spot_img
Home Blog Page 4453

ଦେବାଳିଆ ହେଲା ସୁପରଟେକ୍ ଲିମିଟେଡ୍, ଚିନ୍ତାରେ ୨୫ ହଜାରରୁ ଅଧିକ ଗ୍ରାହକ

ନୂଆଦିଲ୍ଲୀ: ସୁପରଟେକ୍ ଲିମିଟେଡ୍ ପାଇଁ ବଢ଼ିଲା ଅଡ଼ୁଆ । ପ୍ରଥମେ ନିୟମ ଉଲ୍ଲଂଘନ ପାଇଁ ନୋଏଡ଼ାରେ ଥିବା ସୁପଟେକ୍ ଏମେରାଲ୍ଡ କୋର୍ଟ ପ୍ରକଳ୍ପର ୪୦ ମହଲା ବିଶିଷ୍ଟ ୨ଟି ଟାୱାରକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏବେ ଜାତୀୟ କମ୍ପାନୀ ଆଇନ୍ କର୍ତ୍ତୃପକ୍ଷ ଶୁକ୍ରବାର ସୁପରଟେକ୍ ଲିମିଟେଡକୁ ଦେବାଳିଆ ଘୋଷଣା କରିବା ସହ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଏନସିଏଲଟି ସୁପରଟେକ୍ ଲିମିଟେଡ ନିର୍ଦ୍ଦେଶକ ମଣ୍ଡଳଙ୍କ ସ୍ଥାନରେ ଜଣେ ଆଇଆରପି ନିଯୁକ୍ତି ପାଇଁ ଅନୁମୋଦନ ଦେଇଛନ୍ତି । ହିତେଶ ଗୋଏଲଙ୍କୁ ଆଇଆରପି ନିଯୁକ୍ତ କରାଯାଇଛି । ସୁପରଟେକ୍ ଲିମିଟେଡ୍ ଉପରେ ପ୍ରାୟ ୧୨୦୦ କୋଟି ଟଙ୍କା ବକେୟା ରହିଛି । ଏଥିରୁ ପ୍ରାୟ ୫୧୦ କୋଟି ଟଙ୍କା ଋଣ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଥିଲା ।

ସୁପରଟେକକୁ ଦେବାଳିଆ ଘୋଷଣା କରିବା ପରେ କମ୍ପାନୀର ଅସମ୍ପୂର୍ଣ୍ଣ ପ୍ରକଳ୍ପରେ ଘର କିଣିଥିବା ଗ୍ରାହକଙ୍କ ଚିନ୍ତା ବଢ଼ି ଯାଇଛି । ଘର କିଣିଥିବା ଲୋକଙ୍କ ମନରେ ଡର ଏବେ କଣ ହେବ ? କିଣିଥିବା ଫ୍ଲାଟ୍ ମିଳିବ ତ ? ନା ଘର ପାଇଁ ଦେଇଥିବା ଟଙ୍କା ବୁଡ଼ିଯିବ ? ଯଦି ଟଙ୍କା ବୁଡ଼ିବନି ତ ଘର କେବେ ମିଳିବ ? ଠିକ୍ ସମୟରେ ମିଳିବ ନା ବିଳମ୍ବ ହେବ ? ଏମିତି ଅନେକ ପ୍ରଶ୍ନ ଘେରରେ ସୁପରଟେକ୍ ଗ୍ରାହକ ।

ଆଗକୁ କଣ ହେବ ?

  • ଆଇଆରପି କ୍ରେଡିଟର୍ସଙ୍କ ଏକ କମିଟି ଗଢ଼ିବ ।
  • କମିଟି ଘର କିଣିଥିବା ଲୋକଙ୍କୁ ଠାରୁ ଆବେଦନ ମାଗିବ । ଯାହାପରେ ଆଲୋଟମେଣ୍ଟ ଲେଟର ସହ ପରିଚୟପତ୍ର ଜମା କରିବାକୁ ପଡ଼ିବ ।
  • ଯାଞ୍ଚ ପରେ ଆବେଦନକୁ ଗ୍ରହଣ କରାଯାଇ ଭୋଟିଂ ସ୍ଥିର ହେବ ।
  • ଏହାଛଡ଼ ସୁପରଟେକକୁ ଅଧିଗ୍ରହଣ ପାଇଁ ଆଇଆରପି ଆବେଦନ ଗ୍ରହଣ କରିବ ।
  • ଏଥିସହ ଋଣ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ତାର ଖୋଳତାଡ଼ କରାଯିବ ।

‘ଥଣ୍ଡା-ଜର’ ଔଷଧ ସହ ବଢ଼ିବ ୮୦୦ ମେଡିସିନର ଦାମ

ନୂଆଦିଲ୍ଲୀ: ଆହୁରି ବାଧିବ ଦରବୃଦ୍ଧି । ପେଟ୍ରୋଲ୍-ଡିଜେଲ୍ ସହ ଗ୍ୟାସ୍ ଦର ବଢ଼ି ଚାଲିଥିବା ବେଳେ ଏପ୍ରିଲରୁ ମହଙ୍ଗା ହେବ ଔଷଧ ଦର । କେତେକ ଔଷଧର ଦରବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଯାହାପରେ ଏପ୍ରିଲ୍ ୧ରୁ ପ୍ରାୟ ୮୦୦ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ୨୫ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଥିଲେ ।

କେଉଁ ଔଷଧର ବଢ଼ିବ ଦର ?

ଜର, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଓ ଆନିମିଆ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଦାମ ବଢ଼ିବ । ଅର୍ଥାତ୍ ପାରାସିଟାମଲ୍, ସିପରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରାଇଡ୍, ମେଟ୍ରୋନିଡାଜୋଲ, ଫିନାଇଟୋଇନ୍ ସୋଡିୟମ୍ ଭଳି ଔଷଧ ଦାମ ମହଙ୍ଗା ହୋଇଯିବ । ଏହାବାଦ କରୋନା ମହାମାରୀର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ଦାମ ମଧ୍ୟ ବଢ଼ିଯିବ ।

ପ୍ରତିବର୍ଷ NPPA ଔଷଧ ଦର ପରିବର୍ତ୍ତନ କରିଥାଏ । ଔଷଧ ପ୍ରସ୍ତୁତିରେ ବ୍ୟବହୃ ସାମଗ୍ରୀର ବଢ଼ିଥିବା ଦାମକୁ ନେଇ ସ୍ଥିର ହୁଏ ନୂଆ ଦର । କୌଣସି ଔଷଧର ଦାମ ବର୍ଷକ ମଧ୍ୟରେ ୧୦ ପ୍ରତିଶତରୁ ଅଧିକ ବଢ଼ି ପାରିବ ନାହିଁ । ଏନେଇ NPPA ମାର୍ଚ୍ଚ ୨୫ରେ ଏକ ନୋଟିସ୍ ଜାରି କରିଥିଲା । ଡିପିସିଓ ନିୟମ ଅନୁସାରେ NPPA ଔଷଧ ଦର ବୃଦ୍ଧି କରିଥାଏ । ୨୦୧୩ରେ ଡିପିସିଓ ନିୟମ ଅନୁସାରେ, କୌଣସି ଔଷଧ ଧାର୍ଯ୍ୟ ମୂଲ୍ୟ ଠାରୁ କମ୍ ଦରରେ ବିକ୍ରି ହେବ ।

Inflation Effect 800 Medicine Including Paracetamol Set To Rise From April

ସରକାର ଭିନ୍ନ ଭିନ୍ନ ଯୋଜାନ ପାଇଁ ଜେନେରିକ୍ ଔଷଧ କିଣନ୍ତି ଏବଂ ସେହି ଔଷଧକୁ ସରକାରୀ ମେଡିକାଲରେ ମାଗଣାରେ ଦେଇଥାନ୍ତି । ସେଡ୍ୟୁଲ୍ ଔଷଧରେ ଅତ୍ୟାବଶ୍ୟକୀୟ ଡ୍ରଗ୍ସ ମଧ୍ୟ ରହିଛି । ଏହାର ଦାମ୍ ବୃଦ୍ଧି ସରକାରଙ୍କ ଅନୁମୋଦନ ପରେ ହିଁ ହୋଇଥାଏ ।

ବିଗତ ୨ ବର୍ଷ ମଧ୍ୟରେ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ସାମଗ୍ରୀର ଦର ୧୫ରୁ ୧୩୦ ପ୍ରତିଶତ ବଢ଼ିଛି । ପାରାସିଟାମଲ୍ ଦର ମଧ୍ୟ ୧୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହାବାଦ ସିରପ୍ ଓ ଓରାଲ୍ ଡ୍ରପ୍ ସହ ଅନ୍ୟ ଔଷଧରେ ବ୍ୟବହୃତ ଗ୍ଲିସରିନ୍ ଦାମ ୨୬୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କଞ୍ଚାମାଲ ଦରବୃଦ୍ଧି ପରେ ଗତବର୍ଷ ଫାର୍ମା କମ୍ପାନୀ ଔଷଧ ଦର ବୃଦ୍ଧି ଦାବି କରିଥିଲେ ।

ବିରୋଧୀ ଦଳ ନେତା ହେଲେ ଅଖିଳେଶ ଯାଦବ, ସପା ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି

ଲକ୍ଷ୍ନୌ: ଗତକାଲି ଦ୍ୱିତୀୟ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀ ଗତକାଲି ଶପଥ ନେବା ପରେ ଆଜି ଲକ୍ଷ୍ନୌରୁ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶନିବାର ସମାଜବାଦୀ ପାର୍ଟିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ଏହି ବୈଠକରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ବିରୋଧୀ ଦଳ ନେତା ହୋଇଛନ୍ତି । ତେବେ ଆନୁଷ୍ଠାନିକ ଭାବରେ ଆଉ କିଛି ସମୟ ମଧ୍ୟରେ ଏହାର ଘୋଷଣା ହେବ ।

ସୂଚନା ଅନୁସାରେ ଆଜି ଲକ୍ଷ୍ନୌରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବରିଷ୍ଠ ବିଧାୟକ ଅଓ୍ୱେଧେଶ ପ୍ରସାଦ ବିରୋଧି ଦଳ ନେତାର ପ୍ରସ୍ତାବ ଦେଇଥିଲେ । ଏହାକୁ ଆଲାମ ବଦୀ ଅନୁମୋଦନ କରିଥିଲେ । ତେବେ ଆଜି ଲକ୍ଷ୍ନୌରେ ହୋଇଥିବା ବୈଠକକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା କି କିଏ ହେବ ବିରୋଧି ଦଳ ନେତା । କାହିଁକି ନା ଏହି ଲିଷ୍ଟରେ ସବୁଠାରୁ ଆଗରେ ରହିଥିଲେ ଶିବପାଲ ଯାଦବ । କିନ୍ତୁ ଶିବପାଲ ଯାଦବଙ୍କୁ ଏହି ବୈଠକରେ ଡକା ଯାଇନଥିଲା । ତେବେ ଏହି ବୈଠକ ବାବଦରେ ଯେତେବେଳେ ଶିବପାଲ ଯାଦବଙ୍କୁ ପଚରାଯାଇଥିଲା ସେ କହିଥିଲେ କି ସେ ଦୁଇ ଦିନ ହେବ ଏହି ବୈଠକକୁ ଅପେକ୍ଷା କରିଥିଲେ ।

ହତ୍ୟା ଅଭିଯୋଗରେ ସଜ୍ଜା କାଟୁଥିବା କଏଦୀଙ୍କୁ IIT ନାମଲେଖା ଏଣ୍ଟ୍ରାନ୍ସରେ ୫୪ତମ ରାଙ୍କ

ପାଟଣା: ସମୟ ଚକ୍ରରେ ପଡ଼ି ମଣିଷ ଯେତେ ବିଜ୍ଞ ହୋଇଥିଲେ ବି ଅପରାଧ କରି ବସେ । ପରେ ପସ୍ତାଏ ମଧ୍ଯ । କିନ୍ତୁ ଜେଲର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ କାଟୁଥିବା ଖୁବ୍ କମ୍ କଏଦୀ ଆଗକୁ ବଢ଼ିବାକୁ ପ୍ରୟାସ କରନ୍ତି ଆଉ ସଫଳ ମଧ୍ୟ ହୁଅନ୍ତି । କାରଣ ଭୁଲବଶତଃ କିମ୍ବା ଅଜାଣତରେ କରିଥିବା କୌଣସି ଅପରାଧ ପାଇଁ ସେମାନେ ଅନୁତପ୍ତ ଥାଆନ୍ତି । ସମାଜରେ କଳଙ୍କିତ ହୋଇଥିବା ନିଜ ଛବିକୁ ପରିମାର୍ଜିତ କରିବାକୁ ଅହରହ ଚେଷ୍ଟା କରିଥାନ୍ତି ।

ଏମିତି ଜଣେ ଯୁବକ ହେଉଛନ୍ତି ସୁରଜ କୁମାର ଯାଦବ । ଯିଏ ଏବେ ବିହାର ନୱାଦା ସବଜେଲରେ ବିଚାରାଧୀନ କଏଦୀ ଭାବେ ବନ୍ଦୀ ଅଛନ୍ତି । ୨୦୨୧ ଏପ୍ରିଲରେ ତାଙ୍କ ପଡ଼ୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସୁରଜ ଓ ତାଙ୍କ ଭାଇ ବୀରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ଗାଁ ନାଳକୁ ନେଇ ଘଟିଥିଲା ହତ୍ୟାକାଣ୍ଡ । ପିଲାଟି ଦିନରୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ସୁରଜ ଜେଲରେ ବି ପାଠ ପଢ଼ିବାରୁ ହାର୍ ମାନି ନଥିଲେ ।

ଆଉ ଏଥିରେ ସୁରଜଙ୍କୁ ସହଯୋଗ ଯୋଗାଇ ଦେଇଥିଲେ ଜେଲ୍ କର୍ତ୍ତୃପକ୍ଷ । ନିକଟରେ ଦିଲ୍ଲୀ ଆଇଆଇଟି ପକ୍ଷରୁ ଆୟୋଜିତ ଜଏଣ୍ଟ ଆଡମିଶନ୍ ଟେଷ୍ଟ ଫର୍ ମାଷ୍ଟର୍ସରେ ସୁରଜ ୫୪ ତମ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ଆଶା ରହିଛି ଆଇଆଇଟି ରୁର୍କୀରେ ସେ ପାଠ ପଢ଼ିବେ । ପରୀକ୍ଷା ପାଇଁ ଖୋଦ୍ ଜେଲ୍ ଅଧୀକ୍ଷକ ସମସ୍ତ ସହଯୋଗ କରିଥିଲେ । ଆବଶ୍ୟକ ପାଠ୍ୟ ପୁସ୍ତକ ଯୋଗାଇ ଦେବା ସହ ପରୀକ୍ଷା ପାଇଁ ଗୋଟିଏ ମାସ ପାରୋଲ୍ ଦିଆଯାଇଥିଲା ।

ପୂର୍ବରୁ ସୁରଜ ରାଜସ୍ଥାନର କୋଟାରେ ରହି ପାଠ ପଢ଼ୁଥିଲେ । ଦେଶବ୍ୟାପୀ କୋଭିଡ୍ ଲକଡାଉନ୍ ପରେ ମୋସମା ସ୍ଥିତ ଘରକୁ ପଳାଇ ଆସିଥିଲେ ସୁରଜ । ପରେ ଗାଁରେ ଡ୍ରେନକୁ ନେଇ ଝଗଡ଼ା  ଓ ପଡ଼ୋଶୀଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା ।

ପୌର ଫଇସଲା: ୩ ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ପାଇଁ ଆରମ୍ଭ ହୋଇଛି ଭୋଟ ଗଣତି । ସାରା ରାଜ୍ୟରେ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱରରେ କିନ୍ତୁ ବିଳମ୍ବରେ ଆରମ୍ଭ ହୋଇଛି । ଗତକାଲି ରାତିରେ ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ ସାମ୍ନାରେ ଉତ୍ତେଜନା କାରଣରୁ ଆଜି ବିଳମ୍ବରେ ଆରମ୍ଭ ହୋଇଥିଲା । ତେବେ ଭୁବନେଶ୍ୱର ମହାନଗର ନିଗମରେ ଭୋଟ ଗଣତିରେ ଆଗୁଆ ରହିଛି ବିଜୁ ଜନତା ଦଳ । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣିତରେ ଭୁବନେଶ୍ୱରର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୧୩ ହଜାର ୮୫୬ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ୮ ହଜାର ୫୨୭ ଖଣ୍ଡ ଭୋଟ ପାଇଛି ।  ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ମାତ୍ର ୫୫୧ ଖଣ୍ଡ ପାଇଛନ୍ତି ।

ସେହିପରି କଟକ ମହାନଗର ନିଗମରେ ମଧ୍ୟ ଜାରି ରହିଛି ଭୋଟ ଗଣତି । ବର୍ତ୍ତମାନ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣତି ଶେଷ ହେବା ସୁଦ୍ଧା ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂହ ୧୭ ହଜାର ୫୦୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଗିରିବାଳା ବେହେରା ୧୩ ହଜାର ୮୫୦ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୬ ହଜାର ୨୬୪ ଖଣ୍ଡ ଭୋଟ ପାଇଛନ୍ତି ।

ସେପଟେ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୯ ହଜାର ୨୯୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ସବିତା ସୁଆର ୨୧ ହଜାର ୭୭୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ୩ ହଜାର ୫୧୮ ଖଣ୍ଡ ଭୋଟ ପାଇଛନ୍ତି ।

ପୁଣି ଫେରିଲା ଫଟାଫଟ କ୍ରିକେଟର ରୋମାଞ୍ଚ, ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ଓ କୋଲକାତା

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେବ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଆଜି ଆଇପିଏଲର ପଞ୍ଚଦଶ ସଂସ୍କରଣର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଗତଥରର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସ ଓ ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ଏହି ମ୍ୟାଚ ଆଜି ସନ୍ଧ୍ୟା ୭ ଟା ୩୦ରେ ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏଥର ଆଇପିଏଲର ସବୁ ମ୍ୟାଚ୍ ମୁମ୍ବାଇ ଓ ପୁଣେରେ ହିଁ ଖେଳାଯିବ । ଚଳିତ ଆଇପିଏଲରେ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି  ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।

ଚଳିତ ଆଇପିଏଲରେ ନୂଆ ଫର୍ମାଟରେ ଖେଳାଯିବ ୭୪ଟି ମ୍ୟାଚ୍ । ୧୦ଟି ଟିମକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି । ଗ୍ରୁପ ପର୍ଯ୍ୟାୟରେ ପ୍ରତି ଟିମ୍ ଖେଳିବେ ୧୪ଟି ମ୍ୟାଚ୍ । ଗୋଟିଏ ଗ୍ରୁପର ପ୍ରତି ଦଳ ସେହି ଗୃପର ଅନ୍ୟ ଦଳ ବିରୋଧରେ ହୋମ୍ ଓ ଆଓ୍ୱେ ଭିତ୍ତିରେ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଆଉ ଅନ୍ୟ ଗ୍ରୁପର ୪ଟି ଦଳ ବିରୋଧରେ ଗୋଟିଏ ଲେଖାଏ ମ୍ୟାଚ ଖେଳିବେ  । ବାକି ଗୋଟିଏ ଟିମ୍ ବିରୋଧରେ ଦୁଇଟି ମ୍ୟାଚ୍ ଖେଳିବେ  । ଗ୍ରୁପ ଏ’ରେ ରହିଥିବା ଟିମ୍ ଗୁଡିକ ହେଲେ ମୁମ୍ବାଇ ଇଣ୍ଡିଆନସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲସ୍, ଦିଲ୍ଲୀ କ୍ୟାପିଟାଲସ୍, ଓ ଲକ୍ଷ୍ନୌ ସୁପର ଜିଆଂଟସ୍  । ସେହିପରି ଗ୍ରୁପ ବି’ରେ ଚେନ୍ନାଇ ସୁପରକିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚାଲେଞ୍ଜର୍ସ ବେଙ୍ଗଳୁରୁ, ପଂଜାବ କିଙ୍ଗସ, ଗୁଜରାଟ ଟାଇଟାନ୍ସ ।

ଆଇପିଏଲକୁ ନେଇ ସମସ୍ତ ୧୦ଟି ଯାକ ଦଳର ଶିବିର ଏବେ ଚଳଚଞ୍ଚଳ ରହିଛି । ନେଟ୍ସରେ ଅଭ୍ୟାସ ସାଙ୍ଗକୁ ଦଳର ଏକାଦଶ ଚୟନ ଓ ରଣନୀତି ପ୍ରସ୍ତୁତି ଉପରେ ଫ୍ରାଞ୍ଚାଇଜମାନେ ଗୁରୁତ୍ୱ ଦେଉଛନ୍ତି । ସବୁଠୁ ବଡ଼ କଥା ହେଉଛି, ସମସ୍ତ ଦଳ ଏହି ସିଜନରୁ ନୂଆ ଆରମ୍ଭ କରିବେ । କୌଣସି ଦଳକୁ ପ୍ରାରମ୍ଭରୁ ଦାବିଦାର ଭାବେ ବିବେଚନା କରିବା ଠିକ୍‌ ହେବ ନାହିଁ । ପ୍ରତ୍ୟେକ ଦଳରେ ରହିଛନ୍ତି ଯୁବ ଓ ଅଭିଜ୍ଞ ଖେଳାଳି । କେଉଁ ମୁହୂର୍ତ୍ତରେ ବି ମ୍ୟାଚର ମୋଡ଼ ବଦଳାଇ ଦେବାର ସମସ୍ତ ଦଳର ସାମର୍ଥ୍ୟ ରହିଛି ।

 

କୁଆଡ଼େ ଗଲେ ମାନସ ମର୍ଡର ପ୍ଲଟର ଖଳନାୟିକା, ମାମଲାକୁ ନେଇ ପଦାକୁ ଆସୁଛି ରୋଚକ ତଥ୍ୟ

ଭୁବନେଶ୍ୱର: କୁଆଡେ ଗଲେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ମର୍ଡର ପ୍ଲଟର ଖଳନାୟିକା । କେଉଁଠି ଲୁଚିଛନ୍ତି ଶର୍ମିଷ୍ଠା ରାଉତ । କାହିଁକି ପୋଲିସ ଶର୍ମିଷ୍ଠାଙ୍କ ପତ୍ତା ପାଇପାରୁନି ବୋଲି ଏବେ ସବୁଠି ଉଠିଲାଣି ପ୍ରଶ୍ନ । ସେପଟେ ପ୍ରତିଦିନ ମାମଲାକୁ ନେଇ ପଦାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ । ମୃତ୍ୟୁ ପୂର୍ବରୁ ମାନସ ଲେଖିଥିଲେ ଶେଷ ଚିଠି । କେମିତି ନିର୍ଯାତନା ଦେଉଥିଲେ, କେମିତି ବନ୍ଦୀ ଜୀବନ କାଟୁଥିଲେ ମାନସ । ମୃତ୍ୟୁପରେ ପରିବାର ଲୋକଙ୍କୁ ମୃତଦେହ ଦେବାକୁ ନିବେଦନ ବି କରିଥିଲେ ମାନସ । ଏନେଇ ଖୁଲାସା କରିଛନ୍ତି ମାନସଙ୍କ ଶେଷ ଚିଠି ପାଇଥିବା ଦୟାଲ ଆଶ୍ରମର କେୟାର ଟେକର ।

ସେପଟେ ମାନସ ଅପହରଣ ବେଳର ଲୋମଟାଙ୍କୁରା ଘଟଣା କହିଛନ୍ତି ତାଙ୍କ ସହଯୋଗୀ । ମୋ ଆଖି ଆଗରେ ମୋ ଉପସ୍ଥିତିରେ ମାନସ ସ୍ୱାଇଁଙ୍କ ଅପହରଣ ହୋଇଛି ବୋଲି କହିଛନ୍ତି ତାଙ୍କ ସହଯୋଗ । ମାନସଙ୍କ ସହ ବାହାଘର ସୁଟିଂରେ ଚାନ୍ଦବାଲି ଯାଇଥିଲେ ଏହି ଯୁବକ ଜଣକ । ଏହି ସମୟରେ ଶର୍ମିଷ୍ଠାଙ୍କ ଫୋନ୍ ଆସିଥିଲା । କେଉଁଠି ଅଛ ବୋଲି ପଚାରିଥିଲେ ଶର୍ମିଷ୍ଠା । ଚାନ୍ଦବାଲିର ଠିକଣା ଦେବାପରେ ଶର୍ମିଷ୍ଠାଙ୍କ ସହ ଜଣେ ମହିଳା ଓ ୩ ଜଣ ଯୁବକ ପହଞ୍ଚିଥିଲେ । ମେମୋରି ଚିପ୍ କଥା ପଚାରି ମାଡ଼ ମାରିଥିଲେ । ଏହାପରେ ବଳପୂର୍ବକ ମାନସଙ୍କୁ ଗାଡ଼ିରେ ବସାଇ ନେଇ ଯାଇଥିଲେ । ଶର୍ମିଷ୍ଠା ଏକ ସର୍ଟ ଭିଡିଓ ପ୍ରସ୍ତୁତ କରୁଥିଲେ । ସେଥିରେ ନିରଞ୍ଜନ ସେଠୀ ହିରୋ ଭୂମିକାରେ ଅଭିନୟ କରୁଥିଲେ । ନିରଞ୍ଜନଙ୍କ ସହ ଦୁଇ ଯୁବତୀ ଏକ ଗାଧୁଆ ସିନର ସୁଟିଂ କରୁଥିଲେ । ପୁରୀ ଯିବା ବେଳେ ଶର୍ମିଷ୍ଠା, ନିରଞ୍ଜନ ଓ ସଂପୃକ୍ତ ଯୁବତୀ ଏକ କାରରେ ଯାଇଥିଲେ ବୋଲି ମାନସଙ୍କ ସହଯୋଗୀ କହିଛନ୍ତି ।

ଆରମ୍ଭ ହେଲା ଭୋଟ୍ ଗଣତି, ପୋଷ୍ଟାଲ ବାଲଟ ଗଣତି ପରେ ଖୋଲିବ ଇଭିଏମ

ଭୁବନେଶ୍ୱର: ଆରମ୍ଭ ହେଲା ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ପରେ ଖୋଲିବ ଇଭିଏମ । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ । ୬ଟି ଓ୍ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେଉଛି ।

ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେଉଛି । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେଉଛି । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ଗଣତି ପୂର୍ବରୁ ପ୍ରଥମେ ପୋଷ୍ଟଲ ବାଲଟ ଗଣତି ଚାଲିଛି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିଛନ୍ତି ।

 

୩୧ ଦିନରେ ୟୁକ୍ରେନ ଯୁଦ୍ଧ, ମାରିୟୁପୋଲ ଥିଏଟର ହଲ ଏୟାର ଷ୍ଟ୍ରାଇକ ଘଟଣାରେ ମୃତ୍ୟୁ ସଂଖ୍ୟା ୩୦୦କୁ ବୃଦ୍ଧି

କିଭ୍: ୩୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ୟୁକ୍ରେନର ବିଭିନ୍ନ ସହରରେ ଜାରି ରହିଛି ଋଷର ଆକ୍ରମଣ । ତେବେ ଗତ ସପ୍ତାହରେ ମାରିୟୁପୋଲର ଥିଏଟର ହଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ ମୃତ୍ୟୁ ସଂଖ୍ୟା ୩୦୦ ବୋଲି ରିପୋର୍ଟ ପ୍ରକାଶ ପାଇଛି । ବିସ୍ଫୋରଣରେ ଜଣେ ମହିଳା ଆଶ୍ଚର୍ଯ୍ୟଜନକ ଭାବେ ରକ୍ଷା ପାଇଥିବା ଜଣାଯାଇଛି । ସେପଟେ ରୁବିଜିନେରେ ଋଷ ପ୍ରୟୋଗ କରିଛି ଫସଫରସ ବମ୍ । ୨ ହଜାର ୭୬୦ ଡିଗ୍ରୀ ସେଲସିୟସ ତାପମାତ୍ରା ସୃଷ୍ଟି କରୁଥିବା ଫସଫରସ ବୋମା ଜାଳି ଦେଇଥାଏ ବଙ୍କର ।

ସେପଟେ ୩୧ ଦିନ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଋଷର ୧୫ ହଜାର ୮୦୦ ସୈନ୍ୟ, ୧୦୮ ବିମାନ, ୧୨୪ ହେଲିକପ୍ଟର, ୫୩୦ ଟ୍ୟାଙ୍କ, ୫୦ଟି ଚାଳକବିହୀନ ବିମାନ, ୪୭ଟି ବିମାନବିଧ୍ୱଂସୀ ସିଷ୍ଟମ, ୧୦୩୩ଟି ଗାଡି ନଷ୍ଟ କରିଛି ବୋଲି ଦାବି କରିଛି ୟୁକ୍ରେନ । ସେପଟେ ରାସାୟନିକ ଓ ଆଣବିକ ଆକ୍ରମଣର ପ୍ରତିରୋଧ ଲାଗି ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଓ ବୁଲଗେରିଆରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟୋଲଟନବର୍ଗ ।

ଆଜି ପୌର ଭୋଟ ଗଣତି, ସକାଳ ୮ଟାରୁ ଆରମ୍ଭ ହେବ ଗଣତି

ଭୁବନେଶ୍ୱର: କିଏ ଜିତିଛି ସହରର ଦିଲ୍ । କିଏ ପିନ୍ଧିବ ମହାନଗର ମୁକୁଟ । ୱାର୍ଡ ୱାର୍ଡରେ କିଏ ହେବ ବିଜୟୀ । କେଉଁ କର୍ପୋରେଟର ପ୍ରାର୍ଥୀଙ୍କ ଯାଦୁ କାମ କରିଛି ସାହି ସାହିରେ । ଆଉ ମାତ୍ର କିଛି ମୁହୁର୍ତ୍ତର ଅପେକ୍ଷା । କାଉଣ୍ଟିଂ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଷ୍ଟ୍ରଙ୍ଗରୁମ୍‌ରେ ଗଣତି ଅପେକ୍ଷାରେ ଇଭିଏମ୍ । ଆଉ ଘଣ୍ଟାଏ ପରେ ଖୋଲିବ ଇଭିଏମ୍ । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ହେବ । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ହେବ ନାହିଁ ଭୋଟ ଗଣତି । ୬ଟି ଓ୍ବାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେବ ।

ପୌର ପରିଷଦରେ ୫ଟି ଟେବୁଲ ଏବଂ ମହାନଗର ନିଗମରେ ୧୨ଟି ଟେବୁଲରେ ଭୋଟ ଗଣତି ହେବ । କାଉନସିଲର ଓ କର୍ପୋରେଟରଙ୍କ ପାଇଁ ଯେତିକି ଟେବୁଲର ବ୍ୟବସ୍ଥା ହୋଇଛି ସେହି ସ୍ଥାନରେ ସେତିକି ଟେବୁଲରେ ପୌରଧ୍ୟକ୍ଷ ଓ ମେୟରଙ୍କ ପାଇଁ ଭୋଟ ଗଣତି ହେବ । ପ୍ରତି ଗଣତି କେନ୍ଦ୍ରରେ ସିସିଟିଭି କିମ୍ବା ଭିଡିଓଗ୍ରାଫିର ବ୍ୟବସ୍ଥା ହୋଇଛି । ତିନିଥାକିଆ ସୁରକ୍ଷା ବ୍ୟବସ୍ଥାରେ ଇଭିଏମ ଗଣତି ପୂର୍ବରୁ ହେବ ପୋଷ୍ଟଲ ଗଣତି । ପ୍ରତି ୱାର୍ଡର ଗଣତି ପରେ ଫଳ ଘୋଷଣା ହେବ । ସେହିପରି ମେୟର ଓ ପୌରଧ୍ୟକ୍ଷଙ୍କ ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଘୋଷଣା କରାଯିବ । ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, ଜଣେ ସହକାରୀ ନିୟୋଜିତ ରହିବେ ।