ମାନସ ହତ୍ୟା ମାମଲା: ମିଳିଲା ଶର୍ମିଷ୍ଠା ଛାଡ଼ି ଯାଇଥିବା ମୋବାଇଲ୍  

ଭୁବନେଶ୍ବର: କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚଳର ତନାଘନା ଜାରି । ସ୍କାଏ ଟାଓ୍ବାରରେ ତାଲା ଭାଙ୍ଗି ହତ୍ୟା ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତଙ୍କୁ ଧରି ପଶିଲେ ତଦନ୍ତକାରୀ ଟିମ । ଫ୍ଲାଟରେ ହେଲା ସିନ୍ ରିକ୍ରିଏସନ୍ । ମାନସଙ୍କୁ ହତ୍ୟା କରି ପୋତିବା ପରେ ଫେରାର ହେବା ପୂର୍ବରୁ ଏହି ଫ୍ଲାଟରେ ଶର୍ମିଷ୍ଠା ଛାଡି ଯାଇଥିଲେ ମୋବାଇଲ୍ । ଯାଞ୍ଚ ବେଳେ ଫ୍ଲାଟରୁ ତଦନ୍ତକାରୀ ଟିମ୍ ମୋବାଇଲଟି ଜବତ କରିଛନ୍ତି । କ୍ରାଇମ ସିନ୍ ରିକ୍ରିଏସନ ବେଳେ ଆଜି ବି କାନ୍ଦି ପକାଇଥିଲେ ଶର୍ମିଷ୍ଠା । ପରେ ମାନସ ରହୁଥିବା ଭଡା ଘରକୁ ଶର୍ମିଷ୍ଠାଙ୍କୁ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଠାରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭାବନା ରହିଛି ।

ପୂର୍ବରୁ ‘ସମ୍ପୂର୍ଣ୍ଣ’ ଅଫିସରେ କରାଯାଇଥିଲା ସିନ ରିକ୍ରିଏସନ । ଉଭୟ ଶର୍ମିଷ୍ଠା ଓ ନିରଞ୍ଜନ ଅଫିସରେ ଦେଖାଇଥିଲେ କ୍ରାଇମ ବେଳର ଡେମୋ । ସିନ୍ ରିକ୍ରିଏସନ୍ ପରେ  ନିରଞ୍ଜନଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳଳୟକୁ ପଠାଇଦିଆଯାଇଛି ।

ସେପଟେ ଜେରା ବେଳେ ମୁହଁ ଖୋଲିଛି ଅଭିଯୁକ୍ତ ନିରଞ୍ଜନ ସେଠୀ । ଶର୍ମିଷ୍ଠା ଫେରାର କରିବା ଲାଗି ୧୦ ହଜାର ଟଙ୍କା ଦେଇଥିଲା ନିରଞ୍ଜନ । ଖାଲି ଟଙ୍କା ଦେଇ ନଥିଲା, ଫେରାର ହେବାକୁ ଗାଡି ମଧ୍ୟ ଯୋଗାଡ କରିଦେଇଥିଲା । ସେହି ଗାଡିରେ ଶର୍ମିଷ୍ଠା ଯାଜପୁର ସ୍ଥିତ କକିଆପାଣି ନିଜ ଶାଶୂ ଘରକୁ ଯାଇଥିଲେ । ମାନସକୁ ଆପହରଣ କରିବା ପରେ ପ୍ରଥମେ ଦୟାଲ ଆଶ୍ରମକୁ ନିଆଯାଇଥିଲା । ତା’ପରେ ତାକୁ ସମ୍ପୂର୍ଣ୍ଣ ଅଫିସକୁ ବି ଅଣାଯାଇ ଥିବା କହିଛି ନିରଞ୍ଜନ ।

ଆଜି ସରୁଛି ଶର୍ମିଷ୍ଠା, ଝୁନା, ନିରଞ୍ଜନ ଓ ରଞ୍ଜନଙ୍କ 5 ଦିନିଆ ରିମାଣ୍ଡ । ତେବେ ରିମାଣ୍ଡର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଫେବ୍ରୁଆରୀ ୭ରେ ଭଦ୍ରକରୁ ମାନସଙ୍କୁ ଅପହରଣ କରାଯାଇଥିଲା । ଅପହରଣ ପରେ ଦୟାଲ ଆଶ୍ରମରେ ଦିଆଯାଇଥିଲା ନିର୍ଯାତନା । ହତ୍ୟା ପରେ ନୟାଗଡ଼ ବଧିପାଟଣାରେ ପୋତିଥିଲେ ମାନସ ମୃତଦେହ ।

ଗିରଫଦାରୀ ଏଡାଇବାକୁ ମାର୍ଚ୍ଚ ୧୪ରେ ଝୁନା ଭୋଇଙ୍କୁ ସାଙ୍ଗରେ ଧରି ଫେରାର ହୋଇଥିଲେ ଶର୍ମିଷ୍ଠା । ମାର୍ଚ୍ଚ 28ରେ ବସରେ କୋଲକାତାରୁ ଫେରୁଥିବା ବେଳେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରିଥିଲା ପୋଲିସ । ଶର୍ମିଷ୍ଠା ଗିରଫ ହେବା ପୂର୍ବରୁ ନିରଞ୍ଜନକୁ ବାନ୍ଧିଥିଲା ପୋଲିସ । ମାନସ ହତ୍ୟା ଘଟଣାରେ ମୋଟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ।