ନବରଙ୍ଗପୁରରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବିକାଶର ନୂଆ ଇତିହାସ ଯୋଡ଼ି ହେବାକୁ ଯାଉଛି । ଉପାନ୍ତ ଜିଲ୍ଲାରେ ମିଳିବ ଉନ୍ନତମାନର ସ୍ୱାସ୍ଥ୍ୟସେବା । ନବରଙ୍ଗପୁର ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଆସନ୍ତା ଶୁକ୍ରବାର ଠାରୁ  ସେବା ଆରମ୍ଭ ହେଉଥିବା ବେଳେ ଏନେଇ ପଞ୍ଜିକରଣ ଷ୍ଟାର୍ଟ ହୋଇଯାଇଛି ।

ନବରଙ୍ଗପୁର ଇତିହାସରେ ନୂଆ ଅଧ୍ୟାୟ । ଉପାନ୍ତରେ ମିଳିବ ଉନ୍ନତ ସ୍ୱାସ୍ଥ୍ୟସେବା । ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ା ପରେ ଏବେ ନବରଙ୍ଗପୁରର ପାଳି । ଦୁର୍ଗମ ଅଞ୍ଚଳରେ ଉନ୍ନତ ରୋଗୀକଲ୍ୟାଣ ସେବା ଯୋଗାଇ ଦେବାକୁ ଯାଉଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହେଉଥିବା ବେଳେ ରାଜ୍ୟର ସୁପର ସ୍ପେଶାଲିଷ୍ଟ ଡାକ୍ତର ସେବା ପ୍ରଦାନ କରିବେ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଞ୍ଜୀକରଣ ଆରମ୍ଭ ହୋଇଛି ।

ଆଦିବାସୀ ଇଲାକାରେ ହାତ ପାହାନ୍ତାରେ ମିଳିବ ରୋଗୀ କଲ୍ୟାଣ ସେବା । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ଜିଲ୍ଲାରେ ରୋଗୀଙ୍କୁ ସେବା ପ୍ରଦାନ କରିବେ । ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇ ଦିଆଯାଉଥିବା ବେଳେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡରେ ହିତାଧିକାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳୁଥିବା ବେଳେ ଏବେ ଉପାନ୍ତ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟସରକାର । ଯାହାକୁ ନେଇ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।