ଇପିଏଫ ହିତାଧିକାରୀଙ୍କୁ ଝଟକା: ସୁଧ ହାର ହ୍ରାସ ପରେ ଏବେ କେତେ ଟଙ୍କା ଆସିବ ?

1 min read

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶର ପ୍ରାୟ ୬ କୋଟିରୁ ଅଧିକ ସଦସ୍ୟଙ୍କୁ କର୍ମଚାରୀ ଭବିଷ୍ୟନିଧୀ ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏକ ବଡ଼ ଝଟ୍‌କା ଦେଇଛି । ଇପିଏଫ୍‌ ସୁଧ ହାର ୮.୫ ପ୍ରତିଶତରୁ ୮.୧ ପ୍ରତିଶତକୁ  ହ୍ରାସ ଘଟିଛି । ଯାହାକି ବିଗତ ୪୪ ବର୍ଷରେ ସର୍ବନିମ୍ନ। ଇପିଏଫ୍‌ରେ ଆପଣ ପୂର୍ବରୁ ପାଉଥିବା ସୁଧ ୦.୪୦ ପ୍ରତିଶତ ହ୍ରାସ ପାଇଛି। ଶେଷଥର ପାଇଁ ୧୯୭୭-୭୮ରେ ଇପିଏଫ୍‌ ସୁଧ ହାର ୮ ପ୍ରତିଶତ ରହିଥିଲା । ପରେ ଏହା ୮.୨୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଥିଲା ।

ଧରାଯାଉ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆପଣଙ୍କର ପିଏଫ୍‌ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା ରହିଛି। ୮.୫ ପ୍ରତିଶତ ହାରରେ ଆପଣ ୪୨ ହଜାର ୫୦୦ ଟଙ୍କା ସୁଧ ପାଇଥାନ୍ତେ । ହେଲେ ସୁଧହାର ହ୍ରାସ ହେବା ଦ୍ବାରା ସେହି ସମୟରେ ୮.୧ ପ୍ରତିଶତ ହାରରେ ଆପଣ ୪୦ ହଜାର ୫୦୦ ଟଙ୍କାର ସୁଧ ପାଇବେ। ଅର୍ଥାତ ସୁଧ ହାର ହ୍ରାସ ଯୋଗୁଁ ଆପଣ ସିଧାସଳଖ ୨ ହଜାର ଟଙ୍କା କ୍ଷତି ସହିବେ । ଏମିତିକି ଆଗାମୀ ଦିନରେ ଯଦି ସୁଧ ହାର ଆହୁରି ହ୍ରାସ କରାଯାଏ ତେବେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ।

ସୂଚନାଯୋଗ୍ୟ, ଜଣେ କର୍ମଚାରୀଙ୍କ ବେତନ ଉପରେ ୧୨ ପ୍ରତିଶତ ଇପିଏଫ୍‌ ଆକାଉଣ୍ଟକୁ ଯୋଗଦାନ ବାବଦ ଅର୍ଥ କଟାଯାଇଥାଏ । ଯଦି ଆମେ ନିଯୁକ୍ତିଦାତାଙ୍କ ବିଷୟରେ କହିବା ତେବେ ତାଙ୍କ ଆକାଉଣ୍ଟକୁ ୮.୩୩ ପ୍ରତିଶତ ଅର୍ଥ ଇପିଏସ୍ (କର୍ମଚାରୀ ପେନ୍‌ସନ୍ ସ୍କିମ୍)କୁ ଯୋଗଦାନ ବାବଦ ଯାଇଥାଏ । ଅବଶିଷ୍ଟ ୩.୬୭ ପ୍ରତିଶତ ଅର୍ଥ ଇପିଏଫ୍‌କୁ ଯାଇଥାଏ । ଏକାସାଙ୍ଗରେ କର୍ମଚାରୀଙ୍କ ଦ୍ବାରା କଟାଯାଇଥିବା ୧୨ ପ୍ରତିଶତ ଇପିଏଫ୍‌କୁ ଯାଏ। ଯଦି ଆମେ ନୂତନ ବେତନ ନିୟମକୁ ଦେଖିବା, ତେବେ ମୋଟ ଦରମାର ଅଧା ହେଉଛି ମୂଳ ଦରମା ୨୫ ହଜାର ।

ଦରମା ଓ ଏହା ଉପରେ ସୁଧ ଉପରେ କଟାଯାଇଥିବା ପିଏଫ୍‌ର ହିସାବ

କର୍ମଚାରୀଙ୍କ ଯୋଗଦାନ ୧୨ ପ୍ରତିଶତ । ଅର୍ଥାତ ଇପିଏଫ୍‌ ୩୦୦୦ ଟଙ୍କା । କମ୍ପାନୀ ଦ୍ବାରା ଇପିଏଫ୍‌ର ଯୋଗଦାନ ୩.୬୭ ପ୍ରତିଶତ, ଅର୍ଥାତ ୯୧୮ ଟଙ୍କା । କମ୍ପାନୀ ତରଫରୁ ଇପିଏସ୍ (୮.୩୩ ପ୍ରତିଶତ)ରେ ଯୋଗଦାନ ୨୦୮୨ ଟଙ୍କା ।

ଯଦି ଆପଣଙ୍କର ମୂଳ ଦରମା ୨୫ ହଜାର ଟଙ୍କା, ତେବେ ଇପିଏଫ୍‌ରେ ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ମୋଟ ଯୋଗଦାନ ବାବଦ ଅର୍ଥ ପ୍ରାୟ ୩ ହଜାର ୯୧୮ ଟଙ୍କା ହେବ । ଏହି ସମୟରେ, ଆପଣ ପ୍ରତି ମାସରେ ଇପିଏସ୍‌ ଆକାଉଣ୍ଟରେ ୨୦୮୨ ଟଙ୍କା ପାଇବେ । ପୂର୍ବରୁ ହିସାବକୁ ଦେଖିଲେ ବାର୍ଷିକ ୮.୫ ପ୍ରତିଶତ ହାରରେ ଆପଣ ୩ ହଜାର ୯୧୮ ଟଙ୍କାର ସୁଧ ପାଉଥିଲେ । ପ୍ରତିବର୍ଷ ଆପଣଙ୍କୁ ୮.୫ ପ୍ରତିଶତ ସମୂଳ ସୁଧ ହାରରେ ୧୮୭୫.୬୧ ଟଙ୍କା ସୁଧ ମିଳୁଥିଲା । ବର୍ତ୍ତମାନ ସୁଧ ହାର ୮.୧ ପ୍ରତିଶତକୁ ହ୍ରାସ ହେବା ପରେ ଆପଣ ପ୍ରତି ମାସରେ ୩୧୭.୩୫ ଟଙ୍କା ସୁଧ ପାଇବେ। ଏହିପରି ୮.୧ ପ୍ରତିଶତ ସମୂଳ ସୁଧ ହାରରେ, ଆପଣ ବାର୍ଷିକ ୧୭୮୫.୩୫ ଟଙ୍କା ସୁଧ ପାଇବେ ।