କ୍ରିସ ଗେଲଙ୍କ ବଡ଼ ଖୁଲାସା: ଆଇପିଏଲରେ ତାଙ୍କ ସହ କରାଯାଉ ନଥିଲା ଭଲ ବ୍ୟବହାର

ନୂଆଦିଲ୍ଲୀ: କ୍ରିକେଟର କ୍ରିସ ଗେଲଙ୍କୁ ଅସମ୍ମାନ । ଏମିତି ଏକ ଅଭିଯୋଗ କରିଛନ୍ତି ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍ କ୍ରିସ ଗେଲ୍ । ସେ ଆଇପିଏଲରେ ତାଙ୍କ ସହ ବ୍ୟବହାରକୁ ନେଇ ବଡ ଖୁଲାସା କରିଛନ୍ତି । ତାଙ୍କ ସହ ଉଚିତ ବ୍ୟବହାର କରାଯାଇନାହିଁ ଓ ସେଥିପାଇଁ ସେ ନିରାଶ ବୋଲି କହିଛନ୍ତି ଗେଲ୍ । ବ୍ରିଟେନର ଏକ ଖବରକାଗଜକୁ ସାକ୍ଷାତକାର ଦେଇ କ୍ରିସ ଗେଲ୍ ଏହି ଖୁଲାସା କରିଛନ୍ତି ।

ତାଙ୍କୁ ଯେପରି ସମ୍ମାନ ମିଳିବା କଥା, ତାହା ମିଳିନାହିଁ । ଏଥିପାଇଁ ସେ ଆଇପିଏଲ ୨୦୨୨ରୁ ଓହରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଗେଲ୍ କହିଛନ୍ତି । ଗତକିଛି ବର୍ଷ ଧରି ଆଇପିଏଲରେ ତାଙ୍କ ପ୍ରତି ଉଚିତ ବ୍ୟବହାର କରାଯାଇନାହିଁ । କ୍ରିସ ଗେଲ୍ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗସ ପାଇଁ ପ୍ରତିନିଧିତ୍ବ କରିସାରିଛନ୍ତି ।

କେବଳ ସେତିକି ନୁହେଁ କ୍ରିସ ଗେଲ ଆଇପିଏଲ ଇତିହାସରେ ସଫଳ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ନାଁରେ ସର୍ବାଧିକ ୬ ଶତକର ରେକର୍ଡ ରହିଛି । ୧୪୨ଟି ଆଇପିଏଲ ମ୍ୟାତରୁ ଗେଲ୍ ୪ ହଜାର ୯୬୫ ରନ୍ ସ୍କୋର କରିଛନ୍ତି ।