spot_img
Home Blog Page 4664

ନିଦରେ ବିଳିବିଳେଇ ଜେଲ୍ ଗଲେ ମହିଳା

ଲିଭରପୁଲ: ଶୋଇବା ବେଳେ ଘୁଙ୍ଗୁଡି ମାରିବା, ଚାଲିବା ଓ ବିଳିବିଳେଇ ହେବା ଲକ୍ଷଣ ବହୁତ ଲୋକଙ୍କର ରହିଛି । ଏହା ଏକ ବଡ଼ ସମସ୍ୟା ନୁହେଁ । ହେଲେ ଶୋଇବା ବେଳେ ବିଳିବିଳେଇ ହୋଇ ଜେଲ୍ ଯିବା କେବେ ଶୁଣିଛନ୍ତି କି ? ଶୋଇବା ବେଳେ ବିଳିବିଳେଇ ହୋଇ କିଛି କହିବା ଶୁଣି ସ୍ବାମୀ ଯଦି ପୋଲିସକୁ ଡାକି ଦେବେ ତେବେ କ’ଣ ହେବ ? ଇଂଲଣ୍ଡର ଲିଭରପୁଲର ଜଣେ ମହିଳାଙ୍କ ପାଇଁ ଶୋଇବା ବେଳେ ବିଳିବିଳେଇ ହେବା ପଡ଼ିଛି ମହଙ୍ଗା । ସ୍ବାମୀଙ୍କ ଫୋନ କଲ ପାଇ ପୋଲିସ ଆସି ତଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ଓ ବିଚାର ପରେ ମହିଳାଙ୍କୁ ୧୬ ମାସ ଜେଲ୍ ଦଣ୍ଡାଦେଶ ହୋଇଥିଲା ।

ଏବେ ଭାବୁଥିବେ ମହିଳା ଜଣଙ୍କ ବିଳିବିଳେଇ ହୋଇ ଏମିତି କ’ଣ କହି ଦେଲେ ଯେ, ସ୍ବାମୀ ପୋଲିସକୁ ଡାକି ଦେଲେ । ଆପଣଙ୍କ ଭାବନା ଯେଉଁଆଡେ ଯାଉଛି ଆମେ ବି ଅନୁମାନ କରିପାରୁଛୁ । ହେଲେ ସେ ଆଡକୁ ଯାଆନ୍ତୁ ନାହିଁ । ମହିଳା ଜଣଙ୍କର କୌଣସି ପ୍ରେମ ସମ୍ପର୍କ ନଥିଲା । ସ୍ବାମୀ-ସ୍ତ୍ରୀ ଉଭୟ ଉଭୟଙ୍କୁ ଭହୁତ ଭଲ ପାଉଥିଲେ । ହେଲେ ମହିଳା ଜଣଙ୍କ ଶୋଇବା ବେଳେ ବିଳିବିଳେଇ ହୋଇ ସ୍ବାମୀଙ୍କ ମନରେ ଦୀର୍ଘଦିନରୁ ଘାଣ୍ଟି ହେଉଥିବା ଏକ ସନ୍ଦେହରୁ ପରଦା ହଟାଇ ଦେଇଥିଲେ । ଯାହା ପରେ ସ୍ବାମୀ ପୋଲିସକୁ ଡାକି ଦେଲେ । ଆଉ ଏତେ ବୁଲେଇ ବଙ୍କେଇ ନକହି ଆସନ୍ତୁ ଜାଣିବା ପୂରା ଘଟଣା କ’ଣ ?

ନିଦରେ ନିଜ ଗୁମର ନିଜେ ଖୋଲିଲେ

ଲିବରପୁରରେ ୬୧ ବର୍ଷିୟ ଏଣ୍ଟୋନି ଏବଂ ୪୭ ବର୍ଷିୟ ରୁଥ ଫୋର୍ଟଙ୍କ ବିବାହ ୨୦୧୦ରେ ହୋଇଥିଲା । ଉଭୟଙ୍କ ଦାମ୍ପତ୍ୟ ଜୀବନ ହସଖୁସିରେ ଚାଲିଥିଲା । କାହାର କାହା ପ୍ରତି ଅଭିଯୋଗ ନଥିଲା କି କିଛି ମତଭେଦ ମଧ୍ୟ ନଥିଲା । ଉଭୟଙ୍କ ମଧ୍ୟରେ ଭଲ ପାଇବା ଓ ସମ୍ମାନ ଯଥେଷ୍ଟ ଥିଲା । ଏପରିକି ଘରେ ଆର୍ଥୀକ ସମସ୍ୟା ଦେଖା ଦେବା ପରେ ରୁଥ ବାହାରେ କାମ କରି ପରିବାର ଚଲାଇବାରେ ମଧ୍ୟ ସହଯୋଗ କରୁଥିଲେ ।

ଦିନେ ରାତିରେ ପତିପତ୍ନୀ ଶୋଇଥିବା ବେଳେ ଏଣ୍ଟୋନିଙ୍କ ନିଦ ଭାଙ୍ଗି ଯାଇଥିଲା । ଏହି ସମୟରେ ରୁଥ୍ ନିଦରେ କିଛି ବିଳି ବିଳେଇ ହେଉଥିବା ସେ ଶୁଣିଥିଲେ । ଏହାକୁ ଧ୍ୟାନର ସହ ଶୁଣିବା ପରେ ଏଣ୍ଟୋନି ଜାଣିବାକୁ ପାଇଥିଲେ ରୁଥ ଜଣେ ଚୋର । ସେ ଚାକିରି କରିଥିବା ହୋମ କେୟାରରେ ଯେଉଁ ମହିଳାଙ୍କ ସେବାରେ ଥିଲେ ତାଙ୍କୁ ବୁଲାଇବା ବେଳେ ତାଙ୍କ ଏଟିଏମ୍ କାର୍ଡ ଚୋରି କରି ଆଣିଥିଲେ ।

ପୋଲିସକୁ ଡାକି ଦେଲେ ସ୍ବାମୀ

ରୁଥଙ୍କ କଥା ଶୁଣିବା ପରେ ଏଣ୍ଟୋନି ତାଙ୍କୁ ନିଦରୁ ଉଠାଇ ଘଟଣା ସମ୍ପର୍କରେ ପଚାରିଥିଲେ । ଏହାପରେ ସ୍ବାମୀଙ୍କୁ ଭରସାରେ ରୁଥ୍ ସବୁ ସତ ମାନିଯାଇଥିଲେ । ଏହାପରେ ଏଣ୍ଟୋନି ପତ୍ନୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଦେଲେ ।

ପତ୍ନୀ ଉପରେ ପୂର୍ବରୁ ଥିଲା ସନ୍ଦେହ

ଏଣ୍ଟୋନିଙ୍କର ପତ୍ନୀ ରୁଥଙ୍କ ଉପରେ ପୂର୍ବରୁ ଥିଲା ସନ୍ଦେହ । ପୂରା ପରିବାର ଯେବେ ମେସ୍କିକୋ ବୁଲିବାକୁ ଯାଇଥିଲେ ସେ ସମୟରେ ଏଣ୍ଟୋନିଙ୍କର ରୁଥଙ୍କ ଉପରେ ସନ୍ଦେହ ହୋଇଥିଲା । କାରଣ ଏହି ଟୁରରେ ରୁଥ୍ ହାତଖୋଲା ଖର୍ଚ୍ଚ କରିଥିଲେ । ଏତେ ଟଙ୍କା କେଉଁଠୁ ଆଣିଲ ବୋଲି ଯେତେବେଳେ ଏଣ୍ଟୋନି ପଚାରିଥିଲେ ରୁଥ୍ ତାଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ । ଏହାପରେ ଦିନେ ରୁଥଙ୍କ ପର୍ସରେ ଏଣ୍ଟୋନି କିଛି କ୍ୟାସ୍ ସହ ଏକ ଅଜଣା ଏଟିଏମ୍ ଦେଖିଥିଲେ । ସେତେବେଳେ ମଧ୍ୟ ରୁଥ ତାଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ । ହେଲେ ନିଦରେ ବିଳି ବିଳେଇ ହେବା ବେଳେ ରୁଥ ସତ ମାନିବା ପରେ ତାଙ୍କ ସନ୍ଦେହ ସତରେ ପରିଣତ ହୋଇଯାଇଥିଲା ।

୧୬ ମାସ ଦଣ୍ଡାଦେଶ

୨୦୨୧ ଫେବୃୟାରୀରେ ପ୍ରେଷ୍ଟନ କ୍ରାଉନ କୋର୍ଟ ମାମଲାର ବିଚାର କରିଥିଲେ । ସେଠାରେ ରୁଥ ୭୨୦୦ ପାଉଣ୍ଡ (ପ୍ରାୟ ୭ ଲକ୍ଷ ୩୦ ହଜାର ଟଙ୍କା) ଚୋରି କରିଥିବା ସ୍ବୀକାର କରିଥିଲେ । କୋର୍ଟ ଏଣ୍ଟୋନିଙ୍କୁ ପ୍ରଶଂସା କରିବା ସହ ରୁଥଙ୍କୁ ୧୬ ମାସ ଦଣ୍ଡାଦେଶ ଶୁଣାଇଥିଲେ ।

ନାଇଟ କର୍ଫ୍ୟୁରେ ଜନ୍ମଦିନ ପାଳନ ପଡ଼ିଲା ମହଙ୍ଗା, ଜବତ ହେଲା ୧୨ ଗାଡି

ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ସଂକ୍ରମଣର ଚେନ ଭାଙ୍ଗିବାକୁ ରାତି ୯ରୁ ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି । ତେବେ ଏହି ନାଇଟ କର୍ଫ୍ୟୁ ସମୟରେ ଜନସାଧାରଣ ଘରେ ରହିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ନାଇଟ କର୍ଫ୍ୟୁ ସମୟରେ ମହଙ୍ଗା ପଡିଲା ଜନ୍ମଦିନ ପାଳନ । ନାଇଟ କର୍ଫ୍ୟୁ ସମୟରେ ଏକାଧିକ ଯୁବକ ବିଚରାସ୍ତାରେ ବାର୍ଥ ଡେ’ ସେଲିବ୍ରେସନ କରୁଥିବାର ଦେଖିବାକୁ ମିଳିଥିଲା । ଡେଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ଚାଲିଥିଲା ବାର୍ଥ ଡେ’ ସେଲିବ୍ରେସନ । ବାର୍ଥ ଡେ’ ପାଳନ କରୁଥିବା ସମୟରେ ପୋଲିସକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ଯୁବକ । ଯାହା ଫଳରେ ପୋଲିସ ଘଟଣାସ୍ଥଳରୁ ୧୨ରୁ ଅଧିକ ଗାଡିକୁ ଜବତ କରିଛି ।

କାଶ୍ମୀରକୁ ନେଇ ପାକିସ୍ତାନର ନୂଆ ଚାଲ୍, ତୁର୍କୀ ସହ ମିଶି ବ୍ରିଟେନରେ ରଚିଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: କାଶ୍ମୀରକୁ ନେଇ ପାକିସ୍ତାନର ନୂଆ ଚାଲ୍ । ଭାରତର ଅବିଛେଦ ଅଙ୍ଗ ଜାମ୍ମୁ-କାଶ୍ମୀରକୁ ନେଇ ସବୁଠି ପାକିସ୍ତାନ ମାଟି କାମୁଡ଼ିବା ପରେ ନୂଆ ଷଡ଼ଯନ୍ତ୍ର ରଚିଛି । ତୁର୍କୀକୁ ହାତବାରିସୀ କରି ଭାରତକୁ ଫସାଇବାକୁ ଖେଳିଛି ଚାଲ୍ । ଜାତିସଂଘରେ କାଶ୍ମୀର ମାମଲାରେ ପାକିସ୍ତାନ ଭାରତଠାରୁ ମୁହଁତୋଡ଼ ଜବାବ ପାଇବା ପରେ ବ୍ରିଟେନର ଦ୍ୱାରସ୍ଥ ହୋଇଛି । ବ୍ରିଟେନରେ ଭାରତର ଗୃହମନ୍ତ୍ରୀ ଅମିତ ଶାହ ଓ ସେନାମୁଖ୍ୟ ଏମ୍.ଏମ୍ ନରଭଣେଙ୍କ ଗିରଫଦାରୀ ଦାବି କରିଛି ତୁର୍କୀର ଏକ ଲ ଫାର୍ମ । ପାକିସ୍ତାନର ପ୍ରରୋଚନାରେ ତୁର୍କୀର ଲ ଫାର୍ମ ୨ ହଜାର ଲୋକଙ୍କ ମନ୍ତବ୍ୟ ଥିବା ଏକ କଥିତ ରିପୋର୍ଟକୁ ଲଣ୍ଡନ ପୋଲିସକୁ ପ୍ରଦାନ କରିଛି ।

ଦାବି କରିଛି, ରିପୋର୍ଟରେ ଥିବା ଲୋକଙ୍କ ମତାମତ କାଶ୍ମୀରରେ ହେଉଥିବା ହିଂସାର ପ୍ରମାଣ । ଏହି ରିପୋର୍ଟକୁ ଲ ଫାର୍ମ ଲଣ୍ଡନ ପୋଲିସର ଯୁଦ୍ଧାପରାଧ ୟୁନିଟକୁ ଦେଇ ଗୃହମନ୍ତ୍ରୀ ଓ ସେନାମୁଖ୍ୟ ଗିରଫଦାରୀ ଦାବି କରିଛି । ଦୀର୍ଘବର୍ଷ ଧରି ତୁର୍କୀ-ସାଉଦି ଆରବ ସମ୍ପର୍କ ଭଲ ନଥିବା ବେଳେ ଏହି ସଂସ୍ଥା ଗତବର୍ଷ ସାଉଦି ଆରବ ବିରୋଧରେ ୟମନକୁ ନେଇ ଯୁଦ୍ଧାପରାଧ ଆବେଦନ କରିଥିଲା ।

Pakistan Sponsored Law Firm Stoke White In UK Seeks Arrest Of Indian Army Chief

ତେବେ ପାକିସ୍ତାନ, ପ୍ରୋତ୍ସାହନରେ ତୁର୍କୀ କରିଥିବା ଆବେଦନ ନେଇ ବ୍ରିଟେନ୍, ଭାରତ ସହ ସମ୍ପର୍କ କରି ନାହିଁ । ତୁର୍କୀ ଲ ଫାର୍ମ ଦାଖଲ କରିଥିବା ରିପୋର୍ଟରେ କାଶ୍ମୀରରେ ମାନବାଧିକାର ଉଲ୍ଲଂଘନ ଓ ନରସଂହାର କଥା ଉଲ୍ଲେଖ ରହିଥିବା ବେଳେ ସୀମାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦ କାର୍ଯ୍ୟକଳାପ କଥା ଉଲ୍ଲେଖ ନାହିଁ । ବରଂ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦାବି କରାଯାଇଛି । ଯେତେବେଳେ କି ପ୍ରକୃତ ସତ ପ୍ରତିଦିନ ସୀମାରେ ଗୁଳିଗୋଳା ବର୍ଷଣ ହେଉଛି ।

ଭାରତ ବିରୋଧରେ ବ୍ରିଟେନରେ ଆବେଦନ କରିଥିବା ଲ ଫାର୍ମ ଷ୍ଟୋକ୍ ୱାଇଟ୍ ଇସଲାମିକ୍ ଆଇନ୍ ଉପରେ କାମ କରେ । ଏବଂ ତୁର୍କୀ ସହ ଏହି ସଂସ୍ଥାର ଭଲ ସମ୍ପର୍କ ରହିଛି । ଅନ୍ୟପଟେ ତୁର୍କୀ ସହ ପାକିସ୍ତାନ ଲଗାତାର ବନ୍ଧୁତ୍ୱ ବଢ଼ାଉଥିବା ବେଳେ ତୁର୍କୀ ରାଷ୍ଟ୍ରପତି ଏର୍ଦାଗାନ ବାରମ୍ବାର କାଶ୍ମୀରକୁ ନେଇ ଭାରତ ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ସେହିଭଳି ସାଇପ୍ରସ୍ ପ୍ରସଙ୍ଗରେ ଭାରତ, ତୁର୍କୀର ସମର୍ଥନ କରୁନାହିଁ ।

Pakistan Sponsored Law Firm Stoke White In UK Seeks Arrest Of Indian Army Chief

ଜିନେଭା ଆଇନ୍ ୧୯୫୭ ଅନୁସାରେ, ବିଶ୍ୱସ୍ତରରେ ଯୁଦ୍ଧାପରାଧ ଯାଞ୍ଚ ଲାଗି ବ୍ରିଟେନ୍ ପାଖରେ ନ୍ୟାୟ ଅଧିକାର ରହିଛି । ଏବେ ଯାହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ତୁର୍କୀ ଓ ପାକିସ୍ତାନ । ପୂର୍ବରୁ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଇମ୍ରାନ ସରକାର ଜାତିସଂଘରେ ଭାରତ ଠାରୁ ମୁହଁତୋଡ଼ ଜବାବ ଖାଇଛି । କାଶ୍ମୀର ହାତେଇବାକୁ କେତେବେଳେ ଆମେରିକା ତ ଆଉ କେବେ ଚୀନର ମଧ୍ୟସ୍ଥତା ଚାହୁଁଛି । ଏବେ ପୁଣି ବ୍ରିଟେନରେ ଭାରତ ବିରୋଧରେ ଅଭିଯୋଗ କରି ନୂଆ ଷଡ଼ଯନ୍ତ୍ର ରଚିଛି ।

କ୍ୟାପିଟାଲ ହସ୍ପିଟାଲରେ କାୟା ମେଲାଇଛି କରୋନା, ୪୦ ଡାକ୍ତର କୋଭିଡ ପଜିଟିଭ୍

ଭୁବନେଶ୍ୱର: ହସ୍ପିଟାଲ ସାରା କରୋନା ପଜିଟିଭ । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ଡାକ୍ତର ସମସ୍ତେ କରୋନାରେ ସଂକ୍ରମିତ । କ୍ୟାପିଟାଲ ହସ୍ପିଟାଲରେ ମୋଟ ୧୪୪ ଜଣ ଡାକ୍ତରଙ୍କ ମଧ୍ୟରୁ ୪୦ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୦ ଜଣ ଘରେ ସଂଗରୋଧରେ ରହିଥିବାବେଳେ ବାକି ଡାକ୍ତର ହସ୍ପିଟାଲରେ ରହିଛନ୍ତି । ସେହିପରି ଅନ୍ୟ କିଛି ଡାକ୍ତର ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ପ୍ରତ୍ୟେକ ଦିନ ୭ ରୁ ୮ ଜଣ କରୋନାରେ ସଂକ୍ରମିତ ହେଉଛନ୍ତି । ତେବେ ହସ୍ପିଟାଲରେ ମୋଟ ୧୬୦୦ ରୁ ୨୦୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୧୪୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଯାହା ଫଳରେ ହସ୍ପିଟାଲ କାର୍ଯ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ କମ୍ ସଂଖ୍ୟକ କର୍ମଚାରୀରେ କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟ ଚାଲୁଛି । ଚିକିତ୍ସା ପାଇଁ ଓପିଡିକୁ ସକାଳ ସମୟରେ ଏକ ଘଣ୍ଟା ବଢ଼ାଇ ଦିଆଯାଇଛି । ସେହିପରି ୨୪ ଘଣ୍ଟା ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା, ଦଳରୁ ଇସ୍ତଫା ଦେଲେ ଓ୍ୱିଲଫ୍ରେଡ୍

ପାଣାଜୀ: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା । ବିଧାନସଭା ସଦସ୍ୟତା ପଦ ଓ ଦଳରୁ ଇସ୍ତଫା ଦେଇଛନ୍ତି ବିଜେପି ବିଧାୟକ ଓ୍ୱିଲଫ୍ରେଡ୍‌ । ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା ହେବା ପୂର୍ବରୁ ହିଁ ଓ୍ୱିଲଫ୍ରେଡ୍‌ ଦଳରୁ ଇସ୍ତଫା ଦେଇଛନ୍ତି । ୨୦୧୭ରେ ଓ୍ୱିଲଫ୍ରେଡ କଂଗ୍ରେସ ଟିକେଟରେ ନୁବେମ ବିଧାନସଭା ଆସନରୁ ନିର୍ବାଚନ ଜିତିଥିଲେ । କିନ୍ତୁ ୨୦୧୯ରେ ଓ୍ୱିଲଫ୍ରେଡଙ୍କ ସହ ୯ ଜଣ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଆଗାମୀ ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ୨୦୨୨ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳ ଛାଡ଼ିବା ଓ ବିଜେପି ଟିକେଟରେ ନିର୍ବାଚନ ନ ଲଢ଼ିବା ନେଇ ବିଜେପିକୁ ସୂଚନା ଦେଇସାରିଥିଲି ବୋଲି ଓ୍ୱିଲଫ୍ରେଡ୍ କହିଛନ୍ତି ।

ବୁଲ୍ଲି ବାଈ ଆପ୍ ମାମଲା: ଓଡ଼ିଶାରୁ ଆଉ ଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍ ଘଟଣାରେ ପୋଲିସ ମିଳିଛି ଆଉ ଏକ ସଫଳତା । ଚାରି ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସ ଓଡ଼ିଶାରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ମିଶାଇ ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ଏହା ପୂର୍ବରୁ ମୁମ୍ବାଇ ପୋଲିସ ବିଶାଲ ଝା, ଶ୍ୱେତା ସିଂ, ମୟଙ୍କ ରାଓ୍ୱତ ଓ ନୀରଜ ବିଷ୍ଣୋଇଙ୍କୁ ଏହି ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହି ଆପ୍‌ ଜରିଆରେ ମୁସଲମାନ ମହିଳାଙ୍କ ଫଟୋ ଅପଲୋଡ୍‌ କରି ସେମାନଙ୍କ ନିଲାମ ଡକାଯାଉଥିଲା। କେବଳ ଏତିକି ନୁହେଁ ସେମାନଙ୍କ ଫଟୋରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରାଯାଉଥିଲା।

ସୂଚନା ଅନୁସାରେ ବୁଲ୍ଲିବାଈ ହେଉଛି ଏକ ଆପ୍ । ଏହି ଆପ୍ ମାଧ୍ୟମରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍ ମାଧ୍ୟମରେ ମୁସଲିମ୍ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା । ଏହି ଆପ୍ ସେହିପରି ଭାବରେ କାର୍ଯ୍ୟ କରୁଥିଲା ଯେପରି କିଛି ଦିନ ପୂର୍ବରୁ ସୁଲ୍ଲି ଡିଲ୍ ଆପ୍ ତିଆରି ହୋଇଥିଲା । ସୁଲ୍ଲି ଡିଲ୍ ଆପ୍ Githubରେ ଲଞ୍ଚ ହୋଇଥିଲା ଆଉ ଏବେ ବୁଲ୍ଳିବାଈ ଆପ୍ ମଧ୍ୟ Githubରେ ଲଞ୍ଚ କରାଯାଇଥିଲା ।

 

ବିଜେପି ନେତାଙ୍କୁ ଗାଁରେ ପୂରାଇ ଦେଲେନି ଲୋକେ

ମୁଜଫରପୁର: ଆଉ ଦିନ କେଇଟା ପରେ ଉତ୍ତର ପ୍ରଦେଶ ନିର୍ବାଚନ । ମୈଦାନ ପ୍ରସ୍ତୁତ, ପ୍ରଚାର ଲଢେଇ ଜୋରଦାର । ବିରୋଧୀ ଦଳଙ୍କଠାରୁ କଡା ଟକ୍କରର ସମ୍ମୁଖୀନ ହେଉଥିବା ଶାସକ ବିଜେପିକୁ ଦଳୀୟ ନେତାଙ୍କ ଚିନ୍ତା । ଗୋଟିଏ ପଟେ ଘର ଭାଙ୍ଗୁଛି ଅନ୍ୟପଟେ ବିଜେପି ନେତାଙ୍କ ବିରୋଧରେ ଜନ ଅସନ୍ତୋଷ ଯୋଗୀ ଟିମକୁ ଆକଚା ମାକଚା କରି ପକାଇଲାଣି ।

ବିଜେପି ବିରୋଧରେ ଜନ ଅସନ୍ତୋଷ ଏତେ ତୀବ୍ର ହେବାରେ ଲାଗିଛି ଯେ ନିଜ ନିର୍ବାଚନମଣ୍ଡଳିକୁ ବି ପଶିବାକୁ ଡରୁଛନ୍ତି ଦଳୀୟ ନେତା । ମୁଜଫରପୁରର ବିଜେପି ବିଧାୟକ ସମ୍ମୁଖୀନ ହୋଇଛନ୍ତି ଏମିତି ସ୍ଥିତିର ।  ବିଧାୟକଙ୍କୁ ଗ୍ରାମବାସୀ ତଡ଼ି ଦେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମୁଜଫରପୁର ଖତୋଲି ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ବିକ୍ରମ ସିଂହ ସୈନୀଙ୍କୁ ନିଜ ନିର୍ବାଚନମଣ୍ଡଳିରେ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି । ଏକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବିକ୍ରମ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ସେଠାରୁ ତଡ଼ି ଦେଇଛନ୍ତି । ସେତିକି ନୁହେଁ ବିକ୍ରମ ଗାଡ଼ିରେ ବସି ଫେରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମାବସୀ ତାଙ୍କୁ ଘେରି ଯାଇ ସରକାରୀ ବିରୋଧୀ ସ୍ଲୋଗାନ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏପରିକି ଲୋକଙ୍କୁ ଶାନ୍ତ କରିବାକୁ ବିକ୍ରମ ହାତ ଗୋଡି କ୍ଷମା ମାଗୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ବ୍ରହ୍ମୋସ୍ ମିଜାଇଲର ସଫଳ ପରୀକ୍ଷଣ, ସବୁଠି ହୋଇପାରିବ ଉତକ୍ଷେପଣ

ବାଲେଶ୍ୱର: ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିଲା ଭାରତର ବଳ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷଣ ହେଲା ITCM । ସକାଳ ୧୦ଟା ୩୫ ମିନିଟରେ ଉତକ୍ଷେପଣ ହୋଇଛି ଇଣ୍ଡିଜେନିୟସ୍ ଟେକନୋଲୋଜି କ୍ରୁଜ୍ ମିଜାଇଲ୍ । ପରୀକ୍ଷା ସମୟରେ ପୂର୍ବରୁ ସ୍ଥିରିକୃତ ସମସ୍ତ ଟ୍ରାଜେଟୋରୀ ଅନୁସାରେ ITCM ଗତି କରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ତେବେ ପରୀକ୍ଷା ସମୟରେ ଖଞ୍ଜା ଯାଇଥିବା ରାଡାରରୁ ମିଳିଥିବା ତଥ୍ୟକୁ ପ୍ରତିରକ୍ଷା ବିଭାଗର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି ।

ଆଜି ପରୀକ୍ଷା ହୋଇଥିବା କ୍ଷେପଣାସ୍ତ୍ରରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନିକ୍‌ ଇଞ୍ଜିନକୁ ବ୍ୟବହାର କରାଯାଇଛି । ଏହି ଇଞ୍ଜିନ୍‌ ପୂର୍ବ ଇଞ୍ଜିନ୍‌ ଅପେକ୍ଷା ଅଧିକ ହାଲୁକା ଥିବାବେଳେ, ଏହାର ବେଗ ମଧ୍ୟ ଅଧିକ ବୋଲି କୁହାଯାଉଛି । ଭାରତ ଡାଏନାମିକ୍ ଲିମିଟେଡ ଦ୍ୱାରା ନିର୍ମିତ ITCMର ଓଜନ ୧୫୦୦ କିଲୋଗ୍ରାମ ଥିବାବେଳେ, ଲମ୍ବ ୬ ମିଟର ଓ ମୋଟେଇ ୦.୫୨ ମିଟର ରହିଛି । ଏହି ମିଜାଇଲରେ ୨୦୦ରୁ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ସହିତ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।

ଆଖି ସମସ୍ୟା ହୋଇପାରେ ଓମିକ୍ରନ୍ ଲକ୍ଷଣ

ନୂଆଦିଲ୍ଲୀ: କରୋନା ନୂଆ ଭାରିଆଣ୍ଟ ଓମିକ୍ରନ ଯେତିକି ମାଡୁଛି, ନୂଆ ନୂଆ ଲକ୍ଷଣ ପଦାକୁ ଆସିବାରେ ଲାଗିଛି । ଆଗରୁ ପେଟ ସମସ୍ୟା ଓମିକ୍ରନର ଲକ୍ଷଣ ହୋଇପାରେ ବୋଲି ଆମେ ରିପୋର୍ଟରେ ଜଣାଇଥିଲୁ । ଏବେ ଏକ ନୂଆ ଲକ୍ଷଣ ଓମିକ୍ରନକୁ ନେଇ ପଦାକୁ ଆସିଛି । ଏହା ଆଖି ସହ ଜଡିତ । ଓମିକ୍ରନ ସଂକ୍ରମିତ ହେଲେ କାଶଠାରୁ ଝାଡା ହେବା ପର୍ଯ୍ୟନ୍ତ ଲକ୍ଷଣ ଦେଖିବାକୁ ମିଳୁଥିଲା । ଏବେ କିଛି ଡାକ୍ତର କହୁଛନ୍ତି ଓମିକ୍ରନର ପ୍ରଥମ ଲକ୍ଷଣ ଆଖିରୁ ଆରମ୍ଭ ହୋଇପାରେ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଆଖି ସମସ୍ୟାକୁ ଅସମାନ୍ୟ ଓ କମ ଦେଖା ଯାଉଥିବା ଲକ୍ଷଣ ସୂଚୀରେ ରଖିଛି । ଏଥିରେ ଆଖି ସହ ଜଡିତ ଗୋଟିଏ କିମ୍ବା ଗୋଟିଏରୁ ଅଧିକ ଲକ୍ଷଣ ସାମିଲ ହୋଇପାରେ ।

ରିପୋର୍ଟ ଅନୁସାରେ ଆଖି ଗୋଲାପୀ ପଡ଼ିବା, ଧଳା ଭାଗ ଓ ପତା ତଳେ ଦାଗ ପଡ଼ିବା ଓମିକ୍ରନ ସଂକ୍ରମଣର ଲକ୍ଷଣ ହୋଇପାରେ । ଏହାବାଦ ଆଖି ଲାଲ ଦିଶିବା, ପୋଡ଼ାଜଳା ହେବା, ଦରଜ ହେବା ଓମିକ୍ରନ ଲକ୍ଷଣ ହୋଇପାରେ । ଆଖିକୁ ଜାଲ ଜାଲିଆ ଦିଶିବା, ଅଧିକ ଆଲୁଅରେ ସମସ୍ୟା ହେବା, ଆଖିରୁ ପାଣି ଗଡ଼ିବା ମଧ୍ୟ କରୋନା ଭୁତାଣୁ ଓମିକ୍ରନର ଲକ୍ଷଣ ହୋଇପାରେ ।

୨୦୨୦ରେ ହୋଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ କରୋନା ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୫ ପ୍ରତିଶତ ଆଖି ସମସ୍ୟାର ଶିକାର ହୋଇପାରନ୍ତି । ଏଥିରେ ଡରିବାର କିଛି ନାହିଁ । ସବୁ ଆଖି ସମସ୍ୟାର ମାନେ ନୁହେଁ ଆପଣ ଓମିକ୍ରନ ସଂକ୍ରମିତ । ଅନ୍ୟ କାରଣରୁ ମଧ୍ୟ ଆଖିରେ ସମସ୍ୟା ଦେଖାଦେଇପାରେ । ତେଣୁ କରୋନାର ଅନ୍ୟ ଲକ୍ଷଣ ଦେଖା ଯାଉଛି କି ନାହିଁ ତାହା ଉପରେ ମଧ୍ୟ ନଜର ରଖନ୍ତୁ ।

କ’ଣ କହୁଛି ସର୍ଭେ ?

ଭାରତୀୟ ସ୍ବାସ୍ଥ୍ୟ ବିଶେଷଜ୍ଞ କରୋନା ସହ ଆଖି ସମସ୍ୟା ସମ୍ପର୍କକୁ ସାମାନ୍ୟ ବିବେଚନା କରିଛନ୍ତି । ସେମାନଙ୍କ ମତରେ ଏହା ଓମିକ୍ରନ ସଂକ୍ରମଣର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । ଏହାକୁ ଗୁରୁତର ସହ ନେବାର ଆବଶ୍ୟକତା ରହିଛି ।

ତେବେ କିଛି ସର୍ଭେ ଆଖି ସହ ଜଡିତ ଲକ୍ଷଣକୁ ଅଧିକ ଗୁରୁତର ସହ ନେଇଛନ୍ତି । ଏକ ସର୍ଭେରେ ଦାବି କରାଯାଇଛି ଯେ ୩୫.୮ ପ୍ରତିଶତ ସୁସ୍ଥ ଲୋକଙ୍କ ତୁଳନାରେ ୪୪ ପ୍ରତିଶତ କରୋନା ରୋଗୀ ଆଖି ସମସ୍ୟାରେ ପଡିଥାନ୍ତି । ଏଥିରେ ଆଖିରୁ ପାଣି ଗଡ଼ିବା ଓ ଲାଇଟ୍ ସେନସିଭିଟି ଭଳି ଲକ୍ଷଣ ସାଧାରଣ ହୋଇଥାଏ ।

ବିଏମଜେ ଓପନ ପାଥଲୋମୋଲୋଜିରେ ପ୍ରକାଶିତ ରିପୋର୍ଟ ଅନୁସାରେ ୮୩ ପ୍ରତିଶତ କୋଭିଡ-୧୯ ରୋଗୀଙ୍କ ମଧ୍ୟରୁ ୧୭ ପ୍ରତିଶତଙ୍କଠାରେ ଆଖି ଜଳାପୋଡ଼ା ହେବା, ୧୬ ପ୍ରତିଶତଙ୍କଠାରେ ଆଖି ଦରଜ ସମସ୍ୟା ଦେଖା ଦେଇଥାଏ । ରୋଗୀ ସଂକ୍ରମଣ ମୁକ୍ତ ହେବା ସହ ଆଖି ସମସ୍ୟାରେ ମଧ୍ୟ ସୁଧାର ଆସିଥାଏ ।

ଆଖିରେ କେମିତି ପଶିଥାଏ ଓମିକ୍ରନ ?

ଗୋଲଡେନ ଆଇଜର ଜେନେରାଲ ପ୍ରୋଟେକ୍ସନ ନିଶା ଅସଲମଙ୍କ ଅନୁସାରେ, ‘କୋଭିଡି ଭାରିଆଣ୍ଟ ଯେଉଁ ସେଲ୍ ରିସେପ୍ଟର ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାଏ ଯାହା ଆଖିରେ ରହିଛି । ଭାଇରସ୍ ଏହି ରିସେପ୍ଟରକୁ ଲୁଚି ଶରୀର ମଧ୍ୟରେ ପ୍ରବେଶ କରିଥାଏ । ଆଖିର ଅଲଗା ଅଲଗା ସ୍ଥାନରେ ଏହି ରିସେପ୍ଟର ଦେଖିବାକୁ ମିଳିଥାଏ । ଯେମିତି କି ରେଟିନା କୋଶିକା, ଆଖିର ଧଳା ଅଂଶ ।’ କିଛି ସର୍ଭେରେ କୁହାଯାଇଛି କରୋନାର ଡେଲଟା ଓ ବିଟା ଭାଇରସ ତୁଳନାରେ ଓମିକ୍ରନ ଏହି ରିସେପ୍ଟର ସଂସ୍ପର୍ଶରେ ଆସିବାର ଅଧିକ କ୍ଷମତା ରଖେ । ଯଦି ଏମିତି ହୁଏ ତେବେ ଆଖି ସମସ୍ୟା ଓମିକ୍ରନ ଲକ୍ଷଣ ହୋଇପାରେ ।

କେମିତି କରିବେ ଆଖିର ଚିକିତ୍ସା ?

କରୋନା ସଂକ୍ରମିତ କିଛି ରୋଗୀଙ୍କ କ୍ଷେତ୍ରରେ ଆଖି ସମସ୍ୟା ଅଧିକ ଜଟିଳ ହୋଇନପାରେ । ହେଲେ କିଛି ଲୋକ ଏହାଦ୍ବାରା ବହୁତ ସମସ୍ୟାରେ ପଡିଥାନ୍ତି । ଏହି ସମସ୍ୟାର ଘରୋଇ ଚିକିତ୍ସା କରାଯାଇପାରିବ । ଏନଏଚଏସ ଅନୁସାରେ, ପାଣି ଗରମ କରି ତାକୁ ଥଣ୍ଡା କରିଦିଅନ୍ତୁ । ଏହାପରେ ସଫା ତୁଳାକୁ ଗୁଳା କରି ଉକ୍ତ ପାଣିରେ ବୁଡାଇ ସାବଧାନତାର ସହ ଆଖିକୁ ପୋଛନ୍ତୁ ।

ସମସ୍ୟାରୁ ମୁକ୍ତି ପାଇବାକୁ କିଛି ସମୟ ପାଇଁ ଆଖିରେ ଥଣ୍ଡା କପଡ଼ା ପକାଇ ପାରିବେ । ଯଦି ଯନ୍ତ୍ରଣା ଅଧିକ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଦି ଆପଣ ଆଇସୋଲେସନରେ ଅଛନ୍ତି ତେବେ ଡାକ୍ତରଙ୍କୁ ଅନଲାଇନରେ ପରାମର୍ଶ ମାଗି ପାରିବେ । ଅଥବା ପରିବାରର ଅନ୍ୟ କାହାକୁ ଡାକ୍ତରଙ୍କ ପାଖକୁ ପଠାଇ ତାଙ୍କ ପାଖରୁ ପରାମର୍ଶ ଗ୍ରହଣ କରି ଆଖିର ଚିକିତ୍ସା କରିପାରିବେ ।

ମାଲକାନଗିରିରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ମାଓବାଦୀ ମୁନି ମୃତ

ମାଲକାନଗିରି: ମାଲକାନଗିରି ସୀମାରେ ପୁଣି ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ମହୁପଦର ଏଲଓଏସ କମାଣ୍ଡର ମୁନି ବୋଲି ଜଣାପଡ଼ିଛି । ମୁନି ନାଁରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ସୂଚନା ଅନୁସାରେ କଟେକଲ୍ୟାଣ ଥାନା ଅନ୍ତର୍ଗତ ଚିକପାଲ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ଯବାନ । ଦୀର୍ଘ ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟର ପରେ ଘଟଣାସ୍ଥଳରୁ ଗୋଟିଏ ୧୨ ବୋର ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।