ExitPoll: ୟୁପିରେ ବିଜେପି ସପକ୍ଷରେ ମତ, ଅସ୍ପଷ୍ଟ ଉତ୍ତରାଖଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଆସିଲା ୫ ରାଜ୍ୟର ଏକଜିଟ ପୋଲ ରେଜଲ୍ଟ । ଉତ୍ତରପ୍ରଦେଶରେ ପୁଣି ସରକାର ଗଠନ କରିପାରେ ବିଜେପି ।  ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିଲା ଏକଜିଟ ପୋଲରୁ ସ୍ପଷ୍ଟ ହେବାରେ ଲାଗିଛି ସରକାର ଗଠନର ଚିତ୍ର । ୪୦୩ ଆସନ ବିଶିଷ୍ଟ ବିଧାନସଭାରେ ପୁଣି ରାଜ୍ କରିପାରନ୍ତି ଯୋଗୀ ଆଦିତ୍ୟନାଥ । ହୋଇଥିବା ଏକଜିଟ ପୋଲର ହାରାହାରି ରିପୋର୍ଟ ଅନୁସାରେ ବିଜେପିକୁ ମିଳିପାରେ ୨୩୧ ଆସନ । କଡ଼ା ଟକ୍କରର ସମ୍ମୁଖୀନ ହୋଇଥିବା ସମାଜବାଦୀ ପାର୍ଟିକୁ ମିଳିପାରେ ୧୫୧ ଆସନ । ବିଏସପିକୁ ମିଳିବ ୧୭ଟି ଆସନ । କଂଗ୍ରେସ ମାତ୍ର ୪ ଆସନରେ ରହିବ ସନ୍ତୁଷ୍ଟ ।

ସେପଟେ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ହୋଇପାରେ ଝୁଲା ବିଧାନସଭା । ହାରାହାରି ଆକଳନ ଅନୁସାରେ ସରକାରରେ ଥିବା ବିଜେପିକୁ ୩୪ ଆସନ ମିଳିବ । କଂଗ୍ରେସକୁ ୩୨ ଓ ଆପକୁ ଗୋଟିଏ ଆସନ ମିଳିପାରେ । ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ସରକାର ଗଠନ କରିପାରେ ଆପ୍ । କଂଗ୍ରେସ ହରାଇପାରେ ଶାସନ । ହରାହାରି ସର୍ଭେରେ ଆପକୁ ମିଳିପାରେ ୬୭ ଆସନ । ବିଜେପିକୁ ୪, କଂଗ୍ରେସକୁ ୨୫ ଓ ଅକାଳୀ ଦଳ ମେଣ୍ଟକୁ ମିଳିବ ୨୧ ଆସନ ।

୪୦ ଆସନ ବିଶିଷ୍ଟ ଗୋଆରେ ବି ହୋଇପାରେ ଝୁଲା ବିଧାନସଭା । କ୍ଷମତାସୀନ ବିଜେପିକୁ ୧୬ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି । ସେହିପରି କଂଗ୍ରେସକୁ ବି ମିଳିପାରେ ୧୬ ଆସନ । ଟିଏମସିକୁ ମିଳିବ ୩ ଆସନ । ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ପୁଣି ସରକାର ଗଠନ କରିପାରେ ବିଜେପି । ବିଜେପିକୁ ମିଳିପାରେ ୩୦ ଆସନ । କଂଗ୍ରେସକୁ ୧୪ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି ।