ଭାରତ ମିଶାଇଲର ଜବାବ ଆମେ ଦେଇପାରିଥାନ୍ତୁ: ଇମ୍ରାନ ଖାନ୍

ଇସଲାମାବାଦ୍: ଭୁଲରେ ଭାରତର ମିସାଇଲ ପାକିସ୍ତାନରେ ପଡ଼ିବାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଇମ୍ରାନ । ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ରବିବାର କହିଛନ୍ତି ଯେ, ଆମେ ଭାରତୀୟ ମିସାଇଲ ପାକିସ୍ତାନରେ ପଡ଼ିବା ପରେ ତାର ଉତ୍ତର ଦେଇପାରିଥାନ୍ତୁ କିନ୍ତୁ ଆମେ ସଞ୍ଜମତା ରକ୍ଷା କରିଥିଲୁ । ସୁଚନା ଥାଉ କି, ଭାରତର ଏକ ମିସାଇଲ ଭୁଲ ବସତ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ପଡ଼ିଥିଲା ।

୯ମାର୍ଚ୍ଚରେ ଏକ ମିସାଇଲ ଲାହୋରଠାରୁ ପାଖାପାଖି  ୨୭୫କିମୋମିଟର ଦୂର ପାକିସ୍ତାନ ଅଞ୍ଚଳରେ ପଡ଼ିଥିଲା । ଯଦିଓ  ଏଛିରେ କୌଣସି ଜୀବନ ହାନି ହୋଇନଥିଲା କିନ୍ତୁ ଏଥିରେ ଏକ ଶିତଳ ଭଣ୍ଡାର ନଷ୍ଟ ହୋଇଯାଇଥିଲା । ତେବେ ରବିବାର ଦିନ ଇମ୍ରାନ ଖାନ୍ ଏକ ରାଲିକୁ ସମ୍ବୋଧିତ କରିବା ସମୟରେ ଘଟଣାକୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତ ମିସାଇଲର ଆମେ ମଧ୍ୟ ଉତ୍ତର ଦେଇପାରିଥାନ୍ତୁ କିନ୍ତୁ ଆମେ ସଞ୍ଜମତା ରକ୍ଷା କଲୁ । ତେବେ ଏହି ରାଲିରେ ଇମ୍ରାନ ଦେଶର ସୁରକ୍ଷା କଥା ମଧ୍ୟ କହିଛନ୍ତି ।

ଏହାପୂର୍ବରୁ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଶନିବାର କହିଥିଲା ଯେ, ମିସାଇଲ ପଡ଼ିବା ନେଇ ଭାରତ ଯେଉଁ କାରଣ ଦର୍ଶାଇଥିଲା ସେଥିରେ ଆମେ ସନ୍ତୁଷ୍ଟ ନୁହଁ । ଆମେ ଜାଣିବାକୁ ଚାହୁଁଛୁ ଯେ, ଭାରତ ତରଫରୁ କେଉଁ ମିଶାଇଲ କ୍ଷେପଣ କରାଯାଇଥିଲା ଏବଂ ଏହାର ନିର୍ଦ୍ଧିଷ୍ଟ କାରଣ କଣ ଥିଲା । ମନ୍ତ୍ରଣାଳୟ ତରଫରୁ ଏହା ମଧ୍ୟ କୁହା ଯାଇଛି ଯେ, ଏତେ ଗମ୍ଭୀର ଘଟଣାରେ ଏମିତି ଶସ୍ତା ସ୍ପଷ୍ଟିକରଣ ଦିଆଯାଇ ବନ୍ଦ କରାଯାଇପାରିବ ନାହିଁ । କାହିଁକି ନା ମିସାଇଲ ପାକିସ୍ତାନରେ ହିଁ ପଡ଼ିଛି । ତେଣୁ ଆମେ ଅଧିକ ଯାଞ୍ଚର ଦାବି କରୁଛୁ ।