ଇପିଏଫଓ ହିତାଧିକାରୀଙ୍କୁ ଝଟକା: ୪୦ ବର୍ଷ ପରେ କମିବ ସୁଧ ହାର

1 min read

ନୂଆନିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ୬ କୋଟି କମର୍ଚାରୀଙ୍କ ପାଇଁ ଖରାପ ଖବର । ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ପିଏଫରେ ମିଳୁଥିବା ସୁଧ ହାର କମାଇ ଦେଇଛନ୍ତି । ନିଷ୍ପତ୍ତି ଅନୁସାରେ ୨୦୨୧-୨୨ ଆର୍ଥିକ ବର୍ଷରେ ମିଳିବ ୮.୧ ପ୍ରତିଶତ ସୁଧ । ଏହି ନିଷ୍ପତ୍ତିରେ ବର୍ତ୍ତମାନ ସୁଦ୍ଧା ସରକାରୀ ମୋହର ବାଜି ନଥିଲେ ବି ଏମିତି ହୋଇପାରେ । ଯଦି ଏମିତି ହୁଏ, ୪୦ ବର୍ଷ ପରେ ଇପିଏଫଓ ହିତାଧିକାରୀଙ୍କୁ ସବୁଠାରୁ କମ ସୁଧ ମିଳିବାକୁ ଯାଉଛି ।

ସୂଚନାଯୋଗ୍ୟ, କର୍ମଚାରୀଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ସେମାନଙ୍କ ଦରମାରୁ କିଛି ପ୍ରତିଶତ କଟାଯାଇ ପିଏଫ ଖାତାରେ ଜମା କରାଯାଇଥାଏ । କର୍ମଚାରୀଙ୍କ ଦରମାରୁ ଯେତିକି ଟଙ୍କା କଟିଥାଏ, କମ୍ପାନୀଙ୍କୁ ସେତିକି ପରିମାଣର ଟଙ୍କା କର୍ମାଚାରୀଙ୍କ ଖାତାରେ ଜମା କରିବାକୁ ପଡିଥାଏ । ଇପିଏଫଓ ଏହି ଫଣ୍ଡର ପରିଚାଳନା କରିଥାଏ ଓ ପ୍ରତିବର୍ଷ ଏହା ଉପରେ ସୁଧ ଦେଇଥାଏ । ୧୯୭୭-୭୮ ଆର୍ଥିକ ବର୍ଷରେ ଇପିଏଫଓ ପିଏଫ ଜମା ଉପରେ ୮ ପ୍ରତିଶତ ସୁଧ ଦେଇଥିଲା । ସେବେଠାରୁ ଏହି ପରିମାଣ କିମ୍ବା ଏହାଠାରୁ ଅଧିକ ସୁଧ ମିଳି ଆସୁଛି ।

ପିଟିଆଇ ରିପୋର୍ଟ ଅନୁସାରେ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ପିଏଫ ଖାତାରେ ୮.୫ ପ୍ରତିଶତ ସୁଧ ଜମା ହୋଇଥିଲା । ଏହା ପୂର୍ବରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ, ୨୦୧୭-୧୮ ଆର୍ଥିକ ବର୍ଷରେ ୮.୫୫ ପ୍ରତିଶତ, ୨୦୧୬-୧୭ ଆର୍ଥିକ ପର୍ଷରେ ୮.୬୫ ପ୍ରତିଶତ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୮.୮ ପ୍ରତିଶତ ସୁଧ ମିଳିଥିଲା ।

ଶନିବାର ଇପିଏଫଓର ହୋଇଥିବା ଟ୍ରଷ୍ଟି ବୋର୍ଡ ବୈଠକରେ ପିଏଫ ସୁଧ କମାଇବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଏପର୍ଯ୍ୟନ୍ତ ସରକାରୀ ମୋହର ବାଜି ନଥିବା ବେଳେ ଇଫଏଫଓର ଟ୍ରେଡ ୟୁନିୟନମାନଙ୍କ ତରଫରୁ ବିରୋଧ ଆରମ୍ଭ ହୋଇଯାଇଛି ।