ସାଲାରିରେ ଏବେ ଟଙ୍କା ବଦଳରେ ସୁନା ଦେବ କମ୍ପାନୀ

ନୂଆଦିଲ୍ଲୀ: ସବୁ କମ୍ପାନୀ କର୍ମଚାରୀଙ୍କୁ ପାରିଶ୍ରମିକ ବାବଦକୁ ଟଙ୍କା ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, ଟଙ୍କା ବଦଳରେ ସୁନା ଦେବାକୁ ନିଷ୍ପତ୍ତି ନେଇଛି  ଏକ କମ୍ପାନୀ । କର୍ମଚାରୀଙ୍କୁ ଦରମା ଦେବାର ନୂଆ ତରିକାକୁ ନେଇ କମ୍ପାନୀ ଏବେ ଖୁବ୍ ଚର୍ଚ୍ଚାରେ ।

ବ୍ରିଟେନରେ ଟାଲିମନି ନାମକ କମ୍ପାନୀ ତା‘ କର୍ମଚାରୀଙ୍କୁ ଦରମା ବାବଦକୁ ଟଙ୍କା ଦେବା ବଦଳରେ ଦେବ ସୁନା । କର୍ମଚାରୀ ଚାହିଁଲେ ପୂର୍ବ ଭଳି ପାଉଣ୍ଡରେ ଦରମା ନେଇପାରିବେ । କମ୍ପାନୀ ତରଫରୁ କର୍ମଚାରୀଙ୍କୁ ଏହି ବିକଳ୍ପ ମଧ୍ୟ ଦିଆଯାଇଛି ।

କମ୍ପାନୀ ସିଇଓ କ୍ୟାମେରନ୍ ପ୍ୟାରି କର୍ମଚାରୀଙ୍କୁ ସୁନାରେ ଦରମା ଦେଉଛନ୍ତି । କର୍ମଚାରୀଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ଧ୍ୟାନରେ ରଖି ସେମାନଙ୍କୁ ସୁନା ଦେବାକୁ ଏହି ନିଷ୍ପତ୍ତି ହୋଇଛି ।

ପ୍ରାଥମିକତା ଦୃଷ୍ଟିରୁ କମ୍ପାନୀରେ ଥିବା ୨୦ କର୍ମଚାରୀଙ୍କୁ ସୁନା ଦିଆଯାଇଛି । ଏହାର ଯଦି କର୍ମଚାରୀ ଲାଭ ଉଠାନ୍ତି ତାହାଲେ କମ୍ପାନୀର ବାକି କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ । ନୂଆ ଦରମା ନୀତି ଏବେ ପରୀକ୍ଷା ମୂଳକ ଭାବେ ଲାଗୁ କରାଯାଇଛି ।

ପ୍ୟାରି କହିଛନ୍ତି, କରୋନା ଯୋଗୁ ଲୋକଙ୍କ ସ୍ଥିତି ଖରାପ ହୋଇଯାଇଛି । ଏହି ସ୍ଥିତିରେ କର୍ମଚାରୀଙ୍କୁ ପାଉଣ୍ଡରେ ଦରମା ଦେବାରେ ଲାଭ ନାହିଁ । କାରଣ ପାଉଣ୍ଡର ମୂଲ୍ୟ ହ୍ରାସ ପାଉଛି । ସୁନା ଦେଲେ କର୍ମଚାରୀ ସୁନାରେ ନିବେଶ କରିବେ । ଏହା କର୍ମଚାରୀଙ୍କୁ ସର୍ବଦା ଆଗରେ ରଖିବ ।

କମ୍ପାନୀ କର୍ମଚାରଙ୍କୁ ସବୁବେଳେ ଆଗରେ ରଖିବାପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରିଛି । ଏହି ପ୍ରୟାସ ପାଇଁ ଲୋକେ କମ୍ପାନୀକୁ ପ୍ରଶଂସା କରୁଛନ୍ତି । କର୍ମଚାରୀଙ୍କୁ ଆାର୍ଥିକ ସଂକଟର ସାମ୍ନା କରିବା ପାଇଁ କମ୍ପାନୀ ଏପରି ଯୋଜନା କରୁଛି ।

ଅନ୍ୟପଟେ କର୍ମଚାରୀଙ୍କ ବିଷୟରେ କମ୍ପାନୀ ଏତେ ଚିନ୍ତା କରୁଥିବାରୁ ସୋସିଆଲ ମିଡିଆରେ ଟାଲିମନି ଏବଂ ତାଙ୍କ କମ୍ପାନୀକୁ ଖୁବ୍ ତରିଫ କରାଯାଉଛି ।