ଇମ୍ରାନଙ୍କ ରାଜୁତି ଶେଷ: ପୁଣି ପାକିସ୍ତାନରେ ଚାଲିବ ସେନା ଶାସନ !

1 min read
Pakistan Political Crisis US Secret Letter Threatening To Imran Khan

ଲାହୋର: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆସନ ଟଳମଳ । ନିଜ ଦଳରୁ ହିଁ ଉଠିଲାଣି ତୀବ୍ର ବିରୋଧ । ଆସନ୍ତା ୨୮ରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହେବ । ପାଖାପାଖି ୨୪ ଜଣ ସାଂସଦ ଇମ୍ରାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ଦେଶରେ ଦରଦାମ, ମୁଦ୍ରାସ୍ପିତି ଏବଂ ବୈଦେଶିକ ନୀତିରେ ଇମ୍ରାନ୍‌ ସମ୍ପୂର୍ଣ୍ଣ ଫେଲ୍‌ ମରିଥିବା ବେଳେ ଏହାକୁ ପ୍ରସଙ୍ଗ କରି ବିରୋଧୀ ଦଳ ସରକାର ଭାଙ୍ଗିବାକୁ ଉଦ୍ୟମ ଚଲାଇଛନ୍ତି ।

ଗାଦି ସମ୍ଭାଳି ପାରୁନାହାନ୍ତି ଇମ୍ରାନ । ଇମ୍ରାନଙ୍କ ବିରୋଧରେ ବଡ଼ ଧରଣର ବିଦ୍ରୋହ । ନିଜ ଦଳ ପାକିସ୍ତାନ ତେହରିକ-ଇ-ଇନସାଫର 24 ସାଂସଦ ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । ଇମ୍ରାନଙ୍କ ବିରୋଧରେ ପାକିସ୍ତାନ ମୁସଲିମ ଲିଗ୍ ନଓ୍ବାଜ ଓ ପାକିସ୍ତାନ ପିପୁଲସ ପାର୍ଟି ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଆସନ୍ତା 21ରେ ନ୍ୟାସନାଲ ଆସେମ୍ବଲି ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ, 28ରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ହେବ । ତେବେ ତା’ ପୂର୍ବରୁ ଦଳୀୟ ବିଦ୍ରୋହ ଇମ୍ରାନଙ୍କ ଲାଗି ସଙ୍କଟ ସୃଷ୍ଟି କରିଛି । ଏପଟେ ଏଭଳି ଅଶାନ୍ତି ଭିତରେ ସେନା ମୁଖ୍ୟଙ୍କୁ ଭେଟିଛନ୍ତି ଇମ୍ରାନ୍‌ । ବାଲୁଚିସ୍ତାନ ଏବଂ ଓଆଇସି ବୈଠକ ନେଇ ଆଲୋଚନା ହୋଇଛି । ବାଲୁଚିସ୍ତାନରେ ଅସନ୍ତୋଷ ବଢୁଥିବା ବେଳେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହେବାର ସମ୍ଭାବନା ମଧ୍ୟ ବଢିଛି । ଏମିତି ସ୍ଥିତିରେ ପାକିସ୍ତାନ ସେନା ପୁଣି ଥରେ କ୍ଷମତା ହାତକୁ ନେବା ନେଇ ଚର୍ଚ୍ଚା ଜୋର ଧରିଛି ।

ଏପଟେ ବିଦ୍ରୋହୀ ସାଂସଦଙ୍କ ନେତୃତ୍ବ ନେଉଛନ୍ତି ରାଜା ରିଆଜ ଓ ନୁର ଆଲାମ ଖାଁ । ଏହି ଅସନ୍ତୁଷ୍ଟ ସାଂସଦମାନେ ଇସଲାମାବାଦର ସିନ୍ଧ ହାଉସରେ ରହୁଛନ୍ତି । ଯାହାକି ପାକିସ୍ତାନ ପିପୁଲ୍ସ ପାର୍ଟି ଦ୍ବାରା ପରିଚାଳିତ ସିନ୍ଧ ସରକାରଙ୍କ ଅନ୍ତର୍ଗତ । ପାକିସ୍ତାନ ସରକାର କହିଛନ୍ତି ଯେ, ଏହି ସାଂସଦଙ୍କୁ ସିନ୍ଧ ସରକାର ଅପହରଣ କରି ନେଇଛନ୍ତି । ପ୍ରଚୁର ଅର୍ଥ ଦେଇ ସେମାନଙ୍କୁ ହାତେଇବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କୁ ଜବାବ୍‌ ଦେବାକୁ ସିନ୍ଧରେ ରାଜ୍ୟପାଳ ଶାସନ ଲାଗୁ କରିବାକୁ ଇମ୍ରାନ ସରକାର ଚିନ୍ତା କରୁଛନ୍ତି  । ନିଜର ଦବଦବା ପ୍ରମାଣ କରିବାକୁ ଆସନ୍ତା 27ରେ ଇମ୍ରାନ ଇସଲାମାବାଦରେ 10 ଲକ୍ଷ ଲୋକଙ୍କୁ ନେଇ ସମାବେଶ କରି ବିରୋଧୀଙ୍କୁ ଶକ୍ତି ଦେଖାଇବାକୁ ଯାଉଛନ୍ତି ।

ତେବେ ଇମ୍ରାନଙ୍କ ସମାବେଶ ପୂର୍ବରୁ 25 ତାରିଖରେ ଆସେମ୍ବଲି ସମ୍ମୁଖରେ ଥିବା ଡି-ଚୌକକୁ ସମ୍ପୂର୍ଣ୍ଣ କବଜା କରିବାକୁ ବିରୋଧୀ ଦଳ ଯୋଜନା କରୁଛନ୍ତି । ଏହି ଅସ୍ଥିରତା ମଧ୍ୟରେ ପାକିସ୍ତାନ ସେନା ନିରପେକ୍ଷ ରହିବ ବୋଲି କହିଛନ୍ତି ସେନା ମୁଖପାତ୍ର ।