ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି : ‘ଘରେ ରୁହ, ପାଠ ପଢ଼ା କଥା ମୁଁ ବୁଝିବି’

ଭୁବନେଶ୍ୱର: ଯୁଦ୍ଧଭୂଇଁରୁ ଜନ୍ମମାଟିକୁ ଫେରି ଆସିଲା ଜୀବନ । ରାଜ୍ୟ ସରକାରଙ୍କ ସହାୟତାରେ ଆଜି ୟୁକ୍ରେନରୁ ଓଡ଼ିଶା ଫେରିଛନ୍ତି ଆଉ ୭୭ଜଣ ଡାକ୍ତରୀ ଛାତ୍ରଛାତ୍ରୀ । ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ପାଛୋଟି ଆଣିବାକୁ ଆଜି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଏୟାର ଏସିଆର ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଥିଲେ ପିଲା ।

ପିଲାଙ୍କୁ ଅପେକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଡାକ୍ତରୀ ପାଠ ପଢାରେ କିଛି ବ୍ୟାଘାତ ହେବନି ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ତମେ ମାନେ ଘରେ ରୁହ ପାଠ ପଢା କଥା ମୁଁ ବୁଝିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଯୁଦ୍ଧ କ୍ଷେତ୍ରର ଭୟ ଓ ଆତଙ୍କର ତିକ୍ତ ଅନୁଭୂତିକୁ ବଖାଣିଥିଲେ ଛାତ୍ରଛାତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସେମାନେ ଜୀବନ ଧରି ଫେରିଛନ୍ତି ବୋଲି କହିଛନ୍ତି ।

ସ୍ବତନ୍ତ୍ର ବିମାନ ଯୋଗେ ଫେରାଇ ଆଣିଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଭିଭାବକଙ୍କ ସହିତ ମଧ୍ୟ ନବୀନ କଥା ହୋଇଛନ୍ତି । ପିଲାମାନଙ୍କୁ ଯୁଦ୍ଧ ଭୂଇଁରୁ ଫେରାଇ ଆଣିଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଭିଭାବକ । ୟା ଭିତରେ ଓଡ଼ିଶାକୁ ୟୁକ୍ରେନରୁ ପାଖାପାଖି ୩୦୦ଜଣ ଫେରିଲେଣି । ପ୍ରଥମ ରାଜ୍ୟ ଭାବେ ଛାତ୍ରଛାତ୍ରୀଙ୍କୁ ଫେରାଇଆଣିବାକୁ ବଡ଼ ବ୍ୟାବସ୍ଥା କରିଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ଫେରାଇ ଆଣିବାକୁ ସମସ୍ତ ଖର୍ଚ୍ଚ ବହନ କରିଛି ଓଡ଼ିଶା । ଏଥିପାଇଁ ୪ଜଣଙ୍କୁ ଦାୟିତ୍ବ ଦିଆଯାଇଛି । ଡାକ୍ତରୀ ପିଲାଙ୍କ ଭବିଷ୍ୟତ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶରେ ପିଲାଙ୍କ ପାଠପଢା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ନବୀନ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ନିମନ୍ତେ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: କୃତଜ୍ଞତା ଜଣାଇଲେ ଅଭିଭାବକ