ଆସାମରେ ଭୟଙ୍କର ବନ୍ୟା, ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ଅନେକ ଅଞ୍ଚଳ

ଆସାମ: ଆସାମରେ ବନ୍ୟା ତାଣ୍ଡବ । ପ୍ରବଳ ବର୍ଷା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ଆସାମରେ ଅତି ଭୟାବହ ସ୍ଥିତି ଉପୁଜିଛି । ଅବିଶ୍ରାନ୍ତ ବର୍ଷାରେ ଅନେକ ଅଞ୍ଚଳ ଉବୁଟୁବୁ ହୋଇଥିବା ବେଳେ ଲ୍ୟାଣ୍ଡସ୍ଲାଇଡ ଯୋଗୁ ୧୨ଟି ଗାଁ ପ୍ରଭାବିତ ହୋଇଛନ୍ତି । ହଜାର ହଜାର ଲୋକ ବନ୍ୟା ଯୋଗୁ ଫସି ରହିଛନ୍ତି । ପାଣିରେ ଭାସିଯାଇ ଦିମା ଜିଲ୍ଲାରେ ଗତକାଲି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଥିବା ବେଳେ ଆଜି ତିନି ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି ।

ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଏକାଧିକ ରେଳଧାରଣା ସମେତ ବ୍ରିଜ୍ ଓ କେତେକ ରାଜପଥ ନଷ୍ଟ ହୋଇଛି । ଲଗାଣ ବର୍ଷା ଯୋଗୁ ରାଜ୍ୟର ପ୍ରାୟ ୫୭ ହଜାର ଲୋକ ପାଣିଘେରରେ ରହିଥିବା ଏସଡିଆରଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ବନ୍ୟାରେ ୨୨୨ ଗାଁ ଜଳବନ୍ଦୀ ରହିଥିବା ବେଳେ ୨ ଶହ ଘର ଭାଙ୍ଗିଛି । ଲ୍ୟାଣ୍ଡସ୍ଲାଇଡ ଯୋଗୁ ଅନେକ ଟ୍ରେନ ବାତିଲ କରାଯାଇଛି । ଫଳରେ ରେଳ ଷ୍ଟେସନରରେ ପର୍ଯ୍ୟଟକମାନେ ଫସି ରହିଛନ୍ତି । ଫସି ରହିଥିବା ୧୧୯ ଜଣ ଯାତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇ ସିଲଚର ଅଣାଯାଇଛି ।