ଆମେରିକା ଚାହୁଁଛି ଲମ୍ବା ଯୁଦ୍ଧ: ସେନା ପଠାଇଲା, ଋଷକୁ ଉସୁକାଇଲା

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୧୭ ଦିନ ହୋଇଗଲାଣି । ୟୁକ୍ରେନର ଛାତି ଚିରି ରକ୍ତର ହୋଲି ଖେଳୁଛନ୍ତି ଋଷ ସେନା । ଘରେ ବି ସୁରକ୍ଷିତ ନୁହନ୍ତି ଲୋକେ । ଋଷ ମିଜାଇଲ ମାଡରୁ ରକ୍ଷା ପାଉନି ଶିଶୁଙ୍କ ମେଡିକାଲ । ଚାରିଆଡେ ଯୁଦ୍ଧର ବିଭିଷିକା । ଧ୍ବଂସସ୍ତୁପ ପାଲଟିଛି ୟୁକ୍ରେନ । ରାତି ହେଲେ ବଢି ଯାଉଛି ୟୁକ୍ରେନବାସୀଙ୍କ ହୃଦ ସ୍ପନ୍ଦନ । ରାତିର ଅନ୍ଧାରରେ ଋଷ ମିଜାଇଲ ୟୁକ୍ରେନର ସାଧାରଣ ଜନତାଙ୍କ ରକ୍ତରେ ଲେଖୁଛି ନୂଆ ଇତିହାସ । ଅନ୍ୟପକ୍ଷରେ ୟୁକ୍ରେନକୁ ଉସୁକାଇ ଯୁଦ୍ଧ ମୁହଁକୁ ଠେଲି ଦେଇଥିବା ସୁପର ପାଓ୍ବାର ଆମେରିକା ପଛଘୁଞ୍ଚା ଦେଇ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବାରେ ଲାଗିଛି ।

ଗତ ଦୁଇରୁ ତିନି ଦିନର ଘଟଣାକୁ ଦେଖିଲେ ଚାରିଆଡୁ ନିରାଶ ହେବା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନରମିବା ପରି ମନେ ହେଉଛନ୍ତି । ଋଷ ଆକ୍ରମଣ ଜାରି ରଖିଥିଲେ ବି ପୁଟିନ୍ କିଛି ମାତ୍ରାରେ ନରମିଛନ୍ତି । ହେଲେ, ଅନ୍ୟଙ୍କ ଭିତରେ କଳି ଲଗାଇ ନିଜ ବଡ଼ଭାଇ ପଣିବା ଜାହିର କରିବାରେ ମାଷ୍ଟର ଆମେରିକା ପୁଣି ଏକ ଗୋଟି ଚାଳନା କରିଛି । ଯାହା ଯୁଦ୍ଧକୁ ଆହୁରି ଭୟଙ୍କର କରିବାର ଆଶଙ୍କା ସୃଷ୍ଟି କରିଛି । ଯୁଦ୍ଧ ବନ୍ଦ ପାଇଁ କହି ବୁଲୁଥିବା ଆମେରିକାର ଏହି ପଦକ୍ଷେପ ଋଷକୁ ୟୁକ୍ରେନ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବାକୁ ଉସକାଇବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେବା ଆରମ୍ଭ କଲେଣି ।

ସେନା ପଠାଇ ଉସୁକାଉଛି ଆମେରିକା !

ୟୁକ୍ରେନ, ଋଷ ଆକ୍ରମଣରେ କ୍ଷତ ବିକ୍ଷତ ହେଉଥିବା ବେଳେ ନୋଟୋ ଦେଶଙ୍କ ସୁରକ୍ଷା ବାହାନାରେ ଋଷ ସୀମାକୁ ୧୨ ହଜାର ଯବାନଙ୍କୁ ପଠାଇଛି ଆମେରିକା । ନିଜେ ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି । ଋଷକୁ ଘେରିବା ଉଦ୍ଦେଶ୍ୟରେ ବାଇଡେନ ଏହି ସେନା ପଠାଇଥିବା ବେଳେ ପୁଟିନ୍ କେବେ ବି ଜିତି ପାରିବେ ନାହିଁ ବୋଲି କହିଛନ୍ତି । ଜଟିଳ ପରିସ୍ଥିତିରେ ଆମେରିକାର ଏହି ପଦକ୍ଷେପ ପୁଟିନକୁ ପୁଣି ତତେଇବ ଓ ୟୁକ୍ରେନ ଉପରେ ଆକ୍ରମଣ ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି ।

ବାଇଡେନ କହିଛନ୍ତି, ‘ନାଟୋର ସବୁ କ୍ଷେତ୍ରରେ ପ୍ରତି ଇଞ୍ଚର ରକ୍ଷା କରିବୁ । ୟୁକ୍ରେନରେ ତୃତୀୟ ବିଶ୍ବଯୁଦ୍ଧ ଲଢିବାକୁ ଦେବୁନାହିଁ ।’

ବାଇଡେନଙ୍କ ଏହି ମନ୍ତବ୍ୟର ଅର୍ଥ, ଆମେରିକା ପଠାଇ ଥିବା ସେନା, ୟୁକ୍ରେନ ପାଇଁ ଲଢିବେ ନାହିଁ । ବରଂ ଏହି ସେନା ଋଷ ସୀମାକୁ ଲାଗିଥିବା ଲାତଭିଆ, ଏଷ୍ଟୋନିଆ, ଲିଥୁଆନିଆ ଓ ରୋମାନିଆରେ ମୁତୟନ ହେବେ ।

ପ୍ରଶଂସା ପଛର ରହସ୍ୟ…

ୟୁକ୍ରେନବାସୀଙ୍କୁ ଋଷ ସେନା ବିରୋଧରେ ଛିଡ଼ା ହେବାକୁ ବାଇଡେନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଋଷର ସାମ୍ନା କରିବାକୁ ୟୁକ୍ରେନବାସୀ ଯେଉଁ ସାହସ ଓ ଧର୍ଯ୍ୟ ଦେଖାଇଛନ୍ତି ତାହା ସ୍ବାଗତଯୋଗ୍ୟ । ଆମେରିକା ସେମାନଙ୍କୁ ସୁରକ୍ଷା ଦେବାରେ ପଛକୁ ହଟିବ ନାହିଁ । ଆମେ ୟୁକ୍ରେନକୁ ସମର୍ଥନ ଦେବା ଜାରି ରଖିବୁ ଓ ପୂରା ୟୁରୋପ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛନ୍ତି ।

ତେବେ ବାଇଡେନଙ୍କ ୟୁକ୍ରେନବାସୀଙ୍କୁ ପ୍ରଶଂସା, ସହାନୁଭୂତି ନୁହେଁ ବରଂ ମରଣ ମୁହଁକୁ ଠେଲିବା ପରି । ୟୁକ୍ରେନକୁ ଯୁଦ୍ଧ କ୍ଷେତ୍ର କରି ପରୋକ୍ଷରେ ଛାରଖାର କରିସାରିଥିବା ଆମେରିକା ଠିକ୍ ସମୟରେ ପଛଘୁଞ୍ଚା ଦେଇଛି । ଆମେରିକା ଓ ନାଟୋ ଅତୀତରେ ଯେଉଁ ମିଠା ମିଠା କଥା କହି ୟୁକ୍ରେନକୁ ‘ବଲି କା ବକରା’ ବନାଇଥିଲେ, ଆଜି ପୂରା ୟୁକ୍ରେନ ସେହି ନିଆଁରେ ଜଳି, ନିଜ ଲୋକଙ୍କ ରକ୍ତରେ ଏହାକୁ ଭରଣ କରୁଛି ।

ଏବେ ପୁଣି ମିଠା କଥା କହି ଋଷ ପଡୋଶୀ ରାଷ୍ଟ୍ରରେ ୧୨ ହଜାର ସେନାକୁ ମୁତୟନ କରି ବାଇଡେନ ପରୋକ୍ଷରେ ୟୁକ୍ରେନକୁ ଋଷ ବିରୋଧରେ ଅଧିକ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଉସୁକାଇଥିବା କହିଲେ ଭୁଲ ହେବ ନାହିଁ ।

ଆମେରିକାର ଏହି ୧୨ ହଜାରିଆ ସେନା ମୋହରେ ପଡି ଯଦି ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀ ଭାସି ଯିବେ, ତେବେ ବିଶ୍ବ ମାନଚିତ୍ରରୁ ଏହି ଦେଶ ଗାଏବ ହୋଇ ଯିବାକୁ କେହି ଅଟକାଇ ପାରିବେ ନାହିଁ ।