spot_img
Home Blog Page 4583

ବେକାରୀ ହାର: ଉପରେ ହରିଆନା, ତଳେ ଓଡ଼ିଶା

ଭୁବନେଶ୍ୱର: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ପ୍ରାୟ ସବୁ ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ ରହିଛି ବେକାରୀ ସମସ୍ୟା । ଏହାରି ଭିତରେ ଆସିଛି CMIE(ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି) ରିପୋର୍ଟ । ଏହି ରିପୋର୍ଟ ଅନୁସାରେ ଦେଶର ୫ ଟି ସବୁଠାର କମ ବେକାରି ହାର ଥିବା ରାଜ୍ୟଙ୍କ ତାଲିକାରେ ରହିଛି ଓଡ଼ିଶା । ଅନ୍ୟପକ୍ଷରେ ସବୁଠାରୁ ଅଧିକ ବେକାରୀ ରହିଛନ୍ତି ବିଜେପି ଶାସିତ ହରିଆନାରେ । ସର୍ବାଧିକ ବେକାରି ହାର ବିଶିଷ୍ଟ ରାଜ୍ୟଙ୍କ ତାଲିକାରେ ଆମ୍ ଆଦମୀ ପାର୍ଟି ଶାସିତ ଦିଲ୍ଲୀ,କଂଗ୍ରେସ ଶାସିତ ରାଜସ୍ଥାନର ନାମ ମଧ୍ୟ ରହିଛି ।

ଦେଶରେ ବେକାରୀ

CMIE  ଅନୁସାରେ ଦେଶରେ ୧୫ ଫେବ୍ରୁଆରୀ ୨୦୨୨ (୩୦ ଦିନର ତଥ୍ୟ) ବେକାରୀ ହାର ୭.୬ ଥିଲା । ସହରାଞ୍ଚଳରେ ବେକାରୀ ହାର ଥିଲା ୭.୭ ପ୍ରତିଶତ । ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ବେକାରୀ ହାର ଥିଲା ୭.୫ ପ୍ରତିଶତ । ଦେଶରେ ସର୍ବାଧିକ ବେକାରୀ ହାର ଥିବା ରାଜ୍ୟ ହେଉଛି ହରିଆନା । ଯେଉଁଠାରେ ବେକାରୀ ହାର ହେଉଛି ୨୩.୪ ପ୍ରତିଶତ ।

ବେକାରୀ ହ୍ରାସ ଦିଗରେ ଓଡ଼ିଶାରେ ହୋଇଛି ଭଲ କାମ

CMIE ତଥ୍ୟ ଅନୁସାରେ ଓଡ଼ିଶାର ବାକି ରାଜ୍ୟଙ୍କ ତୁଳନାରେ ବେକାରୀ ସମସ୍ୟା କମ ଅଛି । CMIE ଅନୁସାରେ ସବୁଠାରୁ କମ ବେକାରୀ ହାରଥିବା ୫ ଟି ରାଜ୍ୟଙ୍କ ତାଲିକାରେ ଓଡ଼ିଶାରେ ରହିଛି । ଓଡ଼ିଶାରେ ବେକାରି ହାର ଶତକଡା ୧. ୮ ପ୍ରତିଶତ ରହିଛି । ଦେଶର ସବୁଠାରୁ କମ ବେକାରୀ ହାରଥିବା ରାଜ୍ୟଙ୍କ ତାଲିକାରେ ରହିଛନ୍ତି ଗୁଜୁରାଟ,ମେଘାଳୟ,କର୍ଣ୍ଣାଟକ ଓ ଉତ୍ତର ପ୍ରଦେଶ । କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡରେ ମଧ୍ୟ ବେକାରୀ ହାର ୩ ପ୍ରତିଶତ ରହିଛି ।

ସର୍ବାଧିକ ବେକାରୀ ହାର ଥିବା ରାଜ୍ୟ ସବୁ କିଏ ?

ଏହି ତାଲିକାରେ ଅଛନ୍ତି ବିଜେପି ଶାସିତ ହରିଆନା,ଯେଉଁଠାରେ ବେକାରୀ ହରା ଶତକଡା ୨୩.୪ ପ୍ରତିଶତ ରହିଛି । କଂଗ୍ରେସ ଶାସିତ ରାଜସ୍ଥାନରେ ବେକାରୀ ହାର ୧୮.୯ ପ୍ରତିଶତ ରହିଛି । ସେହିଭଳି ଦ୍ୱିତୀୟ ବିଜେପି ଶାସିତ ରାଜ୍ୟ ତ୍ରିପୁରାରେ ବେକାରୀ ହାର ହେଉଛି ୧୭.୧ ପ୍ରତିଶତ । କେନ୍ଦ୍ର ଶାସିତ ଜମ୍ମୁ-କାଶ୍ମୀରରେ ବେକାରୀ ହାର ହେଉଛି ୧୫ ପ୍ରତିଶତ । କେଜ୍ରିୱାଲଙ୍କ ଦିଲ୍ଲୀ ସରକାର ମଧ୍ୟ ବେକାରୀ ସମସ୍ୟା ମୁକାବିଲାରେ ବିଫଳ ହୋଇଥିବା ଜଣା ପଡୁଛି । ଦିଲ୍ଲୀରେ ବେକାରୀ ହାର ରହିଛି ୧୪.୧ ପ୍ରତିଶତ ।

ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ୨୩ଟି ସ୍ଥାନରେ ରଦ୍ଦ ହେଲା ନିର୍ବାଚନ

ଭୁବନେଶ୍ୱର: ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ଟି ସ୍ଥାନରେ ନିର୍ବାଚନ ରଦ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ ଆସନ, ୬ ଟି ସରପଞ୍ଚ, ୩ ସମିତି ସଭ୍ୟ ଓ ୧୩ ଓ୍ବାର୍ଡମେମ୍ବର ନିର୍ବାଚନ ରଦ୍ଦ ହୋଇଛି । କେନ୍ଦୁଝରରେ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି । ସେହିଭଳି ନୂଆପଡ଼ା, ଯାଜପୁର, କଟକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ସରପଞ୍ଚ ଓ ବରଗଡ଼ରେ ୨ଟି ସରପଞ୍ଚ ଆସନ ପାଇଁ ନିର୍ବାଚନ ସ୍ଥଗିତ ରହିଛି । ସେହିପରି ଅନୁଗୁଳ ବାଲେଶ୍ବର ଓ ନୂଆପଡ଼ାରେ ଗୋଟିଏ ଲେଖାଏଁ ଆସନରେ ସମିତି ସଭ୍ୟ ନିର୍ବାଚନ ବାତିଲ ହୋଇଛି ।

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ମତଦାନ, ମତାଧିକାର ସାବ୍ୟସ୍ତ କଲେ ୬୭ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର: ଶେଷ ହେଲା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ରାଜ୍ୟର ୩୦ ଜିଲ୍ଲାର ୭୧ ବ୍ଲକରେ ଶେଷ ହେଲା ମତଦାନ । ଦିନ ୧୧ଟା ସୁଦ୍ଧା ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବୁଠି ଶାନ୍ତି ଶୃଙ୍ଖଳାର ସହିତ ମତଦାନ ହୋଇଛି । ପ୍ରତି ବ୍ଲକ ହେଡକ୍ୱାଟରରେ ଗୋଟିଏ ଲେଖାଏଁ ମହିଳାମାନଙ୍କ ପାଇଁ ପିଙ୍କ ବୁଥ ଖୋଲାଯାଇଛି । ଦିନ ଗୋଟିଏ ସୁଦ୍ଧା ଯେଉଁମାନେ ବୁଥ ଭିତରେ ଥିବେ ସେମାନଙ୍କୁ ଭୋଟ ଦେବାକୁ ସୁଯୋଗ ଦିଆଯାଉଛି । ୨୦୦ ଜିଲ୍ଲା ପରିଷଦ ଆସନର ଭୋଟିଂ ହୋଇଛି । ୨୨ ହଜାର ୩୭୯ ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର । ରାଜ୍ୟରେ ମୋଟ ୧୩ ହଜାର ୭୮୫ଟି ଉତ୍ତେଜନାପ୍ରବଣ ବୁଥ୍ ଚିହ୍ନଟ ହୋଇଛି । ୩ ହଜାର ୩୫୭ଟି ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ମାଓ ପ୍ରବଣ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ବେଦନଶୀଳ ବୁଥରେ ଭୋଟ ଗ୍ରହଣ ବେଳେ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି ।

ପଞ୍ଚାୟତ ନିର୍ବାଚନ: ମତଦାନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଲେ ଜିଲ୍ଲା ପରିଷଦ ପ୍ରାର୍ଥୀ

ପିପିଲି: ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସକୁ ବଡ଼ ଝଟକା। ପିପିଲି ନିର୍ବାଚନ ମଣ୍ଡଳୀ ଅଧୀନ ଡେଲାଙ୍ଗ ବ୍ଲକ ୧୫ ନମ୍ବର ଜୋନ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁକାନ୍ତି ସାହୁ ମତଦାନ ପୂର୍ବରୁ ବିଜେଡିରେ ମିଶିଲେ। କଂଗ୍ରେସ ତାଙ୍କୁ ଅସମ୍ମାନିତ କରିଥିବା ସେ କହିଛନ୍ତି। ନବୀନ ପଟ୍ଟନାୟକଙ୍କ କାମ ତାଙ୍କୁ ଭଲ ଲାଗିଲା ଏବଂ ବିଧାୟକ ରୁଦ୍ର ମହାରଥୀଙ୍କୁ ଭଲ ପାଉଥିବାରୁ ବିଜେଡିରେ ଯୋଗ ଦେଲେ। ଚଳିତ ପଂଚାୟତ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ହାତ ଯୋଡ଼ି ଲୋକଙ୍କୁ ଭୁଲ ମାଗି ବିଜେଡିକୁ ଭୋଟ ଦେବାକୁ ନିବେଦନ କରିବେ ସୁକାନ୍ତି। ସେହିପରି ଅନେକ ବିଜେପି କର୍ମୀ ବି ବିଜେଡିରେ ଯୋଗ ଦେଇଛନ୍ତି । ଆଗମୀ ଦିନରେ ଘରେ ଘରେ ଶଙ୍ଖ ରହିବ ବୋଲି ସେମାନେ କହିଛନ୍ତି। କାରଣ ବିକାଶ ନବୀନ ପଟ୍ଟନାୟକଙ୍କୁ ନେଇ ହିଁ ହୋଇପାରିବ ବୋଲି ସେମାନେ କହିଛନ୍ତି ।

ପଞ୍ଚାୟତ ନିର୍ବାଚନରେ ଉତ୍ତେଜନା, ବ୍ରହ୍ମଗିରିରେ ବାଲଟ ବକ୍ସ ଉଠାଇନେଲେ ଦୁର୍ବୃତ୍ତ

ବ୍ରହ୍ମଗିରି: ସାରା ରାଜ୍ୟରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଥିବାବେଳେ ବ୍ରହ୍ମଗିରିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ବାଲଟ ବକ୍ସ ଉଠାଇନେଲେ ଦୁର୍ବୃତ୍ତ । ବ୍ରହ୍ମଗିରି ବ୍ଲକ ଚାପମଣିକ ପଞ୍ଚାୟତ କାଶୀଜରିଆ ଗାଁ’ର ୯ ନମ୍ବର ବୁଥରେ ମତଦାନ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ବାଲଟ ବକ୍ସ ନେଇଯାଇଥିବା ଦେଖିବାକୁ ମିଳିଛି ।

ହୃଦଘାତରେ ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ

ବରଗଡ଼: ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ବରଗଡ଼ ଜିଲ୍ଲାର ଆଉ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଆଜି ହୃଦଘାତରେ ମୃତ୍ୟୁ ହୋଇଛି । ବରଗଡ଼ ବ୍ଲକ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନ ଯିଏକି ସୂର୍ଯ୍ୟ ଚିହ୍ନରେ ପଞ୍ଚାୟତ ନିର୍ବାଚନରେ ଛିଡ଼ା ହୋଇଥିଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସରପଞ୍ଚ ପ୍ରାର୍ଥୀ ବାଲ୍ମୀକି ପ୍ରଧାନ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଯାହା ଫଳରେ ତାଙ୍କୁ ପରିବାର ଲୋକ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ।  ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଆଜି ତାଙ୍କର ମୃତ ଦେହ ଗୋବିନ୍ଦପୁର ଗ୍ରାମକୁ ଆଣିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ବରଗଡ଼ ଜିଲ୍ଲା ଭଟଲି ବ୍ଲକ କେଲେଣ୍ଡାପାଳି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟ ଦୁଇଦିନ ତଳେ ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ପଞ୍ଚାୟତ ନିର୍ବାଚନରେ ଉଭୟ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ମତଦାନ ପ୍ରକ୍ରିୟା ବାତିଲ ହୋଇଛି ।

ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିମାଡ଼

ସମ୍ବଲପୁର: ସମ୍ବଲପୁର ସରପଞ୍ଚ ପ୍ରାର୍ଥୀଙ୍କ ଘର ଉପରକୁ ଗୁଳିଚାଳନା । କବାଟରେ ବାଜିଛି ଗୁଳି । ସରପଞ୍ଚ ପ୍ରାର୍ଥୀଙ୍କ ଘର କବାଟର ଦୁଇଟି ସ୍ଥାନରେ ଗୁଳି ବାଜିଛି । ଗତକାଲି ବିଳମ୍ବିତ ରାତ୍ରିରେ ଘଟିଛି ଏହି ଘଟଣା । ରେଙ୍ଗାଲି ବ୍ଲକ ଠେଲକୋଲି ଥାନା ଘିଚାମୁରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଲଳିତ କୁମାର ସାହୁଙ୍କ ଘର ଉପରକୁ ଗୁଳି ଚଳାଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳର ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଯୁଦ୍ଧ ସଙ୍କଟ ମଧ୍ୟରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ଓ୍ୱେବସାଇଟ ଉପରେ ସାଇବର ଆଟାକ୍

ନୂଆଦିଲ୍ଲୀ: ଯୁଦ୍ଧର ଘନଘଟା ଭିତରେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ସମେତ ଅନେକ ସରକାରୀ ସଂସ୍ଥା, ପ୍ରମୁଖ ବ୍ୟାଙ୍କର ଓ୍ବେବସାଇଟ ଉପରେ ସାଇବର ଆଟାକ୍ । ୟୁକ୍ରେନର ପ୍ରତିରକ୍ଷା, ବୈଦେଶିକ,ସଂସ୍କୃତି ମନ୍ତ୍ରାଳୟ ସମେତ କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗ ଉପରେ ସାଇବର ଆଟାକ୍ ହୋଇଛି । ଏହା ସହ ଦୁଇ ରାଷ୍ଟ୍ରାୟତ୍ତ ପ୍ରିଭାତବ୍ୟାଙ୍କ ଓ ସ୍ବେରବ୍ୟାଙ୍କ ସମେତ ଅନ୍ୟ କେତେକ ସଂସ୍ଥାର ଓ୍ବେବସାଇଟ ମଧ୍ୟ ଅଚଳ ହୋଇଛି । ତେବେ ଜମାକାରୀମାନଙ୍କ ଜମାରାଶି ନିରାପଦ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ଋଷ ଉପରେ ଦୋଷ ଦେଇଛି ୟୁକ୍ରେନ ।

ସେପଟେ ପୂର୍ବ ୟୁକ୍ରେନର ଦୁଇଟି ବିବାଦୀୟ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତା ଅର୍ପଣ କରିଛି ସଂସଦ । ଏହି ଦୁଇ ଅଞ୍ଚଳ  ହେଉଛି ପୂର୍ବ ୟୁକ୍ରେନ ଅନ୍ତର୍ଗତ ଦୋନେତସ୍କ ଓ ଲୁହାନସ୍କ । ଦୋନେତସ୍କ ଓ ଲୁହାନସ୍କର ବିଦ୍ରୋହୀ ଶକ୍ତିଙ୍କୁ ଋଷ ଦୀର୍ଘ ବର୍ଷ ଧରି ସହାୟତା କରିଆସୁଥିବାବେଳେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସୈନ୍ୟ ଓ ବିଦ୍ରୋହୀ ଶକ୍ତିଙ୍କ ମଧ୍ୟରେ ସଂଘର୍ଷରେ ପ୍ରାଣ ହରାଇଲେଣି ୧୫ ହଜାରରୁ ଅଧିକ ଲୋକ । ଋଷର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା । ସଂସଦର ଏହି ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଅଧିକ ତିକ୍ତତା ସୃଷ୍ଟି କରିବ ବୋଲି ସେ କହିଛନ୍ତି ।

ବୋରିଗୁମା ବ୍ଲକରେ ନିର୍ବାଚନୀ ହିଂସା, ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ

ବୋରିଗୁମା: ବୋରିଗୁମା ବ୍ଲକରେ ନିର୍ବାଚନ ହିଂସା । ମନ୍ତ୍ରୀଙ୍କ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ । ବିଜେପି କର୍ମୀଙ୍କ ଠେଙ୍ଗା ମାଡରେ ନରେନ୍ଦ୍ର ବିଶୋଇ ଗୁରୁତର ଆହତ ହୋଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ବେଳେ ବୋରିଗୁମ୍ମା ବ୍ଲକ ସସହାଣ୍ଡି ପଞ୍ଚାୟତରେ ୫ ନମ୍ବର ବୁଥରେ ଥିବାବେଳେ ବିଜେପି କର୍ମୀ ଅତର୍କିତ ଆକ୍ରମଣ କରିଥିଲେ । ଯାହା ଫଳରେ ନରେନ୍ଦ୍ର ବଶୋଇଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଭାବରେ ଆହତ ହେବା ପରେ ନରେନ୍ଦ୍ରଙ୍କୁ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସାଲେପୁରରେ ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼, ପତ୍ନୀ ଗୁରୁତର

ସାଲେପୁର: ସାଲେପୁରରେ ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ଼ । ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ଆତ୍ମାର ସଭାପତି ପ୍ରାର୍ଥୀ ଦିଲୀପ କୁମାର ଦାଶଙ୍କ ଶିଶୁଆ ସ୍ଥିତ ବାସଭବନ ଉପରକୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଦିଲୀପ ଗତକାଲି ନିଜ ପଞ୍ଚାୟତରେ ଏକ ୱାର୍ଡରେ କୌଣସି କାର୍ଯ୍ୟରେ ଥିବାବେଳେ ଏଭଳି ଘଟଣା ଘଟିଥିଲା । ବୋମାମାଡ଼ରେ ଦିଲ୍ଲୀପଙ୍କ ପତ୍ନୀ ନିରୁପମା ପତି ଆହତ ହୋଇଛନ୍ତି । ଏନେଇ ଦିଲୀପ ସାଲେପୁର ପୋଲିସକୁ ସୂଚନା ଦେଇଛନ୍ତି । ରାଜନୈତିକ ଶତ୍ରୁତା ରଖି କିଏ ଏପରି କରିଥାଇପାରେ ବୋଲି କହିଛନ୍ତି ଦିଲୀପ । ତେବେ ଏହି ଘଟଣା ପରେ ତାଙ୍କୁ ସୁରକ୍ଷା ଦେବାକୁ କହିଛନ୍ତି ଦିଲ୍ଲୀପ ଓ ନିରୂପମା ।