spot_img
Home Blog Page 4685

ବିଜେଡିରେ ଯୋଗଦେଲେ କଂଗ୍ରେସ ନେତା

ଭଦ୍ରକ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକରେ ଆହୁରି ବଢୁଛି ବିଜେଡି ବଳ । ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁଙ୍କ ସଭାପତିତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ କଂଗ୍ରେସ ଏସସି ସେଲର ଚେୟାରମ୍ୟାନ ସ୍ପନ୍ଦନ ମଲ୍ଲିକ ଓ କଂଗ୍ରେସର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥୀ ଆଦିତ୍ୟ ମଲ୍ଲିକ ବିଜେଡିରେ ଯୋଗଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ନୀତି , ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ମିଶିଥିବା କହିଛନ୍ତି । ଏହା ସହିତ ଭଦ୍ରକ ବିଧାୟକଙ୍କ ନେତୃତ୍ବ ପ୍ରତି ଉଭୟ ଆସ୍ଥା ପ୍ରକଟ କରିଛନ୍ତି । ସେମାନଙ୍କ ଯୋଗଦାନରେ ତୃଣମୁଳସ୍ତରରେ ଦଳ ଆହୁରି ସଶକ୍ତ ହେବ ବୋଲି ବିଜେଡି କହିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ପ୍ରତି ଜିଲ୍ଲାରେ ନିଜକୁ ଶକ୍ତିଶାଳୀ କରିବା ପକ୍ରିୟା ଆରମ୍ଭ କରିଛି  ।

 

କେନ୍ଦ୍ରାପଡ଼ାରେ କଂଗ୍ରେସ ମାନୁନି କଟକଣା

କେନ୍ଦ୍ରାପଡ଼ା: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜନୈତିକ ସଭା ସମିତି ଉପରେ କଟକଣା ଲଗାଇଛନ୍ତି । ବଢୁଥିବା ସଂକ୍ରମଣକୁ ନେଇ କଟକଣା ବଳବତ୍ତର ରହିଛି । ହେଲେ କେନ୍ଦ୍ରାପଡାରେ ଏହି ନିୟମ ଖୋଲାଖୋଲି ଉଲ୍ଲଂଖନ କରିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ପାଟକୁରାରେ ନିର୍ବାଚନ ମଣ୍ଡଳୀସ୍ତରୀୟ ବନ୍ଧୁ ମିଳନ ଓ ପାର୍ଥି ଘୋଷଣା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ସୂଚନା ମୁତାାବକ କଂଗ୍ରେସର ଏହି କାର୍ଯ୍ୟକ୍ରମରେ ୨ଶହରୁ ଅଧିକ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱେର ବେହେରା ଓ଼ ରାଜ୍ୟ ମହିଳା ମୋର୍ଚା ସଭାପତି ବନ୍ଦିତା ପରିଡା, କଂଗ୍ରେସ ନେତା ରତିକାନ୍ତ କାନୁନଗୋ ପ୍ରମୁଖ ଯୋଗଦେଇଥିଲେ । ସମ୍ଭାବ୍ୟ ତୃତୀୟ ପ୍ରବାହକୁ ନେଇ ରାଜ୍ୟ ସରକାର ସଚେତନ ଥିବାବେଳେ କଂଗ୍ରେସ କଟକଣାକୁ ଉଲ୍ଲଂଘନ କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

ଦେଶୀ ମଦର ଭୂ-ସ୍ୱର୍ଗ ଆଠଗଡ, ପୋଚ ଦେଖି ପୋଲିସ ତାଜୁବ

କଟକ: ଦେଶୀ ମଦର ଭୂ-ସ୍ୱର୍ଗ ପାଲଟିଛି ଆଠଗଡ ବିରୁଡ଼ା ପଣଷପାଟଣା ଗାଁ । ଜୁଆଡେ ଦେଖିବ ସିଆଡେ ମଦ ଆଉ ମଦ । ଘରେ ଘରେ ହଜାର ହଜାର ଲିଟର ଦେଶୀ ମଦ ରଦ୍ଧା ଚାଲିଥିଲା । ମକର ପାଇଁ ଏସବୁର ଚାଲିଥିଲା ପ୍ରସ୍ତୁତି । ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କରାଯାଇଥାନ୍ତା ସପ୍ଲାଏ । ହେଲେ ଖବର ପାଇ ଚଢାଉ କଲା କଟକ ଫ୍ଲାଇଂ ସ୍କ୍ବାଡ଼ । କିଏ ବିଲରେ ତ ଆଉ କିଏ କୁଅରେ, କିଏ ପାଣି ଟାଙ୍କିରେ ତ ଆଉ କିଏ ଘର ଭିତରେ ପୋଚ ଲୁଚାଇ ରଖିଥିଲେ । ଏପରିକି ଗାଁ କୋଠ ଘରେ ବି ରହିଥିଲା ବିପୁଳ ପରିମାଣର ପୋଚ ।

ଏତେ ପରିମାଣର ମଦ ଦେଖି ତାଜୁବ ହୋଇଥିଲା ପୋଲିସ । 8ହଜାରରୁ ଅଧିକ ଲିଟର ପୋଚ ନଷ୍ଟ କରାଯାଇଛି ।ଚଢ଼ଉରେ 30ଜଣିଆ ପୋଲିସ ଟିମ ସାମିଲ ହୋଇଥିଲେ । ପୂର୍ବରୁ ମଧ୍ୟ ଏହି ଗାଁରୁ ଦେଶୀ ମଦ ପୋଚ ଜବତ ହେବା ସହିତ ଏକାଧିକ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେମାନେ ପୁଣି ଜେଲରୁ ଫେରି କାରବାର ଆରମ୍ଭ କରିଥିବା ଜଣାପଡିଛି । ବେଧଡକ ଭାବରେ ବେପାରୀ ଏଠାରେ ଦେଶୀ ମଦ ରାନ୍ଧୁଥିବା ବେଳେ ବାଧା ଦେବାକୁ କେହି ନାହିଁ  ।

ସୁସ୍ଥ ହେଉଛନ୍ତି ସହଦେବ, ପ୍ରଶଂସକଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ‘ବଚପନ୍ କା ପ୍ୟାର୍’ ଗୀତ ଗାଇ ରାତାରାତି ଷ୍ଟାର୍ ବନି ଯାଇଥିବା ସହଦେବ ସୁସ୍ଥ ହେଉଛନ୍ତି । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସୁସ୍ଥ ହେବା ପରେ ସବୁ ପ୍ରଶଂସକ ଓ ମେଡିକାଲ ଷ୍ଟାଫ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସହଦେବ । ଯେତେବେଳେ ଗୁରୁତର ସହଦେବଙ୍କ ଫଟୋ ସୋସିଆଲ ମିଡିଆରେ ଆସିଥିଲା ତାଙ୍କ ପ୍ରଶଂସକମାନେ ଭାଙ୍ଗି ପଡ଼ିଥିଲେ । ଶୀଘ୍ର ସହଦେବ ସୁସ୍ଥ ହେବା ପାଇଁ ପ୍ରାର୍ଥନା କରିଥିଲେ ।

ସହଦେବ ଏକ ଭିଡିଓ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ପ୍ରଶଂସକ ଓ ଡାକ୍ତରୀ ଟିମକୁ ଧନ୍ୟବାଦ ଦେଇଛନ୍ତି । କ୍ୟାପସେନରେ ସେ ଲେଖିଛନ୍ତି, ‘କିଛି କହିବାକୁ ଶବ୍ଦ କମ ପଡୁଛି । ଆପଣମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ । ହୃଦୟରୁ ଡ. ଦେବେନ୍ଦ୍ର ନାୟକ ସାରଙ୍କୁ ଧନ୍ୟବାଦ ।’ ସହଦେବ ହାତ ଯୋଡ଼ି ସମସ୍ତଙ୍କୁ ଧନ୍ୟବାଦ ଦେଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ବହୁତ ଖୁସି ଦେଖା ଯାଉଛନ୍ତି । ତାଙ୍କ ହସ ଦେଖି ପ୍ରଶଂସକ ମଧ୍ୟ ବହୁତ ଖୁସି ହୋଇଯାଇଛନ୍ତି ।

ସହଦେବଙ୍କ ଏହି ଭିଡିଓରେ ରାପର୍ ବାଦଶାହ ମଧ୍ୟ କମେଣ୍ଟ ଦେଇଛନ୍ତି । ସହଦେବ ମଧ୍ୟ କମେଣ୍ଟ ବକ୍ସରେ ହୃଦୟରୁ ଧନ୍ୟବାଦ ବୋଲି ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ, ଦୁର୍ଘଟଣା ପରେ ସହଦେବଙ୍କୁ ସାହାଯ୍ୟ କରିବାକୁ ବାଦଶାହ ପ୍ରଥମେ ଆଗକୁ ଆସିଥିଲେ । ତାଙ୍କ ସ୍ବାସ୍ଥ୍ୟ ଉପରେ ପୂରା ନଜର ରଖିଥିଲେ । ବାଦଶାହଙ୍କ ଗୀତ ବଚପନ କା ପ୍ୟାର୍ ସହଦେବ ଗାଇଥିଲେ । ସହଦେବ ଓ ବାଦଶାହଙ୍କ ଯୋଡି ୨୦୨୧ ଜୁଲାଇରେ ଗାଇଥିବା ଏହି ଗୀତ ହିଟ୍ ହୋଇଥିଲା ଓ ରାତାରାତି ସହଦେବ ଷ୍ଟାର୍ ବନି ଯାଇଥିଲେ ।

ବିଜେପିରେ ଇସ୍ତଫା ପର୍ବ: ପଦ୍ମରୁ ମୁହଁ ଫେରାଇଲେ ଆଉ ୪ ବିଧାୟକ

ଲକ୍ଷ୍ନୌ: ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଉତ୍ତରପ୍ରଦେଶ ବିଜେପିରେ ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ପର୍ବ ଶେଷ ହେବାର ନାଁ ନେଉନାହିଁ । ଆଜି ଗୋଟିଏ ଦିନରେ ୪ ଜଣ ବିଧାୟକ ଇସ୍ତଫା ଦେଇ ଯୋଗୀଙ୍କୁ ଜବରଦସ୍ତ ଧକ୍କା ଦେଇଛନ୍ତି । ତିନି ଦିନ ଭିତରେ ୧୦ ବିଧାୟକଙ୍କ ଇସ୍ତଫା ପଦ୍ମ ପୋଖରୀକୁ ପୂରା ଗୋଳିଆ କରି ଦେଇଛି । ଏମିତି ସ୍ଥିତିରେ ୟୁପିରେ ବିଭିନ୍ନ ପ୍ରସଙ୍ଗକୁ ନେଇ କାଠଗଡ଼ାରେ ଥିବା ବିଜେପି ନିଜ ସ୍ଥିତି ବଞ୍ଚାଇ ପାରିବ କି ନିର୍ବାଚନ ପୂର୍ବରୁ ଇସ୍ତଫା ଇସ୍ତଫାରେ ସଫା ହୋଇଯିବା ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆଜି ଇସ୍ତଫା ଦେଇଥିବା ବିଜେପି ନେତା ହେଲେ ବିଧୁନା ବିଧାୟକ ବିନୟ ଶାକ୍ୟା, ଯୋଗୀ ସରକାରର ଆୟୁସ ମନ୍ତ୍ରୀ ଧର୍ମ ସିଂ ସୈନୀ, ଶିକୋହାବାଦ ବିଧାୟକ ମୁକେଶ ବର୍ମା ଏବଂ ଲଖିମପୁର ଖେରୀ ବିଧାୟକ ବାଲା ପ୍ରସାଦ ଅଗସ୍ତି । ଧର୍ମ ସିଂ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବହୁତ ନିକଟତର ଥିଲେ । ୪ ନେତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଗତକାଲି ବିନୟ ଶାକ୍ୟ ବିଜେପି ଛାଡିବାକୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ମଙ୍ଗଳବାର ସ୍ବାମୀ ପ୍ରସାଦ ମୌର୍ଯ୍ୟ ଯୋଗୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହାପରେ ତିନ୍ଦଓ୍ବାରୀ ବିଧାୟକ ପ୍ରିଜେଶ ପ୍ରଜାପତି, ବିଧାୟକ ରୋଶନ ଲାଲ ବର୍ମା, ଭଗବତୀ ସାଗର ଇସ୍ତଫା ଦେଇଥିଲେ । ଆଜି ବିନୟ, ଧର୍ମ, ମୁକେଶ ଏବଂ ବାଲା ଇସ୍ତଫା ଦେଇଛନ୍ତି ।

ବିଜେପି ଛାଡ଼ ପର୍ବ ଭିତରେ ସ୍ବାମୀ ପ୍ରସାଦଙ୍କ ଟ୍ବିଟ୍ ଏବେ ବିଜେପିର ଗୋଷ୍ଠୀ କନ୍ଦଳକୁ ଆହୁରି ଗୋଳିଆ କରିଛି । ସ୍ବାମୀ ପ୍ରସାଦ କହିଛନ୍ତି, ‘ନାଗ ରୂପୀ ଆରଏସଏସ, ସାପ ରୂପୀ ବିଜେପିକୁ ସ୍ବାମୀ ରୂପୀ ନେଉଳ ୟୁପିରେ ଶେଷ କରି ଦମ ନେବ ।’

ଓମିକ୍ରନ ଲଢ଼େଇରେ କେତେ ସହାୟକ ହେବ ଡବଲ ମାସ୍କ? ଜାଣନ୍ତୁ କଣ କହିଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ଓମିକ୍ରନ ଭାରିଏଣ୍ଟରୁ ବର୍ତ୍ତିବା ପାଇଁ ୨ଟି ମାସ୍କ ପିନ୍ଧିବା ଆବଶ୍ୟକ। ଏଭଳି ମତ ଦେଇଛନ୍ତି ହଙ୍କକଙ୍ଗର ବିଶେଷଜ୍ଞ। ଚାଇନିଜ୍  ଇନଷ୍ଟିଚ୍ୟୁଟ ଅଫ୍ ହଙ୍କକଙ୍ଗର ପ୍ରଫେସରଙ୍କ ଅନୁସାରେ ସର୍ଜିକଲ ମାସ୍କ ଉପରେ କପଡ଼ା ମାସ୍କ ପିନ୍ଧିବା ନିହାତି ଆବଶ୍ୟକ। କାରଣ ସର୍ଜିକଲ ମାସ୍କରେ ଯେଉଁ ଫାଙ୍କ ରହିଯାଇଥାଏ କପଡ଼ା ମାସ୍କ ପିନ୍ଧିବା ଦ୍ୱାରା ସେହି ଗ୍ୟାପ ପୂର୍ଣ୍ଣ ହେବା ସହ ସୁରକ୍ଷା ଦେଇଥାଏ। ଏହା ସେହି ଲୋକଙ୍କ ପାଇଁ ଆବଶ୍ୟକ ଯେଉଁମାନେ ଅଧିକ ଲୋକଙ୍କ ସମ୍ପର୍କରେ ଆସିଥାନ୍ତି ।

ଜଣେ ପ୍ରସିଦ୍ଧ ମାଇକ୍ରୋ ବାୟୋଲୋଜିଷ୍ଟ ୟୁଏନ୍ କ୍ୱୋକ -ୟଙ୍ଗ କହିଛନ୍ତି ଯେ ଯେଉଁମାନେ କୈଣସି ଗୁରୁତର ରୋଗରେ ଆକ୍ରାନ୍ତ କିମ୍ବା ଯେଉଁମାନେ COVID ଟିକା ନେଇ ନାହାଁନ୍ତି , ଏବଂ ବିମାନବନ୍ଦର କର୍ମଚାରୀମାନେ ମଧ୍ୟ ଡବଲ୍ ମାସ୍କ ପିନ୍ଧିବା ଉଚିତ। ଏହା ଦ୍ୱାରା ସେମାନେ ସଂକ୍ରମଣରୁ ଦୂରେଇ ରହିପାରିବେ ।

ଏହି ପରାମର୍ଶ ଏଥିପାଇଁ ଦିଆଯାଉଛି କାରଣ ଅତୀତରେ ଓମିକ୍ରନ୍ ଏମିତି ସ୍ଥାନରେ ବ୍ୟାପିଛି ଯେଉଁଠାରେ ଲୋକମାନେ ମାସ୍କ ପିନ୍ଧିଥିବାର ଦେଖାଯାଇଛି । ଓମିକ୍ରନର ଅଧିକ ମାମଲା ଚିହ୍ନଟ ହେବା ପରେ  ହଙ୍କକଙ୍ଗରେ ଆଂଶିକ ଲକଡାଉନ କରାଯାଇଥିଲ । ଏବଂ ଏହି ଆଂଶିକ ଲକଡାଉନରେ ଜିମ୍, ସିନେମା ହଲ୍, ପ୍ରାଥମିକ ବିଦ୍ୟାଳୟ ଆଦିକୁ ଦୁଇ ସପ୍ତାହ ବନ୍ଦ କରିଦିଆଯାଇଥିଲା ।

ଏନେଇ ଜାତିସଂଘ କହିଛି ଯେ କମ୍ ସଂଖ୍ୟକ ମାମଲାକୁ ଦୃଷ୍ଟିରେ ରଖି ହଙ୍କକଙ୍ଗରେ N95 ମାସ୍କ ଗ୍ରହଣ କରିବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ N95 ମାସ୍କ ଅଧିକ ମହଙ୍ଗା ଏବଂ ଦୈନଦିନ N95 ମାସ୍କ ମଧ୍ୟମରେ ନିଶ୍ୱାସ ନେବା ଅଧିକ କଷ୍ଟକର ହୋଇଥାଏ ।

ମହଙ୍ଗା ପଡ଼ିଲା ଆପତ୍ତିଜନକ ଟ୍ୱିଟ, ସାଇନାଙ୍କୁ କ୍ଷମା ମାଗିଲେ ସିଦ୍ଧାର୍ଥ

ମୁମ୍ବାଇ: ଏକ ଟ୍ୱିଟକୁ ନେଇ ବିବାଦରେ ସାଉଥ ଷ୍ଟାର ସିଦ୍ଧାର୍ଥ । ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ବ୍ୟାଡମିଣ୍ଟନ ତାରକା ସାଇନା ନେହଓ୍ୱାଲଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରି ଅଡୁଆରେ ସିଦ୍ଧାର୍ଥ । ସାଉଥ ଷ୍ଟାର ସିଦ୍ଧାର୍ଥଙ୍କୁ ଅଡୁଆରେ ପକାଇଛି ଏହି ଟ୍ୱିଟ । ସାଇନାଙ୍କ ବିରୋଧରେ ସିଦ୍ଧାର୍ଥଙ୍କ ଏହି ଟ୍ୱିଟ୍ ପରେ ସୋସିଆଲ ମିଡିଆରେ ସାଧାରଣ ଲୋକ କଡ଼ା ବିରୋଧ କରିଥିଲେ । ଏମିତି କି ତାଙ୍କ ଟ୍ୱିଟ୍ ଆକାଉଣ୍ଟ ବନ୍ଦ କରିବାକୁ ଦାବି କରୁଛନ୍ତି। ମାମଲା ବଢୁଥିବା ଦେଖି ସିଦ୍ଧାର୍ଥ ସାଇନାଙ୍କୁ କ୍ଷମା ମାଗିଛନ୍ତି ଏବଂ ପ୍ରଶଂସା ବି କରିଛନ୍ତି। ମଙ୍ଗଳବାର ଏକ ଟ୍ୱିଟ୍ କରି କ୍ଷମା ପ୍ରାର୍ଥନା ମାଗିଛନ୍ତି ସିଦ୍ଧାର୍ଥ ।

https://twitter.com/Actor_Siddharth/status/1480962679032324097

ସିଦ୍ଧାର୍ଥ ଟ୍ୱିଟ୍ କରି ଲେଖିଛନ୍ତି, “ପ୍ରିୟର ସାଇନା, ମୁଁ ଆପଣଙ୍କୁ ମୋର ଥଟ୍ଟା ପାଇଁ କ୍ଷମା ମାଗିବାକୁ ଚାହୁଁଛି। ଯାହା ମୁଁ ନିକଟରେ ଆପଣଙ୍କ ଗୋଟିଏ ଟ୍ୱିଟକୁ ନେଇ କହିଥିଲି। ମୁଁ ଆପଣଙ୍କର ଅନେକ କଥା ଉପରେ ଅସହମତ ହୋଇପାରେ। କିନ୍ତୁ ଆପଣଙ୍କ ଟ୍ୱିଟରେ ଖରାପ ଶବ୍ଦ ବ୍ୟବହାର କରିବା ଉଚିତ୍‌ ନଥିଲା । କିନ୍ତୁ ମୁଁ ଏସବୁ ଥଟ୍ଟାରେ କହିଥିଲି, ଯାହା ମୋତେ କରିବାର ନ ଥିଲା । ଆପଣଙ୍କୁ କଷ୍ଟ ଦେବା ମୋ ଉଦ୍ଦେଶ୍ୟ ନଥିଲା । ମୁଁ ମହିଳାଙ୍କ ଖୁବ୍‌ ସମ୍ମାନ କରେ ।” ଶେଷ ଧାଡିରେ ଅଭିନେତା ସାଇନାଙ୍କୁ ପ୍ରଶଂସା କରି ଲେଖିଛନ୍ତି ’ଆପଣ ସବୁବେଳେ ମୋର ଚାମ୍ପିଆନ୍ ରହିବେ’ ବୋଲି ସିଦ୍ଧାର୍ଥ ଟ୍ୱିଟ କରି କହିଛନ୍ତି । ।

ଏହି ଘଟଣା ଉପରେ ସାଇନା ନେହୱାଲଙ୍କ ବାପା ବି ନିଜର ଅସନ୍ତୁଷ୍ଟି ଜାହିର କରିଥିଲେ। ସାଇନା ବି ସିଦ୍ଧାର୍ଥଙ୍କ ଟୁଇଟ୍‌ ଉପରେ ଆପତ୍ତି ଉଠାଇ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ।

ମକର ସଂକ୍ରାନ୍ତିରେ ବନ୍ଦ ରହିବ ତାରିଣୀ ପୀଠ

ଘଟଗାଁ: ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ତାରିଣୀ ପୀଠ । କୋଭିଡ ସ୍ଥିତି ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମନ୍ଦିର ପ୍ରଶାସନ ଜାରି କରିଛି ନିଷେଧାଦେଶ । ନିର୍ଦ୍ଦେଶ ଅନୁଯାୟୀ ପୀଠରେ ସାଧାରଣ ଦର୍ଶନ ବନ୍ଦ ରହିବ । ମକର ସଂକ୍ରାନ୍ତି ଅବସରରେ ତାରିଣୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଆଶଙ୍କା ଥିବାରୁ କଟକଣା ଜାରି କରାଯାଇଛି । ତେବେ ରୀତିନୀତି ଅନୁଯାୟୀ ପୂଜାବିଧି ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଛି । ନୂଆବର୍ଷ ପରଠାରୁ ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ପାର୍ କରିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩ ହଜାର ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାର ଦେଖି କେନ୍ଦୁଝର ପ୍ରଶାସନ ତାରିଣୀ ମନ୍ଦିରକୁ ମକର ସଂକ୍ରାନ୍ତିରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।

କୋଭିସିଲ୍ଡ କମାଲ: ଟିକା ନେବା ପରେ କଥା କହୁଛନ୍ତି ମୂକ ବ୍ୟକ୍ତି

ରାଞ୍ଚି: ଭାରତୀୟ ଟିକା କୋଭିସିଲ୍ଡର ଆଉ ଏକ କମାଲ । ଟିକା ନେବା ପରେ ଫେରିଲା ବାକ୍ ଶକ୍ତି । ୫ ବର୍ଷ ହେଲା କଥା କହି ପାରୁନଥିବା ଲୋକ କହିଲା କଥା । ସେତିକି ନୁହେଁ, ଶରୀରରେ ଥିବା ଅନ୍ୟାନ୍ୟ ସମସ୍ୟା ବି ଦୂରେଇ ଯାଇଛି ଓ ବ୍ୟକ୍ତି ଜଣଙ୍କ ଚଲାବୁଲା କରିବାକୁ ସକ୍ଷମ ହୋଇପାରିଛନ୍ତି । ଏମିତି ଚମତ୍କାର ଖବର ଆସିଛି ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରୁ । କେମିତି ଏହି ଚମତ୍କାର ଘଟିଲା ତାହାର ଯାଞ୍ଚ କରିବାକୁ ମେଡିକାଲ ଟିମ୍ ଗଠନ କରାଯାଇଛି ।

ସୂଚନାଯୋଗ୍ୟ, ଗୋମିୟାର ପେଟରଓ୍ବାର ଗାଁର ୫୫ ବର୍ଷର ଦୁଲାରଚାନ୍ଦ ମୁଣ୍ଡା ୫ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ କହିବା ଶକ୍ତି ହରାଇଥିଲେ । ସେ ଠିକ ଭାବେ କଥା କହିପାରୁନଥିଲେ । ଏହାସହ ଚଲାବୁଲା ଠିକରେ କରି ପାରୁ ନଥିଲେ କି ଶରୀରର ବିଭିନ୍ନ ଅଙ୍ଗ ଭଲରେ କାମ କରୁନଥିଲା । ହେଲେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ ନେବା ପରେ ସେ ଏବେ ପୂର୍ବ ପରି କଥା କହି ପାରୁଛନ୍ତି ଓ ନିଜ କାମ ମଧ୍ୟ କରିପାରୁଛନ୍ତି ।

ଦୁଲାରଚାନ୍ଦଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ତାଙ୍କୁ ଚିକିତ୍ସା ପାଇଁ ବହୁତ ଡାକ୍ତରଖାନା ଧାଇଁଛନ୍ତି । ଏହାସହ ମନ୍ଦିର, ମସଜିଦକୁ ଯାଇ ଭଲ ହେବା ପାଇଁ ପ୍ରାର୍ଥନା କରିଛନ୍ତି । ହେଲେ କିଛି ଲାଭ ହୋଇ ନଥିଲା । କୋଭିଡର ଗୋଟିଏ ଡୋଜ ଯେମିତି ସେମାନଙ୍କ ପ୍ରାର୍ଥନା ଶୁଣିଥିଲା ଓ ଦୁଲାରଚାନ୍ଦ ଏବେ ଆଗ ଭଳି କଥା କହିପାରୁଛନ୍ତି ।

ଘଟଣା ଜଣାପଡ଼ିବା ପରେ ଜିଲ୍ଲାର ସିଭିଲ୍ ସର୍ଜନ ଡ. ଜିତେନ୍ଦ୍ର କୁମାର ଏକ ମେଡିକାଲ ଟିମ୍ ଗଠନ କରି ଦୁଲାରଚାନ୍ଦଙ୍କ ମେଡିକାଲ ହିଷ୍ଟ୍ରି ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି ।

ପେଟରଓ୍ବାର ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସକ ଡ. ଅଲବେଲା କେରକେଟା କହିଛନ୍ତି, ‘ଜାନୁଆରୀ ୪ ତାରିଖରେ ଅଙ୍ଗନବାଡି ଦିଦି ଦୁଲାରଚାନ୍ଦଙ୍କ ଘରକୁ ଯାଇ ତାଙ୍କୁ ଟିକା ଦେଇଥିଲେ । ତା’ପରଦିନଠାରୁ ନିସ୍ତେଜ ହୋଇଯାଇଥିବା ତାଙ୍କ ଶରୀରରେ କିଛି ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା । ଦୁଲାରଚାନ୍ଦଙ୍କୁ ଇସ୍ପାଇନ ସମସ୍ୟା ଥିଲା । ତାଙ୍କର ବହୁତ ରିପୋର୍ଟ ଆମେ ଦେଖିଛୁ । ଏହାର ଯାଞ୍ଚ ହେବା ଆବଶ୍ୟକ ।’

ଏମିତି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କ’ଣ ସତରେ ଭାରତୀୟ ଟିକା କୋଭିସିଲ୍ଡ କରୋନାକୁ ପ୍ରତିହତ କରିବା ସହ ବାକଶକ୍ତି ଫେରିବା ଓ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦୂର କରିବାକୁ ସକ୍ଷମ ? ୫ ବର୍ଷ ହେଲା ବିଛଣାରେ ପଡି କଥା କହି ପାରୁନଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ କେମିତି ? ଯାହାର ଉତ୍ତର ଆଗାମୀ ଦିନରେ ମେଡିକାଲ ଟିମର ଯାଞ୍ଚ ପରେ ଜଣାପଡିବ ।

BMC ଅଫିସରେ ପଶିଲା କରୋନା, ଗୋଟିଏ ଦିନରେ ୨୨ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମୁଖ୍ୟ କାର୍ଯ୍ୟାଳୟରେ ପଶିଲା କରୋନା । ଗୋଟିଏ ଦିନରେ ବିଏମସିର ୨୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ବିଏମସି ଅଫିସରେ ଟେଷ୍ଟିଂ ହୋଇଥିଲା । ଯାହା ଫଳରେ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବିଏମସି ଅଫିସରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ବିଏମସି ଅଫିସରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନ୍ୟ କର୍ମଚାରୀଙ୍କର ମଧ୍ୟ ଟେଷ୍ଟିଂ କରାଯିବ ।

ସୂଚନା ଅନୁସାରେ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ପାର୍ କରିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଖୋର୍ଦ୍ଧାରେ ୩ ହଜାର ୧୮୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ଭୁବନେଶ୍ୱର କଥା କହିବା ତାହାଲେ ଗତକାଲି ଭୁବନେଶ୍ୱରରୁ ୮୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୮ ଜଣ ଚିହ୍ନଟ ହୋଇଥିବାବେଳେ ୭୫୫ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି ।