spot_img
Home Blog Page 4519

ୟୁ୍କ୍ରେନ ସେନାରେ ସାମିଲ୍ ହେଲେ ରବିଚନ୍ଦ୍ରନ, ୨ ଥର ଅଗ୍ରାହ୍ୟ କରିଥିଲା ଭାରତୀୟ ସେନା

ନୂଆଦିଲ୍ଲୀ: ତାମିଲନାଡ଼ୁର ଜଣେ ୨୧ ବର୍ଷୀୟ ଯୁବକ ୟୁକ୍ରେନ୍ ସେନାରେ ସାମିଲ୍ ହୋଇଛନ୍ତି । ଉଚ୍ଚତା ପାଇଁ ଭାରତୀୟ ସେନା ତାଙ୍କୁ ଦୁଇ ଦୁଇ ଥର ଅଯୋଗ୍ୟ ବିବେଚିତ କରିଥିଲା । ଯାହାପରେ ସୈନିକେଶ ରବିଚନ୍ଦ୍ରନ ଋଷ ବିରୋଧୀ ଯୁଦ୍ଧ ପାଇଁ ୟୁକ୍ରେନକୁ ସାଥ୍ ଦେଇଛନ୍ତି । କୋଏମ୍ବଟୁର ଥୁଡାଲିୟୁରର ସୈନିକେଶ ଖାର୍କିଭ୍ ଜାତୀୟ ବିଶ୍ୱବିଦ୍ୟାଳୟର ଏୟରୋସ୍ପେଶ୍ ଇଞ୍ଜିନିୟରିଂର ଛାତ୍ର ।

ରିପୋର୍ଟ ଅନୁସାରେ, ସୈନିକେଶ ୟୁକ୍ରେନ୍ ପକ୍ଷରୁ ଜର୍ଜିପାଇ ନ୍ୟାସନାଲ୍ ଲିଜନ୍ ପାରାମିଲିଟ୍ରି ୟୁନିଟରେ ଭର୍ତ୍ତି ହୋଇଛନ୍ତି । ନିକଟରେ ଗୁଇନ୍ଦା ବିଭାଗର ଲୋକ ତାମିଲନାଡ଼ୁ ସ୍ଥିତ ସୈନିକେଶଙ୍କ ଘରକୁ ଯାଇଥିଲେ । ସୈନିକେଶ ସେନାରେ ଭର୍ତ୍ତି ହେବା ପାଇଁ ସବୁବେଳେ ଚାହୁଁଥିବା ତାଙ୍କ ବାପାମାଆ କହିଥିଲେ । ସୈନିକେଶ ରୁମରେ ଭାରତୀୟ ଯବାନ ଓ ଅଧିକାରୀଙ୍କ ଅନେକ ଫଟୋ ଚିତ୍ର ରହିଛି । ପରିବାର ଲୋକ ସୈନିକେଶଙ୍କୁ ୟୁକ୍ରେନରୁ ଫେରି ଆସିବାକୁ ନିବେଦନ କରିଥିଲେ ମଧ୍ୟ ସେ ଶୁଣୁନାହାନ୍ତି ।

ସୈନିକେଶ କେବଳ ଭାରତୀୟ ସେନା ନୁହେଁ ବରଂ ଆମେରିକୀୟ ସେନାରେ ସାମିଲ୍ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ୨୦୧୮ ସେପ୍ଟେମ୍ବରରେ ଖାର୍କିଭ ନ୍ୟାସନାଲ ଏୟରୋସ୍ପେସ୍ ବିଶ୍ୱବିଦ୍ୟାଳୟରେ ୫ ବର୍ଷୀୟ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ନାମ ଲେଖାଇଥିଲେ । ଯାହାକି ୨୦୨୩ରେ ସରିବ ।

ଭୋ ଭୋ ହୋଇ କାନ୍ଦୁଛନ୍ତି ନକଲି ଡାକ୍ତର ରମେଶ ସ୍ୱାଇଁ: ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ୱର: ଅପରେସନ ପିଙ୍କ୍ ଡାକ୍ତର । ସାମ୍ନାକୁ ଆସିଲା ରମେଶ ସ୍ୱାଇଁଙ୍କ କାନ୍ଦ ଭିଡିଓ । ଠକେଇ ଶିକାର ହୋଇଥିବା ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କରୁଥିଲା ଅସୁସ୍ଥ ନାଟକ । ରିମାଣ୍ଡରେ ଭୂଆଁ ବୁଲାଥିବା ବେଳେ ମିଛ ଧରିବାକୁ ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ । ସେପଟେ ରମେଶର ଆଜି ସରିଛି ତୃତୀୟ ପର୍ଯ୍ୟାୟର ୫ ଦିନିଆ ରିମାଣ୍ଡ ଅବଧି । ରିମାଣ୍ଡ ସିରଲା ପରେ କୋର୍ଟରେ ହାଜର କରି ଜେଲ୍ ପଠାଇଛି ପୋଲିସ । କାନ୍ଦି କାନ୍ଦି କାହିଁକି ତିଆରି କରୁଥିଲା ଭିଡିଓ ? ଆସନ୍ତୁ ଦେଖିବା ରମେଶର ରାଜ୍ ।

ଡାକ୍ତର, ଧୋକ୍କା ଓ ଡ୍ରାମା । ନକଲି ଡାକ୍ତରର ନକଲି ଲୁହ । ବିଶ୍ୱାସ ଜନ୍ମାଇବାକୁ ଇମୋସନାଲ ବ୍ଳାକ୍‌ମେଲିଂ । ସୋସିଆଲ ମିଡିଆରେ ଭାଇରାଲ ହେଲା ପିଙ୍କ ଡାକ୍ତରର ଫଣ୍ଡା । ଭିଡିଓକୁ ଯିଏ ଦେଖିବ ସେ ବି ଭାବିବ ରମେଶଙ୍କ କ’ଣ ହୋଇଛି । ହେଲେ ଲୁହ ପଛର ସତ ଅତି ସାଂଘାତିକ । ଏ ଲୁହ ମିଛି ମିଛିକା । ପିଙ୍କ ଡାକ୍ତର ମ୍ୟାରେଜ ଫ୍ରଡର ପ୍ଳାନ ଜାଣି ଧୋକ୍କା ଖାଇଥିବା ପତ୍ନୀମାନେ ସନ୍ଦେହ କଲେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କରୁଥିଲା ଅସୁସ୍ଥ ନାଟକ । ସମ୍ପୃକ୍ତ ମହିଳାମାନଙ୍କୁ ରମେଶ କହୁଥିଲେ, ତମକୁ କେତେ ଭଲ ପାଏ, କେବ କ’ଣ ଧୋକ୍କା ଦେଇ ପାରିବି ? ଭଲ ପାଇବା ଓ ସିନ୍ଦୁର ମୂଲ୍ୟ କ’ଣ ସନ୍ଦେହ ? ତୁମକ ଛାଡ଼ି ରହିପାରିବିନି । କେବ କ’ଣ କୁଆାଡ଼େ ଯାଇ ପାରିବି ? ଏପରି କହି କାନ୍ଦି କାନ୍ଦି ଭିଡିଓ ସୁଟ କରି ପଠାଉଥିଲା । ଏପରିକି କିଛି ମହିଳାଙ୍କୁ ଅସୁସ୍ଥ ଥିବା କହି ହାତରେ ସାଲାଇନ ବେଡ ରେଷ୍ଟ ନେଉଥିବା ଫଟୋ ବି ପଠାଉଥିଲା । ଏଭଳି ଜଣ ଜଣ କରି ୧୮ ଜଣ ମହିଳାଙ୍କୁ ରମେଶ ପଠାଇଥିଲେ କାନ୍ଦ ଭିଡିଓ । କେବଳ ମହିଳା ନୁହେଁ ଠକେଇ ଶିକାର ହୋଇଥିବା ସଭିଙ୍କୁ ଏଭଳି ଫଟୋ ଓ ଭିଡିଓ ପଠାଇ ବିଶ୍ୱାସ ଜନ୍ମାଉଥିଲାେ । ଏପରିକି ଓଡ଼ିଶାରେ ଥିବା ନେଇ ରଥଯାତ୍ରା ସହ ଭିଡିଓ ବି ଭାଇରାଲ ହୋଇଛି । ରିମାଣ୍ଡରେ ଏସବୁର ଗୁମର ଖୋଲଛି ପୋଲିସ ।

ପିଙ୍କ ଡାକ୍ତର ହେବ ପଲିଗ୍ରାଫ ଟେଷ୍ଟ । କୋର୍ଟରେ ଆବେଦନ କଲା ପିଙ୍କ ଟିମ୍ । ରିମାଣ୍ଡରେ ଠକ କରିଛି ଅସୁସ୍ଥ ନାଟକ । ଠକେଇ ବାବାଦରେ ପୋଲିସକୁ ଦେଉଛି ଭ୍ରମିତ ତଥ୍ୟ । ପୂରା ଠକେଇ ସିଣ୍ଡିକେଟର ରମେଶ କେତେ ସତ କହୁଛନ୍ତି, କେତେ ମିଛ କହୁଛନ୍ତି ଜାଣିବା ପାଇଁ ପଲିଗ୍ରାଫ ଟେଷ୍ଟ କରିବା ପାଇଁ କୋର୍ଟରେ ଆଦେବନ କରିଛି ପୋଲିସ । କୋର୍ଟଙ୍କ ଅନୁମତି ମିଳିବା ପରେ ରସୁଲଗଡ ଫରେନସିକ ଲ୍ୟାବରେ ହେବ ପଲିଗ୍ରାଫ ଟେଷ୍ଟ । ଏ ନେଇ ୧୦୦ରୁ ଅଧିକ ପ୍ରଶ୍ନର ତାଲିକା ତିଆରି କରିଛି ପିଙ୍କ୍ ଟିମ୍ । ସେପଟେ ଠକେଇ ସିଣ୍ଡିକେଟରେ ସାମିଲ ଥିବା ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଗଣେଶ ବେଉରା ଓ ଡ୍ରାଇଭର ପପୁଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ । ରମେଶଙ୍କ ଗ୍ରୁପ ମେମ୍ବରକୁ ଧରିବା ପାଇଁ ରାଜ୍ୟ ବାହରକୁ ଟିମ ଯିବ ବୋଲି ଡିସିପି କହିଛନ୍ତି ।

ରାଜ୍ୟ ତଥା ରାଜ୍ୟ ବାହାରେ ଶତାଧିକ ଲୋକଙ୍କୁ ଚୂନ ଲଗାଇଛି ନକଲି ଡାକ୍ତର । ଓଡିଶାରେ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୦୬ରୁ ଏବେସୁଦ୍ଧା ୬ କୋଟି ଟଙ୍କା ଠକେଇ କରିଥିବା ପୋଲିସ ଜାଣିବାକୁ ପାଇଛି । ଠକର ୧୦ରୁ ଅଧିକ ଆକାଉଣ୍ଟ ରହିଛି । ଆର୍ଥିକ କାରାବର ନେଇ ବ୍ୟାଙ୍କ ର ଆକାଉଣ୍ଟ ଡିଟେଲ୍ସକୁ ଅପେକ୍ଷା କରିଛି ପୋଲିସ ।

ଜୀବନ ବଞ୍ଚାଇବାକୁ ୟୁକ୍ରେନରୁ ୧୧୦୦ କିଲୋମିଟର ଏକାକୀ ଯାତ୍ରା କଲା ୧୧ ବର୍ଷର ବାଳକ

କିଭ୍: ଯୁଦ୍ଧ ଭିତରେ ଜୀବନ ବାଜି । ୧୧ ବର୍ଷର ବାଳକ ଏକାକୀ ଯାତ୍ରା କଲା ୧୧୦୦ କିଲୋମିଟର । ଯୁଦ୍ଧ ଭିତରେ ୟୁକ୍ରେନରୁ ସ୍ଲୋଭାକିଆ ସୀମା ପହଞ୍ଚିଛି ନାବାଳକ । ଏକୁଟିଆ ନାବାଳକ ଏତେ ଦୂର ରାସ୍ତା ଟ୍ରେନରେ ଯାତ୍ରା କରି ସମସ୍ତଙ୍କୁ ଆଚମ୍ବିତ କରିଛି । ଯାତ୍ରା ବେଳେ ନାବାଳକ ପାଖରେ ଏକ ବ୍ୟାଗ ସହ ପାସପୋର୍ଟ ଥିଲା । ହାତରେ ସ୍ଲୋଭାକିଆର ଏକ ମୋବାଇଲ୍ ନମ୍ବର ଲେଖା ଯାଇଥିଲା ।

Russia Attacks On Ukraine 11 Years Old Boy Travels 11000 KM Alone Slovakia

ଏବେ ବାଳକର ଫଟୋ ଭାଇରାଲ୍ ହେବାରେ ଲାଗିଛି । ନାବାଳକ ଜଣଙ୍କ ୟୁକ୍ରେନର ଆଣବିକ ପ୍ଲାଣ୍ଟ ଥିବା ଜପୋରିଝିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ଯୁଦ୍ଧରୁ ଛୁଆକୁ ରକ୍ଷା କରିବା ଲାଗି ମାଆ ୧୧୦୦ କିମି ଦୂର ସ୍ଲୋଭାକିଆକୁ ପଠାଇ ଦେଇଛନ୍ତି । ତେବେ ବୁଢି ମାଆ ସହ ରହୁଥିବାରୁ ମାଆ ଏକାକୀ ଛୁଆକୁ ପଠାଇବାକୁ ବାଧ୍ୟ ହୋଇଥିବା ଜଣାପଡ଼ିଛି । ଜପୋରିଝିଆରେ ୟୁରୋପର ସବୁଠୁ ବଡ଼ ଆଣବିକ କାରଖାନା ରହିଛି । ପ୍ଲାଣ୍ଟରୁ ରେଡିଏସନ୍ ଆଶଙ୍କା କରି ସେଠାରୁ ବିପୁଳ ସଂଖ୍ୟାରେ ଲୋକ ପଳାୟନ କରୁଛନ୍ତି ।

Russia Attacks On Ukraine 11 Years Old Boy Travels 11000 KM Alone Slovakia

ଏତେ ଦୂର ଯାତ୍ରା ବେଳେ ନାବାଳକକୁ ଟ୍ରେନରେ ଥିବା ଲୋକ ସାହାଯ୍ୟ କରିଥିଲେ । ନାବାଳକର ଧ୍ୟାନ ରଖିବା ସହ ଖାଇବା ପିଇବାକୁ ଦେଇଥିଲେ । ଛୁଆଟି ହାତରେ ଲେଖା ଯାଇଥିବା ମୋବାଇଲ୍ ନମ୍ବରକୁ କଲ୍ କରି ଗାର୍ଡ୍ସ ସ୍ଲୋଭାକିଆର ରାଜଧାନୀ ବ୍ରାତିସ୍ଲାଭାରେ ରହୁଥିବା ସମ୍ପର୍କୀୟଙ୍କୁ ଡାକି ଜିମା ଦେଇଥିଲେ ।  ସ୍ଲୋଭାକିଆ ଇଣ୍ଟରିୟର ମିନିଷ୍ଟ୍ରୀ ଛୁଆଟିର ଫଟୋକୁ ଫେସବୁକରେ ପୋଷ୍ଟ କରିବା ସହ ପ୍ରଂଶସା କରିଛି । ଛୁଆଟି ନିର୍ଭୀକ ବୋଲି ଲେଖିଛି ମନ୍ତ୍ରଣାଳୟ ।

କୁଖ୍ୟାତ ବାଇକ୍ ଚୋର ଗିରଫ: ଜବତ ବାଇକ ସମ୍ପର୍କରେ ଜାଣିବା ପାଇଁ ଫୋନ୍ ନମ୍ୱର ଜାରି କଲା ପୋଲିସ

ଭୁବନେଶ୍ୱର: ଭରତପୁର ପୋଲିସ ହାତରେ କୁଖ୍ୟାତ ବାଇକ ଲୁଟେରା । ମାଷ୍ଟର କି’ରେ ରାଜଧାନୀରେ କରୁଥିଲେ ଅପରସେନ । ବାଇକ ଲୁଟେରା ଜଣଙ୍କ ହେଲେ ବାଣପୁରର ଏସକେ. ହାସିମ । ପଣ୍ଡା କୁଦିଆ ବସ୍ତିରେ ରହି ବାଇକ ଲୁଟ କରୁଥିଲା । ତା ଠାରୁ ୧୦ଟି ବାଇକ ଜବତ ହୋଇଛି । ଭୁବନେଶ୍ୱରରେ ମାର୍କେଟ ଅଞ୍ଚଳରେ ପାର୍କିଂରେ ଥିବା ଗାଡ଼ି ଗୁଡ଼ିକୁ ଟାର୍ଗେଟ କରୁଥିଲା ।

ବାଇକର ହ୍ୟାଣ୍ଡେଲ କିମ୍ବା ଡୁପ୍ଳିକେଟ ଚାବିରେ ଚୋରି କରି ନେଉଥିଲା । ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରେ ନିଜର ବାଇକ କହି ୫ ରୁ ୭ ହଜାର ଟଙ୍କାରେ ବିକ୍ରି କରୁଥିଲା । ଗାଡ଼ିର ମାଲିକନା ବଦଳି ବେଳେ ବଳକା ଟଙ୍କା ଦେବ କହି ଲୋକଙ୍କୁ ଧରା ଛୁଆଁ ଦେଉନଥିଲେ । ଶେଖ୍.ହାସିମକୁ ରିମାଣ୍ଡରେ ଆଣି ରାକେଟ ବାବଦରେ ଖୋଳତାଡ କରିବ ପୋଲିସ । ସେପଟେ ଚୋରି ହୋଇଥିବା ବାଇକ ବାବଦରେ ଜାଣିବା ପାଇଁ ହେଲ୍ପ ଲାଇନ ନମ୍ବର ଜାରି କରିଛି ପୋଲିସ । ବାଇକ ବାବଦରେ ୭୦୭୭୭୯୮୧୧୧ନମ୍ବରରେ ହ୍ୱାଟସ୍‌ଆପ୍ କିମ୍ବା କଲ କରି ଲୋକ ମାନେ ଜାଣି ପାରେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ହୀରାନୀଳା କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶଙ୍କୁ ଗିରଫ କଲା ଭିଜିଲାନ୍ସ

Russia Ukraine War: ଭ୍ୟାକ୍ୟୁମ୍‌-କ୍ଲଷ୍ଟର ବମ୍ ଭଳି ୧୦ ଘାତକ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି ଋଷ

ୟୁକ୍ରେନ୍‌: ୟୁକ୍ରେନ୍‌ରୁ ହଟୁନି ଯୁଦ୍ଧର କଳା ବାଦଲ। ଦିନକୁ ଦିନ ଯୁଦ୍ଧର ଘନଘଟା ଅଧିକରୁ ଅଧିକ ଘନେଇବାରେ ଲାଗିଛି। ଏହି ଭିତରେ ୧୩ ଦିନରେ ପହଞ୍ଚିଲାଣି ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଯୁଦ୍ଧ। ଯଦି ଦେଖିବା ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବହୁତ ଭୟଙ୍କର ବୋଲି ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ୟୁକ୍ରେନ୍‌ର କହିବା ଅନୁଯାୟୀ ଋଷ ଏହି ଯୁଦ୍ଧରେ ବିଭିନ୍ନ ପ୍ରକାରର ଘାତକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛି। ୟୁକ୍ରେନ୍‌ର ମଧ୍ୟ ଏମିତି କିଛି ଘାତର ଅସ୍ତ୍ର ରହିଛି ଯାହା ଋଷ ଉପରେ ମଧ୍ୟ ଭାରି ପଡ଼ୁଛି। ତେବେ ଆସନ୍ତୁ ଜାଣିବା ଋେଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଋଷ କେଉଁ କେଉଁ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରୁଛି।

ଭ୍ୟାକ୍ୟୁମ୍‌ ବମ୍‌

ଯୁଦ୍ଧର ୫ମ ଦିନରେ ଋଷ ଭ୍ୟାକ୍ୟୁମ୍‌ ବମ୍‌କୁ ୟୁକ୍ରେନ୍‌ ଉପରେ ବ୍ୟବହାର କରିଥିଲା। ଏହି ଅସ୍ତ୍ର ଥର୍ମୋବେରିକ ହତିଆର ସହ ସମାନ। ଥର୍ମୋବେରିକ ଅସ୍ତ୍ରକୁ ଯୁଦ୍ଧରେ ପ୍ରୟୋଗ ପାଇଁ ଜେନାଭା ସମ୍ମିଳନୀ ଅନୁଯାୟି ନିଷେଧ କରାଯାଇଥିଲା। ଏହି ବମ୍‌ ବହୁ ପରିମାଣରେ ଘାତକ ଏବଂ ଅଧିକମାତ୍ରାରେ ଧ୍ୱଂସ ମଧ୍ୟ କରିଥାଏ। ଏହିପରି ବୋମାଗୁଡିକରେ ପାରମ୍ପରିକ ବାରୁଦ ବଦଳରେ ଉଚ୍ଚ ଚାପର ବିସ୍ଫୋରକ ବ୍ୟବହାର କରାଯାଏ। ଯେତେବଳେ ଏହାକୁ ଲଞ୍ଚ କରାଯାଏ ସେତେବେଳେ ବୋମାଟି ଆଖପାଖର ଅମ୍ଳଜାନକୁ ଶୋଷଣ କରି ଏକ ବଡ଼ ବିସ୍ଫୋରଣ କରିଥାଏ। କେବଳ ଯୁଦ୍ଧରେ ବ୍ୟବହାର ପାଇଁ ଋଷ ଏପରି ବୋମା ତିଆରି କରିଛି। କୁହାଯାଉଛି ଯେ ୨୦୧୬ ରେ ଋଷ ମଧ୍ୟ ସିରିଆ ବିରୁଦ୍ଧରେ ଭାକ୍ୟୁମ୍ ବୋମା ବ୍ୟବହାର କରିଥିଲା।

କ୍ଲଷ୍ଟର ବମ୍‌

ଖାଲି ଏତିକି ନୁହେଁ ୟୁକ୍ରେନ୍‌ ଆହୁରି ମଧ୍ୟ ଦାବି କରିଛିକି ଯୁଦ୍ଧରେ ଋଷ କ୍ଲଷ୍ଟର ବୋମାର ବ୍ୟବହାର କରିଛି। କ୍ଲଷ୍ଟର ବାେମା ଭିତରେ ଅନେକ ବୋମା ମିଳିତ ଆକାରରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଘଟିଥିବା ସମସ୍ତ ଯୁଦ୍ଧରେ ୧୦ ରୁ ଅଧିକ ପ୍ରକାରର କ୍ଲଷ୍ଟର ବୋମା ବ୍ୟବହାର କରାଯାଇଛି। ଯୁଦ୍ଧ ବିମାନ ଏବଂ ରକେଟ୍ ଲଞ୍ଚର୍ ସିଷ୍ଟମରୁ କ୍ଲଷ୍ଟର ବୋମା ଲଞ୍ଚ କରାଯାଇପାରିବ। କ୍ଲଷ୍ଟର ବୋମା ବାୟୁରେ ତରଳିଯାଏ ଏବଂ ଏଥିରୁ ୫ ରୁ ୧୦ ସେମିର ଛୋଟ ବିସ୍ଫୋଟକ ଖସିବାକୁଲାଗେ। ଟାର୍ଗେଟ ନିକଟରେ ଏହି କ୍ଲଷ୍ଟର ବମ୍‌ ପଡ଼ିପବା ପରେ ଅଧିକାଂଶ ବୋମା ବିସ୍ଫୋରଣ ହୁଏନାହିଁ, ଧିରେ ଧିରେ କିଛି କିଛି ସମୟରେ ବିସ୍ଫୋରଣ ହୁଏ। ସିରିଆରେ ମଧ୍ୟ ସମାନ ବୋମା ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା।

ଷ୍ଟିଙ୍ଗର ଏବଂ ଜେବଲିନ୍‌ କ୍ଷେପଣାସ୍ତ୍ର

ଖାଲି ଋଷ ଆକ୍ରମଣ କରୁନାହିଁ। ୟୁକ୍ରେନ୍‌ ମଧ୍ୟ ଋଷ ଆକ୍ରମଣର ଜବାବ ଦେଉଛି। ୟୁକ୍ରେନ୍‌ ମିଜାଇଲ ମାଡ଼କରି ଋଷର ବିମାନକୁ ଧ୍ୱଂସ କରୁଛି। ଷ୍ଟିଙ୍ଗର ଏବଂ ଜେବଲିନ୍‌ ଭଳି ମିଜାଇଲ ବ୍ୟବହାର କରି ୟୁକ୍ରେନ ଋଷର ଅନେକ ଯୁଦ୍ଧ ବିମାନ ଏବଂ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି। ଆମେରିକାରୁ ୟୁକ୍ରେନ ଏହି ଦୁଇଟି ମିଜାଇଲକୁ ଆଣିଥିଲା। ଷ୍ଟିଙ୍ଗର୍ କ୍ଷେପଣାସ୍ତ୍ରର ବିଶେଷତ୍ୱ ​​ହେଉଛି ଏହା ନିମ୍ନ ଉଚ୍ଚତାରେ ଉଡ଼ୁଥିବା ବିମାନକୁ ମଧ୍ୟ ମାରିପାରେ। ସୈନିକ ଏହାକୁ କାନ୍ଧରେ ରଖି ଶତୃକୁ ଆଟାକ କରିପାରେ। ଏଥି ସହିତ ଜାଭେଲିନ୍ କ୍ଷେପଣାସ୍ତ୍ର ଏକ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ଅଟେ। ଏହା ସହିତ ଶତ୍ରୁ ଦେଶର ଟ୍ୟାଙ୍କ ଏବଂ ସ୍ୱଳ୍ପ ଉଚ୍ଚତାରେ ଉଡ଼ୁଥିବା ବିମାନକୁ ମଧ୍ୟ ନଷ୍ଟ କରିପାରେ। ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ସଶସ୍ତ୍ର ଯାନ ଠାରୁ ଆରମ୍ଭ କରି ବଙ୍କର୍ ପର୍ଯ୍ୟନ୍ତ ଟାର୍ଗେଟ୍ କରାଯାଇପାରିବ।

NLAW ମିଜାଇଲ

ୟୁକ୍ରେନ ସେନା ମଧ୍ୟ NLAW କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଏହି ମିଜାଇଲରେ ଋଷର ସେନା ଟ୍ୟାଙ୍କକୁ ଟାର୍ଗେଟ କରାଯାଉଛି। ଷ୍ଟିଙ୍ଗର୍ ପରି, NALW କ୍ଷେପଣାସ୍ତ୍ରକୁ ମଧ୍ୟ କାନ୍ଧରେ ବୋହି ନେଇହେବ। ଏହି କ୍ଷେପଣାସ୍ତ୍ର ୨୦ ମିଟରରୁ ୪ଶହ ମିଟର ଦୂରରୁ ଏକ ଟ୍ୟାଙ୍କକୁ ଧ୍ୱଂସ କରିଦେଇପାରେ।

୫ କ୍ୱିଣ୍ଟାଲର ବମ୍

ଋଷର ସେନା ୟୁକ୍ରେନ ଉପରେ ଭାରି ଆକ୍ରମଣ କରୁଥିବା କହୁଯାଉଛି। ଏହାରିଭିତରେ ୟୁକ୍ରେନ ଉପରେ ଋଷ ୫ କ୍ୱିଣ୍ଟାଲ ଓଜନର ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲେବା ଏକ ବୋମା ଛବି ଟ୍ୱିଟ୍ କରି ଅଭିଯୋଗ କରିଛନ୍ତିକି ଋଷର ସେନା ୫ କ୍ୱିଣ୍ଟାଲର ବୋମା ମାଡ଼ କରିଛି।

କ୍ରୁଜ୍‌ କ୍ଷେପଣାସ୍ତ୍ର

ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ୟବହାର କରୁଛି। ଋଷ ପାଖରେ 3M-୫୪ କ୍ୟାଲିବର କ୍ଷେପଣାସ୍ତ୍ର ରହିଛି। ଏହି କ୍ଷେପଣାସ୍ତ୍ରର ଲମ୍ବ ୬ ରୁ ୯ ମିଟର ଏବଂ ଓଜନ ୧୩୦୦ ରୁ ୨୩୦୦ କିଲୋଗ୍ରାମ ମଧ୍ୟରେ। ଖାଲି ସେତିକି ନୁହେଁ। ଏହି କ୍ଷେପଣାସ୍ତ୍ରରେ ୪ଶହରୁ ରୁ ୫ଶହ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇପାରିବ। ଏହି କ୍ଷେପଣାସ୍ତ୍ରର ଟାର୍ଗେଟ ରେଞ୍ଜ ୨୨୦ କିଲୋମିଟରରୁ ୪୫୦୦ କିଲୋମିଟର।

ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମ

ଋଷ ଏହି ଯୁଦ୍ଧରେ TOS-1 ମଲ୍ଟି ଲଞ୍ଚର ବ୍ୟବହାର କରୁଛି ଯାହା ଗୋଟିଏ କ୍ଲିକ୍‌ରେ ଏକା ସାଙ୍ଗରେ ୩୦ ରାଉଣ୍ଡ ଫାୟାର କରିପାରିବ। ଏହି ରକେଟକୁ ଟି -72 ଟ୍ୟାଙ୍କ ଉପରେ ଲଗାଯାଇପାରିବ। ଏହି ମଲ୍ଟିପୁଲ ଲଞ୍ଚ ରକେଟ ସିଷ୍ଟମର ରେଞ୍ଜ ୩ ଶହ ମିଟରରୁ ୩.୫ କିଲୋମିଟର ପର୍ଯ୍ୟନ୍ତ। ଏହା ସହିତ ଋଷ ବିଏମ -୨୧ ବ୍ୟବହାର କରୁଛି। ଏହା ହେଉଛି ମଲ୍ଟିପଲ୍ ଲଞ୍ଚ୍ ରକେଟ୍ ସିଷ୍ଟମ୍ ଯାହା ଟ୍ରକ୍ ଉପରେ ଲଗାଯାଇଥାଏ। ଏହି ମଲ୍ଟିପଲ୍ ଲଞ୍ଚ୍ ରକେଟ୍ ସିଷ୍ଟମ୍ ୨୦ ସେକେଣ୍ଡରେ ୪୦ ରାଉଣ୍ଡ ମିଜାଇଲ ଫାୟାର କରିଥାଏ। ଯାହାର ଟାର୍ଗେଟ ରେଞ୍ଜ ହେଉଛି ୫ଶହ ମିଟରରୁ ୪୫ କିଲୋମିଟର ।

ଯୁଦ୍ଧ ବିମାନ

ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧରେ ଋଷ ଯୁଦ୍ଧ ବିମାନ ଏବଂ ହେଲିକପ୍ଟରର ବ୍ୟବହାର କରୁଛି। ଯୁଦ୍ଧ ବିମାନ ଗୁଡ଼ିକ ୟୁକ୍ରେନର ସାମରିକ ବେସ ଏବଂ କୋଠା ଉପରେ ବୋମା ମାଡ଼ କରୁଛି। ଯୁଦ୍ଧ ବିମାନଗୁଡ଼ିକରୁ ଏୟାର-ଟୁ-ଗ୍ରାଉଣ୍ଡକୁ କ୍ଷେପଣାସ୍ତ୍ର ଉତକ୍ଷେପଣ କରାଯାଉଛି। ଏହା ସହିତ କିଭ୍‌ରେ ଋଷିଆ ପରିବହନ ହେଲିକପ୍ଟର Mi-8 ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ତୋପ

ୟୁକ୍ରେନ ସହିତ ଯୁଦ୍ଧରେ ଋଷ ସୋଭିଏତ୍ ଯୁଗରେ ନିର୍ମିତ ଅସ୍ତ୍ରଶସ୍ତ୍ରର ବ୍ୟବହାର କରୁଛି। ଯେଉଁଥିରେ ଆର୍ଟିଲିରି ମଧ୍ୟ ରହିଛି। ଖବର ଅନୁଯାୟୀ, ଏହି ଯୁଦ୍ଧରେ ଋଷ ୨୭ ମାଲ୍କା, ୨୩୦ ମିମି ହ୍ୱାଇଜର୍ ବ୍ୟବହାର କରୁଛି। ଏହି ଅସ୍ତ୍ର ୟୁକ୍ରେନର ସାମରିକ ଯାନଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଉଛି। ଏହା ସହିତ, ୨୪୦ ମିଲିମିଟର ଭାରୀ ସ୍ୱୟଂ ଚାଳିତ ମୋର୍ଟାର ବୃହତ ଅଟ୍ଟାଳିକାକୁ ଟାର୍ଗେଟ କରିବା ପାଇଁ ବ୍ୟବହୃତ ହେଉଛି।

ହୀରାନୀଳା କଲେଜ ପୂର୍ବତନ ଅଧ୍ୟକ୍ଷ ରମେଶଙ୍କୁ ଗିରଫ କଲା ଭିଜିଲାନ୍ସ

କଳାହାଣ୍ଡି: ହୀରାନୀଳା କଲେଜ ପୂର୍ବତନ ପ୍ରିନ୍ସିପାଲ୍‌ଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ବେଳେ ପାଖାପାଖି ୫କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି ।   ଏତେ ପରିମାଣର ସମ୍ପତ୍ତି ଅର୍ଜନ ଉପାୟ ନେଇ ରମେଶ ଚନ୍ଦ୍ର ସାହୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏବଂ ତାଙ୍କୁ କୋରାପୁଟ ସ୍ୱତନ୍ତ୍ର ଜିଲ୍ଲା ଜଜ (ଭବାନୀପାଟଣା)ଙ୍କ ନିକଟକୁ ପରଓ୍ୱାଡ କରାଯାଇଛି ।

ଗତକାଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ ହୋଇଥିଲା । କଲେଜ ଅଧ୍ୟକ୍ଷଙ୍କ ଠାରୁ ପୁଳାପୁଳା ସମ୍ପତ୍ତି ଠାବ ହୋଇଥିଲା । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ପ୍ରତକ୍ଷ୍ୟ କିମ୍ୱା ପରୋକ୍ଷ ମାଲିକାନାରେ ଥିବା ପ୍ରାୟ ୫ଟି ସ୍ଥାନରେ କରାଯାଇଥିଲା ରେଡ୍ । ଚଢାଉ ବେଳେ ୧ଲକ୍ଷ ୯୪ହଜାର ଟଙ୍କାର ନଗଦ ରାଶି ଜବତ ହୋଇଛି । ମୋଟ୍ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ ।

ଏଥିରେ ଦାମୀକାର, ଟ୍ରକ, ଜେସିବି ସହ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ଟି ପ୍ଲଟ୍ ଓ ଅନେକ ଗୁଡିଏ ଫ୍ଲାଟ ରହିଛି । କଲେଜରେ ଆର୍ଥିକ ଅନିୟମିତତା ଓ ଟଙ୍କା ହେରଫେର ଅଭିଯୋଗ ରହିଛି ପ୍ରିନ୍ସିପାଲଙ୍କ ନାଁରେ । ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ପିଅନ ଚାକିରି ପାଇଁ ଲାଞ୍ଚ ନେବା ଅଭିଯୋଗରେ ୨ଟି ପୃଥକ ମାମଲା ରୁଜୁ ହୋଇଛି । ଏହା ସହିତ ସୁଇପର ଚାକିରି ଦେବାକୁ ଲକ୍ଷେ ୭୦ ହଜାର ଲାଞ୍ଚ ନେଇଥିବା ନେଇ ମଧ୍ୟ ମାମଲା ରହିଛି । ପୂର୍ବରୁ ଅଧ୍ୟକ୍ଷ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ୨୦୨୧ରେ ଉପଜିଲ୍ଲାପାଳଙ୍କ ଆଦେଶ ପରେ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇ କଲେଜରେ ଆର୍ଥିକ ଅନିୟମିତତାର ତଦନ୍ତ ହୋଇଥିଲା । ସେହିଦିନ ଠାରୁ ତାଙ୍କର ଓ ତାଙ୍କ ପତ୍ନୀଙ୍କ ନାମରେ ଥିବା ବେନାମୀ ସଂପତ୍ତି ଭିଜିଲାନ୍ସ ସ୍କାନରରେ ରହିଥିଲା ।

ଏଥିସହିତ ପଢ଼ନ୍ତୁ: କଳାହାଣ୍ଡି କଲେଜ ଅଧ୍ୟକ୍ଷଙ୍କ ୫କୋଟିରୁ ଅଧିକ ସମ୍ପତ୍ତି ଜବତ କଲାଣି ଭିଜିଲାନ୍ସ

ଶାନ୍ତି ସେନାରୁ ସମସ୍ତ ସୈନିକଙ୍କୁ ଫେରାଇ ନେବ ୟୁକ୍ରେନ୍

ନୂଆଦିଲ୍ଲୀ: ୧୩ ଦିନ ଧରି ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଟାଳିବାକୁ ତିନି ତିନ ଥର ଆଲୋଚନା ସରିଲାଣି । ତଥାପି ନିଷ୍କର୍ସ ବାହାରି ପାରୁନି । ଯୁଦ୍ଧରେ ୟୁକ୍ରେନ୍ ସେନା ବିପୁଳ କ୍ଷତି ସହିଲାଣି । ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଶାନ୍ତି ସେନାକୁ ଫେରାଇ ନେବାକୁ ଡିକ୍ରିରେ ହସ୍ତାକ୍ଷର କରିଛନ୍ତି ।

ୟୁକ୍ରେନ୍ ମିଡିଆ ଅନୁସାରେ, ଜାତିସଂଘର ଶାନ୍ତି ଅଭିଯାନରେ ଥିବା ୟୁକ୍ରେନ୍ ସୈନିକଙ୍କୁ ଫେରାଇ ନେବା ଲାଗି ଜେଲେନସ୍କି ହସ୍ତାକ୍ଷର କରିଛନ୍ତି । ୟୁକ୍ରେନକୁ ଋଷ ଠାରୁ ରକ୍ଷା କରିବା ଲାଗି ଜେଲେନସ୍କି ଶାନ୍ତି ସେନାରୁ ସୈନ୍ୟ ଫେରାଇ ନେବା ଲାଗି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ୟୁକ୍ରେନ୍ ପାଖରେ ପ୍ରାୟ ୨ ଲକ୍ଷ ଯବାନ ରହିଛନ୍ତି । ଯେତେବେଳେ କି ଋଷ ପାଖରେ ୮ ଲକ୍ଷରୁ ଅଧିକ ସକ୍ରିୟ ଯବାନ ଅଛନ୍ତି । ଜାତିସଂଘ ଶାନ୍ତି ସେନାରେ ୟୁକ୍ରେନର ପ୍ରାୟ ୩୦୭ ସୈନ୍ୟ ଅଛନ୍ତି । ଯେଉଁଥିରେ ୮ ମହିଳା ଯବାନ ଥିବା ଜଣାପଡ଼ିଛି ।

 Russia Ukraine War Volodymyr Zelensky Recall UN Peacekeeping Force

ଶାନ୍ତି ସେନାର ଆରମ୍ଭ

୧୯୪୮ ମେ ୨୯ରେ ଜାତିସଂଘ ଶାନ୍ତି ସେନାର ଆରମ୍ଭ ହୋଇଥିଲା । ଜାତିସଂଘର କୌଣସି ନିର୍ଦ୍ଦିଷ୍ଟ ସେନା ନଥିବା ବେଳେ ଏହାର ସଦସ୍ୟ ରାଷ୍ଟ୍ର ଜାତିସଂଘର ମିଶନ ଲାଗି ନିଜ ଯବାନଙ୍କୁ ପଠାଇଥାନ୍ତି । ଜାତିସଂଘ ଶାନ୍ତି ସେନାରେ ସାମିଲ୍ ସୈନିକଙ୍କ ପରିଚୟ ନିଜ ଦେଶକୁ ନେଇ ହୋଇଥାଏ ।

ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଚାହାଁନ୍ତି, ଋଷ ବିରୋଧୀ ଯୁଦ୍ଧ ପାଇଁ ଜାତିସଂଘ ଶାନ୍ତି ସେନାକୁ ୟୁକ୍ରେନ୍ ପଠାଉ । କିନ୍ତୁ ଉଭୟ ଦେଶ ଏନେଇ ରାଜି ନହେବା ଯାଏ ଜାତିସଂଘ ଶାନ୍ତି ସେନା କୌଣସି ସଂଘର୍ଷ କିମ୍ବା ଯୁଦ୍ଧ ଅଞ୍ଚଳକୁ ଯାଇପାରିବ ନାହିଁ ।

ଶାନ୍ତି ସେନା ଓ ଭାରତ

ଜାତିସଂଘର ତଥ୍ୟ ଅନୁସାରେ, ଶାନ୍ତିସେନାରେ ଭାରତର ୫ ହଜାର ୫୭୯ ସୈନିକ ରହିଛନ୍ତି । ଯେଉଁଥିରେ ୯୭ ଜଣ ମହିଳା ଯବାନ ଅଛନ୍ତି । ଏମାନଙ୍କୁ ବିଭିନ୍ନ ଦେଶରେ ମୁତୟନ କରାଯାଇଛି । ଜାତିସଂଘ ଶାନ୍ତିସେନାରେ ସବୁଠୁ ଅଧିକ ୬ ହଜାର ୩୮୯ ସୈନିକ ବାଂଲାଦେଶର ରହିଥିବା ବେଳେ ଦ୍ୱିତୀୟରେ ନେପାଳ ୫ ହଜାର ୬୪୯ ଯବାନ ରହିଛନ୍ତି । ଭାରତ ତୃତୀୟ ସ୍ଥାନରେ ରହିଛି । ଜାତିସଂଘ ଶାନ୍ତିସେନାରେ ୧୨୩ ଦେଶର ୭୫ ହଜାର ୮୫ ଜଣ ଯବାନ ରହିଛନ୍ତି ।

  • ବିଶ୍ୱବ୍ୟାପୀ ଦେଶଗୁଡ଼ିକ ନିଜ ସେନା ଉପରେ ଯେତିକି ଖର୍ଚ୍ଚ କରନ୍ତି, ତାର ମାତ୍ର ୦.୫ ପ୍ରତିଶତ ଜାତିସଂଘ ଶାନ୍ତି ସେନା ପାଇଁ ଖର୍ଚ୍ଚ ହୁଏ ।
  • ବିଗତ ୭୨ ବର୍ଷରେ ୧୨୫ ଦେଶର ୧୦ ଲକ୍ଷରୁ ଅଧିକ ପୁରୁଷ ଓ ମହିଳା ଯବାନ ଜାତିସଂଘର ୭୧ଟି ମିଶନରେ ଭାଗ ନେଇ ସାରିଛନ୍ତି ।
  • ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ଶାନ୍ତି ସେନାର ୪ ହଜାର ୧୭୩ ଯବାନ ସହିଦ ହୋଇଛନ୍ତି ।
  • ଏବେ ଶାନ୍ତି ସେନାରେ ମୋଟ ୭୫ ହଜାର ୮୫ ଯବାନ ରହିଛନ୍ତି । ୬୯ ହଜାର ୩୩୫ ଜଣ ପୁରୁଷ ଓ ୫ ହଜାର ୭୫୦ ଜଣ ମହିଳା ସୈନ୍ୟ ଅଛନ୍ତି ।

ଢେଙ୍କାନାଳରେ କୁକୁର ସହ କୁନି ଝିଅକୁ ବାହା କରାଇଲେ ପରିବାର ଲୋକେ, ଜାଣନ୍ତୁ କାହିଁକି?

ଢେଙ୍କାନାଳ: ବାଜୁଛି ବାଜା, ନାଚି ନାଚି ଆସୁଛନ୍ତି ବରଯାତ୍ରୀ । ବର ମୁଣ୍ଡରେ ଛତା, ବେକରେ ଫୁଲର ମାଳ । କନ୍ୟା ପକ୍ଷ କଲେ ସ୍ୱାଗତ, ପୁରୋହିତ କଲେ ମନ୍ତ୍ର ପାଠ । ଆରମ୍ଭ ହେଲା ବାହାଘର । ଏଭଳି ବାହାଘର ଯାହା ଆପଣ ଆଗରୁ ଦେଖିଥିବେ । କିନ୍ତୁ ଏହି ବହାଘରର ବର ହେଉଛି କୁକୁର ଓ କନ୍ୟା ହେଉଛି ଜଣେ କୁନି ଝିଅ । ଏଭଳି ବାହାଘର ଦେଖିବାକୁ ମିଳିଛି କଙ୍କଡାହାଡ଼ ବ୍ଳକ୍ ଅନ୍ତର୍ଗତ ଦେବଗଣ ସାହିରେ ।

ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ କଳୁଷିତ ପରମ୍ପରାର ନାଁରେ କୁକୁର ସହିତ ହେଉଛି କୁନି ଝିଅ ବିବାହ । ପୂର୍ବ ପୁରୁଷରୁ ଚାଲି ଆସୁଥିବା କୁକୁର ବାହାଘର ରୀତିନୀତିରେ ବିବାହ କରୁଛନ୍ତି ଢେ଼ଙ୍କାନାଳ ଜିଲ୍ଲା ,କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କରଗୋଳା ପଞ୍ଚାୟତ ଅଧିନରେ ଥିବା ଦେବଗଣ ସାହିରେ ବସ ବାସ କରୁଥିବା ଆଦିବାସୀ ସଂପ୍ରଦାୟ ଲୋକେ ।

ପୂରା ରୀତିନୀତିରେ ହେଉଛି ବାହାଘର। ଆଦିବାସୀମାନଙ୍କ ବିଶ୍ୱାସ ରହିଥାଏ ଯେ ଘରେ ଯଦି ଗୋଟେ ପିଲା ଜନ୍ମ ଗ୍ରହଣ କରିଥାଏ, ସେହି ପିଲା ତା ମା ପାଖରୁ କ୍ଷୀର ପାନ କରିବା ସମୟରେ ପାଟିର ଉପର ପଟରେ ଯଦି ପିଲାର ଦାନ୍ତ ଗୋଟେ ଦେଖିବାକୁ ମିଳେ, ତେବେ ସେହି ପିଲାର ଗ୍ରହ ନକ୍ଷତ୍ର ଖରାପ ବୋଲି ଜଣା ପଡ଼ିଥାଏ, ଏବଂ ସେହି ପିଲାର ଦାନ୍ତକୁ କୁକୁର ଦାନ୍ତ ବୋଲି ସେମାନେ କହିଥାନ୍ତି । ତେବେ ସେହି ପିଲା ଯଦି ବଡ଼ ହୋଇଯାଏ , ଆଉ ବଡ଼ ହୋଇଯିବା ପରେ ତା’ର ବିଭିନ୍ନ ପ୍ରକାରର ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ । ତେବେ ସେହି ଦୁର୍ଘଟଣାଟିକୁ ରୋକିବାକୁ ଛୋଟ ପିଲା ସମୟରେ ତାକୁ କୁକୁର ସହିତ ପୂର୍ଣ୍ଣ ରୀତିନୀତିରେ ବିବାହ କରାଯାଇଥାଏ । । ଆଉ ବିବାହ ପରେ ସେ ଗ୍ରହମୁକ୍ତ ହୋଇଥାଏ ବୋଲି ସେମାନେ ବିଶ୍ୱାସ ରହିଛି । ଖାଲି ସେତିକି ନୁହେଁ ବର ପକ୍ଷ ଓ କନ୍ୟାପକ୍ଷ ଉଭୟ ମିଶି ଏକ ଭୋଜିର ଆୟୋଜନ ମଧ୍ୟ କରାଯାଏ । ତେବେ ଯୁଗ ଯେତେ ଆଗେଇଲେ ବି ଆଜି ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଲୋକ ଜୀବନ ଜାପନ କରୁଛନ୍ତି। ଯାହାର ଉଦାହରଣ ଏହି ବାହାଘର।

ଏଥିସହିତ ପଢ଼ନ୍ତୁ: ୧୫କୋଟି ଠକେଇ ମାମଲାରେ ଇନଫ୍ରା ରିଅଲିଟି ଲିମିଟେଡର ନିର୍ଦ୍ଦେଶକ ଗିରଫ

ପୌର ନିର୍ବାଚନ ଲାଗି ବନ୍ଦ ରହିବ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨୨ରୁ ୨୪ ମାର୍ଚ୍ଚ ଯାଏଁ ପରୀକ୍ଷା ବନ୍ଦ ରହିବ । +୩ କଲେଜ ଓ ବିଶ୍ୱବିଦ୍ୟାଳୟରେ ହୋଇପାରିବନି ପରୀକ୍ଷା । ପୌର ନିର୍ବାଚନ ପାଇଁ ଏପରି ନିଷ୍ପତ୍ତି । କଲେଜରେ ହେବ ପୋଲିଂ ବୁଥ ଏଣୁ ଛାତ୍ରଛାତ୍ରୀ ଭୋଟ୍ ଦେଇପାରିବେ ନାହିଁ । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ଉଚ୍ଚଶିକ୍ଷା ବିଭାଗର ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛି ଯୁକ୍ତ ୩କଲେଜ ଓ ବିଶ୍ୱ ବିଦ୍ୟାଳୟରେ ପଞ୍ଚମ ସେମିଷ୍ଟର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଏହି ତାରିଖରେ ଅନୁଷ୍ଠିତ ହେବାର ଥିଲା ।

ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ମାର୍ଚ୍ଚ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିସାରିଛନ୍ତି । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ । ମାର୍ଚ୍ଚ ୨ରୁ ୭ ତାରିଖ ମଧ୍ୟରେ ନାମାଙ୍କନ ପ୍ରକ୍ରିୟା ଅନୁଷ୍ଠିତ ହୋଇସାରିଛି । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।

ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ଘୋଡ଼ା ଚଢ଼ି ବିଧାନସଭା ଆସିଲେ ବିଧାୟିକା

ରାଞ୍ଚି: ଅନ୍ତର୍ଜାତୀୟ ମହିଳା ଦିବସରେ ନିଆରା ଅନ୍ଦାଜ । ପୂର୍ବରୁ ନିଆରା ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ବିଧାୟିକା ଅମ୍ବା ପ୍ରସାଦଙ୍କୁ ଆଜି ନୂଆ ରୂପରେ ଦେଖିବାକୁ ମିଳିଛି । ଘୋଡ଼ା ଚଢ଼ି ବିଧାନସଭା ଆସିଛନ୍ତି ଅମ୍ବା ପ୍ରସାଦ । ବଡ଼କାଗାଓଁ ଆସନରୁ ବିଧାୟିକା ଥିବା ଅମ୍ବା ବିଧାନସଭାକୁ ଘୋଡ଼ା ଚଢ଼ି ଆସିବା ବେଳେ ପରିସରକୁ ଯିବାକୁ ଅନୁମତି ଦିଆ ଯାଇନଥିଲା । ଫଳରେ ଘୋଡ଼ାକୁ ବାହାରେ ଛାଡ଼ି ବିଧାନସଭା ଭିତରକୁ ଯାଇଥିଲେ ।

ଅନ୍ତର୍ଜାତୀୟ ମହିଳା ଦିବସରେ ସେ ଗର୍ବ କରନ୍ତି । ପୂର୍ବ ଭଳି ମହିଳା ଦୁର୍ବଳ ନୁହନ୍ତି । କୌଣସି କ୍ଷେତ୍ରରେ ଦେଖି ନିଅନ୍ତୁ । ମହିଳାମାନେ କାହାରି ଠାରୁ ବି କମ୍ ନୁହଁନ୍ତି । ମହିଳା କେବଳ ଘର କାମ କରୁନାହାନ୍ତି, ପ୍ରତିଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଉଥିବା କହିଛନ୍ତି ଅମ୍ବା ପ୍ରସାଦ ।

ଏଥିସହ ପଢ଼ନ୍ତୁ: ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ