spot_img
Home Blog Page 4492

ଜୋରଦାର ହେଲାଣି ପୌର ପ୍ରଚାର, ସଭା ସମିତିରେ କମ୍ପୁଛି ସହର

ଭୁବନେଶ୍ୱର: ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର । ୩ ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ଜୋରଦାର କରିଛନ୍ତି । ସଭା ସମିତିରେ କମ୍ପୁଛି ସହର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ପର୍ଯ୍ୟନ୍ତ ତାତିଲାଣି ସହର । ପଞ୍ଚାୟତ ନିର୍ବାଚନରେ ବିରୋଧୀ ପରାଜୟ ଗ୍ରହଣ କରିଥିବାରୁ ପୌରରେ ସମ୍ମାନ ବଞ୍ଚାଇବା ପାଇଁ ଲାଗି ପଡ଼ିଛନ୍ତି । ତେବେ ପୌର ନିର୍ବାଚନ ପ୍ରଚାରର ଆଗରେ ରହିଛି ବିଜୁ ଜନତା ଦଳ । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ଦଳ । ୩ ଟି ମହାନଗର ନିଗମ ଓ ସମସ୍ତ ପୌରାଞ୍ଚଳ ବିଜେଡି ଦଖଲ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି । ପଞ୍ଚାୟତରେ ପ୍ରତ୍ୟାଖିତ ହେବା ପରେ ପୌରରେ ଭଲ କରିବ ବୋଲି ଆଶା ବାନ୍ଧିଛି ବିଜେପି । କେନ୍ଦ୍ରମନ୍ତ୍ରୀ ଓ ଜାତୀୟସ୍ତରର ନେତାଙ୍କୁ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇବା ପାଇଁ ବିଜେପି ଯୋଜନା କରିଛି । ସେହିପରି କଂଗ୍ରେସ ପୌରରେ ଦ୍ବିତୀୟ ସ୍ଥାନରେ ରହିବା ନେଇ ନିଜର ରଣନୀତି ପ୍ରସ୍ତୁତ କରି ପ୍ରଚାର କରୁଛି  ।

 

ଭିଜିଲାନ୍ସ ଜାଲରେ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓ ଭୁବନେଶ୍ବରର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ ଚାଉଳିଆଗଞ୍ଜ ସ୍ଥିତ ମହାନଦୀ ବିହାରରେ ଥିବା ଦୁଇ ମହଲା କୋଠାରେ ରେଡ୍ ବେଳେ ୫ ଶହ ଗ୍ରାମ୍ ସୁନା ସହ ୨ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେହିପରି ୧୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଠାବ ହୋଇଛି ।

ସେପଟେ ନେମାଳ ଲେଣ୍ଡୁରା ଭଗବାନପୁରରେ ଥିବା ପୈତୃକ ଘର, ଗଣ୍ଡରପୁରରେ ଥିବା ଅଫିସ ସହ ପାହାଳ ଉତ୍କଳ ହାଇଟ୍ସରେ ଥିବା ଫ୍ଲାଟରେ ମଧ୍ୟ ରେଡ୍ କରିଛି ଭିଜିଲାନ୍ସ । ତେବେ ଉତ୍କଳ ହାଇଟ୍ସରେ ଥିବା ଫ୍ଲାଟ୍ ମନୋଜଙ୍କ ପତ୍ନୀ ଦେବସ୍ମିତା ବେହେରାଙ୍କ ନାଁରେ ରହିଛି । ଭିଜିଲାନ୍ସର ଏହି ଚଢାଉରେ ୪ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

ଏପ୍ରିଲରେ ବଜାରକୁ ଆସିବ LIC ଆଇପିଓ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସରେ ବଜାରକୁ ଆସିପାରେ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ବହୁ ପ୍ରତିକ୍ଷୀତ ପ୍ରାରମ୍ଭିକ ପବ୍ଲିକ୍‌ ଅଫର(ଆଇପିଓ)। ସମ୍ପ୍ରତି ଋଷ ଏବଂ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପ୍ରଭାବରେ ପୁଞ୍ଜି ବଜାରରେ ଅସ୍ଥିରତା ଲାଗି ରହିଥିବା ହେତୁ ଏହି ଆଇପିଓ ମାର୍ଚ୍ଚରେ ଆସିବା କଷ୍ଟକର । ତେଣୁ ଏହି ଆଇପିଓ ସମ୍ପର୍କରେ ନିରନ୍ତର ଆଲୋଚନା ବଜାରରେ ଜାରି ରହିଛି । ସୋମବାର ଆସିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ହେତୁ ସରକାର ଆଇପିଏକୁ ସ୍ଥଗିତ ରଖିପାରନ୍ତି ।

ଗତ ଫେବୃଆରୀରୁ ୟୁକ୍ରେନ୍‌-ଋଷ ଯୁଦ୍ଧ ପରଠାରୁ ବିଶ୍ବ ତଥା ଭାରତୀୟ ଷ୍ଟକ୍ ବଜାରରେ ଅନେକ ଅସ୍ଥିରତା ଦେଖାଦେଇଛି । ବିଦେଶୀ ନିବେଶକଙ୍କ ଭାବନା ଉପରେ ଏହାର ଗଭୀର ପ୍ରଭାବ ପଡିଛି । ମାର୍ଚ୍ଚରେ ସରକାର ଏଲଆଇସି ଆଇପିଓ ପ୍ରବର୍ତ୍ତନ ଉପରେ ପୁନର୍ବିଚାର କରୁଛନ୍ତି । ତେବେ ଏପ୍ରିଲ ମଧ୍ୟ ଭାଗରେ ଏଲଆଇସି ଆଇପିଓ ଲିଷ୍ଟିଂ ବା ତାଲିକା ଭୁକ୍ତ ହେବାର ସମ୍ଭାବନା ରହିଛି ବୋଲି ଜଣେ ସରକାରୀ ଅଧିକାରୀ ରିପୋର୍ଟରେ ଦର୍ଶାଇଛନ୍ତି । ସେ କହିଛନ୍ତି ଯେ ଆମେ ବଜାର ଉପରେ ତୀକ୍ଷ୍ଣ ନଜର ରଖିଛୁ । ସାମ୍ନାରେ ଦୃଶ୍ୟମାନ ହେଉଥିବା ପରିସ୍ଥିତିକୁ ଦେଖିଲେ, ଠିକ ସମୟରେ ଆଇପିଓ ବଜାରକୁ ଛାଡିବା କଷ୍ଟକର ମନେ ହୁଏ । ଉଲ୍ଲେଖନୀୟ କଥା ହେଉଛି ମାର୍ଚ୍ଚ ୩୧ ପୂର୍ବରୁ ସରକାର ଆଇପିଓ ଆରମ୍ଭ କରିବାକୁ ଯୋଜନା କରିଥିଲେ ।

 

 

ମିଛ ଧରା ମେସିନରେ ସତ ଉଗାରିବ ଠକ ଡାକ୍ତର ରମେଶ ସ୍ୱାଇଁ

ଭୁବନେଶ୍ୱର: ଠକ ଡାକ୍ତର ରମେଶ ସ୍ୱାଇଁର ଖୋଲିବ ଆହୁରି ଅନେକ କଳଙ୍କିତ ଡାଏରୀ । ଆଜି ହେବ ପଲିଗ୍ରାଫ ଟେଷ୍ଟ । ଏଥିପାଇଁ ବିଭିନ୍ନ ଦିଗକୁ ନେଇ ସ୍ବତନ୍ତ୍ର ପ୍ରଶ୍ନ ତିଆରି କରିଛି ପୋଲିସ । କିଭଳି କରୁଥିଲା ଠକେଇ ? କିଭଳି ପ୍ରସ୍ତୁତ କରୁଥିଲା ଠକେଇର ବ୍ଲ୍ୟୁ-ପ୍ରିଣ୍ଟ, ପରିବାର ଛଡ଼ା ଆଉ କେଉଁମାନେ ଥିଲେ ରମେଶର ସହଯୋଗୀ ? ଠକର ପ୍ରେମ ଜାଲରେ କିଭଳି ପଡିଥିଲେ ୧୮ ପତ୍ନୀ? ଏସବୁ ଦିଗକୁ ନେଇ ପ୍ରଶ୍ନ କରିବ ମହିଳା ଥାନା ପୋଲିସ ।

ସେପଟେ ଗତକାଲି ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପ୍ରଥମ ପତ୍ନୀଙ୍କୁ ମାରାଥନ ଜେରା କରିଛି ପିଙ୍କ ଟିମ୍ । ୧୯୮୨ରେ ରମେଶ ପ୍ରଥମେ ଶାନ୍ତିଲତା ସ୍ୱାଇଁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛି । ୩ ଜଣ ରାଜ୍ୟ ବାହାରେ ଡାକ୍ତର ଅଛନ୍ତି । ରମେଶର ଠକେଇ ଟଙ୍କାରେ ତିନି ଜଣ ପାଠ ପଢିଥିବା ପୋଲିସ ଜାଣିବାକୁ ପାଇଛି । ସ୍ଵାମୀ ବାବଦରେ ପୋଲିସ ଯାହା ଚାହିଁବ ସେଦିଗରେ ସହଯୋଗ କରିବେ ବୋଲି କହିଛନ୍ତି ପ୍ରଥମ ପତ୍ନୀ । ତେବେ ପ୍ରଥମ ପତ୍ନୀଙ୍କଠାରୁ ମିଳିଥିବା ତଥ୍ୟକୁ ନେଇ ମିଛଧରା ମେସିନରେ ପ୍ରଶ୍ନ କରାଯିବ । ରମେଶର ଗିରଫଦାରୀକୁ ମାସେ ପୁରିଥିଲେ ମଧ୍ୟ ଠକେଇ ସିଣ୍ଡିକେଟରେ ସାମିଲ ଥିବା ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଫେରାର ଥିବାରୁ ସେମାନଙ୍କୁ ଧରିବାରେ ବିଫଳ ହୋଇଛି ପୋଲିସ ।

 

ଆମେରିକା ଉପରେ କାର୍ଯ୍ୟାନୁଷ୍ଠାନ ନେଲା ଋଷ, ଅନେକ ଶୀର୍ଷ ଅଧିକାରୀଙ୍କ ଉପରେ ଲଗାଇଲା ପ୍ରତିବନ୍ଧକ

କିଭ୍: ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୯୭ ଜଣ ଶିଶୁ ଯୁଦ୍ଧରେ ପ୍ରାଣ ହରାଇଛନ୍ତି । କାନାଡ଼ା ସଂସଦରେ ଅଭିଭାଷଣ ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି । ଏପଟେ କିଭରେ ଋଷର ଆକ୍ରମଣ ବଢୁଥିବା ବେଳେ ସେଠାରେ ୩୬ ଘଣ୍ଟାର କର୍ଫ୍ୟୁ ଘୋଷଣା କରିଛନ୍ତି ସରକାର । କିଭରେ ଯୁଦ୍ଧ ତାଣ୍ଡବଲୀଳା ଚାଲୁଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାକୁ କର୍ଫ୍ୟୁ ଘୋଷଣା ହୋଇଛି ।

ସେପଟେ ଋଷ ଆମେରିକା ଉପରେ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ହିଲାରୀ କ୍ଲିଣ୍ଟନଙ୍କ ସମେତ ଆମେରିକାର ଅନେକ ଶୀର୍ଷ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲାଗୁ କରିଛି ଋଷ । ସେମାନେ ଆଉ ଋଷ ପ୍ରବେଶ କରିପାରିବେ ନାହିଁ । ୟୁକ୍ରେନ ଏବଂ ଋଷ ସେନା ମଧ୍ୟରେ ଭୟାନକ ଯୁଦ୍ଧ ଜାରି ରହିବା ବେଳେ ଅନେକ ଦେଶ ଋଷ୍‌ ଉପରେ ଆର୍ଥିକ କଟକଣା ଲଗାଇଛନ୍ତି । ତେବେ ଏବେ ପୁଟିନ୍‌ କଟକଣା ଲାଗୁ କରିବା ପରେ ଆମେରିକା ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

 

ଆଜି ଭଗତ ସିଂହଙ୍କ ପୈତୃକ ଗାଁରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ୱନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବରେ ବିପୁଳ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ ମାନ୍‌ । ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ବନ୍ତ । ଏହି ଭବ୍ୟ ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ସାମିଲ ହେବେ । ଭଗଓ୍ୱନ୍ତ ମାନଙ୍କ ବ୍ୟତୀତ ଅନ୍ୟ ୧୭ ବିଧାୟକ ମନ୍ତ୍ରୀ ପଦର ଶପଥ ନେବାର ଥିଲା । କିନ୍ତୁ ଆଜି କେବଳ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ ହିଁ ଶପଥ ନେବେ । ଅନ୍ୟ ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ । ପଞ୍ଜାବରେ ଆମ୍‌ ଆଦମୀ ପାର୍ଟିର ବିପୁଳ ବିଜୟ ପରେ ଏବେ ସରକାର ଗଠନ ପ୍ରକ୍ରିୟା ଜୋରସୋରରେ ଚାଲିଛି । ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।

ଗତ ଶନିବାର, ଭଗଓ୍ୱନ୍ତ ମାନ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । ଆଜି ମଧ୍ୟାହ୍ନ ୧୨ ଟା ୩୦ରେ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂହଙ୍କ ପୈତୃକ ଗାଁ’ରେ ଶପଥ ନେବେ ଭଗଓ୍ବନ୍ତ ମାନ୍ । ପଞ୍ଜାବର ମୋଟ ୧୧୭ ସିଟରୁ ୯୨ଟି ସିଟ୍‌ ହାତେଇ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଏପଟେ ଅନ୍ୟ ଚାରି ରାଜ୍ୟରେ ସରକାର ଗଠନ ନେଇ ପ୍ରସ୍ତୁତ କରୁଛି ଭାରତୀୟ ଜନତା ପାର୍ଟି । ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ ।

ଆଜିଠୁ ପିଲାଙ୍କୁ ଟିକାକରଣ, ୧୨ରୁ ୧୪ବର୍ଷ ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା

ଭୁବନେଶ୍ୱର: ଆଜିଠୁ ପିଲାଙ୍କୁ ଦିଆଯିବ ଟିକା । ୧୨ରୁ ୧୪ ବର୍ଷ ପିଲାଙ୍କର ହେବ ଟିକାକରଣ । ଜନ୍ମ ପ୍ରମାଣପତ୍ର ଦେଖାଇ ଟିକା ନେଇପାରିବେ ୧୨ରୁ ୧୪ ବର୍ଷର ପିଲା । ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଟିକା ଦିଆଯିବ । ପୂର୍ବ ନିୟମାବଳୀ ଭଳି ସମାନ ନିୟମ ରହିଛି । ତେବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ରହିଛି । ରାଜ୍ୟରେ ୧୨ରୁ ୧୪ ବର୍ଷ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲାଙ୍କୁ ଦିଆଯିବ ଟିକା । ଟିକାକରଣ ପାଇଁ ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟର ନିୟୋଜିତ ହୋଇଛନ୍ତି ।

୧୨ରୁ ୧୪ ବର୍ଷ ବୟସର ପିଲାମାନଙ୍କୁ ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ। କୋ-ଓ୍ୱିନ୍ ପୋର୍ଟାଲରେ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ । ସେହିପରି ସ୍କୁଲରେ ଟିକାକରଣକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଂ ଅନୁସାରେ ଟିକାକରଣ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି ଟିକାକରଣ କରାଯିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ସ୍ବତନ୍ତ୍ର କେନ୍ଦ୍ର ଖୋଲାଯିବ ।

ବିରୋଧୀଙ୍କ ଶିବିରରେ ହତାଶା: ପୌର ପ୍ରଚାରରେ ବିଜେପିର ଅସ୍ତିତ୍ୱ ନେଇ ପ୍ରଶ୍ନ କରୁଛନ୍ତି ଦଳୀୟ କର୍ମୀ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଜମିଳାଣି ପ୍ରଚାର । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ଯାଏଁ ତାତିଲାଣି ସହର । କିନ୍ତୁ ବିରୋଧୀ ଶିବିରରେ ଦେଖାଦେଲାଣି ଅସହଯୋଗ ଓ ପ୍ରାର୍ଥୀ ସଙ୍କଟ । କଂଗ୍ରେସରୁ ଲଢିବାକୁ ପ୍ରାର୍ଥୀ ଆଗ୍ରହ ପ୍ରକାଶ କରୁନଥିବା ବେଳେ ବିଜେପିରେ ମିଳୁନି ଦଳୀୟ ନେତାଙ୍କ ଆଶୀର୍ବାଦ ଓ ସମର୍ଥନ । ବିରୋଧୀ ଶିବିରରେ ଦେଖାଦେଇଥିବା ଏହି ନିଆଁରେ ଘିଆ ଢାଳିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଓରଫ ଜିମ ବାପି । ବିଜେପିରେ ଅଲ ଇଜ ନଟ ୱେଲ ଚେହେରାକୁ ପଦାରେ ପକାଇଦେଇଛନ୍ତି ।

ଆରମ୍ଭରୁ ହିଁ ବିରୋଧୀ ହତାଶ । କିଏ ପ୍ରାର୍ଥୀ ପାଉନାହାଁନ୍ତି ତ କାହାକୁ ମିଳୁନି ଦଳୀୟ ସହଯୋଗ । ବିରୋଧୀ ଶିବିରରେ ହତାଶା ବିଜେଡିକୁ ଯୋଗାଇଛି ବଳ । ପଞ୍ଚାୟତରେ ବାଜିମାତ ପରେ ସମସ୍ତ ୧୦୯ ପୌରାଞ୍ଚଳ ଦଖଲ କରିବାକୁ ଅଣ୍ଟାଭିଡିଛି ବିଜେଡି । ଆଉ ବିଜେଡିର ରଣନୀତିକୁ ସଶକ୍ତ କରିଛି ବିରୋଧୀ ଶିବିରରେ ଦେଖାଦେଇଥିବା ହତାଶା । କଂଗ୍ରେସ ସବୁ ୱାର୍ଡରେ ଲଢିବାକୁ ପ୍ରାର୍ଥୀ ପାଉନି । ଖୋଦ ଭୁବନେଶ୍ୱର ମହାନଗର ନିଗମରେ ୨୦ ୱାର୍ଡରେ ପାର୍ଥୀ ଦେଇପାରିନି ଦେଶର ସର୍ବପୂରାତନ ଦଳ । ଅନ୍ୟପକ୍ଷରେ ଫେସବୁକରେ ଏକ ପୋଷ୍ଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିନିଧି ଦେବାଶିଷ ନାୟକ ଓରଫ ଜିମ ବାପି ।

ପୌର ପ୍ରଚାରରେ ବିଜେପିର ଅସ୍ତିତ୍ୱ ନେଇ ପ୍ରଶ୍ନ କରିଛନ୍ତି ବାପି । ଛଅରୁ ସାତ ଦିନ ପ୍ରଚାର ବାକି ଅଛି । ହେଲେ ପ୍ରାର୍ଥୀଙ୍କୁ ପତାକା ଦେଇ ପାରୁ ନାହିଁ ଦଳ । ସତସାହସ ନଥିବାରୁ ଦଳୀୟ ନେତାଙ୍କୁ ନିର୍ବାଚନରୁ ଓହରିବାକୁ ସେ ଆହ୍ୱାନ ଦେଇଛନ୍ତି । କହିବାକୁ ଗଲେ ଦଳୀୟ କନ୍ଦଳକୁ ସେ ଖୁଲ୍ଲମଖୁଲା ସାମ୍ନାକୁ ଆଣିଛନ୍ତି । ବିଜେପି ନେତାମାନେ ଦଳୀୟ ଅସହଯୋଗକୁ ଅସ୍ୱୀକାର କରି ବାପି ବିଜେପି କର୍ମୀ ନୁହନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ।

ଲଢ଼େଇ ପୂର୍ବରୁ ବିରୋଧୀ କଂଗ୍ରେସ ଓ ବିଜେପି ଏକପ୍ରକାର ମୈଦାନ ଛାଡିଦେଇଥିବା ବେଳେ ଆଭ୍ୟନ୍ତରୀଣ କନ୍ଦଳକୁ ତୁଟାଇ ବିଜେଡି ଅଧିକ ଶକ୍ତିଶାଳୀ ହୋଇଛି । ନିର୍ବାଚନ ପୂର୍ବରୁ ଆଶାୟୀଙ୍କୁ ନେଇ ସୃଷ୍ଟି ହୋଇଥିବା ସବୁ ଅସନ୍ତୋଷର ସମାଧାନ କରାଯାଇଛି । ବିଦ୍ରୋହୀ କୁହାଯାଉଥିବା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯୋଗ ଦେଲେଣି । ଯେଉଁଥିପାଇଁ ପଞ୍ଚାୟତ ପରି ପୌରରେ ବି କ୍ଲିନ ସୁଇପ କରିବ ବୋଲି ଦଳ ଦାବି କରୁଛି । ବିଜେଡିରେ ବିଦ୍ରୋହକୁ ଅପେକ୍ଷା କରି ନିର୍ବାଚନ ଲଢିବାକୁ ସ୍ଥିର କରିଥିଲେ ବିରୋଧୀ । ହେଲେ ସେପଟେ ନିଜ ଘର ଭୁଷୁଡ଼ି ଗଲାଣି ତାହା ବୁଝିବାକୁ ନାରାଜ । ପଞ୍ଚାୟତ ପରି ପୌର ନିର୍ବାଚନରେ ବି ବିରୋଧୀ ବହୁ ପଛରେ ରହିଯିବେ ବୋଲି ଚର୍ଚ୍ଚା ହେଉଛି ।

ସୁଟକେସ୍‌ରୁ ମିଳିଲା ପୁଟିନଙ୍କୁ ପାଗଳ କହୁଥିବା ଋଷୀୟ ମଡେଲଙ୍କ ମୃତଦେହ

ମସ୍କୋ: ୟୁକ୍ରେନ-ଋଷ ସଂଘର୍ଷ ମଧ୍ୟରେ ପୁଟିନଙ୍କୁ ପାଗଳ କହୁଥିବା ଋଷୀୟ ମଡେଲ ଗ୍ରେଟ୍ ବେଲଡରଙ୍କ ମୃତଦେହ ଏକ ସୁଟକେସ୍‌ରୁ ମିଳିଛି । ବେଲଡର ପୁଟିନଙ୍କ ବିରୋଧରେ ‘ପାଗଳ’ ପୋଷ୍ଟ ଲେଖିବା ପରଠୁ ନିଖୋଜ ଥିଲେ । କିନ୍ତୁ ବେଲଡରଙ୍କୁ ହତ୍ୟା କରିଥିବା ନେଇ ତାଙ୍କ ଏକ୍ସ ବୟଫ୍ରେଣ୍ଡ ସ୍ୱୀକାର କରିଛନ୍ତି । ଏହା ପରେ ପୋଲିସ  ଅଧିକ ତଦନ୍ତ ଚଳାଇଛି ।

ରିପୋର୍ଟ ମୁତାବକ ୨୩ ବର୍ଷୀୟ ଋଷ ମଡେଲ ଜାନୁଆରୀ ୨୦୨୧ରେ ଏକ ସୋସିଆଲ ମିଡିଆ ପୋଷ୍ଟ ଲେଖିଥିଲେ । ଏଥିରେ ପୁଟିନଙ୍କୁ ମାନସିକ ରୋଗୀ ଏବଂ ମହତ୍ତ୍ୱକାଂକ୍ଷୀ ବୋଲି ଲେଖିଥିଲେ । ଏହା ପରଠୁ ସେ ନିଖୋଜ ଥିଲେ । ବିଗତ ଦିନରେ ଲିପେସ୍ତକ ଅଞ୍ଚଳରେ ତାଙ୍କ ମୃତଦେହ ମିଳିଥିଲା । ତେବେ ହତ୍ୟା କେବେ ଓ କିଭଳି ହୋଇଥିଲା ସେ ନେଇ ତଦନ୍ତ ଚାଲିଛି । ବେଲଡର ନିଜ ଫେସବୁକ ପୋଷ୍ଟରେ ଲେଖିଥିଲେ ପୁଟିନ ଭଳି ଲୋକ ପିଲାଦିନୁ ଭୟାଳୁ । ଉଚ୍ଚ ସ୍ୱର ଏବଂ ଅନ୍ଧାରକୁ ଦେଖି ଭୟଭୀତ ହୁଅନ୍ତି । ଋଷ ଅଖଣ୍ଡତାର ନେଇ ସେ ଯେଉଁ ଜିଦ୍ ଧରିଛନ୍ତି ଏହା ପ୍ରତିବଦଳରେ ତାଙ୍କୁ ଲୁହ ମିଳିବ ।

ଅନ୍ୟପକ୍ଷରେ ବେଲଡରକୁ ହତ୍ୟା ପରେ ପୂର୍ବ ବୟଫ୍ରେଣ୍ଡ ଦିମିତ୍ରୀ କୋରେବିନଙ୍କୁ ଗିରଫ କରିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଟଙ୍କା ନେଣଦେଣକୁ ନେଇ ବେଲଡରଙ୍କୁ ହତ୍ୟା କରାଯାଇଛି । କୋରବିନ କହିଛନ୍ତି ଯେ, ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ସୁଟକେସରେ ରଖି ୩ଦିନ ପର୍ଯ୍ୟନ୍ତ ସେହି ମୃତଦେହ ସହ ରହିଥିଲା । ପରେ କାର୍‌ରେ ରଖି ତାକୁ ଲିପେସ୍ତକକୁ ଫିଙ୍ଗି ଦେଲା ।

ୟୁକ୍ରେନ ଉପରେ ଆକ୍ରମଣ ପରେ ଋଷ ଗଣମାଧ୍ୟମ ନେଇ ବିଶେଷ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥିରେ କୁହାଯାଇଛି ଯେ, କୌଣସି ବି ଗଣମାଧ୍ୟ ଯୁଦ୍ଧ, ଆକ୍ରମଣ, ଅନୁପ୍ରବେଶ ଭଳି ଶଦ୍ଦର ପ୍ରୟୋଗ କରିବ ନାହିଁ । ଯଦି ଏହି ଆଦେଶ ନମାନିବେ ତେବେ ଏହା ସହିତ ଜଡ଼ିତ ସାମ୍ୱାଦିକ ଦଣ୍ଡିତ ହେବେ । ମିଡିଆ ହାଉସକୁ ମଧ୍ୟ ବନ୍ଦ କରାଯାଇପାରେ । ଏବଂ ମୋଟ ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ ।

ମନରେଗା ଯୋଜନାରେ କେନ୍ଦ୍ର ଦେଉନି ଅର୍ଥ: ରାଜ୍ୟ ଦେଉଥିବା ଅର୍ଥକୁ ଖର୍ଚ୍ଚ କରିବାକୁ ଅନୁମତି ବି ଦେଉନି

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶାକୁ ଉପେକ୍ଷା । ନିଜ ରାଜ୍ୟରେ ନିଜ ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟକୁ ଅନୁମତି ଦେଉନାହିଁ କେନ୍ଦ୍ର । ମନରେଗା ଯୋଜନାରେ କେନ୍ଦ୍ର ସରକାର ସଠିକ୍ ସମୟରେ କେନ୍ଦ୍ରୀୟ ଅନୁଦାନ ଦେଉନଥିବାରୁ ରାଜ୍ୟରେ ଲୋକଙ୍କୁ କାମ ଯୋଗାଇବା ପାଇଁ ସରକାର ନିଜସ୍ୱ ପାଣ୍ଠିରୁ ୪୫୨କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ । କେନ୍ଦ୍ର ସରକାର ଯୋଜନା ପାଇଁ ଅର୍ଥ ତ ଦେଲେ ନାହିଁ, ରାଜ୍ୟ ସରକାର ଦେଉଥିବା ଅର୍ଥକୁ ଖର୍ଚ୍ଚ କରିବାକୁ ଅନୁମତି ବି ଦେଉନାହାନ୍ତି । ଏହାକୁ ନେଇ ବିଜେଡ଼ି କହିଛି, କେନ୍ଦ୍ର ସରକାର କେବଳ କଥାରେ ବିଶ୍ୱାସ କରନ୍ତି, କାମରେ ନୁହେଁ ।

ମନରେଗା ପାଇଁ କେନ୍ଦ୍ର ସରକାରଙ୍କ ନାହିଁ ଆନ୍ତରିକତା । ଖାଲି କଥା, କେନ୍ଦ୍ର ସରକାରଙ୍କ କାମ ଶୂନ । କେନ୍ଦ୍ରର ଆଭିମୁଖ୍ୟ ଉପରେ ବର୍ଷିଲା ବିଜେଡି । ରାଜ୍ୟର ନିଜସ୍ୱ ଅର୍ଥ ଖର୍ଚ୍ଚ କରିବାକୁ ବି ଅନୁମତି ଦେଉନି କେନ୍ଦ୍ର । ଗ୍ରାମାଞ୍ଚଳରେ ଗରିବଙ୍କୁ କାମ ଦେବା ପାଇଁ ନରେଗା ଯୋଜନାକୁ ଗୁରୁତ୍ୱ ଦେଉନାହାନ୍ତି କେନ୍ଦ୍ର ସରକାର । ୨୦୨୧-୨୨ରେ ସ୍ଥିରୀକୃତ ହୋଇଥିବା ୨ଲକ୍ଷ ୭୦ହଜାର ୬୨୧ ପ୍ରକଳ୍ପରୁ ପ୍ରାୟ ଅଢେଇ ଲକ୍ଷ ପ୍ରକଳ୍ପ ଅର୍ଥ ଅଭାବରୁ ଅଧାପନ୍ତରିଆ ଭାବେ ପଡ଼ିରହିଛି । ବାରମ୍ବାର ଅନୁଦାନ ପାଇଁ କେନ୍ଦ୍ରକୁ ଅବଗତ କରିବା ପରେ ମଧ୍ୟ ଅର୍ଥ ନ ଆସିବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୪୫୨କୋଟିର ବ୍ୟବସ୍ଥା କଲେ । ଅଧା କାମକୁ ସାରିବା ସାଙ୍ଗକୁ ଲୋକଙ୍କୁ କାମ ଦେବା ପାଇଁ ରାଜ୍ୟ ସରକାର ଅର୍ଥର ବ୍ୟବସ୍ଥା କରି କେନ୍ଦ୍ରକୁ ଅନୁମତି ମାଗିଲେ । ହେଲେ କେନ୍ଦ୍ରରୁ ନା ମିଳିଲା ଅର୍ଥ ନା ମିଳିଲା ଅନୁମତି ।

ଏଥର ବଜେଟରେ ନରେଗା ଯୋଜନାରେ କେନ୍ଦ୍ର ସରକାର ୨୫ ପ୍ରତିଶତ ବ୍ୟୟବରାଦ ହ୍ରାସ କରିଛନ୍ତି । ୯୮ହଜାର କୋଟି ଟଙ୍କାରୁ ୭୩ହଜାର କୋଟିକୁ ଖସିଆସିଛି ବଜେଟ ପରିମାଣ । ଏହାର ପ୍ରଭାବ ଓଡ଼ିଶା ଭଳି ରାଜ୍ୟରେ ପଡ଼ିଛି । ଗତ ବର୍ଷ କେନ୍ଦ୍ର ଅର୍ଥ ନ ଦେବାରୁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୭୫୨ କୋଟି ଟଙ୍କା ଦେଇଥିଲେ । ଏହି ଅର୍ଥ ଏ ଯାଏଁ ଫେରାଇନାହାନ୍ତି କେନ୍ଦ୍ର ସରକାର । କୋଭିଡରେ କାମ ହରାଇଥିବା ଗାଁ ଲୋକଙ୍କ ହାତକୁ କାମ ଯୋଗାଇବା ପାଇଁ ରାଜ୍ୟ ସରକାର ଭରପୁର ଉଦ୍ୟମ କରୁଥିଲେ ମଧ୍ୟ କେନ୍ଦ୍ର ସହଯୋଗ କରୁନାହାନ୍ତି । କେନ୍ଦ୍ର ସରକାରଙ୍କ ଏପରି ବେପରୁଆ ମନୋବୃତ୍ତିକୁ ସମାଲୋଚନା କରିଛନ୍ତି ସମୀକ୍ଷକ । ନରେଗା ପ୍ରତି କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ହ୍ରାସ ପାଇବା ସହ ଆଭିମୁଖ୍ୟ ବି ବଦଳିଛି । ଯାହା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଦିନ ମଜୁରିଆଙ୍କ ପାଇଁ କାଳ ହୋଇଛି ।