ ଆଜିଠାରୁ ଏନଫୋର୍ସମେଣ୍ଟ ଟିମ୍ ସଂଖ୍ୟା ବଢିଛି ।

ଏଥିସହ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି କୋଭିଡ୍ ସଂକ୍ରମଣ, ୫% ଟପିଲା ରାଜ୍ୟର ଟିପିଆର୍

ଗୋଟିଏ ଜୋନରେ ତିନୋଟି ଟିମ୍ ପଇଁତରା ମାରିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଫାଇନ୍ ଆଦାୟ ସହ ଗହଳି କଲେ ଦୋକାନ ସିଲ୍ ହେବ । ଆଜି ରବିବାର ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ, ପାର୍କ, ମଠ, ମନ୍ଦିର ଆଦି ସ୍ଥାନରେ ଚଢ଼ାଉ କରାଯିବ ବୋଲି ଜୋନାଲ୍ ଡେପୁଟି କମିଶନର କହିଛନ୍ତି । ଶନିବାର ବିଏମସି ଅଞ୍ଚଳରୁ ୫୮୧ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ । କ୍ୱାରେଣ୍ଟାଇନରୁ ୮୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୯୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ପଶ୍ଚିମବଙ୍ଗରୁ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆକୁ ଗିରଫ କଲା STF

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଓଡ଼ିଶା ଏସଟିଏଫର ଚଢ଼ାଉ । ଧରାପଡ଼ିଲା କୁଖ୍ୟାତ୍ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ଏସକେ. ଲାଲୁ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ଲଗାତାର ୨ ଦିନ ରେଡ୍ ପରେ ଏସଟିଏଫ୍ ହାତରେ ଧରାପଡ଼ିଛି ଏସକେ. ଲାଲୁ । ପଶ୍ଚିମବଙ୍ଗର ପଲାସିପାରା ଥାନା ବରନାଳଡାହାରୁ ଏସକେ. ଲାଲୁକୁ ଗିରଫ କରାଯାଇଛି ।

ଗିରଫ ପରେ ଏସକେ. ଲାଲୁକୁ ୫ ଦିନିଆ ଟାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ୍ । ଗତ ଅକ୍ଟୋବର ୨୦ ତାରିଖରେ ଏସଟିଏଫ୍ ସଫିକୁଲ ଏସକେକୁ ଗିରଫ କରିଥିଲା । ତା’ଠାରୁ ୧ କେଜି ୪୩ ଗ୍ରାମ୍ ବ୍ରାଉନସଗୁର ଜବତ କରାଯାଇଥିଲା । ଜେରା ବେଳେ ସଫିକୁଲ ମାନିଥିଲା ସେ ଏସେକେ. ଲାଲୁଠାରୁ ବ୍ରାଉନସୁଗର ଆଣୁଛି ।

ଏହାପରେ ଏସକେ.ଲାଲୁକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗ ପୋଲିସ ସହାୟତାରେ ରେଡ୍ ପରେ ଏସକେ.ଲାଲୁ ଧରାପଡ଼ିଛି । ଗିରଫ ପରେ ଏସକେ.ଲାଲୁକୁ ଏସଟିଏଫ୍ ସ୍ଥାନୀୟ ସିଜେଏମ୍ କୋର୍ଟରେ ହାଜର କରି ୫ ଦିନିଆ ଟାଞ୍ଜିଟରେ ରିମାଣ୍ଡରେ ଆଣିଛି ।

ବରଫପାତରେ ଫସିଲା କାର, ୨୧ ମୃତ

କରାଚି: ଜାଡ଼ରେ ଥରୁଛି ପାକିସ୍ତାନ । ଶନିବାର ପାକିସ୍ତାନର ମୁରୀ ହିଲ୍ ରିସୋର୍ଟରେ ଏକ ଅଭାବନୀୟ ଘଟଣା ଘଟିଛି । ୪ ଫୁଟର ବରଫ ପଡ଼ି କାର ଫସିଯିବା ପରେ ଏଥିରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଏକାଧିକ ଲୋକ ହାଇପୋଥର୍ମିଆରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ଇସଲାମାବାଦର ଜଣେ ପୋଲିସ ଅଧିକାରୀଙ୍କ ସମେତ ତାଙ୍କ ପରିବାରର ୭ ଜଣ ସଦସ୍ୟ ରହିଛନ୍ତି ।

Pakistan At least 21 dead as heavy snow traps people in cars

ଇସଲାମାବାଦ ଠାରୁ ଉତ୍ତରରେ ୪୫ କିଲୋମିଟର ଦୂରରେ ଅବସ୍ଥିତ ମୁରୀ । ୧୨୨ ସେଣ୍ଟିମିଟର ବରଫପାତ ପରେ ଏକାଧିକ କାର ମୁରୀ ହିଲ୍ ରିସୋର୍ଟ ରୋଡରେ ଫସି ଯାଇଥିଲା । ଶୁକ୍ରବାର ରାତି କାରରେ ବିତାଇବାକୁ ପଡ଼ିଥିଲା । କାରର ଚାରିପଟେ ବରଫ ଜମି ଯାଇଥିବା ବେଳେ ବାହାରକୁ ଯିବାର ବାଟ ନଥିଲା । ଏପରିକି ତାପମାତ୍ରା ୮ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା ।

ଏବେ ମୁରୀକୁ ଉଦ୍ଧକାରୀ ଦଳ ଛଡ଼ା ଅନ୍ୟ କାହାରିକୁ ଯିବାକୁ ଅନୁମତି ଦିଆଯାଉ ନାହିଁ । ଅନେକ କାର ଏବେବି ବରଫରେ ଫସି ରହିଛି । ମୁରୀରେ ମଙ୍ଗଳବାର ରାତିରୁ ପ୍ରବଳ ବରଫପାତ ଆରମ୍ଭ ହୋଇଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଚିନ୍ତା ବଢ଼ାଉଛି କରୋନା, ଅପରାହ୍ଣରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ମାଡ଼ୁଛି ମହାମାରୀ । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୫୯ ହଜାରରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୨୪ ଘଣ୍ଟାରେ କରୋନାରେ ଆଖି ବୁଜିଛନ୍ତି ୩୨୭ ଜଣ । ଦେଶ ପାଇଁ କରୋନା ବିପଦ ବଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ଣ ୪ଟା ୩୦ରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟା ସାମିଲ୍ ହେବେ ।

ବୈଠକରେ ପ୍ରଧାନମନ୍ତ୍ରୀ ଦେଶର କରୋନା ସ୍ଥିତି ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ଠାରୁ ତଥ୍ୟ ନେବେ । ଏଥିସହ କୋଭିଡ୍ ଟିକାକରଣର ଅଗ୍ରଗତି ନେଇ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବ୍ୟତୀତ କ୍ୟାବିନେଟ୍ ସଚିବ ରାଜୀବ ଗାବା, ଗୃହ ସଚିବ ଅଜୟ ଭଲ୍ଲା, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମ୍ଆର ଡିଜି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।

PM Modi to chair a meeting to review the COVID-19 situation in the country

ଏଥିସହ ପଢ଼ନ୍ତୁ: ଦେଶରୁ ଆଜି ଦେଢ଼ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୩୨୭ ଜଣଙ୍କ ମୃତ୍ୟୁ

ବିଗତ ୨୪ ଘଣ୍ଟାରେ କରୋନାର ୧ ଲକ୍ଷ ୫୯ ହଜାର ୬୩୨ଟି ନୂଆ ମାମଲା ଚିହ୍ନଟ ହୋଇଛି । ୨୪ ଘଣ୍ଟାରେ ୩୨୭ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୬୨୩କୁ ବୃଦ୍ଧି ପାଇଛି । ଦେଶରେ ଏବେ କରୋନାର ୫ ଲକ୍ଷ ୯୦ ହଜାର ୬୧୧ ସକ୍ରିୟ ସଂକ୍ରମଣ ମାମଲା ରହିଛି । କୋଭିଡରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ୪୦ ହଜାର ୮୬୩ ଜଣ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ଯାଏ ମୋଟ ୩ କୋଟି ୪୪ ଲକ୍ଷ ୬୦୩ ଜଣ ସଂକ୍ରମିତ ହୋଇଛନ୍ତି ।

ରେକର୍ଡ ଭାଙ୍ଗୁଛି କୋଭିଡ୍ ସଂକ୍ରମଣ, ୫% ଟପିଲା ରାଜ୍ୟର ଟିପିଆର୍

ଭୁବନେଶ୍ୱର(ସୁଶାନ୍ତ କୁମାର ସାହୁ): ରାଜ୍ୟରେ କୋଭିଡ୍ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି । ଗତ ୫ ତାରିଖରେ ରାଜ୍ୟରେ କୋଭିଡ୍ ଟେଷ୍ଟ ପଜିଟିଭ୍ ରେଟ୍ ୧.୭୭ ପ୍ରତିଶତ ଥିଲା । ମାତ୍ର ୫ ଦିନ ଭିତରେ ସଂକ୍ରମଣ ବଢ଼ିବା ସହ ଟିପିଆର୍ (ଟେଷ୍ଟ ପଜିଟିଭ୍ ରେଟ୍) ୫.୧୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪ ହଜାର ୭୧୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Test Positivity Rate Of Three District Of Odisha Crossed 10 Percentage

ତେବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ ୫.୧୫ ପ୍ରତିଶତ ରହିଥିବା ବେଳେ ୩ ଜିଲ୍ଲା ଚିନ୍ତାର କାରଣ ସାଜିଛି । ଖୋର୍ଦ୍ଧା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଟେଷ୍ଟ ପଜିଟିଭ୍ ରେଟ୍ ରାଜ୍ୟ ଠାରୁ ୨ ଗୁଣ ଅଧିକ ରହିଛି । ଖୋର୍ଦ୍ଧାରେ ଟେଷ୍ଟ ପଜିଟିଭ୍ ରେଟ୍ ୧୧.୯ ପ୍ରତିଶତ ରହିଥିବା ବେଳେ ସମ୍ବଲପୁରରେ ୧୦.୯ ପ୍ରତିଶତ ଓ ସୁନ୍ଦରଗଡ଼ରେ ୧୦.୬ ପ୍ରତିଶତ ରହିଛି । ଅର୍ଥାତ୍ ଏସବୁ ଜିଲ୍ଲାରେ କୋଭିଡ୍ ଟେଷ୍ଟ କରୁଥିବା ପ୍ରତି ଶହେ ଜଣରେ ୧୦ରୁ ଅଧିକ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେଉଛନ୍ତି ।

Test Positivity Rate Of Three District Of Odisha Crossed 10 Percentage
ଟେଷ୍ଟ ପଜିଟିଭିଟି ରେଟ୍

ଏବେ ଖୋର୍ଦ୍ଧା ଜିଲ୍ଲାରେ ୫ ହଜାର ୬୭୧ଟି ସକ୍ରିୟ କୋଭିଡ୍ ମାମଲା ଥିବାବେଳେ ସୁନ୍ଦରଗଡ଼ରେ ୨୨୧୬, ସମ୍ବଲପୁରରେ ୧୨୯୪ ଓ କଟକରେ ୧୨୫୮ ସକ୍ରିୟ କେସ୍ ରହିଛି । ଖୋର୍ଦ୍ଧା କୋଭିଡ୍ ରେଡ୍ ଜୋନରେ ଥିବାବେଳେ ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି । କଟକରେ ଚିପିଆର୍ ୫.୦୯ ପ୍ରତିଶତ ରହିଥିବା ବେଳେ ଝାରସୁଗୁଡ଼ାରେ ୫.୬୯ ପ୍ରତିଶତ ଓ ପୁରୀରେ ୩.୮୧ ପ୍ରତିଶତ ରହିଛି ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରେ ଟପିଲା ୧୬୦୦

ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୬ ହଜାର ୧୧୭ ଜଣ ସକ୍ରିୟ କୋଭିଡ୍ ମାମଲା ରହିଥିବା ବେଳେ ମୋଟ ୮ ହଜାର ୪୬୮ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇଛି । ରାଜ୍ୟରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୦ ଉପରେ ରହିଥିବା ବେଳେ ୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବଢ଼ୁଥିବା ସଂକ୍ରମଣ ମାମଲାକୁ ଦେଖି ସହରାଞ୍ଚଳରେ ରାତୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି ।