ସ୍ୱାମୀ ଚାଲିଗଲେ, ଅର୍ଜିତ ସମ୍ପତ୍ତିକୁ ମହାପ୍ରଭୁ ଏବଂ ମୋ ସ୍କୁଲକୁ ଦାନ କଲେ ପତ୍ନୀ

ବାଲେଶ୍ୱର: ସ୍ବାମୀଙ୍କ ମୃତ୍ୟୁ ପରେ ଶେଷ ଇଚ୍ଛା ପୂରଣ କଲେ ସ୍ତ୍ରୀ । ପ୍ରଥମେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ମୋ ସ୍କୁଲ ଅଭିଯାନ ମାଧ୍ୟମରେ  ୧୫ ଲକ୍ଷ ଟଙ୍କା ଦାନ କରିଥିଲେ ବାଲେଶ୍ୱର ଜିଲ୍ଲା ସଦାନନ୍ଦପୁରର ୭୦ ବର୍ଷୀୟ ମହିଳା ସୁପ୍ରଭା ପଣ୍ଡା । ଏବେ ଶ୍ରୀଜଗନ୍ନାଥଙ୍କୁ ୨୦ ଲକ୍ଷ ଦାନ କରି ପୁଣ୍ୟ ଅର୍ଜିଛନ୍ତି ସୁପ୍ରଭା । ତାଙ୍କର କେହି ଉତ୍ତରାଧିକାରୀ ନଥିବାରୁ ଜଗନ୍ନାଥଙ୍କୁ 20 ଲକ୍ଷ, ମୋ ସ୍କୁଲ କାର୍ଯ୍ୟକ୍ରମରେ ପିଲାଙ୍କ ଶିକ୍ଷା ନିମନ୍ତେ 15 ଲକ୍ଷ ଦେଲେ ବୋଲି କହିଛନ୍ତି ସୁପ୍ରଭା ।

ଯାହାକୁ ନେଇ ସେ ଖୁବ ଖୁସି ଅନୁଭବ କରୁଥିବା କହିଛନ୍ତି ସୁପ୍ରଭା । ସ୍ୱାମୀ ପଙ୍କଜକାନ୍ତ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ଥିଲେ । ସେ କର୍କଟ ରୋଗରେ ଆକ୍ରାନ୍ତ ହେବାରୁ ସମ୍ପତ୍ତିକୁ ଦାନ ଦେବାକୁ ପତ୍ନୀଙ୍କୁ ବାରମ୍ବାର କହୁଥିଲେ । ତାଙ୍କର କେହି ପିଲାପିଲି ନଥିବାରୁ ମହାପ୍ରଭୁଙ୍କୁ ସମ୍ପତ୍ତି ଦାନ କରିବାକୁ ଇଚ୍ଛା ରଖିଥିଲେ । କୋଭିଡ କଟକଣା କାରଣରୁ ତାଙ୍କର ଦାନ ଇଚ୍ଛା ପୂରଣ ହୋଇପାରିନଥିଲା । ଶେଷରେ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ଏବେ ତାଙ୍କ ଇଚ୍ଛା ପୂରଣ କରି ଖୁବ ଆତ୍ମସନ୍ତୋଷ ଲାଭ କରିଛନ୍ତି ବୋଲି କହିଛନ୍ତି ସୁପ୍ରଭା ।