ଖରଗୋନ: କେବଳ ପଥର ଫିଙ୍ଗିନଥିଲେ, ଭଙ୍ଗାରୁଜା ମଧ୍ୟ କରିଥିଲେ, ସାମ୍ନାକୁ ଆସିଲା ହିଂସାର ଭିଡ଼ିଓ

 ଭୋପାଳ: ମଧ୍ୟପ୍ରଦେଶର ଖରଗୋନରେ ରାମନବମୀ ଶୋଭାଯାତ୍ରାରେ ଦଙ୍ଗାକାରୀ ପଥର ଫିଙ୍ଗିବା ପରେ ହିଂସା ଅଧିକ ବଢ଼ି ଯାଇଥିଲା ।  ଏବେ ହିଂସାର ଚାରି ଦିନ ପରେ କେତେକ ଭିଡ଼ିଓ ସାମ୍ନାକୁ ଆସିଛି ।  ଯେଉଁଥିରେ ଦଙ୍ଗାକାରୀ ପଥର ଫିଙ୍ଗିବା ଠାରୁ ଆରମ୍ଭ କରି ହାତରେ ଅସ୍ତ୍ର ଧରିବା ଏବଂ ଗାଡ଼ିମଟର ଭଙ୍ଗାରୁଜା କରିବା ଘଟଣା ଦେଖିବାକୁ ମିଳିଛି ।

ଏହି ସିସିଟିଭି ଫୁଟେଜ ଘାଟୀ ମାର୍ଗ ବାଡ଼ି ଜାମା ମସଜିଦର ନିକଟ ୧୩ ନମ୍ବର ଓ୍ୱାର୍ଡ଼ର ବୋଲି କୁହାଯାଉଛି ।  ଭିଡ଼ିଓରେ କିଛି ଲୋକ ଚେହେରା ଘୋଡ଼ାଇଥିବା ଦେଖିବାକୁ ମିଳିଛି ।  ହାତରେ ଅସ୍ତ୍ର ସାଙ୍ଗକୁ ପଥର ମଧ୍ୟ ଅଛି ।

 

ତେବେ ଘଟଣା ପରେ ଲୋକେ ଦୌଡ଼ିବା ଆରମ୍ଭ କରିଦେଲେ । ଏମାନଙ୍କ ମଧ୍ୟରୁ ଅନେକ ଆହତ ମଧ୍ୟ ହେଲେ । ଦଙ୍ଗାକରୀ ୩୦ରୁ ଅଧିକ ଦୋକାନ ଏବଂ ଘରେ ନିଆଁ ଲଗାଇ ଦେଇଥିଲେ । ରାତି ପ୍ରାୟ ୯ଟାରେ ମାମଲା ସାମାନ୍ୟ ଅବସ୍ଥାକୁ ଆସିଲା । କିନ୍ତୁ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ସବୁକିଛି ପୁଣି ଅଶାନ୍ତ ହୋଇଗଲା । ଆନନ୍ଦ ନଗର,ସଞ୍ଜୟ ନଗରର ମୋତିପୁରାରେ ଘରକୁ ଜାଳି ଦିଆଗଲା । କିଛି କିଛି ଘରେ ତ ଲୁଟ୍‌ ମଧ୍ୟ ହୋଇଥିଲା । ଏଥିରେ ୭୦ରୁ ଅଧିକ ପରିବାରକୁ ଘର ଛାଡ଼ି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପଡ଼ିଲା । ଏହି ଘଟଣାରେ ୧୦ ପୋଲିସକର୍ମୀ ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏସପି ସିଦ୍ଧାର୍ଥ ଚୌଧୁରୀଙ୍କ ବାମ ପାଦରେ ଗୁଳି ବାଜିଥିଲା । ସ୍ଥାନୀୟ ଲୋକଙ୍କ କହିବା ହେଉଛି ଘଟଣା ଅଚାନକ ଘଟିନଥିଲା । ଏଥିପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ।  ଦଙ୍ଗାକାରୀ ଘର ଛାତ ଉପରେ ପଥର ଏବଂ ପେଟ୍ରୋଲ ପୂର୍ବରୁ ଏକାଠି କରି ରଖିଥିଲେ ।  ଯଦି ପୋଲିସ୍‌ ପୂର୍ବରୁ ଡ୍ରୋନ୍‌ ମାଧ୍ୟମରେ ଛାନଭିନ୍‌ କରିଥାନ୍ତା ତେବେ ହୁଏତ ଏ ସବୁ ଘଟିନଥାନ୍ତା । ସୂଚନା ଅନୁସାରେ ସ୍ଥିତି ଏତେମାତ୍ରାରେ ବିଗିଡ଼ିଗଲାଯେ, ଲୋକମାନେ ସମ୍ପର୍କୀୟ,  ନେତା ଏବଂ ପୋଲିସକୁ ଫୋନ୍‌ କଲ କରି ବଞ୍ଚାଇବାକୁ କହିଥିଲେ । ତେବେ ଘଟଣା ମଧ୍ୟରେ ୪୦ ପରିବାରକୁ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ପହଞ୍ଚା ଯାଇଥିଲା ।

 

ସୂଚନା ମୁତାବକ, ତାଲାବ ଚୌକରେ ରାମନବମୀ ଶୋଭାଯାତ୍ରା ଆରମ୍ଭ ହେଲା । ଲୋକ ଡିଜେ ତାଳେ ତାଳେ ଡ୍ୟାନ୍ସ କରି ଆଗକୁ ବଢ଼ୁଥିଲେ । ଏହାରି ମଧ୍ୟରେ ଗଳି ମଧ୍ୟରୁ କିଛି ଲୋକ ହଠାତ୍‌ ବାହାର ଆସି ପଥର ମାଡ଼ କରିଥିଲେ । ପୋଲିସ ପରିସ୍ଥିତିକୁ କାବୁକୁ ଆଣିବା ପାଇଁ ଟିୟର ଗ୍ୟାସ୍‌ ବ୍ୟବହାର କରିବା ସହିତ ଫାଙ୍କା ଫାୟରିଂ ମଧ୍ୟ କରିଥିଲେ ।ଘଟଣା ସ୍ଥଳରେ ତୁରନ୍ତ ଜିଲ୍ଲାପାଳ ମଧ୍ୟ ପହଞ୍ଚିଥିଲେ । ଏହା ସହିତ ସ୍କୁଟି ଓ ବାଇକ୍‌ ଆଦି ମଧ୍ୟ ଜାଳି ଦିଆଯାଇଥିବା କୁହାଯାଉଛି । କେବଳ ସେତିକି ନୁହେଁ ଦଙ୍ଗାକାରୀ କିଛି ଧାର୍ମିକ ସ୍ଥଳକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ ।