ଅଧା ରହିଗଲା ଚଉଠି ରାତି: ବରକୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ବାହା ଘର ସରିଥିଲା । ଗତକାଲି ଥିଲା ଚଉଠି । ମାତ୍ର ତା’ ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ । ହାଜତରେ ରାତି କଟିଲେ ବର । ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଅଂଚଳରେ ଘଟିଛି । ଗିରଫ ହୋଇଥିବା ବରଙ୍କ ନାଁ ସୋମନାଥ ମହାପାତ୍ର ଓରଫ ସୁକୁଟା । ପୋଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି ।

ଅଭିଯୋଗ ଅନୁସାରେ ସୁକୁଟା ଭରତପୁର ବସ୍ତିରେ ଭଡାସୂତ୍ରରେ ରହୁଥିଲେ ଓ ଏକ ଚିକେନ ପକୋଡା ଦୋକାନ କରିଥିଲେ । ସେ ୫ ବର୍ଷ ତଳେ କେନ୍ଦ୍ରାପଡାର ଜଣକୁ ବିବାହ କରିଥିଲେ । ସେମାନଙ୍କର କୌଣସି ସନ୍ତାନ ନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । କାହାକୁ କିଛି ନକହି ପତ୍ନୀଙ୍କୁ ଛାଡି଼ ସୁକୁଟା କୁଆଡେ ପଳାଇଥିଲେ ।  ଦୁଇ ମାସ ପରେ ଜଣେ ମହିଳାଙ୍କ ସହ ହଠାତ ଭରତପୁରରେ ପହଞ୍ଚିଲେ । ହେଲେ ସେ ପ୍ରଥମ ପତ୍ନୀଙ୍କ ପାଖକୁ ନଯାଇ ଆଉ ଏକ ଘର ଭଡାରେ ନେଇ ସେ ମହିଳାଙ୍କ ସହ ରହିଥିଲେ ଓ ତାଙ୍କୁ ମନ୍ଦିରରେ ବିବାହ କରିଥିବା ପଡୋଶୀଙ୍କୁ କହି ବୁଲୁଥିଲେ । ଏହାସହ ବସ୍ତିରେ ରୀତି ଅନୁସାରେ ଆଉ ଥରେ ବାହାଘର ଆୟୋଜନ କରିଥିଲେ ।  ଭୋଜିଭାତ ହେବା ସହ ବନ୍ଧୁ ପରିଜନଙ୍କ ମଧ୍ୟରେ ବାହାଘର ମଧ୍ୟ ସରିଲା । ତେବେ ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ଭରତପୁର ଥାନାରେ ପହଞ୍ଚି ଯାଇଥିଲେ । ପତି ସୁକୁଟାଙ୍କ ନାଁରେ ଏକ ଲମ୍ବା ଅଭିଯୋଗ ତାଲିକା ଥାନା ବାବୁଙ୍କୁ ଧରାଇ ଦେଇଥିଲେ । ଏହାସହ ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ ଭଳି ସୁକୁଟା ବିବାହ କରୁଥିବା ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଟିମ୍ ବସ୍ତିରେ ପହଞ୍ଚି ସୁକୁଟା ଘରେ ପହଞ୍ଚି ଚଉଠି ରାତି ପୂର୍ବରୁ ଥାନାକୁ ଉଠାଇ ଆଣିଥିଲେ । ତେବେ ସୁକୁଟା କେବଳ ଜଣକୁ ନା ଏମିତି ଆଉ କାହାକୁ ପ୍ରତାରଣା ଦେଇଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।