spot_img
Home Blog Page 4522

ତୃତୀୟ ରାଉଣ୍ଡ କଥାବାର୍ତ୍ତାକୁ ନେଇ ସସପେନ୍ସ, ୟୁକ୍ରେନର ହଁ ଋଷର ନା…

କିଭ୍: ଯୁଦ୍ଧ ପ୍ରସଙ୍ଗରେ ଋଷ-ୟୁକ୍ରେନ ତୃତୀୟ ରାଉଣ୍ଡ କଥାବାର୍ତ୍ତାକୁ ନେଇ ସସପେନ୍ସ । ବେଲାଋଷରେ ଅନୁଷ୍ଠିତ ଏହି କଥାବାର୍ତ୍ତା ସଫଳ ହୋଇଛି ବୋଲି ୟୁକ୍ରେନ ଦାବି କରୁଥିବାବେଳେ ବିଫଳ ହୋଇଛି ବୋଲି ଦର୍ଶାଇଛି ଋଷ । ବିଭିନ୍ନ ସହରରେ ହଜାର ହଜାର ଲୋକ ଫସି ରହିଥିବା ଯୋଗୁ ସେମାନଙ୍କ ନିରାପତ୍ତା ଲାଗି ହ୍ୟୁମାନିଟାରିଆନ କରିଡର ପ୍ରତିଷ୍ଠା ଲାଗି ପ୍ରସ୍ତାବ ରଖିଥିଲା ୟୁକ୍ରେନ । ମାତ୍ର ଏନେଇ କୌଣସି ନିଷ୍ପତ୍ତି ହୋଇପାରି ନାହିଁ ।

How Russia Claims Georgia And Crimea And Now Ukraine War

ଋଷର ମଧ୍ୟସ୍ଥି ଭ୍ଲାଦିମିର ମେଦିନସ୍କି କହିଛନ୍ତି- ବୈଠକରେ ଋଷ ଯାହା ଆଶା କରୁଥିଲା ତାହା ଘଟିଲା ନାହିଁ । ପରବର୍ତ୍ତୀ ସମୟରେ ଋଷ ଏନେଇ ଚିନ୍ତା କରିବ । ତେବେ ୟୁକ୍ରେନ ପ୍ରତିନିଧି ମିଖାଇଲୋ ପୋଦଲ୍ୟାକ କହିଛନ୍ତି- ବୈଠକରୁ କିଛି ସୁଫଳ ମିଳିଛି । ଗତକାଲି କିବ୍, ମାରିୟୁପୋଲ, ଖାର୍କିବ ଓ ସୁମିରେ ହ୍ୟୁମାନିଟାରିଆନ କରିଡର ପ୍ରତିଷ୍ଠା ନିମନ୍ତେ ଋଷର ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲା ୟୁକ୍ରେନ । ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲେ ଲୋକମାନେ ନିରାପଦରେ ଋଷ ଓ ବେଲାଋଷ ଚାଲିଯାଇପାରିଥାନ୍ତେ ।

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ମୁଖପାତ୍ର କହିଛନ୍ତି- ଲୋକଙ୍କୁ ଅଧିକ ଦୁର୍ଦ୍ଦଶା ଘେରକୁ ଠେଲି ଦେବା ଲାଗି ଋଷ ଯୋଜନା କରୁଛି । ନ୍ୟାସନାଲ ବାଟାଲିୟନର କମାଣ୍ଡରଙ୍କ ସହ ସୁମିର ମେୟର ଆଲେକଜାଣ୍ଡାର ଲିସେଙ୍କୋ କରିଛନ୍ତି ଭିନ୍ନ ଘୋଷଣା । ସୁମିରେ ଗ୍ରୀନ କରିଡର ପ୍ରତିଷ୍ଠା ହେବ ନାହିଁ ଏବଂ କୌଣସି ଲୋକଙ୍କୁ ବି ଋଷ ଯିବାକୁ ଅନୁମତି ଦିଆଯିବ ନାହିଁ । ଯଦି କେହି ଋଷ ଯିବାକୁ ଚାହାନ୍ତି ତେବେ ତାଙ୍କୁ ଗୁଳି କରିଦିଆଯିବ । ତେଣେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ବର୍ତ୍ତମାନ ୟୁରୋପରେ ସବୁଠାରୁ ବଡ ଶରଣାର୍ଥୀ ସମସ୍ୟା ଦେଖାଦେଇଛି ଏବଂ ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷ ନାଗରିକ ୟୁକ୍ରେନ ଛାଡିଲେଣି ବୋଲି କହିଛି ଜାତିସଂଘ । ଇତିମଧ୍ୟରେ ଋଷ ସହ ସମ୍ପର୍କ ଛିନ୍ନ କରିଛନ୍ତି ନେଟଫ୍ଲିକ୍ସ, ଟିକଟକ, ସାମସଙ୍ଗ ଓ କ୍ରେଡିଟକାର୍ଡ ।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିନ ପାଳନ କରାଯାଏ । ଏହାଛଡ଼ା ମହିଳାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ଆଜି ଦିନର  ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମେ ଆମେରିକାରେ ୨୮ ଫେବୃଆରୀ ୧୯୦୯ରେ ଏହି ଦିନକୁ ମହିଳା ଦିବସ ଭାବରେ ପାଳନ କରାଯାଉଥିଲା । ସେତେବେଳେ ଏହା କେବଳ ଆମେରିକାରେ ହିଁ ସୀମିତ ଥିଲା । ଏହାପରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା । ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା । ୧୯୧୭ ମସିହାରେ ସୋଭିଏତ୍ ୟୁନିଅନ୍ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିଥିଲା । ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଅନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କରିଥିଲା ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ମହିଳା ଦିବସ ଉପଲକ୍ଷେ କଳାକୃତି ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀ । ସେପଟେ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ପୁରୀ ଲାଇଟ ହାଉସ ବେଳାଭୂମିରେ ମହିଳା ଦିବସ ଅବସରରେ କଳାକୃତି ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି ।

ଡ୍ରାଇଭିଂ ଲାଇସେନ୍ସ ନେବାରେ ଓଡ଼ିଶାର ମହିଳାଙ୍କ ସଂଖ୍ୟା ସର୍ବାଧିକ

କଟକ : ଆତ୍ମନିର୍ଭର ହେଉଛନ୍ତି ମହିଳା । ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶାରେ ଡ୍ରାଇଭିଂ ଲାଇସେନ୍ସ ନେବାରେ ମହିଳାଙ୍କ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ହୋଇଛି । ଗତ ୨୦୧୭ରେ ୨୫ ହଜାର ୮୬ ଜଣ ମହିଳା ସାରା ରାଜ୍ୟରେ ଡ୍ରାଇଭିଂ ଲାଇସେନ୍‌ସ ପାଇଥିଲେ । ୨୦୨୧ ଏହି ସଂଖ୍ୟା ବୃଦ୍ଧି ପାଇ ୩୩୬୬୬ ହୋଇଛି।

ଯଦିଓ ୨୦୧୯ ଏବଂ ୨୦୨୦ରେ ଏହି ସଂଖ୍ୟା ହ୍ରାସ ପାଇଛି । ୨୦୨୦ରେ ମହିଳା ଡ୍ରାଇଭିଂ ଲାଇସେନସଧାରୀଙ୍କ ସଂଖ୍ୟା ୩୬ ହଜାର ଥିଲା । ଅନ୍ୟ ରାଜ୍ୟ ତୁଳନାରେ ଏହି ସଂଖ୍ୟା ଓଡ଼ିଶା‌ରେ ଅଧିକ ରହିଛି ବୋଲି ସଡକ ସୁରକ୍ଷା ଯୁଗ୍ମ କମିସନର ସଂଜୟ ବି‌ଶ୍ୱାଳ କହିଛନ୍ତି । ସେ କହିଛନ୍ତି ଯେ,, ସମାଜରେ ଅଧିକରୁ ଅଧିକ ମହିଳା ଆଗକୁ ଆସିବା ଏବଂ ଡ୍ରାଇଭିଂ ଲାଇସେନ୍ସ ନେବାକୁ ଉତ୍ସାହିତ କରାଯିବା ଆବଶ୍ୟକ। ମହିଳାମାନେ ଗାଡ଼ି ଚଳାଇବା ଶିଖିବା ଦ୍ୱାରା ଆତ୍ମବିଶ୍ୱାସ ଲାଭ କରନ୍ତି । ସେମାନଙ୍କ ଦୈନନ୍ଦିନ ଯାତ୍ରା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ ତେଣୁ ଏଭଳି ପରିସ୍ଥିତିରେ ଏହାକୁ ଉତ୍ସାହଜନକ ଭାବେ ଗ୍ରହଣ କରାଯାଉଛି । ମହିଳାମାନଙ୍କୁ ସଶକ୍ତୀକରଣ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପରିବହନ ବିଭାଗ ଓ ଓଡ଼ିଶା ସରକାର ମହିଳାମାନଙ୍କୁ ଡ୍ରାଇଭିଂ ତାଲିମ ଦେଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଡ୍ରାଇଭିଂ ଟ୍ରେନିଂ ସ୍କୁଲ, ଭୁବନେଶ୍ୱର ଓ ଡ୍ରାଇଭିଂ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଡିଟିଆଇ, ଛତିଆରେ ମହିଳାମାନଙ୍କୁ ମାଗଣାରେ ତାଲିମ ପ୍ରଦାନ କରାଯାଉଛି। ଭୁବନେଶ୍ୱରରେ ୨୫ ଜଣ ମହିଳା ପ୍ରଶିକ୍ଷକଙ୍କଠାରୁ ବର୍ତ୍ତମାନ ୯୦ଜଣ ମହିଳା ପ୍ରଶିକ୍ଷଣ ନେଇଛନ୍ତି। ଛତିଆ ଏଚଏମଭି, ଡିଟିଆଇରେ ମହିଳାଙ୍କ ନାମ କ୍ରମାଗତ ବୃଦ୍ଧି ପାଇଛି। ଗତ ୩ରୁ ୪ବର୍ଷ ଭିତରେ ୬୦ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ କେତେକ ପ୍ରଶିକ୍ଷଣ ନେଇ ଏବେ ଚାକିରି ବି କରୁଛନ୍ତି।

ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନରେ ଆଗରେ ସର୍ତ୍ତ ରଖିଲା ଋଷ, ନିରପେକ୍ଷ ଓ ସ୍ୱତନ୍ତ୍ର ହୋଇ ରହିବାକୁ ଋଷର ଦାବି

କିଭ୍: ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି । ଋଷର ଘନଘନ ଆକ୍ରମଣରେ ୟୁକ୍ରେନ ବରବାଦ୍‌ ହେବାକୁ ବସିଥିବା ବେଳେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । ଏପଟେ ଯୁଦ୍ଧରେ ବିରାମ ଲଗାଇବାକୁ ବେଲାଋଷ ଓ ପୋଲାଣ୍ଡ ସୀମାରେ ଆଲୋଚନା ଚାଲିଛି । ସେପଟେ ୟୁକ୍ରେନ ଆଗରେ ସର୍ତ୍ତ ରଖିଛି ଋଷ । ୟୁକ୍ରେନ ଏହି ସର୍ତ୍ତ ମାନିଲେ ଋଷ ଆକ୍ରମଣ ବନ୍ଦ କରିବ କହିଛି । ଦୀର୍ଘ ୧୩ ଦିନ ଭିତରେ ଋଷ ଯୁଦ୍ଧ ବନ୍ଦ କରିବା ପାଇଁ ନିଜ ଆଡ଼ୁ ଏପରି ସର୍ତ୍ତ ଉପସ୍ଥାପନ କରିବା ବେଶ ଗୁରୁତ୍ୱବହନ କରୁଛି । ଋଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନରେ ସାମାରିକ ଦମନ ଲୀଳା ବନ୍ଦ କରିବାକୁ ଚାହୁଁଛୁ । କିନ୍ତୁ ୟୁକ୍ରେନ ବାଧା ଉପୁଜାଉଛି । ୟୁକ୍ରେନ ଋଷ୍‌ ବିରୋଧରେ ଅସ୍ତ୍ର ବ୍ୟବହାର କରୁଛି । ସେମାନେ ପ୍ରଥମେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ କେହି ବି ଆକ୍ରମଣ କରିବେ ନାହିଁ ।

ଋଷର ଅନ୍ୟତମ ସର୍ତ୍ତ ହେଉଛି ୟୁକ୍ରେନ ସବୁବେଳେ ନିରପେକ୍ଷ ଓ ସ୍ୱତନ୍ତ୍ର ହୋଇ ରହୁ । ୟୁକ୍ରେନ ସରକାର ସମ୍ବିଧାନରେ ସଂଶୋଧନ କରି କୌଣସି ଅନ୍ତର୍ଜାତୀୟ ସମୂହରେ କିଭ୍‌ ସାମିଲ ହେବ ନାହିଁ ବୋଲି ବ୍ୟବସ୍ଥା କରନ୍ତୁ ବୋଲି ଋଷ ଦାବି କରିଛି । ସେପଟେ ଋଷ ଓ ୟୁକ୍ରେନ ମଧ୍ୟରେ ତୁର୍କି ମଧ୍ୟସ୍ଥତା କରିବ ବୋଲି ଜଣାପଡ଼ିଛି । ଦୁଇ ଦେଶଙ୍କ ଶୀର୍ଷ କୂଟନୈତିକ ସ୍ତରୀୟ ବୈଠକ ମାର୍ଚ୍ଚ ୧୦ରେ ଅନୁଷ୍ଠିତ ହେବ । ଋଷ ଓ ୟୁକ୍ରେନ ମଧ୍ୟରେ ଏହି ବୈଠକ ନେଇ ତୁର୍କି ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି । ତୁର୍କିର ଉପକୂଳ ସହର ଆଣ୍ଟାଲ୍ୟାରେ ଏହି ବୈଠକ ହେବ । ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ଏପରି ଭାବେ ପ୍ରଥମ ବୈଠକ ଅନୁଷ୍ଠିତ ହେବ ।

ସରିଲା ପୌର ନିର୍ବାଚନ ପାଇଁ ନାମାଙ୍କନ, ଆଜିଠୁ ଜମିବ ପ୍ରଚାର

ଭୁବନେଶ୍ୱର: ସରିଲା ପୌର ନିର୍ବାଚନ ପାଇଁ ନାମାଙ୍କନ । ଆସନ୍ତାକାଲି ହେବ ପ୍ରାର୍ଥିପତ୍ର ଯାଞ୍ଚ । ୧୪ରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ପ୍ରାର୍ଥିପତ୍ର ଦାଖଲ ପରେ ଏବେ ମଇଦାନରେ ଆରମ୍ଭ ହେଲାଣି ପାଗଭିଡ଼ା । ଗତକାଲି ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ ଆଜିଠୁ ଜମିବ ପୌର ପ୍ରଚାର । ପୌରାଞ୍ଚଳ ଦଖଲ କରିବାକୁ ସବୁ ଦଳର ରଣନୀତି । ସହରରେ ହେବ ସମରସଜ୍ଜା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆନୂଆ ରଣନୀତି କରିବେ ରାଜନୈତିକ ଦଳ ।

ଚଳିତ ଥର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ୧୮୯୯ ଓ୍ବାର୍ଡର ୪ ହଜାର ୪୭୫ ବୁଥରେ ଆସନ୍ତା ୨୪ ତାରିଖରେ ହେବ ନିର୍ବାଚନ । ପୌର ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ ଥିବା ବେଳେ ପ୍ରଚାର ମଇଦାନରେ ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସପକ୍ଷରେ ମାଗିବେ ଭୋଟ୍ । ଏଥର ମେୟର ଓ ଅଧ୍ୟକ୍ଷ ପଦ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ଏଣୁ ଏହା ଉପରେ ସମସ୍ତଙ୍କର ନଜର ରହିଛି ।

କଳାହାଣ୍ଡି କଲେଜ ଅଧ୍ୟକ୍ଷଙ୍କ ୫କୋଟିରୁ ଅଧିକ ସମ୍ପତ୍ତି ଜବତ କଲାଣି ଭିଜିଲାନ୍ସ

କଳାହାଣ୍ଡି: କଲେଜ ଅଧ୍ୟକ୍ଷଙ୍କ ପୁଳାପୁଳା ସମ୍ପତ୍ତି । କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁରର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସର ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ କରାଯାଇଥିଲା ରେଡ୍ । ଚଢାଉ ବେଳେ ୧ଲକ୍ଷ ୯୪ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି । ମୋଟ୍ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ।

ଏଥିରେ ଦାମୀକାର, ଟ୍ରକ, ଜେସିବି ସହ ରାଜ୍ୟର ବିଭିନ୍ନ ସ୍ଥାରେ ୨୭ଟି ପ୍ଲଟ୍ ଓ ଅନେକ ଗୁଡିଏ ଫ୍ଲାଟ ରହିଛି । କଲେଜରେ ଆର୍ଥିକ ଅନିୟମିତତା ଓ ଟଙ୍କା ହେରଫେର ଅଭିଯୋଗ ରହିଛି ପ୍ରିନ୍ସିପାଲଙ୍କ ନାଁରେ । ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ପିଅନ ଚାକିରି ପାଇଁ ଲାଞ୍ଚ ନେବା ଅଭିଯୋଗରେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ଏହା ସହିତ ସୁଇପର ଚାକିରି ଦେବାକୁ ଲକ୍ଷେ ୭୦ ହଜାର ଲାଞ୍ଚ ନେଇଥିବା ନେଇ ମଧ୍ୟ ମାମଲା ରହିଛି । ପୂର୍ବରୁ ଅଧ୍ୟକ୍ଷ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ୨୦୨୧ରେ ଉପଜିଲ୍ଲାପାଳଙ୍କ ଆଦେଶ ପରେ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇ କଲେଜରେ ଆର୍ଥିକ ଅନିୟମିତତାର ତଦନ୍ତ ହୋଇଥିଲା । ସେହିଦିନ ଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତ୍ତି ଭିଜିଲାନ୍ସ ସ୍କାନରରେ ରହିଥିଲା ।

ଏଥିସହିତ ପଢ଼ନ୍ତୁ: ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣଙ୍କ ନାମାଙ୍କନ ଦାଖଲ

ଅସାମାଜିକ ତତ୍ତ୍ୱଙ୍କୁ ସାବାଡ଼ କରିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ପୌର ନିର୍ବାଚନ ପରିଚାଳନା ଓ ଅସାମାଜିକ ତତ୍ତ୍ୱଙ୍କୁ ସଜାଡ଼ିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । କେଉଁଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ତ ଆଉ କେଉଁଠି ନିଶାଡିଙ୍କୁ ହଟାଇବାକୁ ଚାଲିଛି ପ୍ରୟାସ । ଆଜି ଲୟଲା ସ୍କୁଲ ନିକଟରୁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ଆଡିସନାଲ ଡିସିପି, ସମସ୍ତ ଏସିପି ଓ ଥାନାଧିକାରୀ ସାଲିଆ ସାହି ଭିତରେ ପଇଁତରା ମାରିଥିଲେ ।

ରାସ୍ତାଘାଟରେ ଅଯଥା ଭିଡ଼ ନଜମାଇବାକୁ ଲୋକଙ୍କୁ ବୁଝାଇଥିଲେ । ସେହିପରି ଖଟି ନକରି ନିଜ ନିଜ ଘରେ ରହିବାକୁ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ପୋଲିସର ଏହି ଭଳି କାର୍ଯ୍ୟକଳାପ ଜାରି ରହିବ ବୋଲି କହିଛନ୍ତି ପୋଲିସ ଡିସିପି ।

ସୂଚନା ଯୋଗ୍ୟ ଯେ, ପୌର ନିର୍ବାଚନକୁ ନଜରରେ ରଖି ପୋଲିସର କିଛି ଦିନ ପୂର୍ବରୁ ହିଁ ଧରପଗଡ଼ ଆରମ୍ଭ କରିଦେଇଛି । ରାସ୍ତା ଉପରେ ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରର ଖୋଲା ସ୍ଥାନରେ ମଦ୍ୟପାନ ଓ ବିଭିନ୍ନ ଖଟିରେ ଚଢ଼ାଉ କରି ପ୍ରାୟ ୨୦୦ ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ୬୮ ଖଟିରେ ଚଢ଼ାଉ କରି ୧୨ ଖଟିକୁ ଭାଙ୍ଗିଲା ପୋଲିସ । ଖଟି କରୁଥିବା ୯୨ ଜଣଙ୍କ ଠାରୁ ୫୦୦ ଟଙ୍କା ଲେଖିଏ ଜରିମାନା ଆଦାୟ କରିଛି ପୋଲିସ । ନିର୍ବାଚନ ସମୟରେ କୌଣସି ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣଙ୍କ ନାମାଙ୍କନ ଦାଖଲ

ଶ୍ରୀକ୍ଷେତ୍ରରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନେଇ NMA ଏନଓସି ଦେଇଥିବା ସ୍ପଷ୍ଟ କଲେ ଜିଲ୍ଲାପାଳ

ପୁରୀ: ୨୦୨୩ ମସିହା ରଥଯାତ୍ରା ପୂର୍ବରୁ ଐତିହ୍ୟ କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି  । କିନ୍ତୁ ବିଭିନ୍ନ ସମୟରେ ପ୍ରକଳ୍ପ ପାଇଁ ଏନଓସି ନଥିବା ଅଭିଯୋଗ କରି ବାଧା ସୃଷ୍ଟି କରାଯାଉଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗନାଲ ମିଳିଛି  । ଏବେ ପୁଣି କେଁ ପୂରାଇଥିବାକୁ ନେଇ ଜବାବ ରଖିଛନ୍ତି ଜିଲ୍ଲାପାଳ  । ଶ୍ରୀମନ୍ଦିର ଐତିହ୍ୟ କରିଡରରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ନେଇ ଏନଏମଏର ଏନଓସି ପାଇଥିବା ସ୍ପଷ୍ଠ କରିଛନ୍ତି ପୁରୀ ଜିଲ୍ଲାପାଳ  । ନିର୍ମାଣକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱକୁ ଖଣ୍ଡନ କରିଛନ୍ତି  । ସେପଟେ ଶ୍ରୀଜଗନ୍ନାଥ କ୍ଷେତ୍ରର ବିକାଶରେ ବିରୋଧ ଯୁକ୍ତିଯୁକ୍ତ ନୁହଁ ବୋଲି ବୁଦ୍ଧିଜୀବୀ ମହଲ କହିଛି  ।

ଶ୍ରୀମନ୍ଦିର ବିକାଶରେ କିଏ ଶତ୍ରୁ ? ବଡ଼ଦେଉଳ ବିକାଶ କାର୍ଯ୍ୟରେ ବାଧା ଦେଉଥିବା କିଏ ସେହି କଳାପାହାଡ଼ ? ଶ୍ରୀକ୍ଷେତ୍ର ଶିରି ବଢୁଥିବାରୁ ଅସହିଷ୍ଣୁ କି ? ଏନଓସି ସତ୍ତ୍ବେ କାହିଁକି ଓ କାହା ସ୍ବାର୍ଥରେ ପ୍ରକଳ୍ପକୁ ଅଟକାଇକୁ ଚେଷ୍ଟା କରାଯାଉଛି ? ସରକାରଙ୍କ ସୁପରପ୍ଲାନରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି  । ୨୦୨୩ ରଥଯାତ୍ରା ଡେଡଲାଇନ। କିନ୍ତୁ ଏହା ଭିତରେ ବାରମ୍ବାର ଆଇନଗତ ପ୍ରଶ୍ନ ଉଠାଇ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଛି । ଯେଉଁଥିପାଇଁ ପୂର୍ବରୁ ମଧ୍ୟ ତିନି ତିନି ଥର ବିବାଦ ହୋଇ ସମାଧାନ ହୋଇଛି  । ୨୦୨୧ ଫେବ୍ରୁଆରୀ ୮ ତାରିଖରେ ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଏନଏମଏ ନୋଟିଫିକେସନ ହଟାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ  । ସେହିପରି ସୁପ୍ରିମକୋର୍ଟର ଏକ ମାମଲାରେ ଶୁଣାଣି କରି ଶ୍ରୀଜଗନ୍ନାଥ ମନ୍ଦିର କରିଡର ବିକାଶ ପ୍ରକଳ୍ପକୁ ଗ୍ରୀନ ସିଗନାଲ ଦେଇଥିଲେ  । ଏତେସବୁ ସତ୍ତ୍ବେ ପୁଣି ଥରେ କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠି ଏହାକୁ ପ୍ରସଙ୍ଗ କରୁଛନ୍ତି  ।

ଯାହାକୁ ଖଣ୍ଡନ କରିଛନ୍ତି ପୁରୀ ଜିଲ୍ଲାପାଳ  । ଏନଏମଏ ପକ୍ଷରୁ  NOC ପ୍ରଦାନ କରାଯାଇଥିବା ନେଇ ସ୍ପଷ୍ଠ କରିଛନ୍ତି ଜିଲ୍ଲାପାଳ  । ସାଧାରଣ ଭକ୍ତ,ସେବାୟତଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ସୁରକ୍ଷା କରିଡର ମଧ୍ୟରେ ଟଏଲେଟ, କ୍ଲକ ରୁମ, ଇଲେକଟ୍ରିକାଲ ରୁମ ଆଦି ନିର୍ମାଣ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ  । ଏପରିକି ଆମସାର ଆକ୍ଟ ଅନୁଯାୟୀ ନିଷିଦ୍ଧାଞ୍ଚଳରେ ଏ ସମସ୍ତ କାମ କରାଯାଉଥିବା ବେଳେ ASI ଡିଜି କାର୍ଯ୍ୟର ତଦାରଖ କରି ଖୁସି ବ୍ୟକ୍ତ କରିଛନ୍ତି  । ନିର୍ମାଣ କାର୍ଯ୍ୟକୁ ନେଇ ଉପୁଜିଥିବା ଚର୍ଚ୍ଚାକୁ ଖଣ୍ଡନ କରାଯାଇଥିବା ବେଳେ ସେବାୟତ ମାନେ ଏହାକୁ ସ୍ବାଗତ କରିଛନ୍ତି |

ଶ୍ରୀମନ୍ଦିର ଚତୁଃର୍ପାଶ୍ୱରେ କରାଯାଉଥିବା ବିକାଶ ମୂଳକ କାର୍ଯ୍ୟକୁ ନେଇ ଉଠିଥିବା ଦ୍ୱନ୍ଦ୍ୱର ସମାଧାନ କରାଯିବା ଉଚିତ  । କାର୍ଯ୍ୟ ସମ୍ପର୍କରେ ଅବଗତ ନ ହୋଇ ଏହାର ବିରୋଧ କରିବା ସମସ୍ଥଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି କହିଛନ୍ତି ବୁଦ୍ଧିଜୀବୀ  ।  ଶ୍ରୀମନ୍ଦିର ସୁରକ୍ଷା ଓ ଭକ୍ତଙ୍କ ସୁବିଧାକୁ ନେଇ ଏହି ନିର୍ମାଣ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଇ ପାରିଲେ ଏହା ସମସ୍ଥଙ୍କ ପାଇଁ ମଙ୍ଗଳ ହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି  । ୨୦୨୧ ଫେବ୍ରୁଆରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ଗସ୍ତ କରି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ  । କହିଥିଲେ, ଶ୍ରୀଜଗନ୍ନାଥଙ୍କ କାମ କୌଣସି କେବେ ବି ଅଟକିବନି  । ଏନଓସି ମିଳିଛି, ତଥାପି କାହିଁକି ପ୍ରକଳ୍ପର କାର୍ଯ୍ୟରେ ବାଧା ସୃଷ୍ଟି କରାଯାଉଛି ଏ ସସପେନ୍ସରୁ ବି ପରଦା ହଟିବା ହଟିବା ଦରକାର  ।

ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣଙ୍କ ନାମାଙ୍କନ ଦାଖଲ

ରାଜ୍ୟର ୧୦୯ଟି ପୌରାଞ୍ଚଳରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି  । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପଟୁଆରରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି  । ଆଜି ଶେଶଦିନରେ ଯାଜପୁର, ବାଲେଶ୍ବର ଏବଂ ଜୟପୁରରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅନେକ ହେଭିଓ୍ବେଟ ନାମାଙ୍କନ ଭରିଛନ୍ତି  । ସମସ୍ତ ପୌରାଞ୍ଚଳରେ ଖରାର ତାତିଠାରୁ ରାଜନୈତିକ ତାତି ବେଶି ଅନଭୂତ ହୋଇଥିଲା । ସାରା ରାଜ୍ୟରେ ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣ ଓ କାଉନସିଲର ଏବଂ କର୍ପୋରେଟର ଆସନ ପାଇଁ ୬୪୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଶେଷ ହେଲା ପୌର ନିର୍ବାଚନ ପାଇଁ ନାମାଙ୍କନ । ପ୍ରାର୍ଥିପତ୍ର ଦାଖଲେ କଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଖରାକୁ ଖାତିର ନକରି ବିରାଟ ବିରାଟ ପଟୁଆରରେ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରୋଡ୍‌ ଶୋ ବେଳେ ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ  । ବାଲେଶ୍ବର ପୌର ପରିଷଦ ଅଧ୍ୟକ୍ଷ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ଭରିଛନ୍ତି ସବିତା ସାହୁ । ଭଦ୍ରକ ପୌର ପାଳିକା ପାଇଁ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ସମିତା ମିଶ୍ର ବି ଶେଷଦିନରେ ନାମାଙ୍କନ କରିଛନ୍ତି । ଯାଜପୁର ପୌର ପାଳିକାର ୧୮ଟି ୱାର୍ଡ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡି ପକ୍ଷରୁ ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ରଞ୍ଜୁଲତା ହୋତା ନାମଙ୍କନ ଭରିଛନ୍ତି  । କାଳୀମେଘାଠାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ପଟୁଆରରେ ଯାଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସଙ୍ଗୀତା ପିଙ୍ଗୁଆ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସୁନ୍ଦରଗଡ଼ ମୁନିସିପାଲଟି ପାଇଁ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ରଞ୍ଜନା ପଣ୍ଡା ନାମାଙ୍କନ କରିଛନ୍ତି ।

ଜୟପୁର ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ସୂର୍ଯ୍ୟ ନାରାୟଣ ରଥ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ପାଇଁ ବିଜେଡି ପକ୍ଷରୁ ଭୀମ ହରିଜନ ନାମାଙ୍କନ ଭରିଛନ୍ତି । ଏହି ପୌର ପରିଷଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ବି ପ୍ରାର୍ଥୀ ପଟୁଆରେ ୟାଇ ନାମାଙ୍କନ କରିଛନ୍ତି ।  ଢେଙ୍କାନାଳ ଭୁବନରେ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଶୁଭେନ୍ଦୁ ସାହୁ ନୋମିନେସନ କରିଛନ୍ତି  । ବିଜେଡି, କଂଗ୍ରେସ ଓ ବିଜେପି ସହ ଅନ୍ୟ ଦଳ ଏବଂ ସ୍ବାଧୀନ କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ତଥା ମେୟର ପ୍ରାର୍ଥୀମାନେ ନାମଙ୍କନ ଭରିଛନ୍ତି ।

ExitPoll: ୟୁପିରେ ବିଜେପି ସପକ୍ଷରେ ମତ, ଅସ୍ପଷ୍ଟ ଉତ୍ତରାଖଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଆସିଲା ୫ ରାଜ୍ୟର ଏକଜିଟ ପୋଲ ରେଜଲ୍ଟ । ଉତ୍ତରପ୍ରଦେଶରେ ପୁଣି ସରକାର ଗଠନ କରିପାରେ ବିଜେପି ।  ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିଲା ଏକଜିଟ ପୋଲରୁ ସ୍ପଷ୍ଟ ହେବାରେ ଲାଗିଛି ସରକାର ଗଠନର ଚିତ୍ର । ୪୦୩ ଆସନ ବିଶିଷ୍ଟ ବିଧାନସଭାରେ ପୁଣି ରାଜ୍ କରିପାରନ୍ତି ଯୋଗୀ ଆଦିତ୍ୟନାଥ । ହୋଇଥିବା ଏକଜିଟ ପୋଲର ହାରାହାରି ରିପୋର୍ଟ ଅନୁସାରେ ବିଜେପିକୁ ମିଳିପାରେ ୨୩୧ ଆସନ । କଡ଼ା ଟକ୍କରର ସମ୍ମୁଖୀନ ହୋଇଥିବା ସମାଜବାଦୀ ପାର୍ଟିକୁ ମିଳିପାରେ ୧୫୧ ଆସନ । ବିଏସପିକୁ ମିଳିବ ୧୭ଟି ଆସନ । କଂଗ୍ରେସ ମାତ୍ର ୪ ଆସନରେ ରହିବ ସନ୍ତୁଷ୍ଟ ।

ସେପଟେ ୭୦ ଆସନ ବିଶିଷ୍ଟ ଉତ୍ତରାଖଣ୍ଡରେ ହୋଇପାରେ ଝୁଲା ବିଧାନସଭା । ହାରାହାରି ଆକଳନ ଅନୁସାରେ ସରକାରରେ ଥିବା ବିଜେପିକୁ ୩୪ ଆସନ ମିଳିବ । କଂଗ୍ରେସକୁ ୩୨ ଓ ଆପକୁ ଗୋଟିଏ ଆସନ ମିଳିପାରେ । ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ସରକାର ଗଠନ କରିପାରେ ଆପ୍ । କଂଗ୍ରେସ ହରାଇପାରେ ଶାସନ । ହରାହାରି ସର୍ଭେରେ ଆପକୁ ମିଳିପାରେ ୬୭ ଆସନ । ବିଜେପିକୁ ୪, କଂଗ୍ରେସକୁ ୨୫ ଓ ଅକାଳୀ ଦଳ ମେଣ୍ଟକୁ ମିଳିବ ୨୧ ଆସନ ।

୪୦ ଆସନ ବିଶିଷ୍ଟ ଗୋଆରେ ବି ହୋଇପାରେ ଝୁଲା ବିଧାନସଭା । କ୍ଷମତାସୀନ ବିଜେପିକୁ ୧୬ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି । ସେହିପରି କଂଗ୍ରେସକୁ ବି ମିଳିପାରେ ୧୬ ଆସନ । ଟିଏମସିକୁ ମିଳିବ ୩ ଆସନ । ୬୦ ଆସନ ବିଶିଷ୍ଟ ମଣିପୁର ବିଧାନସଭାରେ ପୁଣି ସରକାର ଗଠନ କରିପାରେ ବିଜେପି । ବିଜେପିକୁ ମିଳିପାରେ ୩୦ ଆସନ । କଂଗ୍ରେସକୁ ୧୪ ଆସନ ମିଳିବ ବୋଲି ସର୍ଭେରେ କୁହାଯାଇଛି ।