ଧମାକାଦାର ସ୍କିମ୍: ବ୍ୟାଙ୍କ ପୂର୍ବରୁ ଟଙ୍କା ହୋଇଯିବ ଦୁଇଗୁଣା

1 min read

ଭୁବନେଶ୍ବର: ଭବିଷ୍ୟତ ଚିନ୍ତାରେ ଲୋକେ କିଛି କିଛି ଟଙ୍କା ଜମା କରିଥାନ୍ତି । ଏଥିପାଇଁ ଏକାଧିକ ସ୍କିମ୍ ରହିଛି । ରିସ୍କକୁ ନେଇ ଆପଣ ଟଙ୍କା ଖଟାଇ ଥାନ୍ତି । ଯଦି ଆପଣ ରିସ୍କ ନେବାକୁ ସକ୍ଷମ ତେବେ ଆପଣ ସେୟାର ବଜାର କିମ୍ବା ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ ପାରିପାରିବେ । ହେଲେ ଏମିତି ବି କିଛି ସ୍କିମ୍ ଅଛି ଯେଉଁଥିରେ ବିନା ରିସ୍କରେ ନିବେଶ କରିପାରିବେ ।

ଯଦି ଆପଣ ରିସ୍କ ନଥିବା ସ୍କିମ୍ ଖୋଜୁଛନ୍ତି ତେବେ ଆପଣଙ୍କୁ ପୋଷ୍ଟ ଅଫିସର ଏହି ସ୍କିମ୍ ଉପରେ ଥରେ ନଜର ପକାଇବା ଦରକାର । ପୋଷ୍ଟ ଅଫିସର ଏହି ସ୍କିମଟି ହେଲା କିଷାନ ବିକାଶ ପତ୍ର । ଛୋଟ ନିବେଶ ଚାହୁଁଥିବା ଲୋକଙ୍କ ପାଇଁ ଏହି ସ୍କିମ୍ ବହୁତ ଲାଭଦାୟକ ।

କିଷାନ ବିକାଶ ପତ୍ର ସ୍କିମର ସବୁଠାରୁ ଭଲ କଥାଟି ହେଲା ଏଥିରେ ଚକ୍ରବୃଦ୍ଧି ସୁଧ ମିଳିଥାଏ । ଏଥିରେ ନା କେବଳ ଟଙ୍କା ସମ୍ପୂର୍ଣ୍ଣ ଫେରିଥାଏ ବରଂ ଅନ୍ୟ ସ୍କିମ୍ ତୁଳନାରେ ଅଧିକ ଲାଭ ମିଳିଥାଏ । ୧୦ ବର୍ଷ ୪ ମାସରେ ଆପଣ ଜମା କରିଥିବା ଟଙ୍କା ଦୁଇଗୁଣା ହୋଇଯିବ । ଏଥିରେ ବାର୍ଷିକ ୬.୯ ପ୍ରତିଶତ ଚକ୍ରବୃଦ୍ଧି ସୁଧ ମିଳିଥାଏ ।

ବ୍ରାଞ୍ଚ ବଦଳାଇ ପାରିବେ

ଭାରତୀୟ ଡାକ ବିଭାଗ ଓ୍ବେବସାଇଟ ଅନୁସାରେ ଦେଶର ୧.୫ ଲକ୍ଷରୁ ଅଧିକ ପୋଷ୍ଟ ଅଫିସରେ କିଷାନ ବିକାଶ ପତ୍ର ସ୍କିମର ସୁବିଧା ପାଇ ପାରିବେ । ଆପଣ ଏଥିରୁ ଯେକୌଣସି ପୋଷ୍ଟ ଅଫିସକୁ ଯାଇ କିଷାନ ବିକାଶ ପତ୍ର କିଣି ପାରିବେ । ଭବିଷ୍ୟତରେ ଚାହିଁଲେ ଗୋଟିଏ ବ୍ରାଞ୍ଚରୁ ନିଜ ଆକାଉଣ୍ଟକୁ ଅନ୍ୟ ବ୍ରାଞ୍ଚକୁ ବଦଳାଇ ପାରିବେ ।

ଅଢେଇ ବର୍ଷ ପରେ ଟଙ୍କା ଉଠାଇ ପାରିବେ

ଏହି ସ୍କିମ୍ ଯେକୌଣସି ଏଫଡି (ଫକ୍ସ ଡିପୋଜିଟ) ତୁଳନାରେ ଅଧିକ ରିଟର୍ଣ୍ଣ ଦେଇଥାଏ । ଏଥିପାଇଁ ମ୍ୟାଚ୍ୟୁରିଟି ସମୟ ୧୨୪ ମାସ ଅର୍ଥାତ ୧୦ ବର୍ଷ ୪ ମାସ ରହିଛି । ହେଲେ ଆବଶ୍ୟକ ପଡିଲେ ଏହି ସମୟ ପୂର୍ବରୁ ଆପଣ ଟଙ୍କା ଉଠାଇ ପାରିବେ । ସ୍କିମରେ ଏକ ସର୍ତ୍ତ ରହିଛି । ଏହି ସର୍ତ୍ତ ଅନୁସାରେ ସ୍କିମରେ ୩୦ ମାସ ପାଇଁ ଲକ୍-ଇନ୍ ପିରିୟଡ ରହିଛି । ଅର୍ଥାତ ଆପଣ ନିବେଶ କରିବାର ଅଢେଇ ବର୍ଷ ପରେ ଯେକୌଣସି ସମୟରେ ଟଙ୍କା ଉଠାଇ ପାରିବେ ।

ଟ୍ୟାକ୍ସରୁ ରିହାତି

କିଷାନ ବିକାଶ ପତ୍ରରେ ଟଙ୍କା ନିବେଶ କରିବାର ଆଉ ଏକ ଲାଭ ରହିଛି । ଏଥିରେ ଟ୍ୟାକ୍ସ ରିହାତି ମିଳିଥାଏ । ଇନକମ୍ ଟ୍ୟାକ୍ସ ସେକ୍ସନ୍ 80 (C) ଅନୁସାରେ କିଷାନ ବିକାଶ ପତ୍ରରେ ନିବେଶ ଟଙ୍କା ଉପରେ ଟ୍ୟାକ୍ସ ରିହାତି ମିଳିଥାଏ । ଆପଣ ୧୮ ବର୍ଷରୁ ଅଧିକ ବୟସର ହୋଇଥିଲେ ଏଥିରେ ନିବେଶ କରିପାରିବେ । ଏଥିରେ ସିଙ୍ଗଲ ଓ ଜଏଣ୍ଟ ଆକାଉଣ୍ଟ ଖୋଲିବାର ମଧ୍ୟ ସୁବିଧା ରହିଛି ।

ଯେତେ ଟଙ୍କା ଚାହିଁବେ ନିବେଶ କରିପାରିବେ

ଏହା ଓ୍ବାନ ଟାଇମ୍ ଇନଭେଷ୍ଟମେଣ୍ଟ ସ୍କିମ୍ । ଅର୍ଥାତ ଏଥିରେ ଆପଣଙ୍କୁ ପ୍ରତିମାସ କିମ୍ବା ପ୍ରତି ବର୍ଷ ଟଙ୍କା ଜମା କରିବାକୁ ପଡିବ ନାହିଁ । ଏଥିରେ ଅତି କମରେ ୧୦୦୦ ଟଙ୍କା ନିବେଶ କରିପାରିବେ । ଏହା ଉପରକୁ ଆପଣ ଯେତେ ଚାହିଁବେ ଅଧିକ ନିବେଶ କରିପାରିବେ । ୧୯୮୮ରେ ଏହି ସ୍କିମ୍ ଆରମ୍ଭ ହୋଇଥିଲା । ପ୍ରଥମେ ଏଥିରେ କେବଳ ଚାଷୀମାନେ ନିବେଶ କରିପାରୁଥିଲେ । ପରେ ଏହାକୁ ସମସ୍ତଙ୍କ ପାଇଁ ଖୋଲି ଦିଆଯାଇଛି ।