ଦୋଷ କରୁଛି ସିବିଏସ୍‌ଇ, ଦଣ୍ଡ ପାଉଛନ୍ତି ଛାତ୍ରଛାତ୍ରୀ

1 min read

ଭୁବନେଶ୍ବର: ସିବିଏସଇର ଭୁଲ, ହେଲେ ଦଣ୍ଡ ପାଉଛନ୍ତି ଛାତ୍ରଛାତ୍ରୀ । ସଠିକ୍ ଉତ୍ତର ଲେଖିଲେ ବି ମିଳୁଛି ଶୂନ ମାର୍କ । ସିବିଏସ୍‌ଇ ୧୦ମ ଶ୍ରେଣୀ ଟର୍ମ-1 ଓଡ଼ିଆ ପରୀକ୍ଷାରେ ଦେଖିବାକୁ ମିଳିଛି ଏମିତି ଗୁରୁତର ତ୍ରୁଟି । ୪ ନମ୍ବର ପ୍ରଶ୍ନ ରହିଛି ଗାନ୍ଧିଜୀ ଏବଂ ନେତାଜୀ ସୁବାଷଚନ୍ଦ୍ରଙ୍କ ସ୍ବାଧୀନତା ସଂଗ୍ରାମ ଭିତରେ କି ପାର୍ଥକ୍ୟ ଥିଲା ? ଏହାର ଉତ୍ତର ହେଉଛି ବି, ଅର୍ଥାତ୍ ନିରସ୍ତ୍ର ସତ୍ୟାଗ୍ରହ ସଂଗ୍ରାମ ଏବଂ ସଶସ୍ତ୍ର ସଂଗ୍ରାମ । କିନ୍ତୁ ସିବିଏସ୍‌ଇ ଦେଇଥିବା ଉତ୍ତର ପତ୍ରରେ ରହିଛି ଡି, ଅର୍ଥାତ୍ ପାରମ୍ପରିକ ସଂଗ୍ରାମ ଓ ଅତ୍ୟାଧୁନିକ ସଂଗ୍ରାମ । ଯାହା ସଂପୂର୍ଣ୍ଣ ଭୁଲ୍‌ । କେବଳ ୪ ନମ୍ବର ନୁହେଁ ୨୮, ୨୯, ୩୦, ୩୧ ଭଳି ମୋଟ ୧୭ଟି ପ୍ରଶ୍ନର ଉତ୍ତର ପତ୍ର ଭୁଲ୍‌ ଦେଇଛି ସିବିଏସ୍‌ଇ । ଫଳରେ ସଠିକ୍ ଉତ୍ତର ଲେଖି ମଧ୍ୟ ନମ୍ବର ପାଇନାହାଁନ୍ତି ଛାତ୍ରଛାତ୍ରୀ । ଉତ୍ତର ପତ୍ର ଭୁଲ ପାଇଁ ଛାତ୍ରଛାତ୍ରୀମାନେ ଏବେ ମାନସିକ ଭାବରେ ଘୋର ଆଘାତ ପାଇଛନ୍ତି ।

ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ଏଭଳି ମନମାନି ପାଇଁ ଏବେ ଚିନ୍ତାରେ ଅଭିଭାବକ । ଘଟଣା ସମ୍ପର୍କରେ ପ୍ରଥମେ ସ୍କୁଲ ଏବଂ ପରେ ସିବିଏସ୍‌ଇ ଆଞ୍ଚଳିକ ମୁଖ୍ୟଙ୍କୁ ଜଣାଇଥିଲେ ବି ଏବେ ଯାଏଁ କୌଣସି ପଦକ୍ଷେପ ନିଆାଯାଇନାହିଁ । ମୂଲ୍ୟାଙ୍କନରେ ହୋଇଥିବା ତ୍ରୁଟିକୁ ତୁରନ୍ତ ସଂଶୋଧନ କରି ସିବିଏସି ପୁଣି ପରୀକ୍ଷା ଫଳ ପ୍ରକାଶ କରୁ ନଚେତ୍ ଗ୍ରେସ୍ ମାର୍କ ଦେଇ ସବୁ ପିଲାଙ୍କର ପରୀକ୍ଷା ଫଳ ଆଉ ଥରେ ପ୍ରକାଶ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି ।

କେବଳ ଟର୍ମ-1 ପରୀକ୍ଷା ନୁହେଁ, ଏମିତି ଅନେକ ଥର CBSE ମନମାନିର ଶିକାର ହୋଇଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ଇଂରାଜୀ ପ୍ରଶ୍ନପତ୍ରରେ ମଧ୍ୟ ତ୍ରୁଟି ଦେଖିବାକୁ ମିଳିଥିଲା । ଏନେଇ ଅଭିଭାବକମାନେ ତୀବ୍ର ବିରୋଧ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଗ୍ରେସମାର୍କ ମିଳିଥିଲା । ତ୍ରୁଟି ସମ୍ପର୍କରେ ସବିଏସ୍‌ଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।