spot_img
Home Blog Page 4452

ଭୁବନେଶ୍ବର ପାଇଲା ପ୍ରଥମ ମହିଳା ମେୟର

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପାଇଲା ପ୍ରଥମ ମହିଳା ମେୟର । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ହୋଇଛନ୍ତି ଭୁବନେଶ୍ବରର ପ୍ରଥମ ମହିଳା ମେୟର । ପ୍ରଥମ ଥର ପାଇଁ ମେୟର ପଦ ପାଇଁ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ସୁଲୋଚନା । ସେ ୬୧ ହଜାର ୪୮୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି ।

ସୁଲୋଚନାଙ୍କୁ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନିତା ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ପାଇଛନ୍ତି । କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳକୁ ମାତ୍ର ୧୧ ହଜାର ୬ ଖଣ୍ଡ ଭୋଟ ମିଳିଛି ।

ବିଜୟ ପରେ ସୁଲୋଚନା କହିଥିଲେ, ‘ସବୁ କର୍ପୋରେଟଙ୍କ ସହ ମିଶି ସହରବାସୀଙ୍କ ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ରହିଛି, ଲୋକଙ୍କ ଘରେ ସେବା ଯୋଗାଇବାକୁ । ଆମେ ଚେଷ୍ଟା କରିବୁ, ବିଏମସି କାର୍ଯ୍ୟାଳୟକୁ ଯେମିତି କାହାରିଙ୍କୁ ଆସିବାକୁ ପଡିବ ନାହିଁ । ସେବା ଆପଣମାନଙ୍କ ଘର ପାଖରେ ପହଞ୍ଚିବ ।’

ପ୍ରଥମ ଦିନରେ ରେକର୍ଡ଼ ଭାଙ୍ଗିଲା RRR, ପଛରେ ପଡ଼ିଲା ବାହୁବଳୀ

ନୂଆଦିଲ୍ଲୀ: ବାହୁବଳୀ ନିର୍ଦ୍ଦେଶକ ଏସ.ଏସ୍‌.ରାଜମୌଲିଙ୍କ ବହୁ ପ୍ରତିକ୍ଷୀତ RRRର ରିଲିଜ ତାରିଖ ବାରମ୍ବାର ଘୁଞ୍ଚିବା ପରେ ମଧ୍ୟ ଶେଷରେ ଫିଲ୍ମ ସିନେମାଘରେ ରିଲିଜ୍‌ ହୋଇଛି ।  ଦୀର୍ଘ ସମୟର ଅପେକ୍ଷା ପରେ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳୁଛି ।  କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଫିଲ୍ମ RRR ଭଲ ଓପନିଙ୍ଗ୍‌ କରିଛି । ଜୁନିଅର NTR  ଏବଂ ରାମଚରଣଙ୍କ ଅଭିନୀତ ଏହି ଫିଲ୍ମରେ ଆଲିୟା ଭଟ୍ଟ, ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଟ୍ରେଡ୍‌ ଆନାଲିଷ୍ଟ୍ସଙ୍କ କହିବା ହେଉଛି, ଫିଲ୍ମଟି ପ୍ରଥମ ଦିନରେ  ଜବରଦସ୍ତ ଇନକମ୍‌ କରିଛି ।  ଏହି ଫିଲ୍ମ ସହିତ ଏସ.ଏସ ରାଜେମୗଲି ନିଜେ ନିଜର ରେକର୍ଡ଼ ଭାଙ୍ଗିଛନ୍ତି । ଭିନ୍ନ ଭିନ୍ନ ଟ୍ରେଡ୍‌ ଆନାଲିଷ୍ଟ ପ୍ରଥମ ଦିନର କଲେକ୍ସନକୁ ନେଇ ଭିନ୍ନ ଭିନ୍ନ ଫିଗର୍ସ କହିଛନ୍ତି । କିନ୍ତୁ ମୋଟାମୋଟି ଭାବରେ ଫିଲ୍ମ ପ୍ରଥମ ଦିନରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ।


ଫିଲ୍ମ କ୍ରିଟିକ୍ସ ତରନ୍‌ ଆଦର୍ଶଙ୍କ ଅନୁସାରେ ଏହି ଫିଲ୍ମ ବାହୁବଳୀ-ଟୁ’କୁ ପଛରେ ପକାଇ ଭାରତର ନମ୍ବର ଓ୍ୱାନ୍‌ ଓପନର ହୋଇ ସାରିଛି । RRR ଓ୍ୱାର୍ଲଡ ଓ୍ୱାଇଡ୍‌ ୨୨୩ କୋଟି  ଟଙ୍କାର ଓପନିଙ୍ଗ୍‌ କରିଛି ।

 

ଅନ୍ୟପଟେ ଟ୍ରେଡ୍‌ ଆନାଲିଷ୍ଟ ମନୋବାଳା ବିଜୟବାଲନଙ୍କ ଅନୁସାରେ,  ଫିଲ୍ମ ପ୍ରଥମ ଦିନରେ  ଓ୍ୱାର୍ଲଡ ଓ୍ୱାଇଡ ୨୫୭.୧୬ କୋଟି ଇନକମ୍‌ କରିଛି ।

କ୍ରିଟିକ୍ସଙ୍କ କହିବା ମୁତାବକ, ଫିଲ୍ମ ତେଲୁଗୁ ଭାଷାଭାଷୀ ରାଜ୍ୟରେ  ୧୦୦ କୋଟିରୁ ଅଧିକ ଇନକମ କରିଛି ।  ଉତ୍ତର ଭାରତରେ ଫିଲ୍ମଟି ୧୮ କୋଟିରୁ ଅଧିକ ଓପନିଙ୍ଗ୍‌ କରିଛି ।  ଅଷ୍ଟ୍ରେଲିୟା, ନ୍ୟୁଜିଲାଣ୍ଡ, କାନାଡ଼ା,ଉତ୍ତର ଆମେରିକା ଏବଂ ୟୁକେରେ ମଧ୍ୟ ଫିଲ୍ମ ଭଲ ବାଣିଜ୍ୟ କରିଛି ।

ସୂଚନାଯୋଗ୍ୟ RRR ଏକ କାଳ୍ପନିକ ଫିଲ୍ମ ।

 

୯୧ ବର୍ଷୀୟ ମହିଳାଙ୍କ ସହିତ ବିବାହ କରି ବନିଗଲେ କୋଟିପତି, କିନ୍ତୁ…

ନୂଆଦିଲ୍ଲୀ: ୯୧ ବର୍ଷରେ ବିବାହ ? ଆଶ୍ଚର୍ଯ୍ୟ ଲାଗୁଥାଇପାରେ । କିନ୍ତୁ ଘଟଣାଟି ସତ । ଆଉ ଘଟଣାଟି ହେଉଛି ବ୍ରିଟେନର । ଯେଉଁଠାରେ ୬୭ ବର୍ଷୀୟ  ଜଣେ ବ୍ୟକ୍ତି ବିବାହ କରିଛନ୍ତି ୯୧ ବର୍ଷୀୟ ଜଣେ ମହିଳାଙ୍କୁ । ଦୁଃଖର କଥା ହେଉଛି ବିବାହର ମାତ୍ର କିଛି ମାସ ପରେ ମହିଳାଙ୍କ ମୃତ୍ୟୁ ହୋଇଛି।  ମୃତ୍ୟୁ ପରେ ତାଙ୍କର କୋଟି କୋଟି ସମ୍ପତ୍ତି ଉକ୍ତ ବ୍ୟକ୍ତିଙ୍କ ନାଁରେ ହୋଇଯାଇଛି ।କିନ୍ତୁ ଏହି ମାମଲାରେ ଖୁସି ନାହାଁନ୍ତି ମହିଳାଙ୍କ ପରିବାର ।  ମହିଳାଙ୍କ ପରିବାରର ଅଭିଯୋଗ ଅନୁସାରେ  ବିବାହ ସମୟରେ ମହିଳା ଜଣକ ଡିମେଶିୟା ରୋଗର ଶିକାର ଥିଲେ । ଏହାଦ୍ୱାରା ସେ ତାଙ୍କ ବୁଦ୍ଧି ଏବଂ ନିଷ୍ପତ୍ତି ନେବାର କ୍ଷମତା ହରାଇ ବସିଥିଲେ ।

‘ଦ ସନ୍‌’ ରିପୋର୍ଟ ଅନୁସାରେ ୨୦୧୬ରେ  ୯୧ ବର୍ଷୀୟ ଜୋଆନ୍‌ ଚିରଦିନ ପାଇଁ ଆଖି ବୁଜିଛନ୍ତି । ଜୋଆନଙ୍କ ମୃତ୍ୟୁ ପରେ ତାଙ୍କ ୨ କୋଟିରୁ ଅଧିକ ସମ୍ପତ୍ତି ତାଙ୍କ ପତି ବା ୬୭ ବର୍ଷୀୟ କୋଲମ୍ୟାନଙ୍କୁ ମିଳିଛି । ମା’ ଜୋଆନ୍‌ ବ୍ଲାସଙ୍କ ସମ୍ପତ୍ତିରୁ ବଞ୍ଚିତ ହେବାପରେ ସ୍ୱର ଉଠାଇଛନ୍ତି ତାଙ୍କ ପୁଅ । ଯାହାପରେ ଏହି ମାମଲା ପୁରା ଚର୍ଚ୍ଚାକୁ ଆସିଛି । ତେବେ କୋଲୋମ୍ୟାନ୍‌ ଲୁଚିଛପି ତାଙ୍କ ମା’ ଜୋଆନଙ୍କୁ ବିବାହ କରିଥିବା ସେ ଅଭିଯୋଗ ଆଣିଛନ୍ତି ।  କେବଳ ଜୋଆନଙ୍କ ପୁଅ ମାଇକେଲ ନୁହଁନ୍ତି ବରଂ  ଝିଅ ଫ୍ରାକ୍ସ ମଧ୍ୟ ଏହି ସମାନ ଅଭିଯୋଗ ଆଣିଛନ୍ତି । ଖାଲି ସେତିକି ନୁହେଁ  ମାଇକେଲ ଏବଂ ଫ୍ରାକ୍ସ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତିଯେ, ମାଇକେଲ ଜୋଆନଙ୍କ ଅନ୍ତିମ ସଂସ୍କାର କରି ବେନାମି କବର ଦେଇ ଦେଇଛନ୍ତି ।

ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ୧ କୋଟିର ଘର କୋଲମ୍ୟାନଙ୍କ ନାଁରେ ହୋଇ ସାରିଛି । ଏହା ସହିତ ତାଙ୍କ ଆକାଉଣ୍ଟରେ ଥିବା ୩୫ ଲକ୍ଷ ଟଙ୍କା ମଧ୍ୟ । ଅନ୍ୟପଟେ ଜୋଆନଙ୍କ ପୁଅ ଏବଂ ଝିଅ ଦ୍ୱାରା ହୋଇଥିବା ଅଭିଯୋଗକୁ କୋର୍ଟ ଖାରଜ କରି ଦେଇଛି ।   ଯେଉଁଥିରେ କୋଲମ୍ୟାନ୍‌ ତାଙ୍କ ମା ଜୋଆନଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି ।  ତେବେ ଘଟଣାଟି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ଭାଇରାଲ ଖବର ପାଲଟିଛି ।

ପୌରରେ ପଞ୍ଚାୟତ ରିପିଟ୍: ୯୫ ପୌରାଞ୍ଚଳରେ ସଂଖ୍ୟାଗରିଷ୍ଠତା

ଭୁବନେଶ୍ବର: ଗାଁ ପରେ ସହରରେ ବି ବିଜେଡି ଉଡାଇଲା ବିଜୟ ପତାକା । ମାସେ ତଳେ ରାଜ୍ୟର ଅଧିକାଂଶ ପଞ୍ଚାୟତରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବେ ବିଜେଡି ପୌରରେ ବି ସମାନ ସଫଳତା ଦୋହରାଇଛନ୍ତି ନବୀନ ବ୍ରିଗେଡ । ବିଜେଡି ଖାତାକୁ ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ଯାଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ଅନ୍ୟମାନଙ୍କୁ ୯ଟି ଆସନ ମିଳିଛି । ୨୧ଟି ପୌରାଞ୍ଚଳରେ ବିଜେଡିର ଅଧିକ ସଦସ୍ୟ ବିଜୟୀ ହୋଇଥିଲେ ମଧ୍ୟ ଅଧ୍ୟକ୍ଷ ପଦ ହାତେଇଛନ୍ତି ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ । ପରୋକ୍ଷ ନିର୍ବାଚନ ହୋଇଥିଲେ ଏସବୁ ପୌର ପରିଷଦର ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥାନ୍ତା ।

ପୌର ସିଟି ଫାଇଟ୍‌ରେ ବିଜେଡିକୁ ମିଳିଛି ବଡ଼ ବିଜୟ । ସହର ପରେ ସହର ଦଖଲ କରିଛି ବିଜେଡି । ଆଖପାଖରେ ନାହାନ୍ତି ବିରୋଧୀ । ୧୦୮ ପୌରାଞ୍ଚଳ ମଧ୍ୟରୁ ବିଜେଡି ସର୍ବାଧିକ ୭୩ଟି ଅଧ୍ୟକ୍ଷ ପଦ ହାତେଇଥିବା ବେଳେ ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ବାଧୀନ ପ୍ରାର୍ଥୀ ୯ଟି ଆସନରେ କବ୍‌ଜା କରିଛନ୍ତି । ତେବେ ୯୫ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ହାସଲ କରିଛି ବିଜେଡି । କଂଗ୍ରେସ ୪ଟି, ବିଜେପି ୬ଟି ଓ ସ୍ବାଧୀନ ୩ଟି ପୌରାଞ୍ଚଳରେ ସଂଖ୍ୟା ଗରିଷ୍ଠତା ପାଇଛନ୍ତି । ୮୮ ପ୍ରତିଶତ ଆସନରେ ବିଜେଡିକୁ ସଫଳତା ମିଳିଛି । କଂଗ୍ରେସକୁ ୩.୫ ପ୍ରତିଶତ, ବିଜେପି ୫.୫ ପ୍ରତିଶତ ଓ ସ୍ବାଧୀନ ୩ ପ୍ରତିଶତ ଆସନରେ ସଫଳତା ପାଇଛନ୍ତି । ସବୁଠୁ ବଡ଼ କଥା ହେଲା, ୩ଟି ଯାକ ମହାନଗର ନିଗମ ମେୟର ପଦକୁ ବିଜେଡି କବ୍‌ଜା କରିବା ସହ ସଂଖ୍ୟାଗରିଷ୍ଠତା ପାଇଛି ।

ପୌର ନିର୍ବାଚନରେ ମୋଟ୍ ୧୮୮୯ କାଉନସିଲର ଓ କର୍ପୋରେଟର ପଦ ପାଇଁ ନିର୍ବାଚନ ହୋଇଥିଲା । ୧୨ ଶହରୁ ଅଧିକ ଆସନରେ ବିଜୟୀ ହୋଇଛି ବିଜେଡି । ସେହିପରି ବିଜେପିକୁ ୩ଶହରୁ ଅଧିକ ଓ କଂଗ୍ରେସକୁ ୧୪୦ରୁ ଅଧିକ ଆସନ ମିଳିଛି । ୧୩୦ରୁ ଅଧିକ ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ବିଜେଡିର ଏହି ସଫଳତାକୁ ଐତିହାସିକ ବୋଲି କହିଛନ୍ତି ସମୀକ୍ଷକ ।

ପ୍ରତ୍ୟକ୍ଷ ନିର୍ବାଚନ ଗଣିତ ଅନୁସାରେ, ବିଜେପି, କଂଗ୍ରେସ ଓ ସ୍ବାଧୀନ ପ୍ରାର୍ଥୀ ହାତେଇଥିବା ଅଧ୍ୟକ୍ଷ ପଦରୁ, ୨୧ଟି ପୌରାଞ୍ଚଳରେ ବିଜେଡି ଅଧିକ ସଂଖ୍ୟକ ଓ୍ବାର୍ଡ ଜିତିଛି । ପୂର୍ବ ପରି ପରୋକ୍ଷ ନିର୍ବାଚନ ହୋଇଥିଲେ, ଏସବୁ ପୌରାଞ୍ଚଳ ବି ବିଜେଡି ଦଖଲ କରିଥାନ୍ତା । ଅଧିକ ସଂଖ୍ୟକ କାଉନସିଲର ଥିବାରୁ ଏସବୁ ପୌରାଞ୍ଚଳରେ ବିଜେଡିର ଦବଦବା ରହିବ ।

ପୌର ବିଜୟ ଶ୍ରେୟ ଓଡ଼ିଶାବାସୀଙ୍କୁ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୌର ନିର୍ବାଚନରେ ବିପୁଳ ସମର୍ଥନ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ କରି ରାଜ୍ୟର ବିକାଶଧାରାରେ ସାମିଲ ହେବାକୁ ଦେଲେ ଆହ୍ବାନ । କର୍ମୀ ଓ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ଦେଇଥିବାରୁ ରାଜ୍ୟବାସୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ଲୋକଙ୍କ ଉତ୍ତମ ସେବା ଯୋଗାଇବାରେ ଆମେ ଆଗକୁ କାମ ଜାରି ରଖିବୁ । ନିର୍ବାଚନରେ ଅକ୍ଲାନ୍ତ ପରିର୍ଶମ କରି ଦଳକୁ ଜିତାଇଥିବାରୁ ସମସ୍ତ କର୍ମୀଙ୍କୁ ଧନ୍ୟବାଦ ।’

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଓ ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମ ବଳରେ ସମ୍ଭବ ହୋଇଛି । ଓ୍ବାର୍ଡସ୍ତରରୁ ଲୋକଙ୍କ ଭଲ ପାଇବା ତୃଣମୂଳସ୍ତରରେ ବିଜେଡିର ଲୋକପ୍ରିୟତାକୁ ପ୍ରମାଣିତ କରୁଛି । ଆସନ୍ତୁ, ସମସ୍ତେ ରାଜ୍ୟର ବିକାଶଧାରାରେ ସାମିଲ ହୋଇ ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ଏକ ହୋଇ ଆଗକୁ ବଢ଼ିବା । ’

ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତି । ରାଜ୍ୟବାସୀଙ୍କ ଆଶୀର୍ବାଦ ଓ କର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ସମସ୍ତେ ଏକାଠି ହୋଇ ଓଡ଼ିଶାକୁ ଆଗକୁ ନେବାକୁ ଆହ୍ବାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବାକୁ ବିଜୟୀ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ଭିଡ ନବୀନ ନିବାସରେ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ବାହାରକୁ ଆସି ହାତ ହଲାଇ କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଜୟୀ ପ୍ରାର୍ଥୀଙ୍କୁ ଆଶୀର୍ବାଦ ଦେବା ସହ ଓଡ଼ିଶାର ବିକାଶ ପାଇଁ ଏକାଠି କାମ କରିବାକୁ ଆହ୍ବାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ପୌର ନିର୍ବାଚନରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଉପରେ ଭରସା ଦେଖାଇଛନ୍ତି ରାଜ୍ୟବାସୀ । ବିଜେଡିକୁ ପୌର ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ଭୋଟ ମିଳିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି । ବିଜେପିକୁ ୩.୫ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ୪.୫ ପ୍ରତିଶତ ଭୋଟ ମିଳିଛି ।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟ ଦୁଇ ମହାନଗର ନିଗମ କଟକ ଓ ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଏବଂ ସୁଲୋଚନା ଦାସ ପ୍ରତିପକ୍ଷ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ବହୁ ଆଗରେ ରହିଛନ୍ତି । ଏହି ଦୁଇ ଆସନ ବିଜେଡି ଜିତିବା ନିଶ୍ଚିତ ହୋଇ ସାରିଛି ।

ରାଜ୍ୟର ୩୦ ଜିଲ୍ଲାର ୧୦୫ ଅଧ୍ୟକ୍ଷ ପଦରୁ ବିଜେଡି ୭୩ଟି ଦଖଲ କରିଛି । ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।

ଯେମିତି ଯେମିତି ନିର୍ବାଚନ ଫଳଫଳ ଆସୁଛି, ବିଜେଡି ନେତା ଓ କର୍ମୀ ବିଜୟ ଉତ୍ସବ ଆରମ୍ଭ କରି ଦେଇଛନ୍ତି । କେଉଁଠି ବିଜେଡି କର୍ମୀ ମିଠା ବାଣ୍ଟୁଛନ୍ତି ତ ଆଉ କେଉଁଠି ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ।

ଉତ୍ତର ଆଟଲାଣ୍ଟିକ୍ ସାଗରରେ ଋଷ ବୁଡ଼ାଜାହଜ, ଭୟଙ୍କର ମୋଡ଼ ନେଉଛି ୟୁକ୍ରେନ୍ ଯୁଦ୍ଧ ?

ନୂଆଦିଲ୍ଲୀ: ୟୁକ୍ରେନ୍‌ ଋଷ୍‌ ଯୁଦ୍ଧରେ ଅସ୍ତ୍ରବିରତି ଭଳି କୌଣସି ସ୍ଥିତି ନଜର ଆସୁନାହିଁ । ଏଠାରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ନଜର ଆସୁଛି । ଏହି ମଧ୍ୟରେ ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ଧମକ ଦେବାପରେ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ ଉତ୍ତର ଆଟଲାଣ୍ଟିକ୍‌ ମହାସାଗରରେ ପରମାଣୁଯୁକ୍ତ ବୁଡ଼ାଜାହାଜ ଛାଡ଼ି ସାରିଛନ୍ତି । ତେବେ ଉତ୍ତର ଆଟଲାଣ୍ଟିକ୍‌ ମହାସାଗର ନିକଟରେ ରହିଛି କେତେକ ୟୁରୋପୀୟ ଦେଶ ।

ରିପୋର୍ଟ ଅନୁସାରେ, ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌  ପାଶ୍ଚାତ୍ୟ ଦେଶ ଗୁଡ଼ିକୁ ପରିଣାମ ଭୋଗିବାର ଧମକ ଦେବାର ଗୋଟିଏ ଦିନ ପରେ ପରମାଣୁ ବୁଡ଼ାଜାହାଜକୁ ଉତ୍ତର ଆଟଲାଣ୍ଟିକରେ ଛାଡ଼ିଛନ୍ତି । ସୂଚନାଯୋଗ୍ୟ ପୁତିନ୍‌ ୟୁକ୍ରେନ୍‌ ଉପରେ ଆକ୍ରମଣର କିଛି ସମୟ ପରେ ନ୍ୟୁକ୍ଲିୟର ଡିଟରେଣ୍ଟ ଫୋର୍ସେସକୁ ଆଲର୍ଟ ରହିବା ପାଇଁ ଆଦେଶ ଦେଇଥିଲେ । ଏବେ ଋଷ୍‌ ତା’ର ଶକ୍ତିଶାଳୀ ପରମାଣୁ ବୁଡ଼ାଜାହାଜକୁ ଉତ୍ତର ଆଟଲାଣ୍ଟିକରେ ଛାଡ଼ିଛି । ଯାହା ୧୬ଟି ବାଲାଷ୍ଟିକ୍‌ ମିଶାଇଲକୁ ନେବାରେ ସମର୍ଥ । ତେବେ ପାଶ୍ଚାତ୍ୟ ଦେଶ ଗୁଡ଼ିକର ଗୁପ୍ତଚର ସଂସ୍ଥା ଲଗାତାର  ପୁତିନଙ୍କ ନ୍ୟୁକ୍ଲିୟର ଅସ୍ତ୍ରଶସ୍ତ୍ର ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ।

ସୂଚନା ଅନୁସାରେ ପୁତିନଙ୍କ ନିକଟରେ, ୪ ହଜାର ୪ ଶହ ୪୭ଟି ପରମାଣୁ ଅସ୍ତ୍ର ସହିତ ଦୁନିଆର ସବୁଠାରୁ ବଡ଼ ପରମାଣୁ ଅସ୍ତ୍ର ରହିଛି । ଏଥିରେ ହଜାର ହଜାର ନ୍ୟୁକ୍ଲିୟରକୁ ଏଭଳି ବିକଶିତ କରାଯାଇଛି ଯାହା ଶତ୍ରୁର ସାମ୍ରାଜ୍ୟକୁ କିଛି କ୍ଷଣ ମଧ୍ୟରେ ଧୂଳିସାତ୍‌ କରିପାରେ । ସୈନ୍ୟ ବିଶେଷଜ୍ଞଙ୍କ କହିବା ହେଉଛି, ଏହି ଅସ୍ତ୍ରକୁ ବ୍ୟବହାର କରିବା ଏତେ ସହଜ ନୁହେଁ । କିନ୍ତୁ ଋଷ୍‌ ଏଥିରେ ଖୁବ୍‌ ପାରଙ୍ଗମ ।

ତେବେ ପାଶ୍ଚାତ୍ୟ ଦେଶ ଗୁଡ଼ିକର କିଛି ଅଧିକାରୀଙ୍କ କହିବା ହେଉଛି ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୟୁକ୍ରେନକୁ ଟାର୍ଗେଟ୍‌ କରିବା ଭଳି ମିଶାଇଲରେ ପରମାଣୁ ଅସ୍ତ୍ର ଥିବାର ପ୍ରମାଣ ମିଳିନାହିଁ ।  ଆଟଲାଣ୍ଟିକ୍‌ କାଉଂସିଲରେ ସ୍କୋକ୍ରାଫ୍ଟ ଷ୍ଟ୍ରାଟେଜି ଇନିସିଏଟିଭର ନିର୍ଦ୍ଦେଶକ ଡାକ୍ତର ମାଥ୍ୟୁ କ୍ରୋନିଗ୍‌ କହିଛନ୍ତିଯେ, ପୁତିନ୍‌ ଦୁଇଟି କାରଣରୁ ପରମାଣୁ ଅସ୍ତ୍ରକୁ ହାଇ ଆଲର୍ଟରେ ରଖିଥାନ୍ତି ।

ପୁତିନ୍‌ ସର୍ବଦା ନିଜ ଆଧିପତ୍ୟ ଦେଖାଇବାକୁ ଚାହାଁନ୍ତି । ଖାଲି ସେତିକି ନୁହେଁ ପୁତିନ୍‌ ଚାହାଁନ୍ତି ପାଶ୍ଚାତ୍ୟ ଦେଶ ଗୁଡ଼ିକ ଏହି ଯୁଦ୍ଧରୁ ଦୂରେଇ ରୁହନ୍ତି ।

ତେବେ ଡାକ୍ତର କ୍ରୋନିଗଙ୍କ କହିବା ହେଉଛି, ପୁତିନ୍‌  ୨୦୧୪ରେ କ୍ରିମିଆ ସହିତ ଯୁଦ୍ଧ ସମୟରେ ସମାନ ରଣନୀତି ଆପଣାଇଥିଲା ।

ଋଷ-ୟୁକ୍ରେନ୍ ଯୁଦ୍ଧ: ପ୍ରଶ୍ନବାଣରେ ଘାଇଲା ଭାରତର ବ୍ରିଟେନ ଜ୍ବାଇଁ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଭାରତ ପାଇଁ ସମସ୍ୟାରେ ପଡିଛନ୍ତି ବ୍ରିଟେନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜ୍ବାଇଁ ରିଷି ସୁନକ । ଭାରତ ସହ ସମ୍ପର୍କ ଓ ଋଷ ସହ ତାଙ୍କ ପତ୍ନୀଙ୍କ ବ୍ୟବସାୟକକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନବାଣରେ ଘାଇଲା ହେଉଛନ୍ତି ସୁନକ । ସ୍ଥିତି ଏମିତି ଯେ, ବ୍ରିଟେନ ରାଜନୀତିରେ ଦ୍ବିତୀୟ କ୍ଷମତାଶୀଳ ବ୍ୟକ୍ତି ତଥା ଭବିଷ୍ୟତର ପ୍ରଧାନମନ୍ତ୍ରୀ କୁହାଯାଉଥିବା ସୁନକଙ୍କୁ ଏହାକୁ ନେଇ ଏବେ ସଫେଇ ଦେବାକୁ ପଡିଛି ।

ସୂଚନାଯୋଗ୍ୟ, ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁରୋପୀୟ ଦେଶ, ନାଟୋ ପ୍ରତିବନ୍ଧକ ଲଗାଇବାରେ ଲାଗିଛନ୍ତି । ଆମେରିକା, ବ୍ରିଟେନ ସହ ପ୍ରାୟ ସବୁ ପଶ୍ଚିମ ଦେଶ ଋଷ ଉପରେ ଆର୍ଥିକ ଓ ବ୍ୟବସାୟୀଙ୍କ ପ୍ରତିବନ୍ଧକ ଥୋପିବାରେ ଲାଗିଛନ୍ତି । ଏମିତି ସମୟରେ ଭାରତୀୟ କମ୍ପାନୀ ଇମ୍ଫୋସିସ୍ ଋଷରେ ନିଜର ବ୍ୟବସାୟ ଜାରି ରଖିଛି । ଏହି କମ୍ପାନୀର ମାଲିକ ହେଉଛନ୍ତି ସୁନକଙ୍କ ଶ୍ବଶୁର ତଥା ଇମ୍ଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି । ଏହି କମ୍ପାନୀରେ ନାରାୟଣଙ୍କ ଝିଅ ତଥା ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଭାଗିଦାରୀ ରହିଛି । ଏହାକୁ ନେଇ ସୁନଙ୍କ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି ।

ସୁନକ ଋଷ ଉପରେ ଅଧିକରୁ ଅଧିକ ପ୍ରତିବନ୍ଧକ ଲଗାଇବାକୁ ବିଶ୍ବବାସୀଙ୍କୁ ଆହ୍ବାନ ଦେଉଥିବା ବେଳେ ନିଜ ଘର ଲୋକ ତାଙ୍କ କଥା ମାନୁନାହାନ୍ତି ବୋଲି ଅଭିଯୋଗ ହେଉଛି । ଯାହା ସୁନକଙ୍କ ପତ୍ନୀ ଅକ୍ଷତାଙ୍କ ଆଡକୁ ଇସାରା କରୁଛି ।

ସ୍କାଏ ନ୍ୟୁଜ ସାମ୍ବାଦିକ ଏହାକୁ ନେଇ ସୁନକଙ୍କୁ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ, ଋଷ ସହ ଆପଣଙ୍କ ପରିବାରର ସମ୍ପର୍କ ରହିଛି । ଆପଣଙ୍କ ପତ୍ନୀ ଭାରତୀୟ କମ୍ପାନୀ ଇମ୍ଫୋସିସର ଭାଗିଦାର ଅଛନ୍ତି । ଇମ୍ପୋସିସର ଋଷ ସହ ବ୍ୟବସାୟୀକ ସମ୍ପର୍କ ରହିଛି । ଋଷରେ କମ୍ପାନୀର ଅଫିସ୍ ମଧ୍ୟ ଅଛି । ମସ୍କୋର ଆଲଫା ବ୍ୟାଙ୍କ ସହ କମ୍ପାନୀ ବ୍ୟବସାୟ କରୁଛି । ଆପଣ ଅନ୍ୟମାନଙ୍କୁ ଋଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆହ୍ବାନ ଦେଉଛନ୍ତି । ହେଲେ ଆପଣଙ୍କ ଘର ଲୋକ ଏହାକୁ ପାଳନ କରୁନାହାନ୍ତି ।

ଉତ୍ତରରେ ସୁନକ କହିଥିଲେ, ଜଣେ ରାଜନେତା ଭାବେ ଋଷ ଉପରେ ପ୍ରତିବନ୍ଧ ଲଗାଯିବା ସପକ୍ଷରେ ମୁଁ ରହିଛି । ମୋ ପତ୍ନୀ କୌଣସି ରାଜନେତା ନୁହନ୍ତି । ଇମ୍ଫୋସିସରେ ଅକ୍ଷତାଙ୍କ ସେୟାର ଅଛି । ହେଲେ ସେ ବ୍ରିଟେନର ନିର୍ବାଚିତ ସାଂସଦ ନୁହଁନ୍ତି । ଇମ୍ଫୋସିସର ବ୍ୟବସାୟକୁ ନେଇ ମୁଁ ଉତ୍ତରଦାୟୀ ନୁହେଁ । ମୁଁ ଯେଉଁ କାମ ପାଇଁ ଅଛି, ସେହି କାମ ଉପରେ ଚର୍ଚ୍ଚା କରୁଛି ।

ସାମ୍ବାଦିକ ପୁଣି ପ୍ରଶ୍ନ କରିଥିଲେ, ଆପଣଙ୍କୁ ଲାଗୁନି ଆପଣଙ୍କ ପରିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କ ସରକାରକୁ ଲାଭ ହେବା ପରି କାମ କରୁଛି ?

ଉତ୍ତରରେ ସୁନିକ କହିଥିଲେ, ମୋତେ ଏମିତି ଲାଗୁନାହିଁ । କମ୍ପାନୀ କେମିତି କାମ କରିବ ତାହା ତାଙ୍କ ଉପରେ ନିର୍ଭର କରେ । ଆମେ ଯେଉଁ କମ୍ପାନୀ ପାଇଁ ଉତ୍ତରଦାୟୀ ସେ କମ୍ପାନୀମାନେ ଋଷ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପାଳନ କରୁଛନ୍ତି ।

ବିଜେଡିକୁ ୯୦ ପ୍ରତିଶତ ଭୋଟ୍, ବିରୋଧୀଙ୍କ ଲଜ୍ଜାଜନକ ପ୍ରଦର୍ଶନ

ଭୁବନେଶ୍ବର: ପୌର ନିର୍ବାଚନରେ ଐତିହାସିକ ବିଜୟ ଆଡକୁ ଆଗଉଛି ବିଜେଡି । ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସମର୍ଥନ ଦେଇଛନ୍ତି ରାଜ୍ୟବାସୀ । ପୌର ନିର୍ବାଚନରେ ବିଜେଡିକୁ ମିଳିଛି ୯୦ ପ୍ରତିଶତରୁ ଅଧିକ ଭୋଟ୍ ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବେଚନରେ ମଧ୍ୟ ବିରୋଧୀ ବିଜେପି ଓ କଂଗ୍ରେସ ମାଟି କାମୁଡିଛନ୍ତି । ଗୋଟିଏ ପଟେ ବିଜେଡିକୁ ୯୦ ପ୍ରତିଶତ ଭୋଟ ମିଳିଥିବା ବେଳେ ବିଜେପିକୁ ମିଳିଛି ମାତ୍ର ୩.୫ ପ୍ରତିଶତ ଭୋଟ । ଅନ୍ୟପକ୍ଷରେ ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ମିଳିଛି ମାତ୍ର ୪.୫ ପ୍ରତିଶତ ଭୋଟ ।

ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜେଡି ବିଜୟ ପତାକା ଉଡାଇ ଚାଲିଥିବା ବେଳେ ବିରୋଧୀଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ବିଜେଡି ଉପରେ ଭରସା ଦେଖାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା, ସ୍ବାଚ୍ଛ ଓ ନିର୍ମଳ ଶାସନ ରାଜ୍ୟବାସୀଙ୍କ ହୃଦୟ ଜିଣିଛି । ଯାହାର ପ୍ରତିଫଳନ ପୌର ନିର୍ବାଚନରେ ଦେଖିବାକୁ ମିଳିଛି । ବିଜେଡିର ବିକାଶ ଧାରା ଉପରେ ସହରବାସୀ ପୁଣି ଥରେ ବିଶ୍ବାସ ଦେଖାଇଛନ୍ତି ।

ବର୍ତ୍ତାମନ ସୁଦ୍ଧା ବିଜେଡି ୩ ମହାନଗର ନିଗମ ମେୟର ପଦରୁ ବ୍ରହ୍ମପୁରରେ ବିଜୟ ହାସଲ କରିସାରିଛି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦେଳେଇ ୨୦ ହଜାର ୨୮୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟ ଦୁଇ ମହାନଗର ନିଗମ କଟକ ଓ ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଏବଂ ସୁଲୋଚନା ଦାସ ବହୁ ଭୋଟ ଆଗରେ ଚାଲିଛନ୍ତି । ଏଠାରେ ମଧ୍ୟ ବିଜେଡିର ବିଜୟ ଏକପ୍ରକାର ସ୍ପଷ୍ଟ ହୋଇ ସାରିଛି ।

ସେହିପରି ୩୦ ଜିଲ୍ଲାର ୧୦୫ ଅଧ୍ୟକ୍ଷ ପଦରୁ ୭୩ଟିରେ ବିଜେଡି ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।

ଯେମିତି ଯେମିତି ନିର୍ବାଚନ ଫଳଫଳ ଆସୁଛି, ବିଜେଡି ନେତା ଓ କର୍ମୀ ବିଜୟ ଉତ୍ସବ ଆରମ୍ଭ କରି ଦେଇଛନ୍ତି । କେଉଁଠି ବିଜେଡି କର୍ମୀ ମିଠା ବାଣ୍ଟୁଛନ୍ତି ତ ଆଉ କେଉଁଠି ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରୁଛନ୍ତି ।

ପୌର ନିର୍ବାଚନରେ ବିଜେଡିକୁ ଐତିହାସିକ ବିଜୟ

ଭୁବନେଶ୍ବର: ଚାଲିଛି ପୌର ନିର୍ବାଚନ ଭୋଟ ଗଣତି । ସମୟ ବଢିବା ସହ ଐତିହାସିକ ବିଜୟ ଆଡକୁ ଆଗ୍ରସର ହେଉଛି ବିଜେଡି । ୩ ମହାନଗର ନିଗମ ମଧ୍ୟରୁ ବ୍ରହ୍ମପୁରରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟ ହାସଲ କରିଛନ୍ତି । କଟକ ଓ ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ବହୁ ଭୋଟରେ ଆଗୁଆ ଥିବାରୁ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଛି । ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦ ଗଣତି ଶେଷ ହୋଇଛି । ବିଜେଡି ୭୩ଟି ଅଧ୍ୟକ୍ଷ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ଟି ଆସନରେ ବିଜୟୀ ହୋଇଛନ୍ତି । ସ୍ବାଧୀନଙ୍କ ଖାତାକୁ ୯ଟି ଅଧ୍ୟକ୍ଷ ଆସନ ଯାଇଛି ।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର ୪୫ ହଜାର ୭୮୨ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆପ୍ ପ୍ରାର୍ଥୀ ସି. ସ୍ରିୟଙ୍କା । ତାଙ୍କୁ ୭ ହଜାର ୪୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ ୬ ହଜାର ୭୬୮ ଭୋଟ ମିଳିଛି ।

କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ଏବଂ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁଲୋଚନା ଦାସ ଆଗୁଆ ଅଛନ୍ତି । ଏଠାରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ।

ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ବିଜେଡିକୁ ବିପୁଳ ସଫଳତା ମିଳିଛି । ଗାଁ ଭୋଟରଙ୍କ ପରି ସହରୀ ଭୋଟର ମଧ୍ୟ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ଶାସନ ଉପରେ ଭରସା ଦେଖାଇଛନ୍ତି ।

ବାପା କାନ୍ଧରେ ଝିଅ ଶବ, ଆମ୍ବୁଲାନ୍ସ ନ ମିଳିବାରୁ ୧୦ କିଲୋମିଟର ବୋହିଲେ ମୃତଦେହ

ରାୟପୁର: ପୁଣି ମାନବିକତାର ମୃତ୍ୟୁ । ଶବକୁ ମିଳିଲାନି ସମ୍ମାନ । କାନ୍ଧରେ ବୋହିଲେ ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଝିଅକୁ । ହୃଦୟର କୋହକୁ ଚାପି ଧରି ବାପାର ପାଦ ଆଗକୁ ବଢ଼ୁଛି, କାନ୍ଧରେ ଅଛି ୭ ବର୍ଷର ଝିଅର ଶବ । ମନକୁ ଦୋହଲାଇ ଦେଉଥିବା, ଛାତିକୁ ଥରେଇ ଦେଉଥିବା ଏ ଦୃଶ୍ୟ ଛତିଶଗଡ଼ର । ଲଖନପୁର ଅଞ୍ଚଳରେ ଏଭଳି ଅମାନବୀୟ ଘଟଣା ଘଟିଛି ।

ଶନିବାର ସକାଳେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିଲା । ନାବାଳିକାକୁ ଜର ସହ ପେଟ ଯନ୍ତ୍ରଣା ହେବାରୁ ମେଡିକାଲ ଆଣିଥିଲେ ପରିବାର ଲୋକ । ଜର କାରଣରୁ ଝିଅ କିଛି ଖାଇନଥିବା ନାବାଳିକାର ପିତା ଡାକ୍ତର ଓ ନର୍ସଙ୍କୁ କହିଥିଲେ । ଯାହାପରେ ନର୍ସ ଏକ ଇଞ୍ଜେକ୍ସନ୍ ଦେବାର କିଛି କ୍ଷଣ ପରେ ଝିଅଟିର ମୃତ୍ୟୁ ହୋଇଥିଲା ।

ଝିଅର ମୃତଦେହକୁ ନେବାକୁ ବାପା ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆମ୍ବୁଲାନ୍ସ ମାଗିଥିଲେ । ହେଲେ କର୍ତ୍ତୃପକ୍ଷ ଶବବାହକ ଗାଡ଼ି ବ୍ୟବସ୍ଥା ନଥିବା କହିଥିଲେ । ବରଂ ନିଜେ ଗାଡ଼ି ବ୍ୟବସ୍ଥା କରି ମୃତଦେହ ନେବାକୁ କହିଥିଲେ । ଯାହା ପରେ ଝିଅର ବାପାମାଆ କାନ୍ଦି କାନ୍ଦି ମୃତଦେହକୁ କାନ୍ଧରେ ପକାଇ ୧୦ କିଲୋମିଟର ଚାଲି ଚାଲି ଯାଇଥିଲେ ।

୨ ଦିନ ଧରି ଅମଦଲାର ଈଶ୍ୱର ଦାସଙ୍କ ଝିଅ ସୁରେଖାକୁ ଜର ହୋଇଥିଲା । ରାତିରେ ପେଟରେ ଯନ୍ତ୍ରଣା ହେବାରୁ ସକାଳେ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ଇଞ୍ଜେକ୍ସନ ଦେବା ପରେ ଝିଅଟିର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଅନୁସାରେ, ନାବାଳିକାର ଅମ୍ଲଜାନ ସ୍ତର କମ୍ ରହିଥିଲା । ୧୫ ଦିନ ହେଲା ଜର ଲାଗି ରହିଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲ ଆଣିଥିଲେ । ଚିକିତ୍ସା ପରେ ସ୍ଥିତି ସୁଧୁରିବା ପରିବର୍ତ୍ତେ ମୃତ୍ୟୁ ହୋଇଥିଲା । ଏନେଇ ଛତିଶଗଡ଼ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍. ସିଂହ ଦେବ ଜାଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।