ଜ୍ଞାନବାପି ମସଜିଦରୁ ‘ଶିବଲିଙ୍ଗ’ ମିଳିବା ଦାବିକୁ ମୁସଲିମ୍ ପକ୍ଷର ଖଣ୍ଡନ

ବାରଣାସୀ : ଜ୍ଞାନବାପି ମସଜିଦର ସର୍ଭେ ପୁରା ହୋଇଛି । ଅନ୍ତିମ ଦିନ ଦୁଇ ଘଣ୍ଟା ଧରି ମସଜିଦ ପରିସରରେ ସର୍ଭେ ଚାଲିଥିଲା । ସର୍ଭେ ପରେ ହିନ୍ଦୁ ପକ୍ଷର ଓକିଲ କହିଛନ୍ତି ଯେ, ଯେତିକି ଭାବିଥିଲୁ ତା’ଠାରୁ ଅଧିକ ମିଳିଛି । ହିନ୍ଦୁ ପ୍ରତିନିଧି ମଣ୍ଡଳରେ ସାମିଲ ଥିବା ସୋହନଲାଲ କହିଛନ୍ତି ଯେ, ‘ବାବା ମିଳିଗଲେ’ । ତେବେ ‘ବାବା’ କେଉଁଠାରୁ ମିଳିଲେ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏହା ପଚାରନି । ସେ ସନ୍ଥ କବିରଙ୍କ ଦୋହା ‘ ଜିନ୍ ଖୋଜା ତିନ୍ ପାଇଆ,ଗହରେ ପାନି ପୈଠ୍,ମୈ ବପୁରା ବୁଡନ ଡରା,ରହା କିନାରେ ବୈଠ’ ଶୁଣାଇ କହିଥିଲେ ଯେ, ମସଜିଦ ପରିସରରେ ଥିବା କୂଅରୁ ବାବା ମିଳିଛନ୍ତି । ମସଜିଦ କୁଅରୁ କଳା ରଙ୍ଗର ପଥର ମିଳିଥିବା ଦାବି ହେଉଛି । ହିନ୍ଦୁ ପକ୍ଷର ଓକିଲ ବିଷ୍ଣୁ ଜୈନ କହିଛନ୍ତି ଯେ, କୂଅ ଭିତରୁ ଶିବଲିଙ୍ଗ ମିଳିଛି । ଶିବଲିଙ୍ଗଙ୍କ ସୁରକ୍ଷା ପାଇଁ ସେ ସିଭିଲ କୋର୍ଟ ଯାଉଛନ୍ତି ବୋଲି ସୂଚନା ଦେଇଛନ୍ତି । ବାବା ମିଳିଗଲେ ବୋଲି ସୋହନ ଲାଲ କହିବା ପରେ ସମବେତ ଜନତା ଏକା ସ୍ୱରରେ ହର ହର ମହାଦେବର ନାରା ଲଗାଇଥିଲେ । ୧୨ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଶିବଲିଙ୍ଗ ମିଳିଥିବା କୁହାଯାଉଛି ।

ପମ୍ପ ଲଗାଇ ପାଣି କଢାଯାଇଥିଲା

ହିନ୍ଦୁ ବିଶ୍ୱାସ ଅନୁସାରେ ବାରଣାସୀ ମନ୍ଦିର ଉପରେ ଆକ୍ରମଣ କାଳରେ ଶିବଲିଙ୍ଗର ସୁରକ୍ଷା ପାଇଁ ଜଣେ ପୂଜକ ଲିଙ୍ଗ ସହିତ କୂଅ ମଧ୍ୟକୁ ଡେଇଁ ପଡିଥିଲେ । ମନ୍ଦିର ଭାଙ୍ଗିବା ପରେ ମନ୍ଦିର ସ୍ଥାନରେ ମସଜିଦ ନିର୍ମିତ ହୋଇଥିଲା । ମନ୍ଦିର କାନ୍ଥ ଉପରେ ମସଜିଦ ତିଆରି ହୋଇଥିବାରୁ ତାହା ଏବେ ମଧ୍ୟ ଦେଖାଯାଇଥାଏ । ପମ୍ପ ଲଗାଇ ପାଣି ଶୁଖାଇବା ପରେ ଏହା ମଧ୍ୟକୁ ୱାଟର ରେସିଷ୍ଟାନ୍ସ କ୍ୟାମେରା ପଠାଇ ଭିଡିଓଗ୍ରାଫି କରାଯାଇଥିଲା । ୧୭ ତାରିଖରେ ଟିମ୍ ତାଙ୍କ ରିପୋର୍ଟକୁ ଅଦାଲତରେ ରଖିବେ ।

ମୁସଲିମ୍ ପକ୍ଷର ଦାବିକୁ ଖଣ୍ଡନ

ଅନ୍ୟପକ୍ଷରେ ମସଜିଦ ମଧ୍ୟରୁ ଶିବଲିଙ୍ଗ ମିଳିବା ଦାବିକୁ ମୁସଲିମ୍ ପକ୍ଷ ଖଣ୍ଡନ କରିଛି । ସେମାନଙ୍କ କହିବା ହେଉଛି ସର୍ଭେରୁ ସେଭଳି କିଛି ମିଳନାହିଁ । ଏହାପୂର୍ବରୁ ସର୍ଭେ ସରିବା ପରେ ହିନ୍ଦୁ ପକ୍ଷ ସେହି ବାବା ମିଳିଗଲେ ଯାହାଙ୍କୁ ନନ୍ଦି ପ୍ରତିକ୍ଷା କରୁଥିଲେ ବୋଲି ଦାବି କରିଥିଲେ ।

ପ୍ରଶାସନର ଅପିଲ

ଏଣେ ପ୍ରଶାସନ ପକ୍ଷରୁ କୌଣସି ଅସମର୍ଥିତ ଦାବିରେ ବିଶ୍ୱାସ ନକରିବାକୁ କୁହାଯାଇଛି । ପ୍ରଶାସନ କେବଳ ଆଧିକାରିକ ବୟାନକୁ ବିଶ୍ୱାସ କରିବାକୁ କହିଛି । ସର୍ଭେ କାଳରେ ଦୁଇ ପକ୍ଷ ସହଯୋଗ କରିଥିଲେ ବୋଲି ପ୍ରଶାସନ କହିଛି ।