ରାୟଗଡ଼ା: ଓଲଟିଲା ଯାତ୍ରୀ ବାହୀ ବସ୍ । ଭାରସ୍ୟାମ ହରାଇ ଘାଟିକୁ ଓଲଟିଲା ବସ୍ । ଗଜପତି ଜିଲ୍ଲା ରାୟଗଡ଼ା ଥାନା ଅନ୍ତର୍ଗତ ରାଶିବାଡ ଘାଟି ନିକଟରେ ଯାତ୍ରୀ ବାହୀ ବସ୍ ଦୁର୍ଘଟଣା ହୋଇଛି । ଯାହା ଫଳରେ ଏହି ଦୁର୍ଘଟଣାରେ ୭ ଜଣ ଯାତ୍ରୀଙ୍କ ସହ ଡ୍ରାଇଭର ଆହତ ହୋଇଛନ୍ତି । ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ । ଆହାତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ ମଣ୍ଡଳ ସାହି ନିକଟ ରାଶିବାଡି ଘାଟିରେ ଦୁର୍ଘଟଣା ଘଟିଥିଲା ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ୩୧ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ଡିଏ ବଢ଼ିବା ପରେ ଏବେ ଏହି କର୍ମଚାରୀଙ୍କ ଆବାସ ଭତ୍ତା (ଏଚଆରଏ) ବଢିପାରେ । ଖବର ଅନୁସାରେ, ସରକାର ଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ଆବାସ ଭତ୍ତା ବଢାଇବାକୁ ଯାଉଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କ କାଟାଗୋରୀ ଅନୁସାରେ ୯ ପ୍ରତିଶତ, ୧୮ ପ୍ରତିଶତ ଓ ୨୭ ପ୍ରତିଶତ ଏଚଆରଏ ମିଳୁଛି । ସରକାର ଏହାକୁ ୩ ପ୍ରତିଶତ ବଢାଇବାକୁ ଯୋଜନା କରୁଛନ୍ତି । ଯଦି ଏପରି ହୁଏ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ଏଚଆରଏ ୧୦ ପ୍ରତିଶତରେ ପହଞ୍ଚିଯିବ ।
ଟ୍ୟାକ୍ସ ଆଣ୍ଡ ଇନଭେଷ୍ଟ ବିଶେଷଜ୍ଞ ବଲଓ୍ବନ୍ତ ଜେନ୍ କହିଛନ୍ତି ‘ଯଦି ଏଚଆରଏ ବଢାଇବାକୁ ସରକାର ନିଷ୍ପତ୍ତି ନିଅନ୍ତି, ଏହାର ଲାଭ କେନ୍ଦ୍ରୀୟ କମର୍ଚାରୀଙ୍କୁ ମିଳିବ । ପ୍ରତିରକ୍ଷା କ୍ଷେତ୍ରରେ ଥିବା କର୍ମଚାରୀଙ୍କ ପାଇଁ ଏହା କିଛି ଲାଭ ଦେବନି । କାରଣ ସେମାନଙ୍କ ପାଇଁ ଦରମାଠାରୁ ଭତ୍ତା ପର୍ଯ୍ୟନ୍ତ ପ୍ରଦାନ ପାଇଁ ଅଲଗା ବ୍ୟବସ୍ଥା ରହିଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୩୮ ଲକ୍ଷ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୧.୧ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଯଦି ସରକାର ଏଚଆରଏ ବଢାନ୍ତି, ତେବେ ଏହି ୩୧.୧ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ ।’
ଅନ୍ୟପକ୍ଷରେ ଏଚଆରଏ ବଢାଇବା ଗଣିତ ଏତେ ସହଜ ନୁହେଁ । ୭ମ ବେତନ କମିଶନ ସୁପାରିଶ ଅନୁସାରେ ଏଚଆରଏ ସ୍ଲାବ୍ ୩୦ ପ୍ରତିଶତ, ୨୦ ପ୍ରତିଶତ ଓ ୧୦ ପ୍ରତିଶତ ବଦଳରେ କମାଇ ୨୪ରୁ ୮ ପ୍ରତିଶତ ମଧ୍ୟରେ କରାଯାଇଥିଲା । ଆୟୋଗ ପକ୍ଷରୁ କୁହାଯାଇଥିଲା, ଏହାକୁ ଦୁଇଟି ପର୍ଯ୍ୟାୟରେ ବଢାଯାଇପାରିବ । ଡିଏ ୫୦ ପ୍ରତିଶତ ହୋଇଗଲେ ଏଚଆରଏ ୧ରୁ ୩ ପ୍ରତିଶତ ବଢାଇ ୯-୨୭ ପ୍ରତିଶତ ସ୍ଲାବରେ ରଖିବାକୁ କୁହାଯାଇଥିଲା । ଏହାପରେ ଡିଏ ୧୦୦ ପ୍ରତିଶତ ହୋଇଗଲେ ଦ୍ବିତୀୟ ପର୍ଯ୍ୟାୟରେ ଏଚଆରଏକୁ ବଢାଯାଇପାରିବ ।
ଦରଦାମ ବୃଦ୍ଧିକୁ ନଜରରେ ରଖି ସରକାର ଏଚଆରଏ ବଦଳାଇବାକୁ ଡିଏ ସ୍ତର ୨୫ ପ୍ରତିଶତ ଓ ୫୦ ପ୍ରତିଶତ କରିଛି । ଗତ ଜୁଲାଇରେ ସରକାର ଡିଏ ବଢାଇ ୨୮ ପ୍ରତିଶତ କରିଥିଲେ । କାରଣ ଏହି ୨୫ ପ୍ରତିଶତରୁ ଅଧିକ ଅଧିକ ହୋଇଯାଇଥିଲା । ଏଥିପାଇଁ ଏଚଆରଏ ବଢାଯାଇଛି । ଖବର ଅନୁସାରେ ସରକାର ଡିଏ ୩୪ ପ୍ରତିଶତ ବଢାଇପାରନ୍ତି । ଏମିତି ହେଲେ ୫୦ ପ୍ରତିଶତକୁ ଟପି ଯିବ ଓ ଦ୍ବିତୀୟ ଥର ଏଚଆରଏ ବଢାଇବା ରାସ୍ତା ସଫା ହୋଇଯିବ ।
ହାତଧରି ଜୀବନ ଆରମ୍ଭ କରିଥିଲେ, ହାତ ଧରି ଚାଲିଗଲେ
ଢେଙ୍କାନାଳ: ଦୁହେଁ ଦୁହିଁଙ୍କ ହାତଧରି ଆରମ୍ଭ କରିଥିଲେ ନୂଆ ଜୀବନ । ମୃତ୍ୟୁ ବି କରିପାରିଲାନି ଅଲଗା । ଦୁଇଟି ପୃଥକ ପୃଥକ ଘଟଣାରେ ଚାଲିଗଲା ପ୍ରେମ ପକ୍ଷୀଙ୍କ ଜୀବନ । ଘରେ ସ୍ତ୍ରୀଙ୍କ ଅକାଳ ବିୟୋଗ ଘଟିଥିବା ବେଳେ, ବାଇକ ଦୁର୍ଘଟଣାରେ ଯାଇଛି ସ୍ବାମୀର ଜୀବନ । ଢେଙ୍କାନାଳ ସଦରଥାନା ହରେକୃଷ୍ଣପୁରର ଏ ଅଭାବନୀୟ ଘଟଣା । ମୃତକ ହେଲେ ଲିସା ଦେହୁରୀ ଓ ସ୍ବାମୀ ଦିଲ୍ଲୀପ ଦେହୁରୀ ।
ଲିସା ଘରେ ଥିବା ବେଳେ ହଠାତ ତାଙ୍କ ମୃତ୍ୟୁ ହୋଇଥିଲା । ସ୍ତ୍ରୀଙ୍କ ମୃତ୍ୟୁ ଖବର ଶୁଣି ଗଦିଆଁରେ କାମ କରୁଥିବା ସ୍ବାମୀ ଘରକୁ ସହଯୋଗୀଙ୍କ ସହ ଘରକୁ ଫେରୁଥିବା ବେଳେ, ବିଶ୍ବନାଥପୁର ଛକରେ ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲେ । ଫଳରେ ଦିଲ୍ଲୀପଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।
ସହଯୋଗୀ ହେମନ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ପୋଲିସ । ଦିଲ୍ଲୀପ ଗତ ୬ ମାସ ତଳେ ବଣସିଂହ ନାଥୁଆ ଗାଁ ଲିସା ଦେହୁରୀଙ୍କୁ ପ୍ରେମ ବିବାହ କରିଥିଲେ । ତେବେ ନବଦମ୍ପତ୍ତିଙ୍କ ଅକାଳ ବିୟୋଗ ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।
୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ: ୫ ଦିନରେ ସୁସ୍ଥ ହେଉଛନ୍ତି କରୋନା ଆକ୍ରାନ୍ତ । କୋଭିଡର ଦ୍ବିତୀୟ ପ୍ରବାହ ଭଳି ସେତେ ମାରାତ୍ମକ ନୁହେଁ ତୃତୀୟ ପ୍ରବାହ । ତୃତୀୟ ଲହରରେ ଛୋଟ ପିଲାଙ୍କ ପାଇଁ ଭୟ ନାହିଁ । ଭୟଭୀତ ନହୋଇ ସତର୍କ ରହିବା ସହ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଏବେ ଦେଶରେ ୧୯ ଲକ୍ଷ ଆକ୍ଟିଭ କେସ୍ ରହିଛି । ଟେଷ୍ଟିଂ ବୃଦ୍ଧି ଯୋଗୁ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ପଜିଟିଭ୍ ରେଟ୍ ବଢ଼ିଛି ।
ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଥିବା ବେଳେ ୧୧ରାଜ୍ୟରେ ୫୦ ହଜାର ଉପରେ ରହିଛି ସଂକ୍ରମଣ । ସଂକ୍ରମଣ କାବୁ କରିବା ପାଇଁ ପ୍ରଭାବିତ ରାଜ୍ୟ ସରକାରଙ୍କ ସହ ଆଲୋଚନା ଜାରି ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି । ଚିନ୍ତାଜନକ ସ୍ଥିତି ଥିବା ରାଜ୍ୟରେ କେନ୍ଦ୍ରୀୟ ଟିମ୍ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ୮ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୩ଲକ୍ଷ ପାର୍ କରିଛି ।
ଗୁରୁବାର ୩ ଲକ୍ଷ ୧୭ହଜାର ୫୩୨ କେସ୍ ରେକର୍ଡ ହୋଇଥିବା ବେଳେ ୪୯୧ ଜଣଙ୍କ ଜୀବନ ନେଇଛି ଭୂତାଣୁ । ଟିକାକରଣ ଯୋଗୁ ସ୍ଥିତି ଆୟତରେ ରହିଥିବା ବେଳେ ଟିକା ନେଇ ନଥିବା ଲୋକମାନେ କରୋନା ଟିକା ନେବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି । ଅନ୍ୟପଟେ ସପ୍ତାହକରେ ବିଶ୍ବରେ ଦୈନିକ ସଂକ୍ରମଣ ୨୯ ଲକ୍ଷ କେସ୍ ପାର କରିଛି । ୟୁରୋପୀୟ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଥିବା ବେଳେ ଗୁରୁତରଙ୍କ ସଂଖ୍ୟା ବଢୁଛି ।

