ମଦ ଦୋକାନରେ ପଶି ପଥର ଫିଙ୍ଗିଲେ ଉମା ଭାରତୀ

1 min read

ଭୋପାଲ: ବିଜେପି ନେତ୍ରୀ ଉମା ଭାରତୀ ରବିବାର ଏକ ମଦ ଦୋକାନରେ ପଶି ପଥର ଫିଙ୍ଗି ଭାଲିଲେ ମଦ ବୋତଲ । ଏହାର ଭିଡିଓ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହାସହ ଟ୍ବିଟ୍ କରି ଲେଖିଛନ୍ତି, ‘qରଖେଡା ପଠାନୀ ଆଜାଦ ନଗର ବିଏଚଇଏଲରେ ଶ୍ରମିକଙ୍କ କଲୋନୀ ରହିଛି । ଏଠାରେ ମଦ ଦୋକାନର ଲମ୍ବା ଲାଇନ ରହିଛି । ବସ୍ତି ପାଖରେ ମନ୍ଦିର ଓ ସ୍କୁଲ ମଧ୍ୟ ରହିଛି । ମହିଳା କି ଝିଅମାନେ ଛାତ ଉପରକୁ ଆସିଲେ ମଦୁଆମାନେ ଅଶ୍ଳୀଳ ଇଙ୍ଗିତ କରୁଛନ୍ତି ।’

ସେ ଆଗକୁ ଲେଖିଛନ୍ତି, ‘ଶ୍ରମିକଙ୍କ ପୂରା ରୋଜଗାର ଏହି ମଦ ଦୋକାନକୁ ଚାଲି ଯାଉଛି । ସ୍ଥାନୀ ବାସିନ୍ଦାଙ୍କ ସହ ମହିଳାମାନେ ମଦ ଦୋକାନ ଉଚ୍ଛେଦ ପାଇଁ ବାରମ୍ବାର ଅଭିଯୋଗ କରିଛନ୍ତି । ଏମିତି କି ଧାରଣାରେ ମଧ୍ୟ ବସିଛନ୍ତି । କାରଣ ସରକାରୀ ନିୟମ ଉଲ୍ଲଂଘନ କରାଯାଇ ଏଠାରେ ମଦ ଦୋକାନ ଖୋଲା ଯାଇଛି । ଯେବେ ସ୍ଥାନୀୟ ଲୋକେ ବିରୋଧ କରନ୍ତି, ପ୍ରଶାସନ ତରଫରୁ ମଦ ଦୋକାନ ବନ୍ଦ କରିବାକୁ ପ୍ରତିଶ୍ରୁତି ଦିଆଯାଇଥାଏ । ହେଲେ ବର୍ଷ ପରେ ବର୍ଷ ବିତି ଯାଇଥିଲେ ବି ମଦ ଦୋକାନ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ।’

ଏହାସହ ସେ କହିଛନ୍ତି, ସପ୍ତାହକ ମଧ୍ୟରେ ମଦ ଦୋକାନ ବନ୍ଦ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ, ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଦୀର୍ଘଦିନରୁ ମଦ ବିରୋଧୀ ଆନ୍ଦୋଳନ ଚଲାଇ ଆସିଛନ୍ତି । ରାଜ୍ୟରେ ମଦ ବନ୍ଦ ପାଇଁ ଦାବି କରି ଆସୁଛନ୍ତି । ଏହା ପୂର୍ବରୁ ମଦ ବନ୍ଦ ପାଇଁ ଏକାଧିକ ଥର ଚେଷ୍ଟା କରି ଆସିଛନ୍ତି ।

ଅନ୍ୟପକ୍ଷରେ ମଦ ଦୋକାନକୁ ଏମିତି ପଥର ଫିଙ୍ଗିବାକୁ ମଧ୍ୟ ପ୍ରଦେଶର କଂଗ୍ରେସ ମିଡିଆ ସମନ୍ବୟ ସଦସ୍ୟ ନରେନ୍ଦ୍ର ସଲୁଜା ମଦ ବନ୍ଦ ପାଇଁ ଏମିତି ପଥର ମାରିବାକୁ ଅନୁମତି ଦେବାକୁ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଅନୁମତି ମାଗିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ‘ମୁଁ ମଧ୍ୟ ମଦକୁ ବିରୋଧ କରେ । ମୁଁ ଏମିତି ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛି ।’