ପୌର ନିର୍ବାଚନ ନେଇ ସରିଲା ନାମାଙ୍କନ ଏଥର ଜୋରଦାର ହେବ ପ୍ରଚାର

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶେଷ । ଏଥର ଜୋରଦାର ହେବ ପୌର ଫାଇଟ୍ । ନାମାଙ୍କନ ଭରିଛନ୍ତି ସବୁ ଆଶାୟୀ ପ୍ରାର୍ଥୀ । ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ହେଭିଓ୍ବେଟ୍ । ଆଜି ବିଜେଡି ମେୟର ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡିର ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକ ମେୟର ପ୍ରାର୍ଥୀ ସୁବାସ ସିଂ ଓ ବ୍ରହ୍ମପୁର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏକ ବିରାଟ ଶୋଭାଯାତ୍ରାରେ ବାହାରି ନାମାଙ୍କନ ଦାଖଲ କରିବାକୁ ଯାଇଥିଲେ ବିଜେଡିର ୩ ହେଭିଓ୍ବେଟ୍ ମେୟର ପ୍ରାର୍ଥୀ । ଅନ୍ୟପଟେ ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ମଞ୍ଜୁ ରଥଙ୍କୁ ମେୟର ଟିକେଟ ଦେଇଛି କଂଗ୍ରେସ । ସେହିପରି ଓ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମଧ୍ୟ ନାମାଙ୍କନ କରିଛନ୍ତି ।

ସେହିଭଳି ଭୁବନେଶ୍ବର ମହାନଗର ନିଗମର ୫୦ ନମ୍ବର ଓ୍ବାର୍ଡ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ । ଇଞ୍ଜିନିୟରିଂ ପାଠ ସାରି ୨୦୧୪ ମସିହାରେ ସେ ପ୍ରଥମ ଥର ବିଜେଡି ଟିକେଟରେ ଜିତି କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ଆଜି ବରମୁଣ୍ଡାର ଶତାଧିକ ସମର୍ଥକଙ୍କୁ ନେଇ ସେ ଭୁବନେଶ୍ବର ଏଡିଏମଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀଭାବେ ୨୦୨୨ ବିଏମସି ନିର୍ବାଚନ ଜିତିବାକୁ ସେ ଦମ୍ଭୋକ୍ତି ଦେଖାଇଛନ୍ତି । । ଆଗାମୀଦିନରେ ବରମୁଣ୍ଡା ସମେତ ଭୁବନେଶ୍ବରର ସର୍ବାଙ୍ଗିନ ଉନ୍ନତି ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସଙ୍ଗୀତା ପିଙ୍ଗୁଆ । ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ ଓ ଅନେକ ବିଜେଡି ନେତାଙ୍କ ଉପସ୍ଥିତିରେ ସଂଗୀତା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।