ନିଠାରୀ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍‌ଲୀ: ନିଠାରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରିନ୍ଦର କୋଲିକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଅନ୍ୟତମ ଦୋଷୀ ମନିନ୍ଦର ସିଂହ ପାନ୍ଧେରକୁ ୭ ବର୍ଷ ଜେଲଦଣ୍ଡାଦେଶ ଦିଆଯାଇଛି । ସିବିଆଇ କୋର୍ଟ କୋଲି ଉପରେ ୪୦ ହଜାର ଓ ପାନ୍ଧେରକୁ ୪ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ପୂର୍ବରୁ କୋର୍ଟ ପାନ୍ଧେରକୁ ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରୁ ମୁକ୍ତ କରିଥିଲେ ।

ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ କୋଲିକୁ ୧୩ଟି ମାମଲାରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ଏଥିରେ ୩ଟି ମାମଲାରେ ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ କୋର୍ଟ ତାକୁ ନିର୍ଦ୍ଦୋଷରେ ମୁକ୍ତ କରିଛନ୍ତି । କେବଳ ଗୋଟିଏ ମାମଲାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଦୟା ନିବେଦନ ଅଗ୍ରାହ୍ୟ ହେବା ପରେ ମିରଟରେ ଫାଶୀ ଦିଆଯିବାର ଥିଲା। ହେଲେ ଏଥିରେ ବିଳମ୍ବ ହେବା ଯୋଗୁ ସୁପ୍ରିମକୋର୍ଟ ମୃତ୍ୟୁଦଣ୍ଡକୁ ଖାରଜ କରି ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ । ହାଇକୋର୍ଟ ମଧ୍ୟ ଗୋଟିଏ ମାମଲାରେ ତାର ଫାଶୀଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ରୂପାନ୍ତରିତ କରିଛନ୍ତି ।

ଅପରପକ୍ଷେ ସିବିଆଇ କୋର୍ଟ ପୁଣି ମୃତ୍ୟୁ ଦଣ୍ଡାଦେଶ କରିଥିବା ବେଳେ କୋଲି ଓ ପାନ୍ଧେରଙ୍କ ଅଧିକାଂଶ ମାମଲା ଏବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ୨୦୦୬ରେ ନୋଏଡାର ନିଠାରୀ କେସ୍ ଉପରୁ ପର୍ଦ୍ଦା ହଟିଥିଲା । ନିଠାରୀରେ ୧୯ ଶିଶୁ ଓ ମହିଳାଙ୍କ କଙ୍କାଳ ମିଳିଥିଲା । ଏହି ସବୁ ଶରୀର ଅବଶେଷକୁ ୪୦ଟି ପ୍ୟାକେଟରେ ଭର୍ତ୍ତି କରି ନାଳରେ ଭସାଇ ଦିଆଯାଇଥିଲା । ପରେ ପୋଲିସ ମାମଲାରେ ବ୍ୟବସାୟୀ ମନିନ୍ଦର ସିଂହ ପାନ୍ଧେର ଓ ତାର ଚାକର ସୁରିନ୍ଦର କୋଲିକୁ ଗିରଫ କରିଥିଲା ।