ମମତାଙ୍କ ବିରୋଧରେ ପ୍ରଦର୍ଶନ ବେଳେ ଶୁଭେନ୍ଦୁ ଅଧିକାରୀ ଆହତ

ବୀରଭୂମ:  ପଶ୍ଚିମବଙ୍ଗର ବୀରଭୂମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରଦର୍ଶନ କରିବା ବେଳେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଆହତ । ବ୍ୟାରିକେଡରେ ଧକ୍କା ହେବା ଫଳରେ ଆହତ ହୋଇଛନ୍ତି । ବୀରଭୂମର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ରାମପୁରହାଟ ହିଂସା ମାମଲାକୁ ନେଇ ବିଜେପି ବୀରଭୂମରେ ରାଲି ଆୟୋଜନ କରିଥିଲା ।

କୁହାଯାଉଛି, ବିଜେପି ତରଫରୁ ଆଜି ‘ଆଇନ ଭଙ୍ଗ ଆନ୍ଦୋଳନ’ ଡାକରା ଦିଆଯାଇଥିଲା । ଶୁଭେନ୍ଦୁ ଅଧିକାରୀ ଏହାର ନେତୃତ୍ବ ନେଉଥିଲେ । ସିଉଡି ସର୍କିଟ ହାଉସରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯିବାର ଥିଲା । ଏଥିପାଇଁ ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା । ବିରୋଧ ଶୋଭାଯାତ୍ରା ବେଳେ ଆନ୍ଦୋଳନକାରୀ ବ୍ୟାରିକେଡ ହଟାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଶୁଭେନ୍ଦୁଙ୍କୁ ଆଘାତ ଲାଗିଥିଲା ।