ଚାନ୍ଦବାଲିରୁ ଅପହରଣ, ରାଜଧାନୀରେ ହତ୍ୟା: ନୟାଗଡରେ ପୋତିଲେ

1 min read

ଭଦ୍ରକ: ଚାନ୍ଦବାଲିରୁ ଅପହରଣ ପରେ ହତ୍ୟା ଘଟଣାର ପର୍ଦ୍ଦାଫାସ । ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତମାନେ ପେଶାରେ ସାମ୍ବାଦିକ ବୋଲି ଜଣାପଡିଛି । ତେବେ ଏହି ଅପହରଣ-ହତ୍ୟା ମିଷ୍ଟ୍ରୀ କୌଣସି ଫିଲ୍ମ କାହାଣୀଠାରୁ କମ୍ ନୁହେଁ । ଯାହା ଜାଣିଲେ ଆପଣ ବି ତାଜୁବ ହୋଇଯିବେ ।

ଅଜୟ ଦେବଗନ ଷ୍ଟାରର ବଲିଉଡ ଫିଲ୍ମ ‘ଦ୍ରିଶ୍ୟମ୍’ ତ ଦେଖିଥିବେ । କେମିତି ଅଜୟ ଦେବଗନ ମୃତ ଯୁବକର ମୃତ ଦେହକୁ ଠିକଣା ଲଗାଇ ପୋଲିସକୁ ନାକେଦମ କରିଥିଲେ । ଫିଲ୍ମରେ ପୋଲିସ ଅଜୟ ଦେବଗନଙ୍କୁ ଧରି ପାରି ନଥିଲା । ହେଲେ ଚାନ୍ଦବାଲି ଅପହରଣ ଓ ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ କାବୁ କରିନେଇଛି ।

ମଜାଦାର କଥା ହେଲା ଏହି ହତ୍ୟା ଘଟଣା ଭଦ୍ରକ ଜିଲ୍ଲାରୁ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ବର ଦେଇ ନୟାଗଡରେ ଶେଷ ହୋଇଛି । ଅର୍ଥାତ ମୃତ ମାନସ ସ୍ବାଇଁଙ୍କୁ ଚାନ୍ଦବାଲିରୁ ଅପହରଣ କରାଯାଇଥିଲା । ରାଜଧାନୀକୁ ଆଣିବା ପରେ ଏଠାରେ ହତ୍ୟା କରିଥିଲେ । ଏହାପରେ ମୃତଦେହକୁ ଠିକଣା ଲଗାଇବାକୁ ନୟାଗଡ଼ ନେଇ ପୋତିଥିଲେ । ପୂରା ଫୁଲ୍ ପ୍ରୁଫ୍ ପ୍ଲାନରେ କରାଯାଇଥିଲା ହତ୍ୟା । ହେଲେ କଥାରେ ଅଛି ଆଇନର ହାତ ଲମ୍ବା । ଏତେ ପ୍ଲାନ ପରେ ବି ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଛି ଓ କାବୁ କରିବା ସହ ଏହି ଅପହରଣ-ହତ୍ୟା ଘଟଣା ଉପରୁ ପରଦା ଉଠାଇଛି ।

ସୂଚନା ଅନୁସାରେ ଗତ ଫେବୃଆରୀ ୭ ତାରିଖରେ ନୟାଗଡ଼ ରଣପୁର ଅଞ୍ଚଳର ମାନସ ସ୍ଵାଇଁ ଚାନ୍ଦବାଲିକୁ ଏକ ବାହାଘରରେ ଫଟୋ ଉଠାଇବାକୁ ଆସିଥିଲେ । ଏହି ସମୟରେ ଭୁବନେଶ୍ବରରୁ ୫ ଜଣ ଆସି ମାନସକୁ ଅପହରଣ କରି ନେଇଥିଲେ । ଏନେଇ ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ୧୪ ତାରିଖରେ ଅଭିଯୋଗ କରାଯାଇଥିଲା । ଚାନ୍ଦବାଲି ଥାନା ଅଧିକାରୀ ଘଟଣାକୁ ଗରୁତ୍ବର ସହ ନେଇ ୩ ଜଣ ଅଭିଯୁକ୍ତଙ୍କୁ ଠାବ କରିଥିଲେ ।

ପରେ ପୋଲିସ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧୂପାଟଣା ପାହାଡ଼ ନିକଟରୁ ଶବକୁ ମାଟିତଳୁ ଉଦ୍ଧାର କରିଥିଲା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଖୁବ ଶୀଘ୍ର ଗିରଫ ହେବେ ବୋଲି ପୋଲିସ କହିଛି ।