ସାବଧାନ ! ଆସୁଛି ହିଟ୍‌ଓ୍ବେଭ୍, ବଢିବ ତାପମାତ୍ରା

1 min read

ଭୁବନେଶ୍ବର: ଦୁଇ ଦିନ ପରେ ବଢିବ ତାତି । ଗରମରେ ଆଉଟୁ ପାଉଟୁ ହେବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ପାରା ଡେଇଁବ ୪୦ ଉପରକୁ । ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା । ଓଡ଼ିଶା ମଧ୍ୟକୁ ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗ୍ରୀଷ୍ମ ପ୍ରବାହ ପାଇଁ ୧୬ ତାରିଖରେ ବଲାଙ୍ଗିର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୭ ତାରିଖ ପାଇଁ ୬ଟି ଜିଲ୍ଲା ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପାଇଁ ସତର୍କତା ଜାରି କରାଯାଇଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୁତ ହେବ । ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।

ଖୋର୍ଦ୍ଧା ଜିଲ୍ଲାରେ ହିଟଓ୍ବେଭ୍ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ୨୧ ଓ ୨୨ ତାରିଖ ବେଳକୁ ତାତି ୪୪ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଗତବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଚଳିତବର୍ଷ ପଶ୍ଚିମା ଝଡ ପାଇଁ ସ୍ଥିତି ବଦଳିଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସବୁ ସ୍କୁଲକୁ ଚିଠି ଲେଖିଛନ୍ତି ।