ଋଷ ଆଣୁଛି ଲେଜର୍ ହତିଆର, ଚିନ୍ତାରେ ମହାଶକ୍ତି

1 min read

ମସ୍କୋ: ଦିନ ଗଡୁଛି, ସରୁନି ଯୁଦ୍ଧ । ସାରା ବିଶ୍ୱର ନଜର ହଟୁନି । ଦୀର୍ଘ ୩ ମାସ ଧରି ଚାଲିଛି ଋଷ-ୟୁକ୍ରେନ୍ ଯୁଦ୍ଧ । କଳବଳ କୌଶଳ ସବୁ ଲଗାଇଛି ମାତ୍ର ୟୁକ୍ରେନକୁ ସମ୍ପୂର୍ଣ୍ଣ କବଜା କରିପାରୁନି  ଋଷ । ୟୁକ୍ରେନକୁ ଡ୍ରୋନ୍ ସହ ଆଡଭାନ୍ସଡ ହତିଆର ଯୋଗାଉଛନ୍ତି କିଛି ପଶ୍ଚିମ ଦେଶ। ଯାହା ବଳରେ ଋଷକୁ ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍ । ୟୁକ୍ରେନକୁ କିଛି ରାଷ୍ଟ୍ରଙ୍କ ଏଭଳି ଅହେତୁକ ଅନୁକମ୍ପା ଋଷର ମୁଣ୍ଡ ବିନ୍ଧା ବଢାଇଛି । ଲାଗୁଛି ଋଷ ଏବେ ପ୍ରୟୋଗ କରିବ ବ୍ରହ୍ମାସ୍ତ୍ର ଲେଜର ହତିଆର।

ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଋଷ ଆଣିଛି ସବୁଠୁ ଖତରନାକ ଲେଜର ହତିଆର। ଏହା ଏଭଳି ହତିଆର, ଯାହା ୫ କିଲୋମିଟର ଦୂରରୁ  ଶତ୍ରୁର ଡ୍ରୋନକୁ ୫ ସେକେଣ୍ଡ ଭିତରେ ଧ୍ୱଂସ କରିଦେବ ।

ଏହି ନେକ୍ସଟ ଜେନେରେସନର ଲେଜର ହତିଆର  ସ୍ଥଳ ଭାଗରୁ ୧୫୦୦ କିମି. ଦୂର ସାଟେଲାଇଟକୁ ଟାର୍ଗେଟ୍ ସହ ଧ୍ୱଂସ କରିଦେବ। ଏଭଳି ସ୍ଥଳେ ଋଷ ଯଦି ଲେଜର ହତିଆରକୁ ୟୁକ୍ରେନ୍ ଉପରେ  ପକାଏ । ତେବେ ଯୁଦ୍ଧର କାୟା ବଦଳିଯିବ । ଏହି ଲେଜର ହତିଆର ନେଇ ୨୦୧୮ରେ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ ଘୋଷଣା କରିଥିଲେ । ଆଉ କହିଥିଲେ ଏହି ଅସ୍ତ୍ର ନିମିଷେକ ମଧ୍ୟରେ ସାଟେଲାଇଟ୍ ଓ ଡ୍ରୋନକୁ ନଷ୍ଟ କରିବାକୁ ସକ୍ଷମ ।

୨୦୧୮ରେ  ଏଭଳି ଅନେକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ କହିଥିଲେ ପୁଟିନ୍ । ଯେଉଁଥିରେ ରହିଥିଲା ଇଣ୍ଟରକଣ୍ଟିନେଣ୍ଟଲ ବାଲାଷ୍ଟିକ୍ ମିସାଇଲ୍, କ୍ରୁଜ୍  ମିସାଇଲ୍ ସହ ସେଟ୍ ହେଉଥିବା ନ୍ୟୁକ୍ଲିୟର୍ ୱାରହେଡ୍, ଅଣ୍ଟର ୱାଟର୍ ନ୍ୟୁକ୍ଲିୟର ଡ୍ରୋନ୍, ସୁପରସୋନିକ ହତିଆର ଓ ଲେଜର ହତିଆର ।

Alexander Peresvet (ଆଲେକଜାଣ୍ଡର ପେରେସଭେଟ୍)ଙ୍କ ନାମ ଅନୁସାରେ ଲେଜର ହତିଆରର ନାମ ରହିଛି Peresvet । Alexander ହେଉଛନ୍ତି ଋଷର ରୁଢିବାଦୀ ଭିକ୍ଷୁ ।  ଋଷର ଉପ-ପ୍ରଧାନମନ୍ତ୍ରୀ ୟୁରି ବୋରିସୋବ ଗଣମାଧ୍ୟମରେ କହିଛନ୍ତି ଏହି ମିସାଇଲକୁ ସେନାରେ ସାମିଲ କରାଯାଇଛି । ମିସାଇଲର ରେଡିଏସନ୍ ସାଟେଲାଇଟକୁ ବି ଅନ୍ଧ କରିପାରେ । ଏଥିରୁ ଜଣାପଡୁଛି ଲେଜର ହତିଆର ବିକାଶରେ ମହାରଥ୍ ହାସଲ କରିଛି ଋଷ ।

ଆମେରିକା ଓ ଚୀନ୍ ଭଳି ମହାଶକ୍ତି ଲେଜର ହତିଆର ବନାଇବାରେ ଲାଗିପଡିଛନ୍ତି ।ସେ ଯାହା ହେଉନା କାହିଁକି, ଋଷର ଏଭଳି ବୟାନ ପରେ ଚିନ୍ତାରେ ପଡିଛନ୍ତି ଆମେରିକା ଓ ଚୀନ୍ । କାରଣ ଆମେରିକା ପାଖରେ ଅନ୍ତରୀକ୍ଷରେ ଏଭଳି ମିସାଇଲ୍ ଅଛି ଯାହା ମାଟି ଉପରେ ହେଉଥିବା ଗତିବିଧି ଉପରେ ନଜର ରଖିଥାଏ ।