୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ, ଏପଟେ ଜଳୁଛି ଓଡ଼ିଶା

1 min read
No Impact Of Low Pressure Over Odisha

ଭୁବନେଶ୍ୱର: ସେପଟେ ବାତ୍ୟା, ଏପଟେ ତାତି । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ସ୍ପଷ୍ଟଚିହ୍ନତ ଲଘୁଚାପ କ୍ଷେତ୍ର ସ୍ଥିର ରହିଛି । ଏହା କ୍ରମଶଃ ଉତ୍ତର ଦିଗକୁ ଗତି କରି ଆଣ୍ଡାମାନ ଏବଂ ନିକୋବର ମୁହାଁ ହେବ । ୨୦ ମାର୍ଚ୍ଚ ସକାଳ ସୁଦ୍ଧା ଏହା ଅବପାତରେ ପରିଣତ ହେବ । ପରବର୍ତ୍ତୀ ୨୪ ଘଣ୍ଟାରେ ଅବପାତ ବାତ୍ୟାର ରୂପ ନେଇ ୨୨ ତାରିଖରେ ମିଆଁମାର ଓ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।

ବାତ୍ୟାର ସିଧାସଳଖ କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ଯାଏ ଦିନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବ ନାହିଁ । ସକାଳେ ଆଂଶିକ କୁହୁଡ଼ି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଅନ୍ୟପଟେ ଦୁଇ ଦିନ ଟିଟିଲାଗଡ଼ ତତଲାଗଡ଼ ପାଲଟିଛି । ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଥିବା ଟିଟିଲାଗଡ଼ ଆଜି ବି ଶୀର୍ଷରେ ରହିଛି । ଗତକାଲି ଟିଟିଲାଗଡ଼ର ତାପମାତ୍ରା ୪୧.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି ୪୧ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ଼କୁ ମିଶାଇ ଆଜି ରାଜ୍ୟର ୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗିରରେ ପାରଦ ୪୦.୫ ଡିଗ୍ରୀ, ସୋନପୁରରେ ୪୦.୨ ଡିଗ୍ରୀ ଥିବାବେଳେ ବାରିପଦାରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି ।