spot_img
Home Blog Page 4668

ଦେବାଳିଆରୁ ବଞ୍ଚିବା ଲାଗି ସୁନା ବିକୁଛି ଶ୍ରୀଲଙ୍କା, ଦେଲା ଭାରତର ଉଦାହରଣ

ନୂଆଦିଲ୍ଲୀ: ସୁନା ବିକୁଛି ଶ୍ରୀଲଙ୍କା । ନିଜକୁ ଦେବାଳିଆ ହେବାରୁ ବଞ୍ଚାଇବା ଲାଗି ଶ୍ରୀଲଙ୍କା ସୁନା ବିକ୍ରି କରୁଛି । ସୁନା ବିକ୍ରି କରି ଭୁଶୁଡ଼ି ପଡ଼ୁଥିବା ଅର୍ଥ ବ୍ୟବସ୍ଥାକୁ ଶ୍ରୀଲଙ୍କା ସାହାରା ଦେଉଛି । ଏନେଇ ଶ୍ରୀଲଙ୍କାର କେନ୍ଦ୍ରୀୟ ବ୍ୟାଙ୍କ କହିଛି, ବିଦେଶୀ ମୁଦ୍ରା ଭଣ୍ଡାର ସରି ଆସୁଥିବାରୁ ସଂରକ୍ଷିତ ସୁନାର ଏକ ଅଂଶ ବିକ୍ରି କରାଯାଇଛି । ନିକଟରେ ଶ୍ରୀଲଙ୍କାର ପ୍ରମୁଖ ଅର୍ଥଶାସ୍ତ୍ରୀ ତଥା କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଡା. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ କେନ୍ଦ୍ରୀୟ ବ୍ୟାଙ୍କରେ ସଂରକ୍ଷିତ ସୁନା କମିଥିବା ସେ ଲେଖିଥିଲେ ।

କେନ୍ଦ୍ରୀୟ ବ୍ୟାଙ୍କର ସଂରକ୍ଷିତ ସୁନା ୩୮.୨ କୋଟି ଡଲାରରୁ ହ୍ରାସ ପାଇ ୧୭.୫ କୋଟି ଡଲାରରେ ପହଞ୍ଚିଥିବା ସେ ସୂଚନା ଦେଇଥିଲେ । ଶ୍ରୀଲଙ୍କା କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ନିବାର୍ଡ କୈବ୍ରାଲ କହିଛନ୍ତି, ୨୦୨୦ ଡିସେମ୍ବରରେ ଶ୍ରୀଲଙ୍କା ବିଦେଶୀ ମୁଦ୍ରା ବୃଦ୍ଧି ଲାଗି ସୁନା ଭଣ୍ଡାରର ଏକ ଅଂଶ ବିକ୍ରି କରିଥିଲା । ଚୀନ୍ ମୁଦ୍ରା ସ୍ୱାପ୍ ପରେ ସଂରକ୍ଷିତ ସୁନା ପରିମାଣକୁ ବଢ଼ାଇ ଦିଆ ଯାଇଥିଲା ।

ଏଥିସହ ପଢ଼ନ୍ତୁ: ବୟକଟ୍ ଚୀନ୍ ନାରା ବିଫଳ, ବଜାରରେ ବଢ଼ୁଛି ଚୀନ୍ ସ୍ମାର୍ଟଫୋନର ଭାଉ

ତାଙ୍କ ଅନୁସାରେ, ବିଦେଶୀ ମୁଦ୍ରା କମିଲେ ସଂରକ୍ଷିତ ସୁନା କମାଇ ଦିଆଯାଏ । ଆଉ ବିଦେଶୀ ମୁଦ୍ରା ବଢ଼ିଲେ ସୁନା ଭଣ୍ଡାର ବଢ଼େ । ଯେତେବେଳେ ସଂରକ୍ଷଣ ସ୍ତର ୫ ଅରବ ଆମେରିକୀୟ ଡଲାରରୁ ଅଧିକ ହୋଇଯିବ ତ କେନ୍ଦ୍ରୀୟ ବ୍ୟାଙ୍କ ସୁନା ହୋଲ୍ଡିଂ ବଢ଼ାଇବା ନେଇ ବିଚାର କରିବ ।

ଡା. ଡବ୍ଲ୍ୟୁ ଏ ବିଜେବର୍ଦ୍ଧନ ଶ୍ରୀଲଙ୍କା ସ୍ଥିତିର ତୁଳନା ୧୯୯୧ର ଭାରତ ସହ କରିଛନ୍ତି । ସେ କହିଛନ୍ତି ଭାରତ ନିଜକୁ ଦେବାଳିଆରୁ ବଞ୍ଚାଇବା ଲାଗି ୧୯୯୧ରେ ସୁନାକୁ ବନ୍ଧକ ରଖିଥିଲା ।  ଏବେ ଶ୍ରୀଲଙ୍କାର ସ୍ଥିତି ୧୯୯୧ର ଭାରତ ଭଳି । ତେଣୁ ସୁନା ବିକ୍ରି କରାଯାଉଛି ।

ଟସ୍ ଜିତିଲା ଦକ୍ଷିଣ ଆଫ୍ରିକା, ବୋଲିଂ କରିବ ଭାରତ

କେପଟାଉନ: ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେଉଛି ଦିନିକିଆ ସିରିଜ୍ । ଟେଷ୍ଟ ମ୍ୟାଚରେ ୨-୧ରେ ପରାଜୟ ପରେ ଦିନିକିଆରେ ବଦଲା ନେବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ଆଜି ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି । ଦିନିକିଆରୁ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ପରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ଆହତ କାରଣରୁ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ପକ୍ଷରୁ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଭେଙ୍କଟେଶ ଆୟର । ସେହପରି ଭାବରେ ଭାରତ ପକ୍ଷରୁ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଛି ।

ଟେଷ୍ଟ ସିରିଜରେ ୨-୧ରେ ପରାଜୟ ପରେ ଟେଷ୍ଟ ଦଳରୁ ଅଧିନାୟକ ପଦ ଛାଡିଥିଲେ ବିରାଟ କୋହଲି । ଏପରି ସ୍ଥିତିରେ ଏବେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ବ୍ୟାଟିଂ ଉପରେ ରହିବ । ଅନ୍ୟପକ୍ଷରେ ୨୦୧୬ ମସିହା ପରେ ପ୍ରଥମ ଥର ପାଇଁ ବିନା ଅଧିନାୟକତ୍ୱରେ ଦିନିକିଆ ମ୍ୟାଚ ଖେଳିବେ ବିରାଟ । ସେହିପରି ଭାବରେ ଦୀର୍ଘ ପାଞ୍ଚ ବର୍ଷ ପରେ ଦିନିକିଆ ଦଳକୁ ଫେରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନୀ । ତେବେ ଆଜି ଖେଳାଯାଉଥିବା ପ୍ରଥମ ମ୍ୟାଚକୁ ବିଜୟ ଲାଭ କରି ଏହି ସିରିଜରେ ୧-୦ରେ ଆଗୁଆ ରହିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।

ଭାରତ ଚୁଡାନ୍ତ ଏକାଦଶ:

କେଏଲ ରାହୁଲ (ଅଧିନାୟକ), ଶିଖର ଧାଓ୍ୱନ, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, ଭେଙ୍କଟେଶ ଆୟର, ଶାର୍ଦ୍ଦୁଳ ଠାକୁର, ଭୁବନେଶ୍ୱର କୁମାର, ରବିଚନ୍ଦ୍ରନ ଅଶ୍ୱିନୀ, ଜଶପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲ

ବୟକଟ୍ ଚୀନ୍ ନାରା ବିଫଳ, ବଜାରରେ ବଢ଼ୁଛି ଚୀନ୍ ସ୍ମାର୍ଟଫୋନର ଭାଉ

ମୁମ୍ବାଇ: ଭାରତରେ ବିଫଳ ହୋଇଛି ବୟକଟ୍ ଚୀନ୍ ନାରା । ଚୀନ୍ ସାମଗ୍ରୀକୁ ବର୍ଜନ ଲାଗି ତମାମ୍ ଉଦ୍ୟମ ସତ୍ତ୍ୱେ ଭାରତୀୟ ବଜାରରେ ଚୀନ ସ୍ମାର୍ଟଫୋନର ଚାହିଦା ଅଧିକ ରହିଛି । ଖାଲି ଭାରତୀୟ ବଜାର ନୁହେଁ ବିଶ୍ୱ ବଜାରରେ ବି ଚୀନ୍ ସ୍ମାର୍ଟଫୋନର ଡିମାଣ୍ଡ ବଢ଼ୁଛି । ବିଗତ ୬ ବର୍ଷ ମଧ୍ୟରେ ଭାରତୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ୍ସର ବଜାର ଅଂଶଧନ ୧ ପ୍ରତିଶତକୁ ଖସି ଆସିଛି । ଯେତେବେଳେ କି ଚୀନ୍ ବ୍ରାଣ୍ଡ୍ସର ବଜାର ମୂଲ୍ୟ ଶତକଡ଼ା ୯୯ ପ୍ରତିଶତ ଯାଏ ବୃଦ୍ଧି ପାଇଛି ।

୨୦୧୫ ମସିହାରେ ବଜାରରେ ଭାରତୀ ବ୍ରାଣ୍ଡ୍ସର ବଜାର ଅଂଶଧନ ପ୍ରାୟ ୬୮ ପ୍ରତିଶତ ରହିଥିଲା । ସେତେବେଳେ ଚୀନ ବ୍ରାଣ୍ଡ୍ସ ମାତ୍ର ୩୨ ପ୍ରତିଶତରେ ସୀମିତ ରହିଥିଲା । ଅର୍ଥାତ୍ ଚୀନ ଠାରୁ ଭାରତୀୟ ବ୍ରାଣ୍ଡ୍ସର ବଜାର ମୂଲ୍ୟ ୨ ଗୁଣ ଅଧିକ ଥିଲା । ଏବେ ଲାଭା ଓ ମାଇକ୍ରୋମ୍ୟାକ୍ସ ଭଳି ଭାରତୀୟ ନିର୍ମାତା ସହ ସାମସଙ୍ଗକୁ ମଧ୍ୟ କଡ଼ା ଟକ୍କର ଦେଉଛି ।

Smartphone Market In India Chinese Companies Dominate Indian Brands

ରିପୋର୍ଟ ଅନୁସାରେ, ବିଗତ କିଛିବର୍ଷ ମଧ୍ୟରେ ଭାରତୀୟ ବଜାରରେ ସାମସଙ୍ଗର ଅଂଶଧନ ୨୪ ପ୍ରତିଶତରୁ ୧୭ ପ୍ରତିଶତକୁ ଖସି ଆସିଛି । ଏହା ପୂର୍ବରୁ ଭାରତୀୟ ବଜାରରେ ସାମସଙ୍ଗର ଦବଦବା ଥିଲା । ଆଜିର ଦିନରେ ସାଆମି ତଳେ ରହିଛି ସାମସଙ୍ଗ । ଅନ୍ୟପଟେ ରିଅଲମି ଓ ୱାନ୍ ପ୍ଲସ୍ ଭଳି ବ୍ରାଣ୍ଡର ଲୋକପ୍ରିୟତା ବଢ଼ିବାରେ ଲାଗିଛି । ବିଶ୍ୱ ବଜାରରେ ଏବେ ସାମସଙ୍ଗର ଅଂଶଧନ ମାତ୍ର ୨୦ ପ୍ରତିଶତ ରହିଛି ।

କମ୍ ମୂଲ୍ୟରେ, ଉତ୍କୃଷ୍ଟ ଫିଚର ଦେଇ ଚୀନ କମ୍ପାନୀ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । କ୍ଷତି ହେଉଥିଲେ ମଧ୍ୟ ନିଜ ପ୍ରତିଯୋଗୀ କମ୍ପାନୀଙ୍କୁ ରେସରୁ ବାହାର କରିବା ପାଇଁ ଏଭଳି କରୁଛନ୍ତି ଚୀନ କମ୍ପାନୀ । ୨୦୨୦ ଆର୍ଥିକ ବର୍ଷରେ ଚୀନ କମ୍ପାନୀ ଅପୋ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ସହିଥିବା ବେଳେ ଭିଭୋ ୩୦୦ କୋଟି ଟଙ୍କା ହରାଇଛି ।

Smartphone Market In India Chinese Companies Dominate Indian Brands

ବାସ୍ତବିକ ନିୟନ୍ତ୍ରଣ ସୀମାରେଖାରେ ଡ୍ରାଗନ ସହ ଭାରତୀୟ ସେନା ମଧ୍ୟରେ ସଂଘର୍ଷ ପରେ ଦେଶରେ ବୟକଟ୍ ଚୀନ ଆରମ୍ଭ ହୋଇଥିଲା । ତେବେ ଏହାର ପ୍ରଭାବ ଏହି ଚୀନ କମ୍ପାନୀଗୁଡ଼ିକ ଉପରେ ପଡ଼ିନାହିଁ । କମ୍ ମୂଲ୍ୟରେ ଅଧିକ ଫିଚର ଦେଇ ଚୀନ କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି । ତା’ଛଡ଼ା ଚୀନ ବ୍ରାଣ୍ଡ୍ସକୁ ବୟକଟ୍ କଲେ ବ୍ୟବହାରକାରୀଙ୍କ ପାଖରେ ଅନ୍ୟ ବିକଳ୍ପ ମଧ୍ୟ ନାହିଁ ।

ଚଳନ୍ତା କାରରେ ଲାଗିଲା ନିଆଁ

କଟକ: ଜଳିଗଲା ଚଳନ୍ତା କାର୍‌ । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ ଚଳନ୍ତା କାରରେ ଲାଗିଲା ନିଆଁ । ସଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ କାରରେ ନିଆଁ ଲାଗିଥିବାବେଳେ ଏଥିରେ କେହି ଆହତ ହୋଇନାହାନ୍ତି । କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ରାସ୍ତା ଉପରେ ଚଳନ୍ତା କାରରେ ନିଆଁ ଲାଗିଯିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଏହି ଘଟଣା ଘଟିଥିବାରୁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଛି ।

ଗୋଆରେ AAPର ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଅମିତ ପାଲେକର, କେଜ୍ରିଓ୍ୱାଲ କଲେ ଘୋଷଣା

ପାନାଜୀ: ଗୋଆ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି । ପଞ୍ଜାବ ପରେ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ବରିଷ୍ଠ ଆଇନଜୀବୀ ଅମିତ ପାଲେକରଙ୍କୁ ଗୋଆରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ । ଗୋଆ ବିଧାନସଭା ନିର୍ବାଚନର ସମସ୍ତ ୪୦ଟି ଆସନରେ ଲଢ଼ିବ ବୋଲି ଅରବିନ୍ଦ କେଜ୍ରିଓ୍ୱାଲ ଘୋଷଣା କରିଛନ୍ତି । ଆସନ୍ତା ଫେବ୍ରୁଆରୀ ଗୋଆ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ଫଳାଫଳ ଘୋଷଣା ହେବ ।

ସୂଚନା ଅନୁସାରେ ମଙ୍ଗଳବାର ଅରବିନ୍ଦ କେଜ୍ରିଓ୍ୱାଲ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲେ । ପଞ୍ଜାବରେ ‘ଆମ୍ ଆଦମୀ ପାର୍ଟି’ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଥିଲା । ପବ୍ଲିକ୍ ଭୋଟିଂ ଜରିଆରେ ଭଗବନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ  ପ୍ରାର୍ଥୀ ଭାବରେ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ ଅରବିନ୍ଦ୍ର କେଜ୍ରିଓ୍ୱାଲ । ପଞ୍ଜାବରେ ୨୦ ଫେବ୍ରୁଆରୀରେ ଭୋଟ ଗ୍ରହଣ ହେବ ଏବଂ ୧୦ ମାର୍ଚ୍ଚରେ ଫଳାଫଳ ପ୍ରକାଶ ପାଇବ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନରେ ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ

ଭୁବନେଶ୍ୱର: କମ୍ପୁଛି ଗାଁ, ସରଗରମ ହେଉଛି ରାଜନୀତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ପ୍ରକ୍ରିୟା । ଆଜି ତୃତୀୟ ଦିନରେ ନାମାଙ୍କନ ଭରୁଛନ୍ତି ଆଶାୟୀ ପ୍ରାର୍ଥୀ । ଗତକାଲି ଦ୍ୱିତୀୟ ଦିନରେ ରାଜ୍ୟରେ ମୋଟ ୧୩ ହଜାର ୩୫୬ ଜଣ ଆଶାୟୀ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆଜି ପରେ ନାମାଙ୍କନ ଦାଖଲ କରିବାକୁ ହାତରେ ଆଉ ଦୁଇ ଦିନ ସମୟ । ଏଣୁ ଆଜି ଅଧିକ ସଂଖ୍ୟାରେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାର ସମ୍ଭାବନା ରହିଛି । ସରପଞ୍ଚ, ସମିତିସଭ୍ୟ ଓ ଓ୍ୱାର୍ଡମେମ୍ବର ପାଇଁ ପ୍ରାର୍ଥୀ କଟକଣାରେ ଆସି ନାମାଙ୍କନ ଦାଖଲ କରୁଛନ୍ତି ।

ଅନ୍ୟପକ୍ଷରେ ଦଳୀୟ ଚିହ୍ନରେ ଜିଲ୍ଲା ପରିଷଦ ଆସନ ଲଢ଼ା ଯାଉଥିବାରୁ ଏହା ଉପରେ ସବୁ ଦଳଙ୍କ ନଜର ରହିଛି । ଉପଯୁକ୍ତ ପ୍ରାର୍ଥୀ ଦେବାକୁ ସବୁ ଦଳ କସରତ୍ କରୁଛନ୍ତି । ଏସବୁ ଭିତରେ ବିଜେଡି ଅନେକ ସ୍ଥାନରେ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିରୋଧୀ ମଧ୍ୟ ପ୍ରସ୍ତୁତି ଚଲାଇଛନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁସାରେ କେବଳ ଜଣେ ପ୍ରସ୍ତାବକଙ୍କ ସହ ପ୍ରାର୍ଥୀମାନେ ନିର୍ବାଚନ ଅଧିକାରୀଙ୍କ ପ୍ରକୋଷ୍ଠକୁ ଯାଇ ନାମାଙ୍କନ ଦାଖଲ କରୁଛନ୍ତି । ନାମାଙ୍କନ ଦାଖଲ ସମୟରେ ନିଜର ସମ୍ପତ୍ତି ବିବରଣୀ, ଶିକ୍ଷାଗତ ଯୋଗ୍ୟତା ଏବଂ ଅପରାଧିକ ପୃଷ୍ଠଭୂମି ବାବଦରେ ସତ୍ୟପାଠ ଦାଖଲ କରୁଛନ୍ତି ପ୍ରାର୍ଥୀ ।

ସାଇକେଲ ଛାଡି ପଦ୍ମ ଧରିଲେ ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ

ଲକ୍ଷ୍ନୌ: ସାଇକେଲ ଛାଡି ପଦ୍ମ ଧରିଲେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ । ସାମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇବୋହୂ ବିଧିବଦ୍ଧ ଭାବରେ ଆଜି ବିଜେପିରେ ମିଶିଛନ୍ତି । ଉତ୍ତରପ୍ରଦେଶ ବିଜେପି ସଭାପତି ସ୍ୱତନ୍ତ୍ର ଦେବ ସିଂହ ତାଙ୍କୁ ବିଜେପିରେ ବିଧିବଦ୍ଧ ଭାବେ ସାମିଲ କରାଇଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶ ଡେପୁଟି ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଉପସ୍ଥିତ ଥିଲେ । ମିଶ୍ରଣ ପର୍ବରେ ସ୍ୱତନ୍ତ୍ର ଦେବ ସିଂ ଓ କେଶବ ପ୍ରସାଦ ମୌର୍ଯ୍ୟ, ସମାଜବାଦୀ ପାର୍ଟି ଓ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଥିଲେ ।

ବିଜେପିରେ ଯୋଗ ଦେବା ପରେ ଅପର୍ଣ୍ଣା ଯାଦବ କହିଛନ୍ତି କି ମୁଁ ସବୁ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପ୍ରଭାବିତ ହୋଇଛି । ମୋ ପାଇଁ ଦେଶ ପ୍ରଥମେ । ମୁଁ ଏବେ ଦେଶର ସେବା କରିବାକୁ ଆସିଛି, ଯେଉଁଥି ପାଇଁ ମୁଁ ସମସ୍ତଙ୍କ ସହଯୋଗ କାମନା କରୁଛି । ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନ, ମହିଳା ଓ ରୋଜଗାର ପାଇଁ ହୋଇଥିବା ସବୁ ଯୋଜନାର ପ୍ରଶଂସା କରିଥିଲେ ।

ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ। ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ୨୦୧୭ ବିଧାନସଭା ନିର୍ବାଚନ ଲକ୍ଷ୍ନୌର କ୍ୟାଣ୍ଟ ଆସନରୁ ଲଢ଼ିଥିଲେ ଅପର୍ଣ୍ଣା । କ୍ୟାଣ୍ଟ ଆସନରୁ ଲଢ଼ି ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କ ଠାରୁ ହାରିଥିଲେ । ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା।

ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବେ ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲଢିବେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ଦୀର୍ଘ ବିଚାରବିମର୍ଶ ପରେ ମଇଦାନରେ ପାଦ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମୋ । ପୂର୍ବରୁ ସେ ନିର୍ବାଚନ ଲଢିବେ ନାହିଁ ଏବଂ ରାଜ୍ୟର ସମସ୍ତ ଆସନକୁ ଯାଇ ନିର୍ବାଚନ ପ୍ରଚାର କରିବାକୁ ପ୍ରକାଶ କରିଥିଲେ । ବିଜେପି ପକ୍ଷରୁ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ନିର୍ବାଚନ ଲଢୁଥିବାବେଳେ ଅଖିଳେଶ କେଉଁ ଆସନରୁ ଲଢିବେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବ ଉତ୍ତରପ୍ରଦେଶର ଏକ ଆସନରୁ ସେ ଲଢିବା ସମ୍ଭାବନା ଥିବାବେଳେ ଏକାଦିକ୍ରମେ ଦୁଇଟି ଆସନରୁ ସେ ଲଢିବେ ବୋଲି ଚର୍ଚ୍ଚା ଚାଲିଛି । ବିଜେପିର ଅନେକ ପଛୁଆ ବର୍ଗ ନେତା ଓ ବିଧାୟକ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବାବେଳେ ସେ ନିର୍ବାଚନ ଲଢିବା ଲାଗି ବିଭିନ୍ନ ମହଲରୁ ଚାପ ସୃଷ୍ଟି ହୋଇ ଆସୁଥିଲା ।

ଗତ ନଭେମ୍ବରରେ ନିର୍ବାଚନରେ ଲଢିବେ ନାହିଁ ବୋଲି କହିଥିଲେ ଅଖିଳେଶ ଯାଦବ । ୨୦୧୨ରେ ସମାଜବାଦୀ ପାର୍ଟି ବିପୁଳ ଆସନରେ ବିଜୟ ହେବା ପରେ ଅଖିଳେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ସେ କନୌଜ ଲୋକସଭା ଆସନରୁ ସାଂସଦ ଥିଲେ । ପରେ ସେ ବିଧାନସଭା ପରିଷଦରୁ ନିର୍ବାଚିତ ହୋଇ ମାତ୍ର ୩୮ ବର୍ଷ ବୟସରେ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହୋଇଥିଲେ । କନୌଜ ଆସନରୁ ଇସ୍ତଫା ଦେବା ପରେ ସେଠାରୁ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିଲେ ତାଙ୍କ ସ୍ତ୍ରୀ ଡିମ୍ପଲ । ବର୍ତ୍ତମାନ ଆଜମଗଡ଼ରୁ ସାଂସଦ ଅଛନ୍ତି ଅଖିଳେଶ ଯାଦବ ।

ମାଲ୍ୟାଙ୍କୁ ବଡ଼ ଧକ୍କା, ପ୍ରାସାଦ ଛାଡିବାକୁ ଲଣ୍ଡନ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଲଣ୍ଡନ: ପଳାତକ ଘୋଷିତ ବିଜୟ ମାଲ୍ୟାଙ୍କୁ ବଡ ଧରଣର ଧକ୍କା । ଲଣ୍ଡନର ପ୍ରାଚୁର୍ଯ୍ୟ ତଥା ବିଳାସମୟ ପ୍ରାସାଦ ଛାଡିବା ଲାଗି ଲଣ୍ଡନ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସୁଇସ ବ୍ୟାଙ୍କ ୟୁବିଏସର ପ୍ରାପ୍ୟ ପ୍ରଦାନରେ ବିଳମ୍ବତା ଯୋଗୁ ତାଙ୍କୁ ଏହି ପ୍ରାସାଦ ଖାଲି କରିବାକୁ ପଡିବ । ଲଣ୍ଡନର ସବୁଠାରୁ ହାଇପ୍ରୋଫାଇଲ ଇଲାକା ତଥା ରିଜେଣ୍ଟସ ପାର୍କ ଓ ମାଡାମ ଟୁସାଦଙ୍କ ଓ୍ୱାକ୍ସ ମ୍ୟୁଜିୟମ ନିକଟରେ ଅବସ୍ଥିତ 18/19 Cornwall Terrace ପ୍ରାସାଦକୁ ହାତଛଡା କରିବେ ମାଲ୍ୟା । ଏହି ପ୍ରାସାଦକୁ ମାଲ୍ୟା ବନ୍ଧକ ରଖିଥିଲେ ବି ପ୍ରାପ୍ୟ ପ୍ରଦାନ କରି ନଥିଲେ ।

ଏହି ପ୍ରାସାଦରେ ବର୍ତ୍ତମାନ ମାଲ୍ୟା, ପୁଅ ସିଦ୍ଧାର୍ଥ ଓ ୯୫ ବର୍ଷ ବୟସ୍କା ମାଲ୍ୟାଙ୍କ ମା’ ରହୁଛନ୍ତି । ଆଉ କିଛି ଦିନ ସମୟ ଦେବା ପାଇଁ ମାଲ୍ୟାଙ୍କ ଓକିଲ ଅନୁରୋଧ କରିଥିଲେ ବି କୋର୍ଟ ତାହାକୁ ଅଗ୍ରାହ୍ୟ କରିଛନ୍ତି । ଋଣ ପୈଠ କରିବାର ଡେଡଲାଇନ ଥିଲା ଏପ୍ରିଲ ୨୦୨୦ । ମାତ୍ର କୋଭିଡ ଯୋଗୁ ତାଙ୍କୁ ଏହି ବାସଭବନରୁ ଉଚ୍ଛେଦ କରାଯାଇପାରି ନଥିଲା । ୯ ହଜାର କୋଟି ଟଙ୍କାର ଜାଲିଆତି ତଥା କିଙ୍ଗଫିସର ଏୟାରଲାଇନ୍ସର ପତନ ପରେ ଲଣ୍ଡନରେ ରହୁଛନ୍ତି ମାଲ୍ୟା । ଗତ ୩ ବର୍ଷ ଧରି ମାମଲା ଚାଲି ଆସୁଥିଲେ ବି ଭାରତ ହାତରେ ତାଙ୍କୁ ପ୍ରତ୍ୟର୍ପଣ କରିବା ସମ୍ଭବ ହୋଇନାହିଁ ।

ବୈତରଣୀ ନଦୀକୁ ଧସିଲା ସୁରକ୍ଷାବନ୍ଧ

ଆରଡି: ବୈତରଣୀ ନଦୀକୁ ଧସିଲା ସୁରକ୍ଷାବନ୍ଧ । ଆଖଣ୍ଡଳମଣି କୁଆଖିଆ ଜାତୀୟ ରାଜପଥର ୨ ଶହ ଫୁଟ ରାସ୍ତା ଦବିଛି । ରାସ୍ତା ଦବିବା ଫଳରେ ଯୋଗାଯୋଗ ବିଛିନ୍ନ ହେବା ଆଶଙ୍କା ରହିଛି । ଆରଡି ନିକଟସ୍ଥ ବୋଡକ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷାବନ୍ଧରେ ଫାଟ ସୃଷ୍ଟି ହେବା ସହ କିଛି ଅଂଶ ନଦୀକୁ ଧସିଯିବାରୁ ଆଖଣ୍ଡଳମଣି-କୁଆଖିଆ ୨୦ ନମ୍ବର ଜାତୀୟ ରାଜପଥର ପାଖାପାଖି ୨ଶହ ଫୁଟ ରାସ୍ତା ଦବି ଯାଇଛି । ମଝିରେ ଏକ ବଡ ଫାଟ ସୃଷ୍ଟି ହୋଇଛି । ଫଳରେ ଯାତାୟତରେ ନାନା ଅସୁବିଧା ସୃଷ୍ଟି ହୋଇଛି ।

ଏହି ରାସ୍ତା ଆଖଣ୍ଡଳମଣି ପୀଠ ଓ ମା’ ବିରଜାକ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ସ୍ଥାନୀୟ ୩୫ ଖଣ୍ଡ ଗାଁ’ର ଲୋକ ପ୍ରତିଦିନ କଟକ- ଭୁବନେଶ୍ୱର ଆଦି ସ୍ଥାନକୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ରାସ୍ତା କ୍ରମଃଶ ନଦୀ ଆଡକୁ ଢଳୁଥିବାରୁ ବିଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ୨୦ ନମ୍ବର ଜାତୀୟ ରାଜପଥର ସୁରକ୍ଷା ପାଇଁ ଯାଜପୁର ଜଳସେଚନ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ବ୍ୟୟ ବରାଦ କରାଯାଇ ବୈତରଣୀ ନଦୀର ସୁରକ୍ଷାବନ୍ଧ ନିର୍ମାଣ କରାଯାଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ବାରମ୍ବାର ଏହି ସ୍ଥାନରେ ବନ୍ଧ ଧସିବା ସହ ରାସ୍ତା ନଦୀରେ ଲିନ ହେଉଛି । ଫଳରେ ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ନାନା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏପରିକି ଏନ.ଏଚ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା ମରାମତି କରାଯାଉଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଯୋଗୁ କାମ ଠିକ ହେଉନଥିବାରୁ ଏପରି ସମସ୍ୟା ଦେଖାଦେଇଛି ବୋଲି କହିଛନ୍ତି ବୁଦ୍ଧିଜୀବୀ ।