spot_img
Home Blog Page 4463

ଆଜିଠୁ ବୁଥ୍ ମୁହାଁ ପୁଲିଂ ପାର୍ଟି, ପ୍ରତି ପୁଲିଂ ପାର୍ଟିରେ ରହିଛନ୍ତି ୬ ଜଣ ଷ୍ଟାଫ୍

ଭୁବନେଶ୍ୱର: ଆଜିଠୁ ବୁଥ୍ ମୁହାଁ ପୁଲିଂ ପାର୍ଟି । ରାତି ପାହିଲେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଭୁବନେଶ୍ୱରର ୬୭ ୱାର୍ଡରେ ୨୨୩ଟି ସ୍ଥାନରେ ୭୦୫ଟି ବୁଥ୍ କରାଯାଇଛି । ଭୁବନେଶ୍ୱରରେ ୫ଟି ପିଙ୍କ୍ ବୁଥ ଓ ୫ଟି ମଡେଲ ବୁଥ୍ କରାଯାଇଛି । ସେହିପରି ରାଜଧାନୀରେ ୩୮୧ଟି ସମ୍ବେଦନଶୀଳ ବୁଥ ରହିଛି । ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସହ ୪ ଜଣ ପୁଲିଂ ଅଫିସର ଏବଂ ଜଣେ ପୋଲିସ କର୍ମଚାରୀ ରହିଛନ୍ତି । ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ ରୁମରୁ ପୁଲିଂ ପାର୍ଟିମାନେ ନିର୍ବାଚନ ପାଇଁ ବ୍ୟବହୃତ ସାମଗ୍ରୀ ତଥା ଇଭିଏମ ମେସିନ ଧରି ବାହାରିଛନ୍ତି ।

ଆସନ୍ତାକାଲି ସକାଳ ୭ରେ ମକ୍ ପୋଲ କରାଯିବ । ଏହାପରେ ସକାଳ ୮ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସୁଦ୍ଧା ସମସ୍ତ ଆନୁସଙ୍ଗିକ କାଗଜପତ୍ର କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି । ପୋଲିଂ ପାର୍ଟିରେ ପ୍ରିଜାଇଡିଂ ଅଫିସର୍ ଲିଡର ହିସାବରେ ମ୍ୟାଟେରିଆଲ ସଂଗ୍ରହ କରୁଛନ୍ତି । ମ୍ୟାଟେରିଆଲ ଭିତରେ ରହିଛି ଇଭିଏମ ମେସିନ, ମେସିନ ସିଲ୍ ପାଇଁ ସବୁ ସରଞ୍ଜାମ, ରିଜର୍ଭଡ ବାଲଟ ପେପର, ପୋଷ୍ଟର, ୟେଲୋ-ପିଙ୍କ୍ ଏନଭଲପ, ଷ୍ଟାମ୍ପ ଇତ୍ୟାଦି ୨୬ଟି ଆଇଟମ୍ । ପୌର ନିର୍ବାଚନ ପାଇଁ ପ୍ରତି ପୋଲିଂ ପାର୍ଟିରେ ୬ ଜଣ ଷ୍ଟାଫ୍ ରହିଛନ୍ତି ।

ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ…ଗୋଦାମରେ ନିଆଁ ଲାଗି ୧୧ ଶ୍ରମିକ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ୍: ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ । ସେଣ୍ଟ୍ରାଲ ଜୋନର ଭୋଇଗୁଡ଼ାଠାରେ ଥିବା ଏକ କବାଡିଆ ଗୋଦାମରେ ନିଆଁ ଲାଗି ୧୧ ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଗୋଦାମରେ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ମୃତକ ବିହାରର ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁ ଗୋଦାମରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।.

ଅଘଟଣରେ ବ୍ୟଥିତ ହୋଇ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୋକବ୍ୟକ୍ତ କରିବା ସହିତ ପ୍ରତି ମୃତ ଶ୍ରମିକଙ୍କ ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି । ସେହିପରି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ୨ଲକ୍ଷଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଏବେ ଅଧିକ ତଦନ୍ତ ଆରମ୍ଭ ହୋଇଛି। କେନ୍ଦ୍ରୀୟ ଜୋନ୍‌ର ଡେପୁଟି ପୋଲିସ୍‌ କମିସନର୍‌ କହିଛନ୍ତି, ଭସ୍ମୀଭୂତ ଗୋଦାମ ଘରୁ ୧୧ଜଣ ଶ୍ରମିକଙ୍କ ଶବ ଉଦ୍ଧାର କରାଯାଇ ଔପଚାରିକ ପ୍ରକ୍ରିୟା ନିମନ୍ତେ ଗାନ୍ଧୀ ହସ୍ପିଟାଲ୍‌କୁ ପଠାଯାଇଛି। ଯଦିଓ ଉଦ୍ଧାର ‌ହୋଇଥିବା ଶବଗୁଡ଼ିକ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିବାରୁ ଆଉ ଚିହ୍ନିବା ପରିସ୍ଥିତିରେ ନାହିଁ।

ମୃତ ଶ୍ରମିକମାନେ ଥିଲେ ବିହାରର ବାସିନ୍ଦା। ସିକନ୍ଦରାବାଦ ରେଳ ଷ୍ଟେସନ୍‌ ନିକଟ ଜନବହୁଳ ଆବାସିକ କଲୋନିରେ ଥିବା କବାଡ଼ିଆ ଗୋଦାମରେ କାମ କରିବା ପାଇଁ ସେମାନଙ୍କୁ ନିଯୁକ୍ତି ମିଳିଥିଲା। ନିଆଁ ଲାଗିବା ବ‌େଳେ ଗୋଦାମର ଉପର ମହଲାରେ ପ୍ରାୟ ୧୩ଜଣ ଶ୍ରମିକ ଶୋଇଥିଲେ। କୌଣସି ମତେ ଜଳନ୍ତା ଗୋଦାମରୁ ବାହାରି ଆସିଥିବା ଜଣେ ଗୁରୁତର ଆହତ ଶ୍ରମିକଙ୍କୁ ଗାନ୍ଧୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଅଗ୍ନିକାଣ୍ଡ ସ୍ଥଳରେ ୮ଟି ଦମକଳ ପହଞ୍ଚି ସକାଳ ପ୍ରାୟ ୭ଟା ବେଳେ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ। ରାଜ୍ୟମନ୍ତ୍ରୀ ତଲାସନୀ ଶ୍ରୀନିବାସ ଯାଦବ ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଋଷର ଆଣବିକ ଅସ୍ତ୍ର ପ୍ରୟୋଗର ବାର୍ତ୍ତା, କହିଲା ସ୍ଥିତି ବିପନ୍ନ ହେଲେ ପ୍ରୟୋଗ ହେବ…

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଅବସ୍ଥା ଜଟିଳ ହେଉଥିବା ବେଳେ ଋଷ ଦେଇଛି ଆଣବିକ ଅସ୍ତ୍ର ପ୍ରୟୋଗର ବାର୍ତ୍ତା । ଯଦି ଋଷର ସ୍ଥିତି ବିପନ୍ନ ହୁଏ, ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ । ସେ କହିଛନ୍ତି, ଆଭ୍ୟନ୍ତରୀଣ ନିରାପତ୍ତା ଓ ଦେଶବାସୀଙ୍କ ସୁରକ୍ଷାକୁ ଋଷ ଗୁରୁତ୍ବ ଦେଉଛି । ତିନିଦିନ ତଳେ ନ୍ୟୁକ୍ଲିୟର ଇଭାକୁଏସନ ଡ୍ରିଲ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶ ପରେ ସୃଷ୍ଟି ହୋଇଥିଲା ହଇଚଇ ।

ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ପୁଣି ଥରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ । ପୁଟିନଙ୍କ ସହ ଆଲୋଚନା କରି ଅସ୍ତ୍ରବିରତି ଲାଗି ସେ ଅନୁରୋଧ କରିଛନ୍ତି । ଆଜି ଫ୍ରାନ୍ସ ସାଂସଦଙ୍କୁ ଉଦବୋଧନ ଦେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ତୁରନ୍ତ ହସ୍ତକ୍ଷେପ କରିବାକୁ ପୋପ୍ ଫ୍ରାନସିସଙ୍କ ନିକଟରେ ବି ଅନୁରୋଧ କରିଛନ୍ତି ଜେଲେନସ୍କି । ଏହାସହ ସେ କହିଛନ୍ତି ଯୁଦ୍ଧର ଗତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଯଦି ତୁରନ୍ତ ଯୁଦ୍ଧ ବନ୍ଦ ନହୁଏ ତେବେ ଆତ୍ମସମର୍ପଣ ପୂର୍ବରୁ ୟୁକ୍ରେନ ଧ୍ବଂସ ହୋଇଯାଇଥିବ ।

ସେପଟେ ଋଷ ପୁଣି କହିଛି ସମାଧାନ ଲାଗି ୟୁକ୍ରେନକୁ ଯେଉଁ ପ୍ରସ୍ତାବ ଦିଆଯାଇଛି ସେହି ଆଧାରରେ ହିଁ ଆଲୋଚନା କରାଗଲେ ସମାଧାନର ବାଟ ଫିଟିବ । ଅନ୍ୟପଟେ ୟୁକ୍ରେନରେ ରାସାୟନିକ ଓ ଜୈବିକ ଅସ୍ତ୍ର ପ୍ରୟୋଗ କରିବାକୁ ଋଷ ଯୋଜନା କରିଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବ୍ରସଲେସରେ ନାଟୋ, ୟୁରୋପୀୟ ରାଷ୍ଟ୍ରସଂଘ ଓ ଗ୍ରୁପ-୭ ରାଷ୍ଟ୍ର ଗୋଷ୍ଠୀ ବୈଠକ ବସୁଥିବା ବେଳେ, ବୈଠକରେ ଯୋଗଦେବାକୁ ଯିବେ ବାଇଡେନ ।Russia Ukraine War Volodymyr Zelensky Recall UN Peacekeeping Force

ସେଠାରେ ଋଷ ବିରୋଧରେ କେତେକ ପଦକ୍ଷେପ ନେବାର ସମ୍ଭାବନା ରହିଛି । ଯୁଦ୍ଧ ସମ୍ପର୍କରେ ନାଟୋ ମହାସଚିବ ଜେନସ ଷ୍ଟୋଲଟନବର୍ଗଙ୍କ ସହ ଆଲୋଚନା କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ । ଋଷ ବିରୋଧରେ ଅଧିକ କଡ଼ା ପଦକ୍ଷେପ ନେବା ସମ୍ପର୍କରେ ଦୁଇ ନେତା ଆଲୋଚନା କରିଛନ୍ତି ।

ପାକିସ୍ତାନ ଓ ଚୀନର ବୁନ୍ଧୁତା ଆହୁରି ଦୃଢ କରିବାକୁ ୫ଟି ଚୁକ୍ତିନାମା ଉପରେ ହସ୍ତାକ୍ଷର

ଇସଲାମାବାଦ: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କୁରେଶି ତାଙ୍କ ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ଦୃଢ ହୋଇଥିବା ବେଳେ ଭବିଷ୍ୟତରେ ସେମାନେ ଏହି ସମ୍ପର୍କୁ ଆହୁରି ମଜବୁତ କରିବାକୁ ଚାହୁଥିବା ଚର୍ଚ୍ଚା ହେଉଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଚୀନ୍ ଏବଂ ପାକିସ୍ତାନ ପାଞ୍ଚଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ସୋମବାର ଇସଲାମାବାଦରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପରେ ଏହି ଚୁକ୍ତିନାମା କରାଯାଇଛି ।

ଇସଲାମାବାଦରେ  ଅର୍ଗାନାଇଜେସନ ଅଫ୍ ଇସଲାମିକ କର୍ପୋରେସନ କାଉସିଲର ବୈଦେଶିକ ମନ୍ତ୍ରୀମାନଙ୍କର  ୪୮ତମ ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ନିମନ୍ତ୍ରଣରେ ୱାଙ୍ଗ ଏକ ବିଶେଷ ଅତିଥି ଭାବରେ ପହଞ୍ଚିଥିଲେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ କରିବାକୁ ପଦକ୍ଷେପ ନିଆଯାଉଛି ।

ଚୀନ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଦ୍ୱିପାକ୍ଷିକ ରଣନୈତିକ, ଆର୍ଥିକ, ସୁରକ୍ଷା ସହଯୋଗ ଏବଂ COVID-19 ମହାମାରୀ ଉପରେ ନିଜର ମାତମାତ ରଖିଥିଲେ ଏବଂ ୟୁକ୍ରେନ ସମେତ ପାରସ୍ପରିକ ସ୍ୱାର୍ଥର ଅନେକ ଆଞ୍ଚଳିକ ତଥା ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଦୁଇ ଦେଶ କିପରି ନିଜର ବନ୍ଧୁତ୍ୱକୁ ଆହୁରି ମଜବୁତ କରିବେ ସେନେଇ ଆଲୋଚନା ହୋଇଛି । ଏହାପରେ ପାଞ୍ଚଟି ଚୁକ୍ତିନାମା ଉପରେ ହସ୍ତାକ୍ଷର କରାଯାଇଥିଲା ।

ପ୍ରଥମ ଚୁକ୍ତିନାମା ଚୀନ୍ ଏବଂ ପାକିସ୍ତାନର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଉଚ୍ଚଶିକ୍ଷାକୁ ନେଇ ହୋଇଛି। ଏଥିରେ ଉଚ୍ଚଶିକ୍ଷା  ଏବଂ ସାର୍ଟିଫିକେଟ ଓ ଡିଗ୍ରୀଗୁଡ଼ିକୁ ପରସ୍ପରର ଦେଶରେ ସ୍ୱୀକୃତି ସମ୍ବନ୍ଧରେ ଏକ ଚୁକ୍ତିନାମା ହୋଇଥିଲା । ପାକିସ୍ତାନର ବୈଦେଶିକ ମନ୍ତ୍ରୀ କୁରେଶି ଦାବି କରିଛନ୍ତି ଯେ, ଦୁଇ ଦେଶ ଆଫଗାନିସ୍ତାନର ମାନବିକ ସଙ୍କଟକୁ ଦୃଷ୍ଟିରେ ରଖି ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା  ପାଇଁ ସହଯୋଗ ଜାରି ରଖିବେ ବୋଲି କହିଛନ୍ତି ।

ଆଜି ଓଡ଼ିଶା ଆସିବ ଶର୍ମିଷ୍ଠାର ଭାଇ ପରମେଶ୍ୱର, ଗିରଫ କରି ବିଜୟଓ୍ୱାଡାରୁ ଫେରୁଛି ସ୍ପେଶାଲ୍ ଟିମ୍

ଭୁବନେଶ୍ୱର: ଭଉଣୀର ଠିକଣା କହିବେ ଭାଇ । ଆଜି ଓଡ଼ିଶା ଆସିବ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତର ଭାଇ ପରମେଶ୍ୱର ରାଉତ । ଗତକାଲି ପରମେଶ୍ୱରକୁ ବିଜୟଓ୍ୱାଡାରୁ ଗିରଫ କରିଥିଲା ପୋଲିସ । ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ପରମେଶ୍ୱରଙ୍କୁ ଓଡ଼ିଶା ଆଣୁଛି । ଭଉଣୀ ଶର୍ମିଷ୍ଠାକୁ ଫେରାର କରିବାକୁ ପ୍ଲାନ କରିଥିଲା ପରମେଶ୍ବର  । ମାନସକୁ ହତ୍ୟା କରିବା ପରେ କିଛିଦିନ ଓଡ଼ିଶାରେ ଥିଲା ଶର୍ମିଷ୍ଠା । ଭଦ୍ରକ ପୋଲିସର ଜେରା ପରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲା । ଏହାରି ଭିତରେ ଶର୍ମିଷ୍ଠା ଫେରାର୍ ହୋଇଯାଇଥିଲା ।

ଭାଇଭଉଣୀଙ୍କ ମଧ୍ୟରେ ଟଙ୍କା କାରବାର ହୋଇଥିବା କଥା ମଧ୍ୟ ପୋଲିସ ପ୍ରମାଣ ପାଇଛି । କିନ୍ତୁ ଶର୍ମିଷ୍ଠା ବିଜୟଓ୍ୱାଡାରେ ନାହାନ୍ତି ବୋଲି ପୋଲିସ କହିଛି । ତେବେ ଶର୍ମିଷ୍ଠା ଏବେ କେଉଁଠି ପରମେଶ୍ବରଠୁ ଠିକଣା ବାହାର କରିବାକୁ ଉଦ୍ୟମ କରୁଛି ପୋଲିସ । ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନାକୁ ଧରିବାକୁ ଏବେ ଭଦ୍ରକ ପୋଲିସର ୪ଟି ଟିମ୍ ସାରା ଦେଶରେ ଘୂରି ବୁଲୁଛି । ଏବେ ପୋଲିସର ଫୋକସରେ ରହିଛନ୍ତି ଶର୍ମିଷ୍ଠା ଓ ଝୁନା । ସେପଟେ ମେମୋରୀ ଚିପକୁ ନେଇ ଏବେ ବି ଲାଗି ରହିଛି ରହସ୍ୟ । ପୋଲିସ୍ କହୁଛି ଚିପ୍ ଜବତ କରିନୁ । କିନ୍ତୁ ଯେଉଁ ଚିପ୍ ପାଇଁ ହତ୍ୟାକାଣ୍ଡ ହେଲା ବୋଲି କୁହାଯାଉଛି, ତାହା ଏବେ ଗଲା କୁଆଡ଼େ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ଆସିକା ହିଞ୍ଜିଳି ଥାନା ପିତ୍ତଳ ଛକରେ ବୀଭତ୍ସ କାଣ୍ଡ, ୪ ଭାଇଙ୍କୁ ନିର୍ମମ ହତ୍ୟା

ଗଞ୍ଜାମ: ଆସିକା ହିଞ୍ଜିଳି ଥାନା ପିତ୍ତଳ ଛକରେ ବୀଭତ୍ସ କାଣ୍ଡ । କମେଣ୍ଟମରାକୁ କେନ୍ଦ୍ର କରି ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗୋଟିଏ ପରିବାରର ୩ ଭାଇ ଓ ପୁତୁରା । ମୃତକଙ୍କ ଘର ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗାଁର ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ସଞ୍ଜୟ ସ୍ବାଇଁ ଓ ପୁତୁରା ଚନ୍ଦନ ସ୍ବାଇଁ । ଗତକାଲି ବିଳମ୍ବିତ ରାତିରେ ୪ରୁ ୫ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଜଣାପଡିଛି । ହତ୍ୟା ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ହିଞ୍ଜିଳି, ଆସିକା ଓ ଶେରଗଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ଏକ ଦୁର୍ଘଟଣା ସମୟରେ ହୋଇଥିବା କମେଣ୍ଟମରା ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କହିଛନ୍ତି ଆସିକା ଏସଡିପିଓ । ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି ।

ମାରିଉପୋଲରେ ଜାରି ରହିଛି ଋଷର ଧ୍ୱଂସଲୀଳା,ସହରକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ

କିଭ୍: ଭୟଙ୍କର ହେବାରେ ଲାଗିଛି ଋଷ-ୟୁକ୍ରେନ ୱାର । ଯୁଦ୍ଧକୁ ୨୮ ଦିନ ବିତିଥିବା ବେଳେ ୟୁକ୍ରେନର ପୋର୍ଟ ସିଟି ମାରିଉପୋଲରେ ଋଷ ପକାଇଛି ଦୁଇଟି ସୁପରପାୱାର ବମ୍ । ସାରା ସହରରେ ଧ୍ୱଂସଲୀଳା ଜାରି ରହିଥିବା ବେଳେ, ଅତି ଶକ୍ତିଶାଳୀ ବୋମାମାଡ଼ ହେବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି । ଆତ୍ମସମର୍ପଣ ନିର୍ଦ୍ଦେଶ ଅବମାନନା ପରେ ସହରରେ ଅଧିକ ହୋଇଛି ଧ୍ୱଂସଲୀଳା ।

ସହରରେ ପ୍ରାୟ ୧ ଲକ୍ଷ ଲୋକ ହାହାକାର ଅବସ୍ଥାରେ ରହିଥିବା ସୂଚନା ମିଳିଛି । ସହରକୁ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଜାପୋରଜିଆକୁ ନାଗରିକଙ୍କୁ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିଲେ ବି ଆକ୍ରମଣ କାରଣରୁ ତାହା ସମ୍ଭବ ହୋଇପାରିନାହିଁ । କିବରେ ଅସ୍ତ୍ରାଗାର ଭାବେ ବ୍ୟବହୃତ ହେଉଥିବା ଏକ ମଲକୁ  ଧ୍ୱଂସ କରାଯାଇଛି ବୋଲି କହିଛି ଋଷ । ଦିନିପ୍ରୋରେ ଏୟାରଷ୍ଟ୍ରାଇକ ଯୋଗୁ ଧ୍ୱଂସ ହୋଇଛି ରେଳ ଷ୍ଟେସନ ।

ୟୁକ୍ରେନ ଉପପ୍ରଧାନମନ୍ତ୍ରୀ ଇରିନା ଭେରେଚୁକ୍ କହିଛନ୍ତି, ମାରିଉପୋଲରେ ଅତି ସଂଗୀନ ଅବସ୍ଥାରେ ଥିବା ଲୋକଙ୍କୁ ଉଦ୍ଧାର କରାଯିବା ଲାଗି ଚେଷ୍ଟା କରାଯାଉଛି । ସହରରେ ଦୁଇଟି ସୁପରପାଓ୍ବାର ବମ୍ ପକାଯାଇଥିବା ନେଇ ସେ କରିଛନ୍ତି ଅଭିଯୋଗ । ଯୁଦ୍ଧ ଆରମ୍ଭ ପରଠାରୁ ୧୧୭ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୫୪୮ଟି ସ୍କୁଲ ଧ୍ୱଂସ ହୋଇଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ ।

America Vs Russia Which country is supporting whom in Ukraine Crisis

ଅନ୍ୟପଟେ ଋଷ ସୈନ୍ୟଙ୍କ ନିକଟରେ ଗୋଳାବାରୁଦ, ଯୁଦ୍ଧାସ୍ତ୍ର, ଇନ୍ଧନ, ଖାଦ୍ୟ, ପାନୀୟ ତଥା  ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚି ପାରୁ ନଥିବାରୁ ସେମାନଙ୍କ ଲାଗି ସ୍ଥିତି ଗମ୍ଭୀର ହେଲାଣି ବୋଲି କହିଛି ପେଣ୍ଟାଗନ ।

ଆରମ୍ଭ ହେଲା ’ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ, ବହି ପ୍ରତି ପୁଣି ବଢ଼ିବ ଆଗ୍ରହ

ସୁନ୍ଦରଗଡ଼: କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି । ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏହି ଅଭିଯାନ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ନିକଟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟାଳୟ ପରିସରରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଛାତ୍ରଛାତ୍ରୀମାନଙ୍କ ସର୍ଜନାତ୍ମକ ପ୍ରତିଭାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ଆଗରୁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ୍ ପାଇଁ ବନ୍ଦ ରହିଥିଲା ।

ମଙ୍ଗଳବାର ଦିନ ଏହି ଅଭିଯାନ ଅଧୀନରେ ରାଉରକେଲା ମହାନଗର ନିଗମ ପାଠାଗାରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ଏଥିରେ ଯୋଗଦେଇଥିଲେ । ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ଯୋଗଦେଇ ବହି ପଢ଼ିବା ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଜିଲ୍ଲାପାଳ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମ୍ୟୁନିସିପାଲ କଲେଜର ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଗୋସ୍ୱାମୀ, ପାନପୋଷସ୍ଥିତ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ କୁମାର ମହାନ୍ତି ଏବଂ ରାଉରକେଲାର ଜଣାଶୁଣା ଲେଖକ ବିଭୁତି ଭୂଷଣ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବହି କିପରି ଜ୍ଞାନର ପରିସୀମାକୁ ଗଭୀର ଓ ବ୍ୟାପକ କରିଥାଏ ସେ ସମ୍ପର୍କରେ କହିଥିଲେ । ବହି ପଢ଼ିବା ଫଳରେ ମଣିଷର ରୁଚିରେ ପରିବର୍ତ୍ତନ ଆସିବା ସହ ବୌଦ୍ଧିକ ବିକାଶ ହୋଇଥାଏ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ରାଉରକେଲା ମହାନଗର ପାଠାଗାରରେ ଥିବା ରିଡିଙ୍ଗ ରୁମରେ ବସି ନିଜ ପସନ୍ଦର ବହି ପଢ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା, ମହାନଗର ନିଗମ ପିଏମୟୁ ଏକ୍ସପର୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସେହିପରି ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି ପଢ଼ାର ଆଗ୍ରହ ସୃଷ୍ଟି କରିବା ଲାଗି ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କ ଦ୍ୱାରା ବିଭିନ୍ନ ଲୋକକଳା ପ୍ରଦର୍ଶନ କରାଯାଇଥିଲା ।

ସୁନ୍ଦରଗଡ଼ର ପାରମ୍ପରିକ ଲୋକନୃତ୍ୟ ଝୁମେର, ଖଡିଆ ନୃତ୍ୟ ସହିତ ପାଲା ଜରିଆରେ ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ଜନସାଧାରଣଙ୍କୁ ବହି ପଢ଼ିବାର ଗୁରୁତ୍ୱ ଉପରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ତଥା ଡିଏମଏଫ ସିଇଓ ମହେଶ୍ଵର ଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ କୁଲଦୀପ ଖାଖା ପ୍ରମୁଖ ଉପସ୍ଥିତ ଥିଲେ ।

’ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଠାଗାର ସ୍ଥାପନ କରାଯାଇ ଜନସାଧାରଣଙ୍କ ଭିତରେ ବହି ପଢ଼ିବାର ଆଗ୍ରହ ସୃଷ୍ଟି କରାଯାଉଛି । ସୁନ୍ଦରଗଡ଼ଠାରେ ଜିଲ୍ଲା ପାଠାଗାର ରହିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଧ୍ୟ ଏକ ପାଠାଗାର ରହିଛି । ଏହି ପାଠାଗାରରେ ବିଭିନ୍ନ ବର୍ଗଙ୍କୁ ଦୃଷ୍ଟିରେ ରଖି ଆବଶ୍ୟକ ପୁସ୍ତକ ରଖାଯାଇଛି । ସାଧାରଣ ଲୋକଙ୍କୁ ବିଭିନ୍ନ ପ୍ରକାରର ବହି ସହିତ ବାନ୍ଧି ରଖିବା ପାଇଁ ଜିଲ୍ଲାପାଳଙ୍କ ବାସଭବନରେ ‘ବହି ବଗିଚା’ ରହିଛି । କୋଭିଡ୍-୧୯ ପୂର୍ବରୁ ପ୍ରତି ରବିବାର ଦିନ ଏଠାରେ ବହିପଢ଼ା ସହ ବିଭିନ୍ନ ପ୍ରକାର ସର୍ଜନାତ୍ମକ କାର୍ଯ୍ୟକ୍ରମ କରାଯାଉଥିଲା । କିନ୍ତୁ ଏବେ ପୁଣିଥରେ ଏହି କାର୍ଯ୍ୟକ୍ରମକୁ ସାର୍ବଜନୀନ କରାଯାଇଛି ।

ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ, ଶିକ୍ଷିତ ଯୁବକ ଯୁବତୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ବହି ପଢ଼ା ପ୍ରତି ଆକର୍ଷିତ କରିବା ଲାଗି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାମୀଣ ପାଠାଗାର ମଧ୍ୟ ଖୋଲାଯାଉଛି । ନିକଟରେ ବଣାଇଁଠାରେ ଏକ ଉପଖଣ୍ଡସ୍ତରୀୟ ପାଠାଗାର ଖୋଲାଯାଇଥିବା ବେଳେ ହେମଗିରି ବ୍ଲକର କମଲଗା ଏବଂ ଲେଫ୍ରିପଡ଼ା ସଦରମହକୁମାଠାରେ ଗ୍ରାମୀଣ ପାଠାଗାର ରହିଛି ।  ରାଜ୍ୟ ସରକାରଙ୍କ ୫ଟି ଅଭିଯାନ ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକରେ ଆଧୁନିକ ପାଠାଗାର, ଇ-ଲାଇବ୍ରେରି କରାଯାଉଛି । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବଢ଼ାଇବା ପାଇଁ ଏହି ଆଧୁନିକ ପାଠାଗାର ଓ ଇ-ଲାଇବ୍ରେରି ବିଶେଷ ସହାୟକ ହୋଇପାରୁଛି । ବିଭିନ୍ନ କଲେଜ ଏବଂ ସର୍ବସାଧାରଣ ସ୍ଥାନରେ ମଧ୍ୟ ବହି ପଢ଼ା ପ୍ରତି ଆଗ୍ରହ ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ଲାଇବ୍ରେରି ସାଙ୍ଗରେ ରିଡିଙ୍ଗ ରୁମ୍ ସହିତ ବିଶୁଦ୍ଧ ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଉଛି।

ଦୁଇ ଦିନ ପରେ ଆହୁରି ବଢିବ ତାତି, ୪୦ ଡିଗ୍ରୀ ଡେଇଁବ ପାରା

ଭୁବନେଶ୍ୱର: ଆଉ ୪ ଦିନ ପରେ ରାଜ୍ୟକୁ ପୁଣି ଫେରିବ ତାତି । ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ବଢ଼ିବ ପାରଦ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ୪୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକ ଠାରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବ । ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁବା ସହ ଉପକୂଳ ଓଡ଼ିଶାରେ ୪୦ ଡେଇଁବ ପାରା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ଥଣ୍ଡା ବାୟୁ ଗରମ ବାୟୁ ସହ ମିଶି ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆଜି ଦକ୍ଷିଣ ଓଡ଼ିଶା ସହ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୪, ୨୫ ଏବଂ ୨୬ ତାରିଖରେ ବର୍ଷାର ବିସ୍ତୃତି ବଢ଼ିବ । ଦକ୍ଷିଣ ଓଡ଼ିଶା ସହ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପାଗ ମେଘୁଆ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ତେଲ ଦର

ନୂଆଦିଲ୍ଲୀ:  ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା ତେଲ ଦାମ । ପାଞ୍ଚ ରାଜ୍ୟରେ ନିର୍ବାଚନ ଯୋଗୁ ତୈଳ ଦର ଅପରିବର୍ତ୍ତିତ ରହିଥିଲା । ଗତକାଲି ୮୦ ପଇସା ବଢ଼ିଥିବା ବେଳେ ଆଜି ପୁଣି ୮୦ ପଇସା ଲେଖାଏଁ ବଢ଼ିଛି ପେଟ୍ରୋଲ, ଡିଜେଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୭ଟଙ୍କା ୧ପଇସାରେ ପହଞ୍ଚିଛି । ଡିଜେଲ ଲିଟର ପ୍ରତି ୮୮ଟଙ୍କା ୨୭ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ଦାମ ୧୦୬ଟଙ୍କା ୩୪ ପଇସା ହୋଇଥିବା ବେଳେ ଡିଜେଲ ୯୧ଟଙ୍କା ୪୨ ପଇସା ହୋଇଛି ।

Diesel Price Increase RS 25 Per Liter For Bulk Customers

ସେହିପରି ଭୁବନେଶ୍ବରରେ ପେଟ୍ରୋଲ ଦର ୯୭ପଇସା ବୃଦ୍ଧି ପାଇଁ ୧୦୩ଟଙ୍କା ୬୯ ପଇସା ହୋଇଛି । ଡିଜେଲ ଦାମ ୯୧ପଇସା ବଢ଼ି ୯୩ଟଙ୍କା ୪୪ ପଇସାରେ ପହଞ୍ଚିଛି । ଆର୍ଥିକ ରାଜଧାନୀ ମୁମ୍ବାଇରେ ୧୧୧ ଟଙ୍କା ୬୭ ପଇସା ହୋଇଛି ପେଟ୍ରୋଲ ଦାମ । ଡିଜେଲ ୯୫ ଟଙ୍କା ୮୫ ପଇସା ହୋଇଛି ଡିଜେଲ ଦର ।

ତେବେ ସୂଚନା ଅନୁସାରେ , କେନ୍ଦ୍ର ସରକାର ଗତ ବର୍ଷ ନଭେମ୍ବରରେ ପେଟ୍ରୋଲ ଡିଜେଲର ଦର ହ୍ରାସ କରିଥିଲେ । ସରକାର ସେତେବେଳେ ପେଟ୍ରୋଲରେ ୫ ଟଙ୍କା ଓ ଡିଜେଲରେ ୧୦ ଟଙ୍କା ହ୍ରାସ କରିଥିଲେ । ଏହାପରେ ମଧ୍ୟପ୍ରଦେଶ , ଉତ୍ତର ପ୍ରଦେଶ, ବିହାର ସମେତ ପ୍ରାୟତଃ ରାଜ୍ୟରେ ମଧ୍ୟ ପେଟ୍ରୋଲ ଡିଜେଲ ଦର ହ୍ରାସ କରାଯାଇଛି । ଏବଂ ବହୁଦିନ ଧରି ପେଟ୍ରୋଲ ଡିଜେଲ ଦର ଅପରିବର୍ତ୍ତିତ ରହିଥିଲା ।