କାବୁଲ: ତାଲିବାନୀ ଶାସନକୁ ନେଇ ଚର୍ଚ୍ଚାରେ ଥିବା ଆଫଗାନିସ୍ତାନରେ ଏବେ ଖାଦ୍ୟ ସଂକଟ । ଅତ୍ୟଧିକ ଖାଦ୍ୟ ସଂକଟ ହେବାରୁ ଅଧାରୁ ଅଧିକ ଆଫଗାନବାସୀ ଏବେ ଭୋକରେ ଦିନ କାଟୁଛନ୍ତି । ସ୍ଥିତି ଏମିତି ଯେ ଖାଦ୍ୟ ପାଇଁ ଆଫଗାନୀବାସୀ ସେମାନଙ୍କ କିଡନୀ ଓ ଛୁଆକୁ ବିକ୍ରି କରୁଥିବା ଖବର ମଧ୍ୟ ସାମ୍ନାକୁ ଆସିଛି । ହେରାତ ସହରର ୨୦ କିଲୋମିଟର ଦୂରରେ ଥିବା ଏକ ଅଂଚଳରେ ଲୋକମାନେ ଅତି କଷ୍ଟରେ ଜୀବନ ବିତାଉଛନ୍ତି । ଘରେ ବିଜୁଳି ଓ ପାଣି ନଥିବାବେଳେ ଅସହ୍ୟ ଶୀତରେ ଲୋକମାନେ ସମୟ କାଟୁଛନ୍ତି । ଅନେକ ଲୋକଙ୍କ ଜୀବନ ଏବେ ଆଫଗାନିସ୍ତାନରେ ଦୁର୍ବିସହ ହୋଇପଡିଛି । ଅଗଷ୍ଟ ୧୫ ତାରିଖରେ ତାଲିବାନୀମାନେ ନିଜ କବଜାକୁ ନେବା ପରେ ଅନ୍ତର୍ଜାତୀୟ ସ୍ତରରୁ ଆଫଗାନିସ୍ତାନକୁ ମିଳୁଥିବା ଅନେକ ସାହାଯ୍ୟ ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଏବେ ସେଠାକାର ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।
ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏମାନଙ୍କୁ ବାହାରକୁ ଚାଲାଣ କରୁଥିବା ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଉଦ୍ଧାର ଦାଦନ ଶ୍ରମିକମାନେ ଲାଠୋର ଓ ପାଟଣାଗଡ଼ ଥାନା ଅଞ୍ଚଳର ବିଛିଲିବାହାଲ ଏବଂ ଯୋଗିମୁଣ୍ଡା ଗାଁର । ଉଦ୍ଧାରଙ୍କ ମଧ୍ୟରେ ୪ ପୁରୁଷ, ୮ ମହିଳା ଓ ୨ ଜଣ ଛୋଟ ଛୁଆ ଅଛନ୍ତି ।
ଉଦ୍ଧାର ଶ୍ରମିକମାନଙ୍କ ପାଖରେ ରାଜ୍ୟ ବାହାରକୁ ଦାଦନ ଖଟି ଯିବାର କୌଣସି କାଗଜ ପତ୍ର ନଥିଲା । ଯାହା ଫଳରେ ବେଆଇନ ଭାବରେ ଚାଲାଣ ହେଉଥିବା ଜଣାପଡିଛି । ଦାଦନ ସର୍ଦ୍ଦାର କଣ୍ଟାବାଞ୍ଜି ଷ୍ଟେସନରୁ ରାତି ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଚାଲାଣ କରିବାର ଥିଲା । ହେଲେ କଣ୍ଟାବାଞ୍ଜି ପୋଲିସ ପାଟ୍ରୋଲିଂ ହାବୁଡ଼ରେ ପଡି ଯାଇଥିଲେ ।
ଜାରି ରହିଛି ଭାରତୀୟ ସେୟାର ବଜାରରେ ଅସ୍ଥିରତା
ମୁମ୍ବାଇ: ଭାରତୀୟ ସେୟାର ବଜାରରେ ଅସ୍ଥିରତା ଜାରି ରହିଛି । ଗତ ସପ୍ତାହରୁ ସେନସେକ୍ସରେ ଡାଉନଫଲ୍ ଜାରି ରହିଥିବା ବେଳେ ଆଜି ମାର୍କେଟ ଖୋଲିବା ମାତ୍ରେ ଖସିଥିଲା ସେନସେକ୍ସ ସୂଚକାଙ୍କ। ଭାରତୀୟ ଇକ୍ୟୁଟି ମାର୍କେଟରେ ହଲଚଲ ପରେ ନିବେଶକମନେ ଶଙ୍କାରେ ରହିଛନ୍ତି । ଆମେରିକାରେ ବର୍ଦ୍ଧିତ ମୁଦ୍ରାସ୍ପୀତିକୁ ଦେଖି ମାର୍ଚ୍ଚରେ ସୁଧ ହାର ବୃଦ୍ଧି କରିବାକୁ ସେଣ୍ଟ୍ରାଲ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ଆମେରିକାର ଫେଡେରାଲ୍ ରିଜର୍ଭ ବୈଠକରେ ହୋଇଥିବା ନିଷ୍ପତ୍ତି ବିଶ୍ବର ସବୁ ମାର୍କେଟକୁ ପ୍ରଭାବିତ କରିଛି ।

ତେବେ ଗତ ୪ଦଶକରେ ଆମେରିକାରେ ଦରଦାମ ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । ଦରଦାମ୍ ବୃଦ୍ଧିକୁ କାବୁ କରିବାକୁ ୨୦୨୨ରେ ଫେଡେରାଲ ରିଜର୍ଭ ୪ଥର ସୁଧହାର ବଢ଼ାଇପାରେ । ଯାହାର ସିଧା ସିଧା ପ୍ରଭାବ ଭାରତୀୟ ଷ୍ଟକ୍ ମାର୍କେଟ ଉପରେ ପଡ଼ିଛି । ବିଦେଶୀ ନିବେଶକାରୀ ମାର୍କେଟରୁ ଟଙ୍କା ଉଠାଉଥିବାରୁ ଆଜି ୫୮୧ ପଏଣ୍ଟ ଖସି ୫୭ହଜାର ୨୭୬ରେ କ୍ଲୋଜ ହୋଇଛି ସେନସେକ୍ସ ।

ସେହିପରି ନିଫ୍ଟି ୧୬୭ ପଏଣ୍ଟ ଖସି ୧୭ହଜାର ୧୧୦ ପଏଣ୍ଟରେ କ୍ଲୋଜ୍ ହୋଇଛି । ନିଫଟିରେ ଡାଉନ ଫଲ୍ କରିଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଟପରେ ରହିଛି HCL, ଟେକ୍ ମହିନ୍ଦ୍ରା, ଡ. ରେଡ୍ଡୀ ଲାବୋରେଟୋରୀ, TCS, ୱିପ୍ରୋ । ଅନ୍ୟପଟେ ୟୁକ୍ରେନରେ ଲାଗି ରହିଥିବା ଯୁଦ୍ଧସ୍ଥିତି ବଜାର ଉପରେ ପ୍ରଭାବ ପକାଇଛି । ଏହି ସଙ୍କଟ ପରେ କ୍ରୁଡ ଅଏଲ ବା ଅଶୋଧିକ ତୈଳ ଦର ରେକର୍ଡ ହାଇରେ ପହଞ୍ଚଛି । ଏବେ କ୍ରୁଡ ଅଏଲ ଦର ପ୍ରତି ବ୍ୟାରେଲ ୯୦ ଡଲାର ରହିଛି । ଯାହା ଗତ ୮ବର୍ଷରେ ସର୍ବାଧିକ ।

