spot_img
Home Blog Page 4451

ବିଜେଡି ମୁଖ୍ୟାଳୟରେ ବିଜୟ ଉତ୍ସବ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ନବନିର୍ବାଚିତ ମେୟର ସୁଲୋଚନା ଦାସ ଓ କର୍ପୋରେଟରଙ୍କୁ ନେଇ ବିଜେଡି ମୁଖ୍ୟାଳୟରେ ବିଜୟ ଉତ୍ସବ ପାଳନ କରାଯାଇଛି । ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟରୁ ନବୀନ ନିବାସ ଯାଇଥିଲେ ମେୟର, କର୍ପୋରେଟର ଓ ସମର୍ଥକ । ସେଠାରେ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ଏକ ନମ୍ବର ସ୍ମାର୍ଟସିଟି ଭୁବନେଶ୍ବରକୁ ଆହୁରି ସବୁଜ, ସୁନ୍ଦର ଓ ବିକଶିତ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ପୌର ନିର୍ବାଚନରେ ବିପୁଳ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଦଳର ଅଗଣିତ କର୍ମୀଙ୍କ ସମର୍ପିତ ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ସମ୍ଭବ ହୋଇଥିବା ଟ୍ବିଟ କରିଛନ୍ତି । ଏହି ବିଜୟ ତୃଣମୂଳ ସ୍ତରରେ ଦଳ ପ୍ରତି ଓଡ଼ିଶାବାସୀଙ୍କ ଭଲ ପାଇବାକୁ ପ୍ରମାଣିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । ଏଥିସହ ରାଜ୍ୟର ବିକାଶ ଧାରାରେ ସାମିଲ ହେବାକୁ ସଭିଙ୍କୁ ସେ ଆହ୍ବାନ ଦେଇଛନ୍ତି ।

୩ ମେୟର ପଦ ବିଜେଡି କବଜାରେ: କେଉଁଠି କିଏ ଜିତିଲେ ଅଧ୍ୟକ୍ଷ ପଦ ?

ଭୁବନେଶ୍ବର: ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେଡି । ୩ଟି ଯାକ ମହାନଗର ନିଗମ ଦଖଲ କରିଛି ବିଜେଡି । ଭୁବନେଶ୍ବରରେ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟ ହୋଇ ପ୍ରଥମ ମହିଳା ମେୟର ହୋଇଛନ୍ତି । କଟକରେ ସୁବାସ ସିଂ ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜେଡି ମେୟର ଭାବେ ବିଜୟୀ ହୋଇଛନ୍ତି ।

ସେହିପରି ୩୦ ଜିଲ୍ଲାର ୧୦୫ ପୌର ପରିଷଦରେ ବିଜେଡିକୁ ମିଳିଛି ବଡ ସଫଳତା । ୭୩ ଅଧ୍ୟକ୍ଷ ପଦରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେପି ୧୬, କଂଗ୍ରେସ ୭ ଓ ସ୍ବାଧୀନ ୯ଟି ପଦରେ ବାଜିମାତ କରିଛନ୍ତି ।

ଅନୁଗୁଳରେ ସମସ୍ତ ୩ ପୌର ପରିଷଦରେ ଅଧ୍ୟକ୍ଷ ପଦ ହାସଲ କରିଛି ବିଜେଡି । ବାଲେଶ୍ବରର ୫ ପରିଷଦରୁ ବିଜେଡି ୪ ଓ ବିଜେପି ଗୋଟିଏ ଅଧ୍ୟକ୍ଷ ପଦ ହାତେଇଛି । ବରଗଡ଼ର ୪ଟି ପରିଷଦରୁ ବିଜେଡି ୩ ଓ ସ୍ବାଧୀନ ଗୋଟିଏ ପଦ ହାସଲ କରିଛନ୍ତି । ଭଦ୍ରକର ୩ ଆସନରୁ ବିଜେଡି ୨ ଓ ସ୍ବାଧୀନ ଗୋଟିଏ ପଦବୀ ପାଇଛନ୍ତି । ବଲାଙ୍ଗୀରର ୫ ଆସନରୁ ବିଜେଡି ୩, ବିଜେପି ଗୋଟିଏ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି ।

ବୌଦ୍ଧର ଏକମାତ୍ର ଆସନ ଯାଇଛି ବିଜେଡି ହାତକୁ । କଟକର ୩ଟି ଆସନରୁ ୩ଟି ଯାକ ଆସନରେ ବିଜେଡିର ବିଜୟ ହୋଇଛି । ଦେବଗଡ଼ର ଏକମାତ୍ର ଆସନରେ ବିଜେଡି ବିଜୟୀ ହୋଇଛି । ଢେଙ୍କାନାଳର ୩ ଆସନରୁ ବିଜେଡି ୨ ଓ ବିଜେପି ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ଗଜପତିର ୨ଟି ଯାକ ଆସନ ବିଜେଡି ଲାଭ କରିଛି । ଗଞ୍ଜାମର ୧୭ଆସନରୁ ବିଜେଡି ୧୨ଟି, ବିଜେପି ୨, କଂଗ୍ରେସ ୧ ଓ ସ୍ବାଧୀନ ୨ଟି ଆସନରେ ବିଜୟୀ ହୋଇଛନ୍ତି ।

ଜଗତସିଂହପୁରର ୨ଟି ଆସନରୁ ବିଜେଡି ଓ କଂଗ୍ରେସକୁ ଗୋଟିଏ ଲେଖାଁଏ ଆସନ ମିଳିଛି । ଯାଜପୁରର ୨ଟି ଆସନରୁ ୨ଟି ଯାକ ବିଜେଡି ହାତକୁ ଯାଇଛି । ଝାରସୁଗୁଡାର ୩ ଆସନରୁ ବିଜେଡି ୨ ଓ କଂଗ୍ରେସ ଗୋଟିଏ ଆସନ ପାଇଛନ୍ତି । କଳାହାଣ୍ଡିର ୪ଟି ଆସନରୁ ବିଜେଡି ୨ ଓ ବିଜେପି ୨ ଆସନ ପାଇଛନ୍ତି । କନ୍ଧମାଳର ୩ ଆସନରୁ ବିଜେଡିକୁ ୨ ଓ ବିଜେପିକୁ ଗୋଟିଏ ଆସନ ମିଳିଛି । କେନ୍ଦ୍ରାପଡ଼ାର ସମସ୍ତ ୨ଟି ଆସନ ବିଜେଡି ହାତକୁ ଯାଇଛି । କେନ୍ଦୁଝରର ୫ ଆସନରୁ ବିଜେଡି ୪ ଓ ବିଜେପି ଗୋଟିଏ ଆସନ ପାଇଛନ୍ତି । ଖୋର୍ଦ୍ଧାର ୪ଟି ଯାକ ଆସନରେ ବିଜେଡି ବିଜୟୀ ହୋଇଛି ।

କୋରାପୁଟର ୪ ଆସନରୁ ବିଜେଡିକୁ ୧, କଂଗ୍ରେସକୁ ୨ ଓ ସ୍ବାଧୀନଙ୍କୁ ଗୋଟିଏ ଆସନ ମିଳିଛି । ମାଲକାନଗିରିର ୨ ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ମୟୂରଭଞ୍ଜର ୪ ଆସନରୁ ବିଜେଡି ୩ ଓ ବିଜେପି ଗୋଟିଏ ପାଇଛନ୍ତି । ନବରଙ୍ଗପୁରର ୨ ଆସନରୁ ବିଜେଡିକୁ ଗୋଟିଏ ଓ ବିଜେପିକୁ ଗୋଟିଏ ଆସନ ମିଳିଛି । ନୟାଗଡ଼ର ୪ ଆସନରୁ ବିଜେଡି ୨ ଓ ସ୍ବାଧୀନ ୨ଟିରେ ବିଜୟୀ ହୋଇଛନ୍ତି । ନୂଆପଡାର ୩ ଆସନରୁ ବିଜେପି ୧, କଂଗ୍ରେସ ୧ ଓ ସ୍ବାଧୀନ ୧ ଆସନ ପାଇଛନ୍ତି । ପୁରୀର ୩ ଆସନରୁ ବିଜେଡି ୩ଟିରେ ବିଜୟୀ ହୋଇଛି । ରାୟଗଡ଼ାର ୩ ଆସନରୁ ବିଜେଡି ୨ ଓ ସ୍ବାଧୀନ ଗୋଟିଏ ପାଇଛନ୍ତି । ସମ୍ବଲପୁରର ୨ ଆସନରୁ ବିଜେଡି ଓ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁରର ସମସ୍ତ ୩ ଆସନରେ ବିଜେଡି ବିଜୟୀ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ୩ ଆସନରୁ ବିଜେଡି ୨ ଓ ବିଜେପି ୧ ଆସନରେ ବିଜୟୀ ହୋଇଛି ।

ଶ୍ରୀଜିଉଙ୍କ ଦର୍ଶନ କଲେ ପାଣ୍ଡିଆନ ଏବଂ ପ୍ରଣବ

ପୁରୀ: ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ଉଭୟେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ଶ୍ରୀମନ୍ଦିରରେ କିଛି ସମୟ ଅତିବାହିତ କରିଥିଲେ ।

ଫେରିବା ସମୟରେ 5T ସଚିବଙ୍କୁ ପୁରୀର କଳାକାର ଶାଶ୍ବତ ରଞ୍ଜନ ସାହୁ ଦିଆସିଲ କାଠିରେ ନିର୍ମିତ ଏକ ଓ୍ବାର୍ଲଡକପ୍ ପ୍ରଦାନ କରିଥିଲେ । 5T ସଚିବ ଏହି ଉପହାର ପାଇ ବେଶ ଖୁସିବ୍ୟକ୍ତ କରି ଶାଶ୍ବତଙ୍କୁ ପ୍ରଶଂସା କରିଥିଲେ ।

IPL 2022: ଆରମ୍ଭ ମ୍ୟାଚରେ ଚେନ୍ନାଇକୁ ଝଟକା, କୋଲକାତା ଆଗରେ ୧୩୨ ରନ୍ ବିଜୟ ଲକ୍ଷ୍ୟ

ମୁମ୍ବାଇ: ଆଇପିଏଲର ୧୫ତମ ସଂସ୍କରଣ ଆଜିଠୁ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରଏ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ୱାଙ୍ଖେଡ ଷ୍ଟାଡିୟମରେ ମୁକାବିଲା ଚାଲିଛି । ଟସ୍ ଜିତି କେକେଆର୍ ଫିଲ୍ଡିଂ କରୁଛି । ପ୍ରଥମଥର ପାଇଁ ରବୀନ୍ଦ୍ର ଜାଡ଼େଜାଙ୍କ ନେତୃତ୍ୱରେ କ୍ରିଜକୁ ଓହ୍ଲାଇଥିବା ସିଏସକେକୁ ପ୍ରଥମ ଓଭରରୁ ଝଟକା ଲାଗିଛି । ପ୍ରଥମ ମ୍ୟାଚର ପ୍ରଥମ ବଲ୍ ନୋ ବଲ୍ ପଡ଼ିଛି । ଆଉ ପ୍ରଥମ ଓଭରରେ ୱିକେଟ୍ ବି ଖସିଛି ।

IPL 2022 CSK Give 132 Runs To KKR

କେକେଆର୍ ପକ୍ଷରୁ ପ୍ରଥମ ଓଭରରେ ଉମେଶ ଯାଦବ ବୋଲିଂ କରିଥିଲେ । ତାଙ୍କର ପ୍ରଥମ ବଲ୍ ନୋ ବଲ୍ ଥିଲା । କିନ୍ତୁ ଉମେଶ ପ୍ରଥମ ଓଭରରେ ହିଁ ଋତୁରାଜ ଗାଏକୱାଡ଼ଙ୍କୁ ଆଉଟ୍ କରି ପ୍ୟାଭିଲୟନ୍ ପଠାଇ ଦେଇଥିଲେ । ପ୍ରଥମ ଓଭରରେ ସିଏସକେ ଗୋଟିଏ ୱିକେଟ୍ ହରାଇ ମାତ୍ର ୩ ରନ୍ କରିଥିଲା । ଗୋଟିଏ ନୋ ବଲ୍, ୨ଟି ୱାଇଡ୍ ବଲରୁ ଦଳ ପ୍ରଥମ ଓଭରରେ ତିନି ରନ୍ ପାଇଥିଲା ।

IPL 2022 CSK Give 132 Runs To KKR

ଆଇପିଏଲ୍ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ସିଏସକେ ଅଧିନାୟକ ପଦ ଧୋନି ଛାଡ଼ିଥିଲେ । ଏଥିସହ ଦଳର ଅଧିନାୟକ ଦାୟିତ୍ୱ ଦେଇଥିଲେ ରବୀନ୍ଦ୍ର ଜାଡ଼େଜାଙ୍କୁ । ତେବେ ଆଇପିଏଲ୍ ଆରମ୍ଭ ମ୍ୟାଚରେ ଚେନ୍ନାଇର ଆରମ୍ଭ ସେତେଟା ଭଲ ନାହିଁ । ପ୍ରଥମ ଓଭରରେ ୱିକେଟ୍ ଯାଇଥିବା ବେଳେ ନିୟମିତ ବ୍ୟବଧ୍ୟାନରେ ୱିକେଟ୍ ଖସି ଚାଲିଥିଲା ।

IPL 2022 CSK Give 132 Runs To KKR

ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୧ ରନ୍ କରିବାରେ ସମର୍ଥନ ହୋଇଛି । କୋଲକାତା ଆଗରେ ୧୩୨ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇ ପକ୍ଷରୁ ଧୋନି ସର୍ବାଧିକ ଅପରାଜିତ ୫୦ ରନ୍ କରିଥିବା ବେଳେ ରବିନ୍ ଉତ୍ଥାପ୍ପା ୨୮ ରନ୍, ରବୀନ୍ଦ୍ର ଜାଡ଼େଜା ଅପରାଜିତ ୨୬ ରନ୍, ଅମ୍ବାତି ରାୟୁଡୁ ୧୫ ରନ୍ କରିଥିଲେ । ସେହିଭଳି କେକେଆର୍ ପକ୍ଷରୁ ଉମେଶ ଯାଦବ ୨ଟି ୱିକେଟ୍ ନେଇଥିବା ବେଳେ ବରୁଣ ଓ ଆନ୍ଦ୍ରେ ରୁସଲେ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି ।

ବଢିବ ଚିନି ଦର !

ଭୁବନେଶ୍ବର: ବେଲଗାମ ପେଟ୍ରୋଲ ଓ ଡିଜେଲ ଦର । ଯୁକ୍ରେନ ଯୁଦ୍ଧ ପାଇଁ ସୂର୍ଯ୍ୟମୁଖୀ ତେଲ, ଅଟା ଓ ଗହମ ଜାତୀୟ ଉତ୍ପାଦର ଦର ବି ଆକାଶଛୁଆଁ  । ମହଙ୍ଗା ମାଡରେ ସଢୁଥିବା ଖାଉଟି ପାଇଁ ଏବେ ବେଡି ଉପରେ ଆହୁରି କୋରଡା ମାଡ ଦେବାକୁ ଯାଉଛି ଚିନି । ଦେଶରେ ଚିନିର କୃତ୍ରିମ ଅଭାବ ସୃଷ୍ଟି ହେବା ଆଶଙ୍କା ଉପୁଜିଛି । ବିଶ୍ବରେ ଏକ ନମ୍ବର ଚିନି ଉତ୍ପାଦନକାରୀ ରାଷ୍ଟ୍ର ବ୍ରାଜିଲରେ ମରୁଡି ପାଇଁ ଉତ୍ପାଦନ ବାଧାପ୍ରାପ୍ତ । ଭାରତ ଦ୍ବିତୀୟ ବୃହତ ଉତ୍ପାଦନକାରୀ ରାଷ୍ଟ୍ର । ଏହାର ଫାଇଦା ନେବା ପାଇଁ ବଡ଼ ବଡ଼ ରପ୍ତାନୀକାରୀ କମ୍ପାନୀମାନେ ଚିନି ହୋର୍ଡିଂ କରିବା ଆରମ୍ଭ କରିଦେଇଛନ୍ତି ।

ଚିନି ଅଭାବରୁ ଋଷ ଓ ଇଉରୋପରେ ଦର ହୁ ହୁ ହୋଇ ବଢ଼ି ଚାଲିଛି । ଚଳିତବର୍ଷ ଭାରତରେ ୩ କୋଟି ୧୦ ଲକ୍ଷ ଟନ୍‌ ଚିନି ଉତ୍ପାଦନ ହୋଇଛି । ମାସିକ ୨୩ ଲକ୍ଷ ଟନ୍‌ ହିସାବରେ ଦେଶରେ ବାର୍ଷିକ ଘରୋଇ ଚାହିଦା ପାଇଁ ୨ କୋଟି ୭୬ ଲକ୍ଷ ଟନ୍‌ ଆବଶ୍ୟକ । ଏବେ ଚିନି ଖୁଚୁରା ବଜାରରେ ୪୦ ଟଙ୍କାରେ ବିକ୍ରି ହେଉଛି । ଯୋଗାଣ ବି ସ୍ବାଭାବିକ ରହିଛି । କିନ୍ତୁ ଆଗକୁ ଭାରତ ସରକାର ରପ୍ତାନୀ ଉପରେ କଟକଣା ନ ଲଗାଇଲେ ଚିନିରେ ବଳକା ରାଷ୍ଟ୍ର ହୋଇ ବି ଭାରତରେ ଚିନିରେ ଘୋର ସଂକଟର ସାମନା କରିବାକୁ ପଡିପାରେ ।

ଓଡ଼ିଶାରେ ମାସିକ ୬୦ରୁ ୭୦ ହଜାର ଟନ୍‌ ଚିନି ଆବଶ୍ୟକ । ହିସାବ ଲଗାଇଲେ ବାର୍ଷିକ ରାଜ୍ୟର ଚିନି ଆବଶ୍ୟକତା ୫ ଲକ୍ଷ ଟନ୍‌ରୁ ସାଢ଼େ ୫ ଲକ୍ଷ ଟନ୍‌ । ରାଜ୍ୟର ଆସିକା ଓ ଢେଙ୍କାନାଳରେ ଥିବା ଦୁଇଟି ଚିନିକଳରୁ ବାର୍ଷିକ ମାତ୍ର ୩୦ ହଜାର ଟନ୍‌ ଚିନି ଉତ୍ପାଦନ ହେଉଛି । ଯାହାକି ଆବଶ୍ୟକତାର ମାତ୍ର ୬ ପ୍ରତିଶତ । ବାକି ୯୪ ପ୍ରତିଶତ ଚିନି ମହାରାଷ୍ଟ୍ର, ଉତ୍ତରପୂର୍ବ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରୁ ଆମଦାନୀ କରି କେନ୍ଦ୍ର ସରକାର ଯୋଗାଇଥାନ୍ତି । ରାଜ୍ୟ କୃଷି ବିଭାଗର ତଥ୍ୟ ଅନୁଯାୟୀ ଆଖୁ ଚାଷୀଙ୍କୁ କ୍ବିଣ୍ଟାଲ ଆଖୁ ପିଛା ଏଫ୍‌ଆର୍‌ପି ଦର ହିସାବରେ ୨୭ ଟଙ୍କା ୫୦ ପଇସାରୁ ୨୮ ଟଙ୍କା ମିଳୁଛି । ଚିନି ରପ୍ତାନୀ ବୃଦ୍ଧି ପାଇଲେ ଆଖୁ ଚାଷୀମାନେ ଭଲ ଅର୍ଥ ପାଇବେ । କିନ୍ତୁ ଘରୋଇ ଚାହିଦା ପୂରଣ ନ କରି ରପ୍ତାନୀକୁ ଗୁରୁତ୍ବ ଦେଲେ ଦେଶରେ ଚିନି ଦର ହୁ ହୁ ହୋଇ ବଢ଼ିଯିବ ।

ବର୍ତ୍ତମାନର ସ୍ଥିତିକୁ ଦେଖି କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏବର୍ଷ ଚିନି ରପ୍ତାନୀ ୮୦ ଲକ୍ଷ ଟନ୍‌ ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛି । କିନ୍ତୁ ଏବେ ସୁଦ୍ଧା ଭାରତରୁ ୭୫ ଲକ୍ଷ ଟନ୍‌ ଚିନି ରପ୍ତାନୀ ହୋଇ ସାରିଲାଣି । ରପ୍ତାନୀକାରୀମାନେ କେନ୍ଦ୍ର ସରକାରଙ୍କ ଏହି ନିୟମକୁ କେତେଦୂର ପାଳନ କରିବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।

‘ସିଷ୍ଟମ ସହିତ ରୁହନ୍ତୁ, ଚୋରଙ୍କ ସହିତ ଭୁଆଁ ବିରାଡ଼ି ହୁଅନ୍ତୁ ନାହିଁ’

ଭୁବନେଶ୍ବର: ଧାନ କିଣାକୁ ନେଇ ବିଧାନସଭାରେ ଆଜି ବିରୋଧୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା । କଂଗ୍ରେସ ଆଗତ ମୁଲତବି ପ୍ରସ୍ତାବର ଉତ୍ତର ଦେଇ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ସିଷ୍ଟମ ସହିତ ରୁହନ୍ତୁ, ଚୋରଙ୍କ ସହିତ ଭୁଆଁ ବିରାଡ଼ି ହୁଅନ୍ତୁ ନାହିଁ ।

କଂଗ୍ରେସ ପକ୍ଷରୁ ଆଗତ ମୁଲତବି ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଏବଂ ବିଜେପି ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଥିଲେ, ସବୁ ମଣ୍ଡିରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ ? ନିୟମ ଉଲ୍ଲଂଘନ କାହିଁକି ହେଉଛି ? ପୂର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମୀ ହେଲା ? ଚାଷୀ ବଞ୍ଚିବେ କେମିତି ?

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଥିଲେ ଯେ ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି । ଟୋକନ ପାଇ ମଧ ଚାଷୀ ଧାନ ବିକି ପାରୁନାହାନ୍ତି । ମଣ୍ଡିରେ କଟନି ଛଟନି କରାଯାଉଛି । ଅସାଧୁ ମିଲର ଫାଇଦା ନେଉଛନ୍ତି । ଆଦର୍ଶ ମଣ୍ଡି ହୋଇପାରୁନାହିଁ ।

ଯାହାର ଉତ୍ତର ଦେଇଥିଲେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେ କହିଥିଲେ, ଟେକ୍ନୋଲୋଜି ବ୍ୟବହାର କରି ଧାନ ଜମି ସର୍ଭେ କରାଯାଇଛି । ୧ ଲକ୍ଷ ୮ ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜୀକୃତ ହୋଇଛନ୍ତି । ୯୧ ଜଣ ସୋସାଇଟି ସେକ୍ରେଟାରୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ବିରୋଧୀଙ୍କୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ ଯେ ସିଷ୍ଟମ ସହିତ ରୁହନ୍ତୁ, ଚୋରଙ୍କ ସହିତ ଭୁଆଁ ବିରାଡ଼ି ହୁଅନ୍ତୁ ନାହିଁ । ସରକାର ଭୂତଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି ।

ସ୍ତ୍ରୀକୁ ଦେଖିବାକୁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା

ନୂଆଦିଲ୍ଲୀ: ପ୍ରେମରେ ପଡ଼ିଲେ ଚାନ୍ଦ ବି ତୋଳି ଆଣିବାକୁ କଥା ଦେଇଦିଏ ପ୍ରେମିକ । ଯଦିଓ ଏହା ଅସମ୍ଭବ ତଥାପି ସମସ୍ତେ କହି ଦିଅନ୍ତି । ପ୍ରେମରେ ଅନେକ ଏମିତି କଥା ଦିଅନ୍ତୁ ଯାହା କରି ଦେଖାଇବା ସମ୍ଭବ ନୁହେଁ । କିନ୍ତୁ ଜଣେ ଯୁବକ ଏମିତି କିଛି କରିଛନ୍ତି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଭିଏତନାମର ଜଣେ ଯୁବକ ତାଙ୍କ ସ୍ତ୍ରୀକୁ ଭେଟିବା ପାଇଁ ୨ ହଜାର କିଲୋମିଟର ଯିବା ଆରମ୍ଭ କରିଥିଲେ । ଯଦିଓ ପହଞ୍ଚି ପାରିଲେ ନାହିଁ ତଥାପି ତାଙ୍କ ଉଦ୍ୟମକୁ ଲୋକ ତାରିଫ୍ କରୁଛନ୍ତି ।

ଖବର ଅନୁସାରେ, ମାର୍ଚ୍ଚ ୨୩ରେ ଏକ ସିପର କ୍ୟାପଟେନ୍ ଥାଇଲାଣ୍ଡର ନୌସେନାକୁ ଖବର ଦେଇଥିଲେ କି କୂଳରୁ ପ୍ରାୟ ୮୦ କିଲୋମିଟର ଦୂରରେ ଜଣେ ଯୁବକ ମିଳିଛନ୍ତି । ଯୁବକ ଜଣଙ୍କ ଏକ ରବର ବୋଟରେ ଥାଇଲାଣ୍ଡରୁ ଭାରତକୁ ଯାଉଛନ୍ତି । ଏହାପରେ ଯେତେବେଳେ ନୌସେନା ସନ୍ଧାନ ଆରମ୍ଭ କରିଥିଲା ତ ଯୁବକଙ୍କ ପାଖରୁ ଅଳ୍ପ ପିଇବା ପାଣି ସହ କିଛି ଇନଷ୍ଟାଣ୍ଟ ନୁଡୁଲ୍ସ ମିଳିଥିଲା ।

 Viral Man Travel 2000 KM From Thailand To Mumbai To Meet Wife

ନୌସେନା ଅଧିକ ପଚରାଉଚରା କରିବା ବେଳେ ଯୁବକ କିଛି କହି ପାରି ନଥିଲେ । କାରଣ ତାଙ୍କୁ ଥାଇ ଭାଷା ଆସୁ ନଥିଲା । ସେ ଭିଏତନାମ ଭାଷା କହୁଥିଲେ । ଯୁବକ ଜଣଙ୍କୁ ନୌସେନା ସାଙ୍ଗରେ ନେଇଯିବା ସହ ଇଣ୍ଟରପ୍ରେଟର ଜରିଆରେ କଥା ହେବାକୁ ଚେଷ୍ଟା କରିଥିଲେ । ଏହାପରେ ସାମ୍ନାକୁ ଆସିଥିଲା ପ୍ରକୃତ କାହାଣୀ । ୩୭ ବର୍ଷୀୟ ଯୁବକ ଜଣଙ୍କ ନାଁ  ହୋ ହୁଆଙ୍ଗ ହଙ୍ଗ । ସେ କହିଥିଲେ ତାଙ୍କ ସ୍ତ୍ରୀ ମୁମ୍ବାଇରେ ମହାମାରୀ କରୋନା ପରଠାରୁ ଫସି ରହିଛନ୍ତି । ସେ ତାଙ୍କୁ ଭେଟି ପାରୁନାହାନ୍ତି । ଆଉ ପତ୍ନୀଙ୍କୁ ଭେଟିବାକୁ ବ୍ୟାକୁଳ ହୋ ହୁଆଙ୍ଗ ଜଳପଥରେ ଯାତ୍ରା ଆରମ୍ଭ କରିଥିଲେ ।

ମାର୍ଚ୍ଚ ୨ରେ ହୋ ଚି ମିନ୍ହ ସିଟିରୁ ବ୍ୟାଂକକୁ ବିମାନରେ ଆସିଥିଲେ । ଏହାପରେ ବିମାନରେ ମୁମ୍ବାଇ ଯାଇ ପାରିବେ ଭାବିଥିଲେ । କିନ୍ତୁ ଭିସା ମିଳିଲା ନାହିଁ । ସେତେବେଳେ ହୋ ସେଠାରୁ ପଟ୍ଟାୟା ପଳାଇ ଯାଏ ନୀଳ ରଙ୍ଗର ଏକ ବୋଟ୍ କିଣିଥିଲେ । ସେଥିରେ ମାର୍ଚ୍ଚ ୫ରେ ଯାତ୍ରା ଆରମ୍ଭ କରିଥିଲେ । ଭାବିଥିଲେ ନାଆରେ ଭାରତ ମହାସାଗର ଦେଇ ମୁମ୍ବାଇ କୂଳରେ ପହଞ୍ଚିବେ ।

୧୮ ଦିନ ସମୁଦ୍ରରେ କାଟିବା ପରେ କେବଳ ୮୦ କିଲୋମିଟର ଯାତ୍ରା କରିଥିଲେ । ସେହି ଗତିରେ ଯାତ୍ରା କରିଥିଲେ ମୁମ୍ବାଇ ପହଞ୍ଚିବାକୁ ତାଙ୍କୁ ୬୨୫ ଦିନ ଲାଗିଥାନ୍ତା । ବ୍ୟକ୍ତିଙ୍କ ଠାରୁ ଏସବୁ ଶୁଣିବା ପରେ ନୌସେନା ଥାଇଲାଣ୍ଡରେ ରହିବାକୁ ତାଙ୍କୁ ମାଗଣା ଘର ଦେବା ସହ ସ୍ତ୍ରୀଙ୍କୁ ଭେଟିବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି ।

ବିଜେଡି କବଜାରେ ୩ ମହାନଗର ନିଗମ

ଭୁବନେଶ୍ବର: ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ । ଭୁବନେଶ୍ବରରେ ସୁଲୋଚନା ଦାସ ବିଜୟୀ ହୋଇଥିବା ବେଳେ କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି ।

ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସଂଘମିତ୍ରା ଦଳେଇ ୨୦ ହଜାର ୨୮୬ ଭୋଟରେ ବିଜୟୀ ହୋଇଛନ୍ତି । ସଂଘମିତ୍ରା ମୋଟ ୬୬ ହଜାର ୬୮ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସବିତା ସୁଆର ୪୫ ହଜାର ୭୮୨ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନରେ ରହିଛନ୍ତି ଆପ୍ ପ୍ରାର୍ଥୀ ସି. ସ୍ରିୟଙ୍କା । ତାଙ୍କୁ ୭ ହଜାର ୪୫୩ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥଙ୍କୁ ୬ ହଜାର ୭୬୮ ଭୋଟ ମିଳିଛି ।

ଭୁବନେଶ୍ବର ମହାନଗର ନିଗମରେ ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାସ ୬୧ ହଜାର ୪୮୭ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସୁଲୋଚନାଙ୍କୁ ମୋଟ ୧ ଲକ୍ଷ ୭୪ ହଜାର ୪୮୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ସୁନିତା ମୁଣ୍ଡଙ୍କୁ ୧ ଲକ୍ଷ ୧୩ ହଜାର ୪୦୦ ଭୋଟ୍ ପାଇଛନ୍ତି । କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳକୁ ମାତ୍ର ୧୧ ହଜାର ୬ ଖଣ୍ଡ ଭୋଟ ମିଳିଛି ।

କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ବିଜୟୀ ହୋଇଛନ୍ତି । ସୁବାସ ୪୫ ହଜାର ୨୦୬ ଖଣ୍ଡ ଭୋଟରେ ଜିତି କଟକ ମେୟର ପଦ ଦଖଲ କରିଛନ୍ତି । ସୁବାସଙ୍କୁ ମୋଟ ୧ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ ମିଳିଛି । ପ୍ରରମ୍ଭିକ ଗଣନାରେ କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ବେହେରା ସୁବାସଙ୍କୁ କଡା ଟକ୍କର ଦେଇଥିଲେ । ହେଲେ ଦିନ ଗଢ଼ିବା ସହ ଭୋଟ ବ୍ୟବଧାନ ମଧ୍ୟ ବଢ଼ିବାକୁ ଲାଗିଥିଲା । ଗିରିବାଳାଙ୍କୁ ୬୮ ହଜାର ୩୫୬ ଖଣ୍ଡ ଭୋଟ ମିଳିଥିଲା । ବିଜେପି ପ୍ରାର୍ଥୀ ତଥା ଅଭିନେତା ଶ୍ରୀତମ ଦାସ ତୃତୀୟ ସ୍ଥାନରେ ରହିଥିଲେ । ତାଙ୍କୁ ୪୯ ହଜାର ୨୨୩ ଖଣ୍ଡ ଭୋଟ ମିଳିଛି ।

ଆନ୍ତର୍ଜାତିକ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ପାରା ଆଥଲେଟ୍ ଜୟନ୍ତୀ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଦୁଇ ଓଡ଼ିଆ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗୀ ଶ୍ରୀୟଙ୍କା ଷଡ଼ଙ୍ଗୀ ଓ ଜୟନ୍ତୀ ବେହେରାଙ୍କୁ ନବୀନ ନିବାସ ଠାରେ ସମ୍ବର୍ଦ୍ଧିତ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଦୁଇ ବାଳିକା କ୍ରୀଡ଼ାବିତ୍‌ଙ୍କୁ ସେମାନଙ୍କର ସଫଳତା ପାଇଁ ଉଚ୍ଚପ୍ରଶଂସା କରି କହିଛନ୍ତି, ସେମାନେ ରାଜ୍ୟ ପାଇଁ ଗୌରବ ଆଣି ଅନ୍ୟ ଖେଳାଳି ମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ସେମାନେ ସାରା ବିଶ୍ୱରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବୋଲି ପ୍ରକାଶ କରି, ଆଗାମୀ ଦିନରେ ଆହୁରି ସଫଳତା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀୟଙ୍କାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ, ଜୟନ୍ତୀଙ୍କୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଶ୍ରୀୟଙ୍କା ନିକଟରେ କାଇରୋ ଠାରେ ଅନୁଷ୍ଠିତ ISSF ବିଶ୍ୱକପ୍‌ ସୁଟିଂ ପ୍ରତିଯୋଗିତାରେ ୫୦ ମିଟର ରାଇଫଲ ୩ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ପାଇଛନ୍ତି । ସେ ମଧ୍ଯ ବର୍ତ୍ତମାନ ଜାତୀୟ ସୁଟିଙ୍ଗ ଚାମ୍ପିଅନ ଭାବେ ସୁନାମ ଅର୍ଜନ କରିଛନ୍ତି । ସେହିପରି ଜୟନ୍ତୀ ବେହେରା ଦୁବାଇ ଠାରେ ଅନୁଷ୍ଠିତ ବିଶ୍ୱ ପାରା ଆଥଲେଟିକ୍ସ ପ୍ରତିଯୋଗୀତାରେ ୩ଟି ମେଡାଲ ହାସଲ କରିଛନ୍ତି । ୪୦୦ ଓ ୧୦୦ ମିଟର ପ୍ରତିଯୋଗୀତାରେ ସେ ବ୍ରୋଞ୍ଜ ପଦକ ପାଇଥିବା ବେଳେ, ୨୦୦ ମିଟର ପ୍ରତିଯୋଗୀତାରେ ରୌପ୍ୟ ପଦକ ପାଇଛନ୍ତି ।

ଉଭୟ କ୍ରୀଡ଼ାବିତ୍ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାବିତ୍ ମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ପଦକ୍ଷେପର ଉଚ୍ଚପ୍ରଶଂସା କରିଥିଲେ । ଦୁଇ ଖେଳାଳି ମୁଖ୍ୟମନ୍ତ୍ରୀଙ୍କ ସହିତ ଖୁସିରେ ସେଲଫି ଉଠାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T)  ଭି କେ ପାଣ୍ଡିଆନ ଓ କ୍ରୀଡ଼ା ସଚିବ  ଭିନିଲ କ୍ରିଷ୍ଣା ଉପସ୍ଥିତ ଥିଲେ ।

ଆରମ୍ଭ ହେଲା IPL: ଉଦଘାଟନୀ ମ୍ୟାଚରେ ଟସ୍ ଜିତି ଫିଲ୍ଡିଂ କରୁଛି KKR

ମୁମ୍ବାଇ: ଆରମ୍ଭ ହୋଇଛି ଆଇପିଏଲ୍ ମହାସମର । କୋଭିଡ୍ ଯୋଗୁଁ ୨ ବର୍ଷ ହେଲା ଆଇପିଏଲରୁ ବଞ୍ଚିତ ଦର୍ଶକ ଷ୍ଟାଡିୟମରେ ମ୍ୟାଚ୍ ଦେଖିବାର ସୁଯୋଗ ପାଇଛନ୍ତି । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ । ଟସ୍ ଜିତି କୋଲକାତା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ପ୍ରଥମଥର ପାଇଁ ଆଇପିଏଲରେ ସିଏସକେର ନେତୃତ୍ୱ ରବୀନ୍ଦ୍ର ଜାଡ଼େଜା ନେଉଥିବା ବେଳେ ପ୍ରଥମଥର କେକେଆରର ମଙ୍ଗ ଧରିଛନ୍ତି ଶ୍ରେୟସ ଆୟର ।

ଚେନ୍ନାଇ ସୁପର କିଙ୍ଗ୍ସର ଚୂଡ଼ାନ୍ତ ଏକାଦଶରେ ଋତୁରାଜ ଗାଏକୱାଡ଼, ଡେବୋନ କନଭେ, ରବିନ ଉତ୍ଥପ୍ପା, ଅମ୍ବତି ରାୟଡୁ, ରବୀନ୍ଦ୍ର ଜାଡ଼େଜା (ଅଧିନାୟକ), ଶିବମ ଦୁବେ, ଏମଏସ୍ ଧୋନି (ୱିକେଟ୍ କିପର), ଡ୍ୱେନ୍ ବ୍ରାବୋ, ମିଚେଲ ସ୍ୟାଣ୍ଟନର, ଏଡମ ମିଲ୍ନେ ଓ ତୁଷାର ଦେଶପାଣ୍ଡେ ।

IPL 2022 CSK Vs KKR Live Update

କୋଲକାତା ନାଇଟ୍ ରାଇଡର୍ସର ଚୂଡ଼ାନ୍ତ ଏକାଦଶରେ ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରହାଣେ, ଶ୍ରେୟସ ଆୟର, ନୀତିଶ ରାଣା, ସ୍ୟାମ ବିଲିଂଙ୍ଗ୍ସ, ଆନ୍ଦ୍ରେ ରସେଲ, ସେଲ୍ଡନ ଜ୍ୟାକ୍ସନ୍, ଉମେଶ ଯାଦବ, ଶିବମ ମାବି, ବଋଣ ଚକ୍ରବର୍ତ୍ତୀ ରହିଛନ୍ତି । ଆଇପିଏଲରେ ଚେନ୍ନାଇ ଓ କୋଲକାତା ମଧ୍ୟରେ ମୋଟ ୨୫ଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଚେନ୍ନାଇ ୧୭ଟି ଜିତିଥିବା ବେଳେ କୋଲକାତା ୮ଟି ମ୍ୟାଚ୍ ଜିତିଛି ।