ବ୍ରଜରାଜନଗର ମଇଦାନରେ ୩ ଦଳର ହେଭିଓ୍ବେଟ ପ୍ରଚାର, ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ

ବ୍ରଜରାଜନଗର: ପାଖଉଛି ତାରିଖ, ବଢ଼ୁଛି ତାତି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜୟ କସରତ କରୁଛନ୍ତି ସବୁ ଦଳ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ହେଭିଓ୍ବେଟ୍ । ଡୋର ଟୁ ଡୋର କ୍ୟାମ୍ପେନିଂରେ ଭୋଟର ପାଖରେ ପହଞ୍ଚିଛନ୍ତି ପ୍ରାର୍ଥୀ । ପ୍ରଚାର ମଇଦାନରେ ଆଗରେ ରହିଛି ବିଜେଡି । ଦଳୀୟ ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ପ୍ରଚାର କରୁଛନ୍ତି ବରିଷ୍ଠ ବିଜେଡି ନେତା । ମନ୍ତ୍ରୀ ଓ ବିଧାୟକ ମାନେ ଘରକୁ ଘର ବୁଲି ବିଜେଡି ପାଇଁ ମାଗୁଛନ୍ତି ଭୋଟ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶକୁ ଆଧାରରେ ଭୋଟ ମାଗୁଛି ଦଳ ।

ତେବେ ଆଗକୁ ଅଳକାଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ ହଜାରରୁ ଅଧିକ ଭୋଟରେ ଜିତିବାକୁ ଦୃଢୋକ୍ତି ପ୍ରକାଶ କରିଛି ଶାସକ ଦଳ । ବ୍ରଜରାଜନଗରବାସୀ ବିଜେଡି ସହ ଅଛନ୍ତି ଓ ରହିବେ ବୋଲି ଦଳ କହିଛି । ସେପଟେ ଫୁଲ ଦମରେ ଲାଗି ପଡ଼ିଛନ୍ତି ବିରୋଧୀ । ଖୁବଶୀଘ୍ର ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ବ୍ରଜରାଜନଗର ଉପନିର୍ବାଚନରେ ପିସିସି ସଭାପତି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।