spot_img
Home Blog Page 4462

ପିସିସି ସଭାପତିଙ୍କ ଚିଠିର ଉତ୍ତର ରଖିଲେ ସୁର ରାଉତରାୟ, କହିଲେ ବିବାଦ ଥିଲେ ମନ୍ତବ୍ୟ ଫେରାଇ ନେଉଛି

ଭୁବନେଶ୍ୱର: ପିସିସି ସଭାପତିଙ୍କ ନୋଟିସର ଜବାବ ଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ନିଜେ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ରାଉତ ପ୍ରମୁଖ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ମୋ ବେଳକୁ କାହିଁକି ନୋଟିସ ବୋଲି ଓଲଟା ପ୍ରଶ୍ନ ବୋଲି କରିଛନ୍ତି ସୁର । ନୋଟିସର ଉତ୍ତର ଦେଇଛି, ଯାହା ପଦକ୍ଷେପ ନେଲେ କିଛି ପରଓ୍ୱା ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଦିନକୁ ୧୮ ଘଣ୍ଟା କଂଗ୍ରେସ ଦଳ ପାଇଁ ପରିଶ୍ରମ କରୁଛି । ତେଣୁ ଏ ନୋଟିସକୁ ଖାତିର ନାହିଁ ବୋଲି କହିଛନ୍ତି ସୁରେଶ ରାଉତରାୟ । ସେହିପରି କଂଗ୍ରେସ ଭବନରେ ପିସିସି ସଭାପତିଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ ।

ସୂଚନା ଅନୁସାରେ ବିଶୃଙ୍ଖଳା ପାଇଁ ଗତକାଲି ସୁର ରାଉତରାୟଙ୍କୁ ନୋଟିସ କରିଥିଲେ ପିସିସି ସଭାପତି । ସୁର ରାଉତରାୟଙ୍କ ଏଭଳି ମନ୍ତବ୍ୟ ପାଇଁ ଦଳର ଭାବମୂର୍ତ୍ତି ନଷ୍ଟ ହେଉଛି ଓ ଦଳ ସମାଲୋଚିତ ହେଉଛି । ବରିଷ୍ଠ ନେତା ହୋଇ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ, ସେନେଇ ସ୍ପଷ୍ଟୀକରଣ ଦେବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁରେଶ ରାଉତରାୟଙ୍କୁ ନୋଟିସ୍ କରିଥିଲେ ।

 

ତୃଣମୂଳସ୍ତରରୁ ପିସିସି ଯାଏ ବଦଳିବେ ନେତା, ଦ୍ବିତୀୟ ଦିନରେ ଆଜି ଜିଲ୍ଲା ସଭାପତିଙ୍କ ସହ ହେବ ଓ୍ବାନ ଟୁ ଓ୍ବାନ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ସଂଗଠନକୁ ପିସିସିଠାରୁ ଆରମ୍ଭ କରି ଛାମୁଆ ସଂଗଠନ ଯାଏ  ଆମୁଳ ଚୂଳ ପରିବର୍ତ୍ତନ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ପ୍ରଥମ ଦିନରେ ସମସ୍ତ କଂଗ୍ରେସ ବିଧାୟକ ଓ ଦଳର ବରିଷ୍ଠ ନେତାଙ୍କ ସହ ଓ୍ବାନ ଟୁ ଓ୍ବାନ ଆଲୋଚନା କରି ମତାମତ ନେଇଛନ୍ତି । ପିସିସି ସଭାପତି ନିର୍ବାଚନରେ କିଏ ହେବ ପରବର୍ତ୍ତୀ ପିସିସି ସଭାପତି, ସେନେଇ ୩ ଜଣଙ୍କ ନାଁ ପ୍ରତ୍ୟକ ନେତାଙ୍କୁ ଦେବା ପାଇଁ ପରମର୍ଶ ଲୋଡ଼ିଛନ୍ତି ପ୍ରଭାରୀ । ସେହି ଅନୁସାରେ ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ପ୍ରଥମ ଦିନରେ ପିସିସି ସଭାପତି ପରିବର୍ତ୍ତନ ଓ ବିଧାୟକ ଦଳ ପରିବର୍ତ୍ତନ ନେଇ ମତାମତ ଦେଇଛନ୍ତି ।

ତେବେ ପିସିସି ପରିବର୍ତ୍ତନ ପ୍ରକ୍ରିୟାର ଆଜି ଦ୍ବିତୀୟ ଦିନରେ ସମସ୍ତ ଜିଲ୍ଲା ସଭାପତି ଓ ଯୁବ, ମହିଳା, ଛାତ୍ର ପରି ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ ପ୍ରଭାରୀ ଚେଲ୍ଲା କୁମାର ।

ସମ୍ପର୍କୀୟ ଭାଇଙ୍କୁ ଅପହରଣ ପରେ ହତ୍ୟା!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଚାଞ୍ଚଲ୍ୟ । ସମ୍ପର୍କୀୟ ଭାଇକୁ ହତ୍ୟା କଲା ଭାଇ । ଅପହରଣ ପରେ ସମ୍ପର୍କୀୟ ଭାଇକୁ ହତ୍ୟା କରିଛି ଭାଇ । ଅପହରଣ ପରେ ସମ୍ପର୍କୀୟ ଭାଇକୁ ଛଡ଼ାଇବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ । ୧୦ ଲକ୍ଷ ନଦେଲେ ହତ୍ୟା କରିବ ବୋଲି ହ୍ୱାଟ୍ସଆପ ମେସେଜ କରିଥିଲା । ଏହା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଘଟିଛି ଏଭଳି ଘଟଣା । ମୃତକ ହେଲେ ଶିରଭଟାପଡ଼ାର ନାବାଳକ ମୋହନ କୁମ୍ଭାର । ସିକେର ଜଙ୍ଗଳରୁ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ଗତ ୨୩ ତାରିଖ ଦିନ ସମ୍ପର୍କୀୟ ଭାଇ ଦ୍ଵାରା ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଭାଇ ଥାନାରେ ଅଟକ ଥିବା ସୂଚନା ମିଳିଛି । ତେବେ ଅଟକ ଅଭିଯୁକ୍ତ ଦୋଷ ସ୍ୱୀକାର କରିଥିବା ପୋଲିସର ସୂଚନା । ମୃତଦେହକୁ ଜବତ କରି ଟିଟିଲାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅପାର ସ୍ବାମୀଙ୍କ ରଥଯାତ୍ରା ବେଳେ ଅଘଟଣ, ହାଇଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ

ଚେନ୍ନାଇ: ତାମିଲନାଡ଼ୁରେ ଅପାର ସ୍ବାମୀ ମୁଥୁଙ୍କ ରଥଯାତ୍ରାରେ ବଡ଼ ଧରଣର ଅଘଟଣ । ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୧୫ ଜଣ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାମିଲନାଡ଼ୁ ତାଞ୍ଜାଭୁର ଜିଲ୍ଲାର କାଲିମେଦୁ ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଆଜି ଭୋରରୁ ଅପାର ସ୍ବାମୀ ମୁଥୁଙ୍କୁ ବିରାଟ ପଟୁଆରରେ ଶୋଭାଯାତ୍ରା କରି ନେଉଥିଲେ ଭକ୍ତ ।

ରଥର ଉଚ୍ଚତା ଅଧିକ ଥିବାରୁ ଏକ ହାଇଭୋଲଟେଜ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରଥ ଜଳିବାକୁ ଲାଗିଥିଲା । ଚାହୁଁ ଚାହୁଁ ଲୋକଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ଯାହା ଫଳରେ ୧୧ ଜଣଙ୍କର ମୃତ ହୋଇଛି । ମୃତ୍ୟୁ ବରଣ କରିଥିବା ୧୧ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ ରହିଛନ୍ତି । ସେହିପରି ଗୁରୁତର ଭାବେ ଆହତ ହୋଇଥିବା ଲୋକଙ୍କୁ ତାଞ୍ଜାଭୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆଜିଠୁ ପାରାଦ୍ୱୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ, ରଣକୌଶଳ ଦେଖାଇବେ ଦୁଇଟି ଟିମ୍

ପାରାଦ୍ୱୀପ: ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହେଉଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’ । ଓଡ଼ିଶାର ୪୮୦ କିଲୋମିଟର ବେଳାଭୂମିରେ ବାହ୍ୟ ଶତୃଙ୍କ ମୁକାବିଲା ପାଇଁ ମିଳିତ ସମାରାଭ୍ୟାସ କରାଯିବ । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୩ରୁ ଅଧିକ ବିଭାଗ ସାମିଲ ହୋଇଛନ୍ତି ।

ଓଡ଼ିଶା ପୋଲିସ, ମେରାଇନ ପୋଲିସ, କୋଷ୍ଟଗାର୍ଡ, ନାଭି, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପାରାଦ୍ୱୀପ ବନ୍ଦର, ଇମିଗ୍ରେସନ, ଇଣ୍ଟେଲିଜେନ୍ସ, ବନ ବିଭାଗ, ସିଆଇଏସଏଫ, କଷ୍ଟମ୍ସ ବିଭାଗ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ରେଡ୍ ଟିମ୍ ଓ ବ୍ଲୁ ଟିମ୍ ନାମରେ ଦୁଇଟି ଟିମ ଗଠନ କରାଯାଇଛି । ରେଡ୍ ଟିମ୍ ସମୁଦ୍ର ପଥ ଦେଇ ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରବେଶ କରିବ । ସେମାନଙ୍କୁ ଧରିବାକୁ ପ୍ରୟାସ କରିବ ବ୍ଲୁ ଟିମ୍ । ୨୦୦୮ ମୁମ୍ବାଇ ଆକ୍ରମଣ ପରଠାରୁ ପ୍ରତିବର୍ଷ ମିଳିତ ସମରାଭ୍ୟାସ କରାଯାଉଛି ।

ପାଣି ପାଇପ୍ ଡକାୟତଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଟାଙ୍ଗୀ: ପୁଣି ପାଣି ପାଇପ୍ ଡକାୟତଙ୍କୁ ଧରି ପୋଲିସ ଜିମ୍ମା ଦେଲେ ଗାଁ ଲୋକ । ଖୋର୍ଦ୍ଧା ଜିଲା ଟାଙ୍ଗୀ ଦୀକ୍ଷିତପଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ପାଣି ସଂଯୋଗ ପାଇଁ ପାଇପ୍ ବିଛା ଯାଇଥିଲା । ହେଲେ ପାଇପ୍ ଲୁଟ୍ ପାଇଁ ୨୦ରୁ ଅଧିକ ସଶସ୍ତ୍ର ଡକାୟତ ଟ୍ରକ୍ ନେଇ ପହଞ୍ଚିଥିଲେ ଟାଙ୍ଗୀ ଦୀକ୍ଷିତପଡ଼ା ଗ୍ରାମରେ । ପାଣି ପାଇପକୁ ଲୋଡ୍ କରୁଥିବା ବେଳେ ଗାଁ ଲୋକ ଏକାଠି ହୋଇ ଡକାୟତଙ୍କୁ ଘେରି ନେଇଥିଲେ । ପୋଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଡକାୟତଙ୍କୁ କବଜାକୁ ନେଇଥିଲା । ଏହା ସହ ଗୋଟିଏ ଆଇଚର ଟ୍ରକ୍, ଗୋଟିଏ ଦାମୀ ବାଇକ୍ ଜବତ କରିଛି ପୋଲିସ । ଗତକାଲି ମଧ୍ୟ ଟାଙ୍ଗୀ କଲେଜ ପଡ଼ିଆରୁ ପାଣି ପାଇପ୍ ଲୁଟ୍ କରୁଥିବା ବେଳେ ଗାଁର ଯୁବକ ୮ ଜଣ ଡକାୟତଙ୍କ ସହ ୩ଟି ଆଇଚର ଟ୍ରକ୍ ଓ ଗୋଟିଏ ହାଇଡ୍ରାକୁ କାବୁ କରିଥିଲେ ।

ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ପ୍ରସ୍ତୁତ ହୋଇପାର ସ୍ୱତନ୍ତ୍ର ରଣନୀତି

ନୂଆଦିଲ୍ଲୀ: ବିଭିନ୍ନ ରାଷ୍ଟ୍ରରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଭାରତର କିଛି ରାଜ୍ୟରେ ମଧ୍ୟ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଦିଲ୍ଲୀରେ ୨୪ ଘଣ୍ଟାରେ ୧୨୦୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତାର ଚତୁର୍ଥ ଦିନ ଲାଗି ସଂକ୍ରମଣ ବଢି଼ବା ପରେ ବଢିଛି ଚିନ୍ତା । ଆଗାମୀ ଦିନରେ କରୋନା ଚତୁର୍ଥ ଲହର ଆସିବା ନେଇ ଆଇଆଇଟି ବିଶେଷଜ୍ଞମାନଙ୍କ ପକ୍ଷରୁ ମଧ୍ୟ ଆଶଙ୍କା ବ୍ୟକ୍ତ କରାଯାଇଛି ।

ଏଭଳି ସ୍ଥିତିରେ କୋଭିଡ ମୁକାବିଲା ଲାଗି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ । କେତେକ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାବେଳେ ଏହାର ଆଗୁଆ ମୁକାବିଲା ଲାଗି ପ୍ରସ୍ତୁତ ହୋଇପାର ରଣନୀତି । ଭିଡିଓ କନଫରେନ୍ସିଂ ଜରିଆରେ ହେବାକୁ ଥିବା ଏହି ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ରିପୋର୍ଟ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଗତ ଜାନୁଆରୀ ୧୩ରେ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି, ଆଜି ରାଜଧାନୀରେ ଗର୍ଜିବେ ପାଇକ

ଭୁବନେଶ୍ୱର: ଆଜି ରାଜ୍ୟ ଦେଖିବ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ । ରାଜଧାନୀରେ ପୁଣି ଗର୍ଜିବେ ପାଇକ । ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ସମାବେଶ ଅନୁଷ୍ଠିତ ହେବ । ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି ହୋଇଛି । ଆଜି ଖୋର୍ଦ୍ଧା ବରୁଣେଇରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲି କରାଯିବ । ଏହାପରେ ପ୍ରଦର୍ଶନୀ ପଡ଼ିଆଠାରେ ହେବ ସମାବେଶ ।

୧୮୧୭ରେ ବ୍ରିଟିଶ ଶାସନ ବିରୋଧରେ ଜୋରଦାର ଲଢ଼େଇ କରିଥିଲେ ପାଇକ । ୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ବରେ ଚାଲିଥିଲା ଘମାଘୋଟ ଲଢ଼େଇ । ଏହା ହିଁ ଥିଲା ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଲଢ଼େଇକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇଥିଲେ । ୨୦୧୯ରେ ଖୋର୍ଦ୍ଧା ବରୁଣେଇକୁ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଥିଲେ । କିନ୍ତୁ ୨୦୨୧ ଡ଼ିସେମ୍ବର ୩ ତାରିଖରେ ସଂସଦରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଇ ହେବ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରାଯାଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ଗର୍ଜନ ସମାବେଶର ଯୋଜନା ରହିଛି ।

 

ତତଲା ତାଓ୍ୱାରେ ଭାଜି ହେଉଛି ଓଡ଼ିଶା, ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଖରାରେ ସିଝୁଛି ସାରା ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ପ୍ରତିଦିନ ତାପମାତ୍ରା ବୃଦ୍ଧିରେ ନୂଆ ରେକର୍ଡ ହେଉଛି । ଆସନ୍ତା ୩୦ ତାରିଖ ଯାଏଁ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ସେମିତି ହୁଏ ତେବେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ମେ’ ୩ ପର୍ଯ୍ୟନ୍ତ ହିଟଓ୍ୱେଭ୍ ପ୍ରଭାବ ରହିବ ।

ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଗ୍ରୀଷ୍ମ ପ୍ରବାହ ସମୟରେ ଖରାରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆଜିଠୁ ମେ’ ୨ ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜି ପାଠପଢ଼ା ବନ୍ଦ ରହିବ । କ୍ଲାସ ସସପେଣ୍ଡ ହୋଇଥିଲେ ମଧ୍ୟ ପରୀକ୍ଷା, ଗବେଷଣାମୂଳକ ଓ ପ୍ରଶାସନିକ କାର୍ଯ୍ୟ ଜାରି ରହିବ ।

ଏହି ୭ଟି ରାଶିର ବ୍ୟକ୍ତିଙ୍କ ପାଇଁ ଘୋର ବିପଦ

ମେଷ ରାଶି : ଧୈର୍ଯ୍ୟ ଓ ସଂଯମ ରକ୍ଷା କରନ୍ତୁ । ଚାକିରିରେ ପରିବର୍ତ୍ତନ ଦେଖାଦେଇପାରେ । ପରିବାରଠୁ ଦୂରରେ ରହିବାକୁ ପଡ଼ିପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । କ୍ରୋଧ ବଢ଼ିପାରେ । କଳା ଏବଂ ସଙ୍ଗୀତ କ୍ଷେତ୍ରରେ ରୁଚି ରହିବ । ପରିବାର କିମ୍ୱା କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ ।

ବୃଷ ରାଶି : ମନରେ ଥିବା ଆଶା ପୂରଣ ହୋଇପାରେ । ଚାକିରିରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ଆୟ ବୃଦ୍ଧି ହେବା ସହ ଖର୍ଚ୍ଚ ବଢ଼ିପାରେ । ବନ୍ଧୁଙ୍କ ସାହାଯ୍ୟରେ ଆୟ ବଢ଼ିବ । ଚାକିରି କିମ୍ୱା କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇପାରେ ।

ମିଥୁନ ରାଶି : ଆତ୍ମବିଶ୍ୱାସ କମିପାରେ । ମାନସିକ ଶାନ୍ତି ପାଇଁ ଚେଷ୍ଟା କରନ୍ତୁ । ବ୍ୟବସାୟିକ କାର୍ଯ୍ୟରେ ବ୍ୟବଧାନ ଆସିପାରେ । କୌଣସି ବନ୍ଧୁଙ୍କ ସାହାଯ୍ୟ ମିଳିପାରେ । ଅଯଥା କାର୍ଯ୍ୟ ହେତୁ ବ୍ୟସ୍ତତା ବଢ଼ିପାରେ । ପିତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିପାରେ । ଧର୍ମ ପ୍ରତି ଶ୍ରଦ୍ଧାଭାବ ବଢ଼ିବ । ଆୟ ବୃଦ୍ଧିର ସମ୍ଭାବନା ରହିଛି ।

କର୍କଟ ରାଶି : ଅଧିକ ପରିଶ୍ରମ ହେତୁ ଚିନ୍ତାରେ ରହିପାରନ୍ତି । ପିତାମାତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ଜୀବନସାଥୀଙ୍କ ସହଯୋଗ ମିଳିବ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମର ସଠିକ୍ ଫଳ ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆତ୍ମବିଶ୍ୱାସ ହାନି ହେବା ସହ ଆୟ କମ୍ ରହିବ ଏହି କାରଣରୁ ଚିନ୍ତିତ ହେବେ । ସ୍ୱଭାବରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି ।

ସିଂହ ରାଶି : ମାନସିକ ଶାନ୍ତି ମିଳିବ । ପୂର୍ଣ୍ଣ ଆତ୍ମବିଶ୍ୱାସ ରହିବ । ପୋଷାକ ପ୍ରତି ରୁଚି ବଢ଼ିପାରେ । ଚାକିରିରେ ଅଧିକାରୀମାନଙ୍କ ସହ ସଦଭାବ ବଜାୟ ରଖନ୍ତୁ । କୌଣସି ବଡ଼ ଦାୟିତ୍ୱ ନେଇପାରନ୍ତି । ସନ୍ତାନ ତରଫରୁ ଖୁସି ଖବର ମିଳିପାରେ । ସଂଚିତ ଧନ କ୍ଷୟ ହେବ । କାର୍ଯ୍ୟକ୍ଷେତ୍ରରେ ଅଧିକ ପରିଶ୍ରମ କରିପାରନ୍ତି । ଅତିରିକ୍ତ କ୍ରୋଧରୁ ନିଜକୁ ଦୂରେଇ ରଖନ୍ତୁ ।

କନ୍ୟା ରାଶି : ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ସଂଯତ ରକ୍ଷା କରନ୍ତୁ । ପାରିବାରିକ ଜୀବନ ଭଲ ରହିବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମାନସିକ ଚିନ୍ତାରେ ରହିବେ । ସ୍ୱଭାବରେ ବିରକ୍ତିଭାବ ପ୍ରକାଶ ପାଇବ । ଜୀବନସାଥୀଙ୍କ ସହ କଳହ ଦେଖାଦେଇପାରେ । ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । ପୈତୃକ ସମ୍ପତ୍ତିରେ ଭାଗ ମିଳିପାରେ ।

ତୁଳା ରାଶି : ମନରେ ନିରାଶଭାବ ରହିପାରେ । ପରିବାରର ସହଯୋଗ ମିଳିବ । କୌଣସି ବନ୍ଧୁଙ୍କ ସହାୟରେ ଚାକିରି ମିଳିପାରେ । ଆୟ ବୃଦ୍ଧି ହେବ । ଭାଇଭଉଣୀଙ୍କ ସହ ବିଦେଶଗସ୍ତ କରିପାରନ୍ତି । ପିତାମାତାଙ୍କ ସହଯୋଗ ମିଳିବ । ପୋଷାକ କ୍ରୟରେ ଧନ ବିନିଯୋଗ ହୋଇପାରେ ।

ବିଛା ରାଶି : ଭରପୁର ଆତ୍ମବିଶ୍ୱାସ ରହିବ । ପିତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀଙ୍କ ସହ ଭଲ ସମ୍ପର୍କ ରହିବ । ଉନ୍ନତି କରିବେ । ଅଧିକ ଖର୍ଚ୍ଚ ହେବାରୁ ଚିନ୍ତାରେ ପଡ଼ିବେ । ମାନସିକ ଶାନ୍ତି ବଜାୟ ରହିବ । ଅଧିକାରୀଙ୍କ ସହଯୋଗ ମିଳିବ ।

ଧନୁ ରାଶି : କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଦେଖାଦେଇପାରେ । କୌଣସି ବନ୍ଧୁଙ୍କ ସହାୟତା ମିଳିପାରେ । ଆୟ ବୃଦ୍ଧି ହେବ । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେବ । ଖର୍ଚ୍ଚ ବଢ଼ିପାରେ । ଆୟରେ ବ୍ୟବଧାନ ଦେଖାଦେଇପାରେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଆତ୍ମବିଶ୍ୱାସ ବଳରେ ସଫଳତା ହାସଲ କରିବେ ।

ମକର ରାଶି : ଧୈର୍ଯ୍ୟ ଓ ସହନଶୀଳତା ରକ୍ଷା କରନ୍ତୁ । ବ୍ୟବସାୟରେ ସୁଧାର ଆସିପାରେ । ଲାଭ ମିଳିବାର ସମ୍ଭାବନା ରହିଛି । ପରିବାରର ସହଯୋଗ ମିଳିବ । ଦୈନିକ ଜୀବନରେ ବାଧା ଆସିପାରେ । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦେଖାଦେବ । ମାନସିକ ଶାନ୍ତି ମିଳିପାରେ ।

କୁମ୍ଭ ରାଶି : ମାନସିକ ଶାନ୍ତି ମିଳିବ । ଚାକିରିରେ ଉନ୍ନତି କରିପାରନ୍ତି । ଆୟ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ବଡ଼ ଦାୟିତ୍ୱ ମିଳିପାରେ । ଖର୍ଚ୍ଚ ବଢ଼ିବ । ଯାନବାହନରେ ଅର୍ଥ ବିନିଯୋଗ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ କଠିନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ମାତ୍ର, ଶେଷରେ ସଫଳତା ପ୍ରାପ୍ତି ହେବ ।

ମୀନ ରାଶି : ମନ ପ୍ରସନ୍ନ ରହିବ । ବ୍ୟବସାୟରେ ବୃଦ୍ଧି ସହ ସମ୍ପତ୍ତିରେ ବୃଦ୍ଧି ହେବ । ଶରୀରର ଯତ୍ନ ନିଅନ୍ତୁ । ବନ୍ଧୁଙ୍କ ସହ ଭଲ ସମ୍ପର୍କ ରକ୍ଷା କରନ୍ତୁ । ପୋଷାକପତ୍ରରେ ଖର୍ଚ୍ଚ ହୋଇପାରେ । ଏଥିସହ ବନ୍ଧୁଙ୍କ ସହାୟତାରେ ଚାକିରି ମିଳିବାର ସୁଯୋଗ ରହିଛି ।