ଭାରତ-ଋଷ ବେପାରରେ କାହିଁକି କେଁ ପୂରାଉଛି ଆମେରିକା ?

1 min read

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଉପରେ ବଢିବାରେ ଲାଗିଛି ଆର୍ଥିକ ପ୍ରତିବନ୍ଧକ । ଏହାସହ ୟୁରୋପୀ ଦେଶ ଋଷରୁ ତେଲ ନେବାକୁ ମନା କରିଦେଇଛନ୍ତି । ଏପଟେ ଯୁଦ୍ଧ ଆରମ୍ଭ ପରଠାରୁ ଅଶୌଧିତ ତେଲ ଦର ବଢ଼ିବାରେ ଲାଗିଛି । ଏମିତି ସମୟରେ ଋଷ ଭାରତକୁ ୨୦ରୁ ୨୫ ପ୍ରତିଶତ ରିହାତିରେ ତେଲ ଦେବାକୁ ଅଫର କରିଛି । ଯାହାକୁ ନେଇ ଆମେରିକା ତରଫରୁ ବାରମ୍ବାର ପ୍ରତିକ୍ରିୟା ଆସିବା ସହ ଓ୍ବାଶିଂଟନ ଭାରତକୁ ଚେତାବନୀ ଦେବାରେ ଲାଗିଛି । ଏମିତି ସ୍ଥିତିରେ ଆସିଥିବା ନୂଆ ତଥ୍ୟ ଆମେରିକାର ଅସଲ ଚେହେରା ଖୋଲି ଦେଇଛି । ଭାରତ-ଋଷ ତେଲ ବେପାର ଆମେରିକାକୁ କାହିଁକି ବିନ୍ଧୁଛି ତାହା ଏହି ତଥ୍ୟରୁ ସ୍ପଷ୍ଟ ହୋଇଯାଇଛି ।

ଶନିବାର ଆସିଥିବା ରଏଟର୍ସ ରିପୋର୍ଟ ଅନୁସାରେ ଚଳିତବର୍ଷ ଆମେରିକାରୁ ଭାରତର ତେଲ ଆମଦାନୀ ୧୧ ପ୍ରତିଶତ ବଢିଛି । ଏହା ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଆମେରିକା ଏବେ ଭାରତରେ ତେଲ ବିକ୍ରିରେ ୪ର୍ଥ ସ୍ଥାନରେ ରହିଛି । ଭାରତ ସବୁଠାରୁ ଅଧିକ ୨୩ ପ୍ରତିଶତ ତେଲ ଇରାକ ଆମଦାନୀ କରୁଥିବା ବେଳେ ଏହା ପଛକୁ ସାଉଦୀ ଆରବ ୧୮ ପ୍ରତିଶତ ଓ ୟୁଏଇ ୧୧ ପ୍ରତିଶତ ରପ୍ତାନୀ କରୁଛନ୍ତି । ଏମିତି ସ୍ଥିତିରେ ଯଦି ଭାରତ ଋଷର ଅଫର ଗ୍ରହଣ କରିନିଏ ତେବେ ଆମେରିକା ସହ ତେଲ ବେପାର ଉପରେ ପ୍ରଭାବ ତ ନିଶ୍ଚିତ ପଡିବ ।

ଯେଉଁ ଦୋକାନରେ ଶସ୍ତା ସେଠୁ କିଣିବ ଭାରତ

ଏହା ସାଧାରଣ କଥା, ଯେଉଁ ଦୋକାନରୁ ଶସ୍ତାରେ ଜିନିଷ ମିଳିବ ସେହି ଦୋକାନକୁ ଗ୍ରାହକ ଅଧିକ ଯିବେ । ଏବେ ଆମେରିକାକୁ ଏହି ଡର ଘାରିଛି ଯେ, ଭାରତ ଋଷ ପାଖରୁ କମ ଦାମରେ କିଣିଲେ ଆମେରିକା ସହ ତେଲ ବେପାର କମାଇ ଦେବ । ଏହି ଚିନ୍ତା ବେପାରୀ ଆମେରିକାକୁ ମହୁମାଛି ବିନ୍ଧୁବା ପରି ଲାଗୁଛି ।  ଋଷର ଏହି ମେଗା ଅଫରକୁ ଭାରତ ଯେମିତି ଗ୍ରହଣ ନକରେ ସେଥିପାଇଁ ଏମିତି ବୟାନବାଜି ଓ ଚେତାବନୀ ଦେବାରେ ଲାଗିଛି । ହେଲେ ଆମେରିକା ଭୁଲି ଯାଉଛି ଯେ, ଏ ହେଉଛି ୨୦୨୨ର ଭାରତ । ନିଜ ଦେଶ ଓ ନାଗରିକଙ୍କ ପାଇଁ ଯେଉଁଟା ଠିକ୍ ତାହା କରିବାକୁ ପଛାଇବ ନାହିଁ । ଏଥିରେ ଆମେରିକା କ’ଣ ଅନ୍ୟ ବିଶ୍ବଶକ୍ତିଙ୍କ ଚେତାବନୀ କିଛି କାମ କରିବନି ।

ଏନର୍ଜି ସପ୍ଲାଏ ସୁନିଶ୍ଚିତ କରୁଛି ଭାରତ

ସୂଚନାଯୋଗ୍ୟ, ଭାରତ ତେଲ ଚାହିଦା କେବଳ ଆମଦାନୀ ଉପରେ ନିର୍ଭର କରିଥାଏ । ଯୁଦ୍ଧ କାରଣରୁ କିଛିଦିନ ମଧ୍ୟରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ଅହେତୁକ ଭାବେ ବୃଦ୍ଧି ପାଇଛି । ଫଳରେ ଭାରତରେ ଦରଦାମ ବୃଦ୍ଧ ପାଇବାର ଆଶଙ୍କା ରହିଛି । ଏହାଦ୍ବାରା ଅର୍ଥନୀତି ଅଭିବୃଦ୍ଧି ଉପରେ ପ୍ରଭାବ ପଡିପାରେ । ଏମିତି ସ୍ଥିତିରେ ଭାରତ ନିଜ ଏନର୍ଜି ସପ୍ଲାଏ ସୁନିଶ୍ଚିତ କରିବାକୁ ଲାଗିଛି । ଏମିତି ସ୍ଥିତିରେ ଋଷ ତରଫରୁ ଆସିଥିବା ମେଗା ଅଫରକୁ ଭାରତ ସ୍ବାଗତ କରିଛି । ଏବେ ଆମେରିକାକୁ ଡର ଲାଗୁଛି ଯେ, ଭାରତ ତା’ ସହ ତେଲ ବେପାର କମାଇ ଋଷ ଆଡକୁ ମୁହାଁଇ ପାରେ । କାରଣ ଇରାକ, ସାଉଦୀ ଆରବ ଓ ୟୁଏଇଠାରୁ ଭାରତ ତେଲ ଆମଦାନୀ କେବେ କମାଇବ ନାହିଁ କି ବନ୍ଦ କରିବ ନାହିଁ ।