spot_img
Home Blog Page 4661

ଗୁଗଲକୁ ଝଟକା: ୟୁରୋପରେ ବେଆଇନ

କାନବେରା: ବିଶ୍ବର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜନ୍ ଗୁଗଲକୁ ଜୋରଦାର ଝଟକା । ୟୁରୋପରେ ବେଆାଇନ ଘୋଷଣା ହେଲା ଗୁଗଲ । ଏହା କେବଳ ଗୁଗଲ ପାଇଁ ନୁହେଁ ବରଂ ଅନ୍ୟ ଓ୍ବେବସାଇଟଙ୍କ ପାଇଁ ବି ଖରାପ ଖବର । କାରଣ ଗୁଗଲ ଜରିଆରେ ହିଁ ଅନ୍ୟ ଓ୍ବେବସାଇଟ ସର୍ଚ୍ଚ କରିଥାନ୍ତି ୟୁଜର୍ସ । ଏକ ମାମଲାର ଶୁଣାଣି କରି ଅଷ୍ଟ୍ରେଲିଆା କୋର୍ଟ ଗୁଗଲ ଆନାଲିଟିକ୍ସ ୟୁରୋପିୟ ଡାଟା ପ୍ରୋଟେକ୍ସନ ଆଇନ ଉଲ୍ଲଂଘନ କରୁଥିବା କହିଛନ୍ତି । ଏହାପରେ ଅଷ୍ଟ୍ରେଲିଆରେ ଗୁଗଲକୁ ବେଆଇନ ଘୋଷଣା କରାଯାଇଛି ।

ଏହାର କାରଣ ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେସନ୍ (ଜିଡିପିଆର) । ୨୦୧୮ରେ ଲାଗୁ ହୋଇଥିବା ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ ଅନୁସାରେ ୟୁରୋପର ନାଗରିକଙ୍କ ନିଜ ବ୍ୟକ୍ତିଗତ ତଥ୍ୟକୁ ନିଜ ଇଚ୍ଛା ଅନୁସାରେ ବ୍ୟବହାର କରିପାରିବେ । ୨୦୨୦ରେ କୋର୍ଟ ଅଫ୍ ଜଷ୍ଟିସ୍ ଅଫ୍ ୟୁରୋପିୟନ ୟୁନିୟନ ପଲିସି (ସିଜେଇୟୁ) ଏକ ଶୁଣାଣି କରିଥିଲେ । ଏହା ଅନୁସାରେ ଆମେରିକୀୟ ଓ୍ବେବସାଇଟ୍ ପ୍ରୋଭାଇଡର ଦ୍ବାରା ୟୁଜର୍ସଙ୍କୁ ବ୍ୟକ୍ତିଗତ ତଥ୍ୟ ସେୟାର କରିବା ଜିଡିପିଆର ନିୟମ ପାଳନ କରୁନାହିଁ । ୨୦୨୦ ପୂର୍ବରୁ ପ୍ରାଇଭେସି ଶିଲ୍ଡ ନାମକ ଏକ ଆଇନ ଥିଲା । ଏହାଦ୍ବାରା ୟୁରୋପିୟନ ଡାଟା ଆମେରିକାକୁ ଯାଇ ପାରୁଥିଲା । ହେଲେ ୨୦୨୦ ଜୁଲାଇ ୧୬ରେ ସିଜେଇୟୁ ଏହି ଆଇନକୁ ଉଠାଇ ଦେଇଥିଲେ । ଏହାପରଠାରୁ ଆମେରିକୀୟ କମ୍ପାନୀଙ୍କୁ ଜିଡିପିଆର ଅନୁସାରେ କାମ କରିବାକୁ ପଡୁଛି । ସିଜେଇୟୁ ନିଷ୍ପତ୍ତି ପରେ ମଧ୍ୟ କିଛି ସର୍ଭିସ ପ୍ରୋଭାଇଡର୍ସ ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟ ଆମେରିକା ପଠାଉଥିଲେ । ଯେଉଁଥିରେ ଗୁଗଲ ଆନାଲିଟିକ୍ସ ମଧ୍ୟ ରହିଛି ।

ସିଜେଇୟୁ ଗୁଗଲକୁ କେବଳ ୟୁରୋପରେ ବେଆଇନ ଘୋଷଣା ପରେ ଓ୍ବେବସାଇଟକୁ ଶୀଘ୍ର ନିୟମ ମାନିବାକୁ ପଡ଼ିବ, ନହେଲେ ଆଇନ ଉଲ୍ଲଂଘନ ଅପରାଧରେ ଜରିମାନା ଲାଗିପାରେ ।

ଏଣିକି ୟୁରୋପରେ କାମ କରୁଥିବ ଓ୍ବେବସାଇଟକୁ ଗୁଗଲ ଆନାଲିଟିକ୍ସ ବନ୍ଦ କରି ଅନ୍ୟ ବିକଳ୍ପ କଥା ଚିନ୍ତା କରିବାକୁ ପଡ଼ିବ । ନିୟମ ଉଲ୍ଲଂଘନ କଲେ ମାତ୍ରାଧିକ ଜରିମାନା ଦେବାକୁ ପଡ଼ିପାରେ । ରିପୋର୍ଟ ଅନୁସାରେ ଆୟରିସ ଡାଟା ପ୍ରୋଟେକ୍ସନ କମିଶନ ହ୍ବାଟ୍ସଆପରେ ଆଇନ ପାଳନ ନକରିବା କାରଣରୁ ୨୨.୫ କୋଟି ୟୁରୋ ଜରିମାନା ଲଗାଇଥିଲା ।

ଟିକାକରଣରେ ରେକର୍ଡ କଲା BMC

ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କଲା ଭୁବନେଶ୍ୱର ମହାନଗର ନିଗମ । ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡୋଜ ନେଇଥିବା ବେଳେ, ୧୩ ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ଭାବରେ ୧୫ ରୁ ୧୮ ବର୍ଷ କିଶୋର ବର୍ଗରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୯୫୫ ଜଣ ପ୍ରଥମ ଡୋଜ ଟିକା ଗ୍ରହଣ କରିସାରିଛନ୍ତି । ଏତେ ସଂଖ୍ୟକ ଟିକା ପ୍ରଦାନରେ ଭୁବନେଶ୍ୱର ରାଜ୍ୟର ପ୍ରଥମ ସହର ହୋଇଛି । ରାଜଧାନୀ ଭୁବନେଶ୍ୱରରେ କୋଭକ୍ସିନ ଟିକା ଦିଆଯାଉଛି । ଭୁବନେଶ୍ୱରରେ ଏବେ ବି ୫୦ରୁ ଅଧିକ କେନ୍ଦ୍ରରେ ଟିକାକରଣ ଜାରି ରହିଛି ।

କୁହୁଡି ପାଇଁ ବିମାନ ସେବା ବାଧାପ୍ରାପ୍ତ, ଅବତରଣ କରିପାରିଲାନି ବିମାନ

ଭୁବନେଶ୍ୱର: ଶୀତୁଆ ସକାଳକୁ ଘନ କୁହୁଡି । ରାଜଧାନୀରେ ଛାଇ ଯାଇଥିଲା ଘନ କୁହୁଡ଼ି । ଆଜି ଘନ କୁହୁଡ଼ି ରାଜଧାନୀକୁ ଘେରାବନ୍ଦୀ କରି ରଖିଥିଲା । ଘନ କୁହୁଡି ପାଇଁ ବାଧାପ୍ରାପ୍ତ ହୋଇଥିଲା ବିମାନ ସେବା । ଚଳିତ ବର୍ଷ ପ୍ରଥମଥର ଘନ କୁହୁଡି ପାଇଁ ବିମାନ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀରୁ ଇଣ୍ଡିଗୋ ୨୧୭୮ ବିମାନ ଭୁବନେଶ୍ୱର ଆସୁଥିଲା । କିନ୍ତୁ ଘନ କୁହୁଡି ପାଇଁ ଏହି ବିମାନକୁ ରାୟପୁରକୁ ଡାଇଭର୍ଟ କରାଯାଇଥିଲା । ଦେଢଶହ ମିଟର ଦୃଶ୍ୟମାନ ଥିବାରୁ ଅବତରଣ କରିପାରିଲାନି ବିମାନ । ତେବେ ପରେ ସ୍ଥିତି ସ୍ୱାଭାବିକ ହେବା ପରେ ଭୁବନେଶ୍ୱରରେ ଅବତରଣ କଲା ଇଣ୍ଡିଗୋ ୨୧୭୮ ବିମାନ ।

ନିୟମ ଅନୁସାରେ ୮ ଶହ ମିଟର ଦୃଶ୍ୟମାନ ହେଲେ ସ୍ୱାଭାବିକ ହୁଏ ବିମାନ ସେବା । ପାଇଲଟ ଚାହିଁଲେ ୫ଶହ ରୁ ୮ଶହ ମିଟର ଦୃଶ୍ୟମାନରେ ଲ୍ୟାଣ୍ଡିଂ କରିପାରିବେ । କିନ୍ତୁ ଆଜି ୯ ଟା ୨୭ ମିନିଟରେ ୫୫୦ ମିଟର ଦୃଶ୍ୟମାନ ଥାଇ ଅବତରଣ କଲା ବିମାନ । କୋଲକାତାରୁ ଇଣ୍ଡିଗୋ 6E7623 ବିମାନ ଭୁବନେଶ୍ୱରରେ ଅବତରଣ କରିଥିଲା । ଏନେଇ ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି ।

 

ପିଲାଙ୍କ ପାଇଁ କରୋନା ଗାଇଡଲାଇନ: କେମିତି କରିବେ ପିଲାଙ୍କ ଚିକିତ୍ସା ?

ନୂଆଦିଲ୍ଲୀ: କରୋନା କାଳରେ ପିଲାଙ୍କ ସୁରକ୍ଷାକୁ ନେଇ ସବୁଠି ଚିନ୍ତା । ବିଶେଷ କରି ୧୮ ବର୍ଷରୁ ପିଲାଙ୍କୁ କେମିତି ମହାମାରୀରୁ ରକ୍ଷା କରାଯିବ ତାକୁ ନେଇ ସବୁ ଦେଶ ଚିନ୍ତିତ । ଭାରତରେ ୧୫ରୁ ୧୮ ବର୍ଷର ପିଲାଙ୍କ ଟିକାକରଣ ଚାଲିଛି । ତେବେ ୧୫ ବର୍ଷ ତଳକୁ ପିଲାମାନଙ୍କ ପାଇଁ ଏବେ ବି କୌଣସି ବ୍ୟବସ୍ଥା ହୋଇନାହିଁ । ଏମିତି ସ୍ଥିତିରେ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଆଣିଛନ୍ତି ।

କ’ଣ ଏହି ଗାଇଡଲାଇନ ?

Doctor’s hands in protection gloves putting COVID-19 test swab into kid’s mouth in hospital.

ନୂଆ ଗାଇଡଲାଇନ ଅନୁସାରେ ଯଦି ଷ୍ଟେରୟେଡ ବ୍ୟବହାର କରୁଛନ୍ତି ତେବେ ୧୦ରୁ ୧୪ ଦିନ ପରେ ଏହାକୁ କମାଇ ଦେବେ । କୋଭିଡି ହେବା ପରେ ପିଲାଙ୍କ ଯତ୍ନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ନୂଆ ଗାଇଡଲାଇନ ଅନୁସାରେ ୫ ବର୍ଷ କିମ୍ବା ତା’ଠାରୁ କମ ବୟସର ପିଲାଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ । ୬ରୁ ୧୧ ବର୍ଷର ପିଲା ଅଭିଭାବକଙ୍କ ଦେଖାରଖାରେ ଠିକ ଭାବେ ମାସ୍କ ପିନ୍ଧିବା ଆବଶ୍ୟକ । ୧୨ ବର୍ଷରୁ ଅଧିକ ବୟସ ପିଲାଙ୍କୁ ବୟସ୍କଙ୍କ ପରି ମାସ୍କ ପିନ୍ଧିବା ଜରୁରୀ । ସ୍ବାସ୍ଥ୍ୟ ମନ୍ତୟାଳୟ ପକ୍ଷରୁ କୁହାଯାଇଛି, ପିଲାମାନଙ୍କ ଅସ୍ବାଭାବିକ ଲାଗିଲେ କିମ୍ବା ସାମାନ୍ୟ ଲକ୍ଷଣ ଦେଖା ଦେଲେ ବି ଆଣ୍ଟି ଭାଇରାଲ ଓ ମନୋକୋଲାର ଆଣ୍ଟି ବଡି ବ୍ୟବହାର ନକରନ୍ତୁ ।

କ’ଣ କରିବେ, କ’ଣ କରିବେ ନାହିଁ ?

କରୋନା ଆକ୍ରାନ୍ତ ତିନି ଲେୟାରର ମାସ୍କ ପିନ୍ଧିବା ଜରୁରୀ । ଷ୍ଟେରଏଡ ବ୍ୟବହାର କରନ୍ତୁ ନାହିଁ । ଅସ୍ବଭାବିକ ଓ ସାମାନ୍ୟ ଲକ୍ଷଣରେ ଷ୍ଟେରୟେଡର ବ୍ୟବହାର ହାନୀକାରକ ହୋଇପାରେ । ଡାକ୍ତରଙ୍କ ପରାମର୍ଶରେ ଠିକ ସମୟରେ, ଉଚିତ ବ୍ୟବଧାନରେ ଷ୍ଟେରଏଡ ବ୍ୟବହାର କରିପାରିବେ । ସାମାନ୍ୟ କିମ୍ବା ଗମ୍ଭିର ମାମଲାରେ କର୍ଟିକୋଷ୍ଟେରଏଡସ୍ ବ୍ୟବହାର କରିହେବ । ଏହାକୁ ୫ରୁ ୭ ଦିନ ପର୍ଯ୍ୟନ୍ତ ନେଇପାରିବେ । ଗରାଇଡଲାଇନ ଅନୁସାରେ ଲକ୍ଷଣ ଆରମ୍ଭର ୩ରୁ ୫ ଦିନ ପର୍ଯ୍ୟନ୍ତ ଷ୍ଟେରଏଡ ବ୍ୟବହାରରୁ ଦୂରେଇ ରୁହନ୍ତୁ ।

କୋଭିଡ ପରର ଯତ୍ନ

ପିଲାଙ୍କ କ୍ଷେତ୍ରରେ ଅସ୍ବଭାବିକ ଓ ସାମାନ୍ୟ ଲକ୍ଷଣ ଦେଖା ଦେଲେ ସେମାନ ଉଚିତ ଯତ୍ନ ନିଆଯିବା ସହ ଟିକା (ବୟସ ହୋଇଥିଲେ) ଦେବା ଓ ନ୍ୟୁଟେସନ ଉପରେ ଧ୍ୟାନ ଦିଅନ୍ତୁ । ହସ୍ପିଟାଲରୁ ଫେରିବା ପରେ କରୋନା ଆକ୍ରାନ୍ତ ପିଲାଙ୍କ ଅଭିଭାବକ ଓ ସେମାନଙ୍କ ଦେଖାରଖା କରୁଥିବା ଲୋକ ପିଲାଙ୍କ ନିଶ୍ବାସ ସମସ୍ୟା ଉପରେ ନଜର ରଖନ୍ତୁ । ଡାକ୍ତରଙ୍କୁ ଦେଖାଇ ଦେଇ ପିଲାଙ୍କୁ ଘରନ ଆଣନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ପଦକ୍ଷେପ ନିଅନ୍ତୁ ।

ଅଧିକ ଟେଷ୍ଟିଂ ପାଇଁ ରାଜ୍ୟରେ ବଢ଼ୁଛି ଆକ୍ଟିଭ କେସ୍ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ କମିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି କି ଆମେ ଟେଷ୍ଟିଂ କମାଇନୁ । ଗାଇଡଲାଇନ ଅନୁସାରେ ଟେଷ୍ଟିଂ କରାଯାଉଛି । ଟେଷ୍ଟିଂର ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଟେଷ୍ଟ କରାଯାଉଛି । ଓଡ଼ିଶାରେ ଅକ୍ଟିଭ୍ କେସ୍ ବଢ଼ିବା ନେଇ ସେ ଆହୁରି କହିଛନ୍ତି କି ଏହାର ମୁଖ୍ୟତଃ ଦୁଇଟି କାରଣ ରହିଛି । ପ୍ରଥମଟି ହେଉଛି ଆମେ ଅଧିକ ରୋଗୀ ଚିହ୍ନଟ କରୁଛୁ । ସେଥିପାଇଁ ଅଧିକ ପଜିଟିଭ ବାହାରୁଛି । ସର୍ଭେଲାନ୍ସ, ଟେଷ୍ଟିଂ ଆମ ରାଜ୍ୟରେ ଭଲ ଅଛି । ଦ୍ଵିତୀୟତଃ ଧୀରେ ଧୀରେ ଆମେ ତଳମୁହାଁ ହେଉଛୁ । ଏହି ତଳମୁହାଁ କେତେଦିନ ରହୁଛି, ଆଉ ୪-୫ ଦିନ ନଜର ରଖିବାକୁ ପଡ଼ିବ । ଏବେଠୁ କହି ହେବନି ପିକରେ ପହଞ୍ଚି ଗଲେ ବୋଲି । ଏବେ ଯେଉଁ ତଳମୁହାଁ ହେଉଛି, ତାହାକୁ ସମାନ୍ତରାଳ ସ୍ଥିତିରେ ଗତି କରୁଛି ବୋଲି କହିପାରିବା । ଏହା ନିରନ୍ତର ତଳମୁହାଁ ପ୍ରକ୍ରିୟା ନୁହେଁ । ଯାହାର ବି ସାମାନ୍ୟ ଲକ୍ଷଣ ଦେଖା ଦେଉଛି ଟେଷ୍ଟ କରାନ୍ତୁ । ଅଧିକ ପଜିଟିଭ ବାହାରିଲେ ଭଲ, ଡରିବାର ନାହିଁ । ସେମାନଙ୍କୁ ଆଇସୋଲସେନରେ ରଖି ସଂକ୍ରମଣକୁ କମାଇ ପାରିବା ।

ମୃତ୍ୟୁ ସଂଖ୍ୟା ବଢ଼ିବ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ମୃତ୍ୟୁ ସଂଖ୍ୟାର ପରିସଂଖ୍ୟାନ ଭିନ୍ନ । ଏବେ ବି ୬ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ଭେଣ୍ଟିଲେଟରକୁ ଯାଉଥିବା ୮୦-୯୦ ପ୍ରତିଶତ ରୋଗୀଙ୍କର ମୃତ୍ୟୁ ଆଶଙ୍କା ରହିଛି । ଆମର ଯେଉଁ ମୃତ୍ୟୁ ସଂଖ୍ୟା ବଢ଼ୁଛି ବୋଲି କୁହାଯାଉଛି, ଏହା ଭେଣ୍ଟିଲେଟରରେ ଥିବା ରୋଗୀ ଓ କୋମରବିଡ଼ ରୋଗୀ ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଭାରିଆଣ୍ଟ ବଦଳିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଭାଇରସର ପ୍ରକୃତି ହେଲା ଚରିତ୍ର ବଦଳାଇବା । ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି । ଗବେଷଣା ଜାରି ରହିଛି । କୋଭିଡ କେଉଁଭଳି ବ୍ୟବହାର କରିବ, ମ୍ୟୁଟେସନ ଉପରେ ନିର୍ଭର କରୁଛି । ହୁଏତ ପୁଣି ରୂପ ବଦଳାଇ ପାରେ । ଅଧିକ ବିପଦଜନକ ହୋଇପାରେ ବା ସ୍ୱଳ୍ପ ପ୍ରଭାବ ଯୁକ୍ତ ହୋଇପାରେ ।

ଭୟ ବଢ଼ାଉଛି କରୋନା, ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କରୋନା ସଂକ୍ରମଣ । ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷ ପାଖାପାଖି ହୋଇଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୭ ହଜାର ୨୫୪ କେସ୍ ଚିହ୍ନଟ ହୋଇଛି । ଗତକାଲି ତୁଳନାରେ ପାଖାପାଖି ୩୦ ହଜାର ବଢ଼ିଛି ଦୈନିକ ସଂକ୍ରମଣ ମାମଲା । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୭୦୩ ଜଣଙ୍କ ଜୀବନ ନେଇଛି କରୋନା । ସେହିପରି ଦୈନିକ ପଜିଟିଭିଟି ହାର ୧୭.୯୪ ପ୍ରତିଶତକୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ମଧ୍ୟରୁ ସର୍ବାଧିକ ମାମଲା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁ, ଦିଲ୍ଲୀ, କର୍ଣ୍ଣାଟକରେ ସ୍ଥିତି ଉଦବେଗଜନକ ରହିଛି । ନିର୍ବାଚନୀ ରାଜ୍ୟଗୁଡ଼ିକରେ ବି କରୋନା କେସ୍‌ ବଢୁଥିବାରୁ ଚିନ୍ତା ବଢ଼ିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୬୯୨କୁ ବୃଦ୍ଧି ପାଇଛି । ଦେଶରେ ଗୁରୁବାର ୩ ଲକ୍ଷ ୧୭ ହଜାର ୫୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବୃଦ୍ଧି ପାଇ ୩ ଲକ୍ଷ ୪୭ ହଜାର ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଆକ୍ଟିଭ୍ କେସ୍ ସଂଖ୍ୟା ୨୦ ଲକ୍ଷ ୧୮ ହଜାର ୮୨୫ରେ ପହଞ୍ଚିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୧ ହଜାର ୭୭୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଟି-୨୦ ବିଶ୍ୱକପ ସୂଚୀ ଜାରି, ପୁଣି ହେବ ଭାରତ- ପାକିସ୍ତାନ ମହାସମର

ଦୁବାଇ: ଅଷ୍ଟ୍ରେଲିଆରେ ୨୦୨୨ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ସୂଚୀ ଜାରି କରିଛି ଆଇସିସି । ଶୁକ୍ରବାର ଆଇସିସି ତରଫରୁ ଟି-୨୦ ବିଶ୍ୱକପ ପାଇଁ ସୂଚୀ ଜାରି ହୋଇଛି । ଅକ୍ଟୋବର ୧୬ରୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ । କିନ୍ତୁ ଏହି ମେଗା ଟୁର୍ଣ୍ଣାମେଣ୍ଟର ସୁପର-୧୨ ରାଉଣ୍ଡ ଅକ୍ଟୋବର ୨୨ରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ ।

୨୦୨୨ ଟି-୨୦ ବିଶ୍ୱକପରେ ଭାରତ ଗ୍ରୁପ୍-୨ରେ ରହିଛି । ଏହି ଗ୍ରୁପରେ ଭାରତ ସହ ପାକିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ ଓ ଦୁଇଟି କ୍ୟାଲିଫାୟର ଦଳ ରହିବେ । ୨୦୨୧ରେ ଦୁବାଇରେ ହୋଇଥିବା ଟି-୨୦ ବିଶ୍ୱକପରେ ମଧ୍ୟ ଭାରତ ତା’ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ଏହି ମ୍ୟାଚରେ ଭାରତ ୧୦ ଓ୍ୱିକେଟରେ ପରାଜୟ ଲାଭ କରିଥିଲା ।  ଏଥିସହ ୨୦୨୧ରେ ହୋଇଥିବା ବିଶ୍ୱକପରେ ଭାରତ ସେମିଫାଇନାଲକୁ ମଧ୍ୟ ଯାଇପାରିନଥିଲା । ଏପରି ସ୍ଥିତିରେ ୨୦୨୨ ଟି-୨୦ ବିଶ୍ୱକପରେ ଭାରତ ଦମଦାର ପ୍ରଦର୍ଶନ କରି ଟାଇଟଲ ହାତେଇବାକୁ ଚେଷ୍ଟା କରିବ ।

ଟି-୨୦ ବିଶ୍ୱକପରେ ଭାରତର ସୂଚୀ:

ଭାରତ ବନାମ ପାକିସ୍ତାନ, ୨୩ ଅକ୍ଟୋବର (ମେଲବର୍ଣ୍ଣ)

ଭାରତ ବନାମ ଗ୍ରୁପ୍-ଏ ଉପ-ବିଜେତା, ୨୭ ଅକ୍ଟୋବର (ସିଡନୀ)

ଭାରତ ବନାମ ଦକ୍ଷିଣ ଆଫ୍ରିକା, ୩୦ ଅକ୍ଟୋବର (ପର୍ଥ)

ଭାରତ ବନାମ ବାଂଲାଦେଶ, ୨ ନଭେମ୍ବର (ଆଡିଲେଡ)

ଭାରତ ବନାମ ଗ୍ରୁପ-ବି ବିଜେତା, ୬ ନଭେମ୍ବର (ମେଲବର୍ଣ୍ଣ)

ଭାରତ-ଦ.ଆଫ୍ରିକା ଦ୍ୱିତୀୟ ଦିନିକିଆ, କର ବା ମର ସ୍ଥିତିରେ ଭାରତ

କେପଟାଉନ: କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ । ତିନିଟିକିଆ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ କମ୍ ବ୍ୟାକ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚର ପରାଜୟର ବଦଲା ନେବା ଲକ୍ଷ୍ୟ ଆଜି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଆଜି ଅପରାହ୍ନ ୨ଟାରେ ଆରମ୍ଭ ହେବ ଦ୍ୱିତୀୟ ମ୍ୟାଚ । ୩ ଟିକିଆ ସିରିଜରେ ପ୍ରଥମ ମ୍ୟାଚ୍ ହାରି ବ୍ୟାକ୍ ଫୁଟରେ ଅଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚ୍ ଜିତି ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି ଭାରତ । କେଏଲ ରାହୁଲଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ ।

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚରେ ଭାରତ ଯେଉଁ ସବୁ ଭୁଲ କରିଥିଲା ଦ୍ୱିତୀୟ ମ୍ୟାଚରେ ସେ ସବୁକୁ ସୁଧାରିବାକୁ ଚେଷ୍ଟା କରିବ ଭାରତ । ପ୍ରଥମ ମ୍ୟାଚରେ ମିଡିଲ ଓଭରରେ ଗୋଟିଏ ବି ଓ୍ୱିକେଟ ନେଇପାରିନଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର କରିବାରେ ସଫଳ ହୋଇଥିଲା । ଅନ୍ୟପକ୍ଷରେ ରନ ଚେସ୍ କରିବା ସମୟରେ ମଧ୍ୟକ୍ରମରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ହେଉଥିବାରୁ ତାହାକୁ ମଧ୍ୟ ସଜାଡିବାକୁ ଅଧିକ ଫୋକସ କରିବ ବ୍ଲୁ ବ୍ରିଗେଡ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ ଜିତିବା ପରେ ଘରୋଇ ଦଳର ମଜଭୁତ ସ୍ଥିତିରେ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟ ଲାଭ କରି ସିରିଜକୁ ହାତେଇବାକୁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା ।

ଇଣ୍ଡିଆ ଗେଟରେ ଆଜିଠୁ ଜଳିବନି ଅମର ଯବାନ ଜ୍ୟୋତି ମଶାଲ

ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟରେ ନିର୍ମିତ ଅମର ଯବାନ ଜ୍ୟୋତିରେ ଜଳୁଥିବା ମଶାଲ ସବୁଦିନ ପାଇଁ ଲିଭି ଯିବ । ଏବେ ଏହି ମଶାଲ ନ୍ୟାସନାଲ ଓ୍ବାର ମେମୋରିଆଲ ମଶାଲ ସହ ମିଶି ଜଳିବ । ଆଜି ଅପରାହ୍ଣ ସାଢେ ୩ଟାରେ ଆୟୋଜିତ କାର୍ଯ୍ୟକ୍ରମରେ ଅମର ଯବାନ ଜ୍ୟୋତି ମିଶାଲକୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ମଶାଲ ସହ ମିଶାଇ ଦିଆଯିବ ।

ଅମର ଯବାନ ଜ୍ୟୋତିରେ ମଶାଲ ଜଳିବା ବନ୍ଦ କରାଯିବାକୁ ନେଇ ଯୁକ୍ତି ଦିଆଯାଉଛି ଯେ, ଦୁଇଟି ସ୍ଥାନରେ ମଶାଲର ରକ୍ଷଣାବେକ୍ଷଣ କରିବାରେ ବହୁତ ସମସ୍ୟା ହେଉଛି । ସେନା ପକ୍ଷରୁ କୁହାଯାଇଛି, ‘ସହିଦଙ୍କ ପାଇଁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ କରାଯାଇଛି । ତେଣୁ ଅମର ଯବାନ ଜ୍ୟୋତିରେ କାହିଁକି ଅଲଗା ମଶାଲ ଜଳାଯିବ ।’

ସେନା ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ସବୁ ସହିଦଙ୍କ ନାଁ ଉଲ୍ଲେଖ ରହିଛି । ଏଥିରେ ୨୫ ହଜାର ୯ ଶହ ୪୨ ସହିଦ ଯବାନଙ୍କ ନାଁ ରହିଛି । ସହିଦଙ୍କ ପରିବାର ଲୋକେ ଏଠାକୁ ନିୟମିତ ଆସୁଛନ୍ତି । ଅମର ଯବାନ ଜ୍ୟୋତି ଶୁକ୍ରବାର ଅପରାହ୍ଣରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଜଳୁଥିବା ମଶାଲରେ ସବୁଦିନ ପାଇଁ ମିଶିଯିବ ।’

୨୦୧୯ ଫେବୃୟାରୀ ୨୫ରେ ଓ୍ବାର ମେମୋରିଆଲ ଉଦଘାଟନ ହୋଇଥିଲା । ୪୦ ଏକର ଜମିରେ ନିର୍ମିତ ମେମୋରିଆଲ ପାଇଁ ୧୭୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।  ସୂଚନାଯୋଗ୍ୟ ଇଣ୍ଡିଆ ଗେଟ୍ ବ୍ରିଟିସ ସରକାର ନିର୍ମାଣ କରିଥିଲେ । ପ୍ରଥମ ବିଶ୍ବଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ବ୍ରିଟିସ୍ ସରକାର ଶ୍ରଦ୍ଧାଞ୍ଜଳି ଦେଇ ଏହାକୁ ନିର୍ମାଣ କରିଥିଲେ । ଏହାପରେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତିରେ ଅମର ଯବାନ ଜ୍ୟୋତି ଜଳାଯାଇଥିଲା । ୧୯୭୨ ଜାନୁଆରୀ ୨୬ ତାରିଖରେ ତତକାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଏହାକୁ ଉଦଘାଟନ କରିଥିଲେ ।

ଦେଶରେ ପୁଣି ନମ୍ବର-୧ ମୁଖ୍ୟମନ୍ତ୍ରୀ ହେଲେ ନବୀନ

ଭୁବନେଶ୍ୱର: ପୁଣି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଲେ ନବୀନ ପଟ୍ଟନାୟକ । ସର୍ଭେ ରିପୋର୍ଟରେ ଶୀର୍ଷରେ ରହିଛନ୍ତ ନବୀନ ପଟ୍ଟନାୟକ । ରାଜ୍ୟର ୭୧.୧ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ ପଟ୍ଟନାୟକ । ଏହି ରିପୋର୍ଟରେ କୋଭିଡ-୧୯ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ସେହିପରି ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଯୋଜନା ଓ ଲୋକାଭିମୁଖୀ ଶାସନର ରୋଲ୍‌ ମଡେଲ ହେଉଛନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟରେ ବିକାଶ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନକୁ ପାଥେୟ କରି ଏହି ସର୍ଭେ କରାଯାଇଛି । ନାରୀ ସଶକ୍ତିକରଣ, ସ୍ଥିରତା, ସୁଶାସନ, ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଓଡ଼ିଶା ଗଠନରେ ନବୀନ ସାଜିଛନ୍ତି ଷ୍ଟେଟସ୍ ମ୍ୟାନ୍ । ସ୍ୱାସ୍ଥ୍ୟ ଭିତ୍ତିଭୂମି, ବିପର୍ଯ୍ୟୟ ପରିଚାଳନାରେ ସାରାଦେଶରେ ଉଦାହରଣ ପାଲଟିଛି ଓଡ଼ିଶା । କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରାଯାଇଛି । ଉଲ୍ଲେଖନୀୟ କୋଭିଡ ପରିଚାଳନାରେ ଓଡ଼ିଶା ନମ୍ବର ୧ । ସଫଳ କୋଭିଡ୍‌ ପରିଚାଳନା ପାଇଁ ଓଡ଼ିଶା ୭୬.୭ ପ୍ରତିଶତ ଲୋକଙ୍କଠାରୁ ମିଳିଛି ସମର୍ଥନ । ଦ୍ୱିତୀୟରେ ଉତ୍ତରପ୍ରଦେଶ, ତୃତୀୟ ଆସାମ, ଚତୁର୍ଥରେ ତାମିଲନାଡୁ ଓ ପଞ୍ଚମରେ ମହାରାଷ୍ଟ୍ର ରହିଛି ।

ଲୋକପ୍ରିୟତାରେ ନବୀନଙ୍କ ପଛକୁ ରହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ୬୯.୯ ପ୍ରତିଶତ ଲୋକ ମମତାଙ୍କୁ ପସନ୍ଦ କରିଛନ୍ତି । ତୃତୀୟରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ତାଙ୍କୁ ୬୭.୫ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି । ଚତୁର୍ଥରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଞ୍ଚମରେ କେରଳ ମୁଖ୍ୟମନ୍ତ୍ରୀ ପୀନରାୟୀ ବିଜୟନ୍, ଷଷ୍ଠରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଅଛନ୍ତି । ସେହିପରି ସପ୍ତମରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା, ଅଷ୍ଟମରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ନବମରେ ଅଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହିଛନ୍ତି ।