୧୫ ବର୍ଷରେ ନିର୍ମାଣ ହେବ ଅଖଣ୍ଡ ଭାରତ, ଯିଏ ରାସ୍ତାରେ ଆସିବ ମାଟିରେ ମିଶିଯିବ

ହରିଦ୍ୱାର: ଅଖଣ୍ଡ ଭାରତର ଏଜେଣ୍ଡା ଆରଏସଏସ ପାଇଁ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ।  ଚଳିତ ଥର ସଂଘଚାଳକ ମୋହନ ଭାଗବତ ଏହାକୁ ନେଇ ଏକ ବଡ଼ ବୟାନ୍‌ ଦେଇଛନ୍ତି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସଂଘଚାଳକ ମୋହନ ଭାଗବତ  ହରିଦ୍ୱାରରେ କହିଛନ୍ତିଯେ, ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର । କିନ୍ତୁ ଯଦି ଆମେ ସାମାନ୍ୟ ଚେଷ୍ଟା କରିବା ତେବେ ସ୍ୱାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ସ୍ୱପ୍ନର ଅଖଣ୍ଡ ଭାରତ ୧୦ରୁ ୧୫ ବର୍ଷ ମଧ୍ୟରେ ନିର୍ମାଣ ହୋଇଯିବ । ଏହାକୁ କେହି ମଧ୍ୟ ଅଟକାଇବାକୁ ନାହିଁ । ଯିଏ ପ୍ରତିବନ୍ଧକ ସାଜିବ, ସିଏ ମାଟିରେ ମିଶିଯିବ ।

ଆରଏସଏସ ମୁଖ୍ୟ କହିଛନ୍ତିଯେ,  ଯେଉଁଭଳି ଭଗବାନ କୃଷ୍ଣ ତାଙ୍କ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠାଇଥିଲେ, ଠିକ୍‌ ସେହିଭଳି ସନ୍ଥଙ୍କ ଆଶୀର୍ବାଦରେ ଭାରତ  ଏକ ଅଖଣ୍ଡ ଭାରତରେ ଖୁବଶୀଘ୍ର ପରିଣତ ହୋଇଯିବ । ଏହାକୁ କେହି ମଧ୍ୟ ଅଟକାଇବା ପାଇଁ ନାହିଁ ।  କିନ୍ତୁ ସାଧାରଣ ଲୋକଙ୍କ ସାମାନ୍ୟ ଉଦ୍ୟମ ହିଁ ଭାରତକୁ ଅଖଣ୍ଡ ଭାରତରେ ପରିଣତ କରିବାକୁ ଯଥେଷ୍ଟ ।

ମୋହନ ଭାଗବତ କହିଛନ୍ତିଯେ,  ଭାରତର ବିକାଶ ପଥରେ ଆଗକୁ ବଢ଼ୁଛି । ତା ରାସ୍ତାରେ ଯିଏ ଆସିବ ସିଏ ମାଟିର ମିଶିଯିବ । ଭାରତ ଏବେ ଆଉ ଅଟକିବ ନାହିଁ । ବିକାଶ ଟ୍ରାକରେ ଦୌଡ଼ୁଛି ଭାରତ । ଏହି ବିକାଶ ଧାରାରେ ସମସ୍ତେ ସାମିଲ ହୁଅ ଏବଂ ତାକୁ ରୋକିବାକୁ କେହି ମଧ୍ୟ ଚେଷ୍ଟା କରନାହିଁ ।

ଏହା ସହିତ ସେ କହିଛନ୍ତିଯେ, ଆମେ ଭିନ୍ନ ଭିନ୍ନ ଏବଂ ବିଭିନ୍ନ । କିନ୍ତୁ ଆମେ କେହି କାହାଠାରୁ ପୃଥକ୍‌ ନୁହେଁ । ଆମେ ଯଦି ଏକ ହୋଇ ମରିବା ଏବଂ ବଞ୍ଚିବା ଆରମ୍ଭ କରିବା ତେବେ ଭାରତକୁ ଅଖଣ୍ଡ ଭାରତରେ ପରିଣତ କରିବାର ସ୍ୱପ୍ନ ସାକାର ହୋଇଯିବ ।