ଅନୈତିକ ସମ୍ପର୍କରେ ବାଧା ଦେବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୁମ୍ବାଇ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା । ଅନୈତିକ ସମ୍ପର୍କରେ ସ୍ୱାମୀ ବାଧା ଦେଉଥିବାରୁ ସ୍ତ୍ରୀ କଲା ଷଡ଼ଯନ୍ତ୍ର । ପ୍ରେମିକ ସହ ମିଶି ସ୍ୱାମୀକୁ ନଦୀକୁ ଠେଲି ଦେଲା ସ୍ତ୍ରୀ । ଘଟଣାଟି ହେଉଛି ମହାରାଷ୍ଟ୍ରର ଚନ୍ଦ୍ରପୁରର, ଯେଉଁଠି ମହିଳା ଜଣଙ୍କ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିବା ଜଣାପଡ଼ିଛି । ଏବଂ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଛି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ପୋଲିସକୁ ସୂଚନା ମିଳିଥିଲା ଯେ, ଜଣେ ଯୁବକ ଭାରସାମ୍ୟ ହରାଇ ବାଇକ ସହ ନଦୀ ଭିତରକୁ ପଡ଼ିଯାଇଛନ୍ତି । ଏହାପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ନଦୀରୁ ବାଇକକୁ ବାହାର କରାଯାଇଥିବା ବେଳେ ନଦୀର ସ୍ରୋତ ଅଧିକ ଥିବାରୁ ଯୁବକଙ୍କ ମୃତ ଦେହକୁ ଗୋଟିଏ ଦିନ ପରେ ଉଦ୍ଧାର କରାଯାଇଥିଲା ।  ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡ଼ିଥିଲା । କିନ୍ତୁ ଅଧିକ ତଦନ୍ତ ହେବାରୁ ଘଟଣା ଉପରୁ ପରଦା ହଟିଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକ ରାମେଶ୍ୱର ନିଷାଦଙ୍କ ସ୍ତ୍ରୀ ସୁମନଙ୍କ, ତାଙ୍କ ପଡୋଶୀ ସୁରଜ ସୋନକରଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଏନେଇ ଯେତେବେଳେ ସ୍ୱାମୀ ପ୍ରତିବାଦ କରିଥିଲେ ସେତେବେଳେ ରାମେଶ୍ୱର ଏବଂ ସୁମନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ସୁମନ ସ୍ୱାମୀକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଏଥିରେ ସୁରଜ ତାର ଜଣେ ସହଯୋଗୀଙ୍କୁ ୧୫ ହଜାର ଟଙ୍କା ଦେଇ ଷଡ଼ଯନ୍ତ୍ରରେ ସାମିଲ କରିଥିଲା । ତେବେ ଏହି ଷଡ଼ଯନ୍ତ୍ରକୁ ସଫଳ କରିବାକୁ ବିଗତ ମାସେ ହେବ ଚେଷ୍ଟା କରାଯାଇଥିଲା ।

ଷଡ଼ଯନ୍ତ୍ର ଅନୁସାରେ ସୁରଜ ଦିନେ ରାମେଶ୍ୱରଙ୍କୁ ହୋଟେଲରେ ଖୁଏଇବାକୁ ନେଇଯାଇଥିଲା । ଉଭୟ ସହର ବାହାରେ ଥିବା ଢାବାରେ ଖାଇବା ସହ ମଦ୍ୟପାନ କରିଥିଲେ । ଏହାପରେ ଫେରିବା ସମୟରେ ନଦୀ ପାଖରେ  ସୁରଜ ତା ସହଯୋଗୀ ସାହାଯ୍ୟରେ ରାମେଶ୍ୱରକୁ ନଦୀକୁ ଠେଲି ଦେଇଥିଲେ । ଏବଂ ଘଟଣା ପରେ ସୁରଜ ପୋଲିସକୁ ଏହା ଦୁର୍ଘଟଣା ବୋଲି କହିବା ସହ ନିଜେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି କହିଥିଲେ । କିନ୍ତୁ ପୋଲିସର ସନ୍ଦେହ ହେବାକୁ ସେ ଢାବାର ସିସିଟିଭି ଯାଞ୍ଚ୍ କରିଥିଲେ ସେଥିରେ ସୁରଜ ବାରମ୍ବାର ଫୋନରେ କଥା ହେଉଥିବା ଦେଖାଯାଇଥିଲା । ଏହାକୁ ନେଇ ଯେତେବେଳେ ପୋଲିସ ସୁରଜଙ୍କୁ ଘନ ଘନ ପଚରା ଉଚରା କରିଥିଲା ସେତେବେଳେ ସୁରଜ ସତ ମାନିଯାଇଥିଲା ।