spot_img
Home Blog Page 4352

ସୁଧୁରୁନି ଶ୍ରୀଲଙ୍କା ସ୍ଥିତି: ୫ ଦିନ ପାଇଁ ବନ୍ଦ ରହିବ କଲମ୍ବୋ ଷ୍ଟକ ଏକ୍ସଚେଞ୍ଜ

କଲମ୍ବୋ: ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କା ସ୍ଥିତି । ଖାଦ୍ୟ, ଇନ୍ଧନ, ମେଡିସିନ ଅଭାବ କ୍ରମଶଃ ଅଧିକ ଘନୀଭୂତ ହୋଇଥିବା ବେଳେ ପ୍ରତିବାଦରେ କଲମ୍ବୋ ସମେତ ଅନ୍ୟାନ୍ୟ ସ୍ଥାନରେ ହୋଇଛି ବିକ୍ଷୋଭ । କଲମ୍ବୋସ୍ଥିତ ଗାଲେ ଫ୍ରଣ୍ଟ ସମ୍ମୁଖରେ ଆନ୍ଦୋଳନରେ ସାମିଲ ହୋଇଛନ୍ତି ଛାତ୍ର, ଶିକ୍ଷକ, ଆଇନଜୀବୀ, ଡାକ୍ତର, ନର୍ସ ପ୍ରମୁଖ । ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ବିରୋଧ କରିବା ସହ ତୁରନ୍ତ ସମାଧାନର ପନ୍ଥା ବାହାର କରିବା ଲାଗି ଦାବି କରିଛନ୍ତି ।

ସେପଟେ ଆସନ୍ତାକାଲି ଠାରୁ ୫ ଦିନ ଲାଗି କଲମ୍ବୋ ଷ୍ଟକ ଏକ୍ସଚେଞ୍ଜ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି । ନିବେଶକଙ୍କ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛି ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ କମିଶନ ବା ସିଏସଇ । ଦେଶର ଅର୍ଥନୀତି ଅତି ଗମ୍ଭୀର ସ୍ତରକୁ ଠେଲି ହୋଇଯାଇଥିବା ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସିଏସଇ ଆଇନର ଧାରା ୩୦ ଅନୁସାରେ ଷ୍ଟକ ଏକ୍ସଚେଞ୍ଜକୁ ୫ ଦିନ ଲାଗି ବନ୍ଦ ଘୋଷଣା କରାଯାଇଛି ।

ଏହାସହ ୫୧ ବିଲିୟନ ଡଲାର ଋଣ ଭାରରେ ସଢୁଥିବା ଶ୍ରୀଲଙ୍କା ସରକାର ପରିବର୍ଦ୍ଧିତ ବିମାନ ସେବା ଲାଗି ନେଇଥିବା ନିଷ୍ପତ୍ତି ବିଚିତ୍ର ମନେ ହେଉଛି । ନିଜକୁ ଦେବାଳିଆ ଘୋଷଣା କରିବାର ଦୁଇ ଦିନ ପୂର୍ବରୁ ନିଜର ବିମାନ ସଂଖ୍ୟା ୨୪ରୁ ୩୫କୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଆସନ୍ତା ୩ ବର୍ଷ ମଧ୍ୟରେ ବିମାନ ସଂଖ୍ୟା ବଢ଼ାଇବା ଲାଗି ସରକାରଙ୍କ ନିଷ୍ପତ୍ତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀଲଙ୍କା ଏୟାରଲାଇନ୍ସକୁ ଘରୋଇକରଣ କରିବା ଲାଗି ସରକାରଙ୍କୁ ବାରମ୍ବାର ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ପରାମର୍ଶ ଦେଇ ଆସୁଥିବା ସତ୍ତ୍ବେ ସରକାର ଏହା କାର୍ଯ୍ୟକାରୀ କରିନାହାନ୍ତି ।

ଶ୍ରୀଲଙ୍କା ଏୟାରଲାଇନ୍ସର ମୁଖ୍ୟ ଭାବେ ବର୍ତ୍ତମାନ କାର୍ଯ୍ୟଭାର ସମ୍ଭାଳୁଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦାଙ୍କ ଶାଳକ ନିଶାନ୍ତ ବିକ୍ରମସିଂଘେ । ପୂର୍ବରୁ ୮ଟି ଏୟାରବସ ୩୫୦କୁ ଲିଜ୍ ନେବା କ୍ଷେତ୍ରରେ ବିଭିନ୍ନ ଅଭିଯୋଗ ପରେ ଅପରାଧ ତଦନ୍ତ ଜାରି ରହିଛି । ଏହି ଘଟଣାରେ ୨ ନିୟୁତ ଡଲାର କିକବ୍ୟାକ ଅଭିଯୋଗ ହେବାରୁ ୨ ବର୍ଷ ତଳେ ଗିରଫ ହୋଇଥିଲେ ତତକାଳୀନ ସିଇଓ କପିଳ ଚନ୍ଦ୍ରସେନା ଓ ତାଙ୍କ ପତ୍ନୀ ।

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ମାମଲା, ୧୪ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଗତକାଲି ରାତିରେ ଏକ ଧାର୍ମିକ ଶୋଭାଯାତ୍ରାରେ ପଥରମାଡ଼ ହୋଇଥିବା ଅଭିଯୋଗ ପରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ପୋଲିସ ୧୪ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ଏମାନଙ୍କ ବିରୋଧରେ ପୋଲିସ ଏଫଆଇଆର୍ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଗିରଫମାନଙ୍କ ମଧ୍ୟରେ ପୋଲିସ ଅଫିସରଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ମଧ୍ୟ ରହିଛି। ସେହି ବ୍ୟକ୍ତିଠାରୁ ବନ୍ଧୁକ ଜବତ କରିଛି ପୋଲିସ। ଗିରଫ ହୋଇଥିବା ୧୪ ଜଣଙ୍କ ବିରୋଧରେ ଦଙ୍ଗା ଭିଆଇବା, ହତ୍ୟା ଉଦ୍ୟମ ଓ ଆର୍ମସ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି ।

ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ୮ ପୋଲିସ କର୍ମୀଙ୍କ ସହ ମୋଟ ୯ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ପୋଲିସ ସବ-ଇନ୍ସପେକ୍ଟର ମେଧାଲାଲ ମୀନା । ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆରୁ ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୋଲିସ କହିଛି । ସଂଘର୍ଷର କାରଣର ଯାଞ୍ଚ ପାଇଁ  କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସେଲ୍ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ଦିଲ୍ଲୀର ଏକାଧିକ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ କଡ଼ା ନଜର  ରଖିଛି । ସେପଟେ ଏହି ଗୋଷ୍ଠୀ ସଂଘର୍ଷ ପରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ରାଜନୈତିକ ଫାଇଦା ପାଇଁ ରାମ, ହନୁମାନଙ୍କ ନାଁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରାଯାଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।

ଆସନ୍ତା ସପ୍ତାହରେ ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍

ନୂଆଦିଲ୍ଲୀ: ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବାଣିଜ୍ୟ ଓ ନିରାପତ୍ତା ବିଷୟରେ ଆଲୋଚନା କରିବେ । ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବାକୁ ପ୍ରୟାସ କରିବେ ବୋରିସ୍ ଜନସନ୍ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଜନସନଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱବହନ କରିବ ।

ବୋରିସ ଜନସନ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ଗତବର୍ଷ ବୋରିସ୍ ଜନସନ ଗତ ବର୍ଷ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା । ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ମହାମାରୀ କରୋନା କାରଣରୁ ଜନସନଙ୍କ ଗସ୍ତକୁ ଦୁଇ ଥର ବାତିଲ କରିବାକୁ ପଡ଼ିଥିଲା ।

ଭାରତ ଆସିବା ପୂର୍ବରୁ ବୋରିସ୍ ଜନସନ ରବିବାର କହିଛନ୍ତି ଯେ ମୁଁ ଭାରତ ଗସ୍ତରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦେବେ । ଯାହା ଉଭୟ ଦେଶଙ୍କ ଜନସାଧାରଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ଗସ୍ତରେ ନିଯୁକ୍ତି ସୃଷ୍ଟି, ଅର୍ଥନୈତିକ ବିକାଶଠାରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ଏହା ଅନ୍ତର୍ଭୂକ୍ତ ଅଟେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଶେଷ ଥର ପାଇଁ ଗତ ବର୍ଷ ନଭେମ୍ବର ମାସରେ ଗ୍ଲାସଗୋ ସମିଟିରେ ସାକ୍ଷାତକାର ହୋଇଥିଲା । ସୂଚନା ଅନୁସାରେ ଗତ ମାସରେ ଦୁଇ ଦେଶର ନେତା ଫୋନରେ କଥା ହୋଇଥିଲେ। ଦୁଇ ନେତା ୟୁକ୍ରେନର ସ୍ଥିତି ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ । ଏହାସହ ଦୁହେଁ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ନିବେଶ, ପ୍ରତିରକ୍ଷା ଏବଂ ସୁରକ୍ଷା, ସହ ଅନ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବା ଉପରେ ସହମତି ବ୍ୟକ୍ତ କରିଥିଲେ ।

ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ, ୧୨ ଆହତ

 କାରୋଲିନା: ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ୧୨ରୁ ଅଧିକ ଲୋକ ହୋଇଛନ୍ତି ଆହତ । ଜନଗହଳିପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ପ୍ରକାଶ ପାଇଛି । ଆଗ୍ନେୟାସ୍ତ୍ର ଧରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ମାରିଥିବା ପୋଲିସ କହିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କଲମ୍ବିଆ ପୋଲିସ ମୁଖ୍ୟ ।

ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୁକ୍ତଙ୍କ ବୟସ ୧୫ରୁ ୭୩ ବର୍ଷ ବୟସ ମଧ୍ୟରେ । ଗୁଳିକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ପ୍ରକାଶ ପାଇଥିଲା ଏବଂ ଲୋକମାନେ ବିଭିନ୍ନ ସ୍ଥାନରେ ଲୁଚିଯାଇଥିଲେ । ଗତ ବୁଧବାର ଦିନ ବ୍ରୁକଲିନର ଆଟଲାଣ୍ଟିକ ଟର୍ମିନାଲ ମଲରେ ଜଣେ ବାଳକକୁ ଗୁଳି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

ଗତ ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ ସବଓ୍ବେରେ ହୋଇଥିବା ଗୁଳିକାଣ୍ଡରେ ଆହତ ହୋଇଥିଲେ 13 ଜଣ । ଗ୍ୟାସମାସ୍କ ପିନ୍ଧି ଗୁଳି ମାରିଥିବା ଅଭିଯୁକ୍ତ ଫ୍ରାଙ୍କ ଜେମସକୁ ପରେ ଗିରଫ କରିଥିଲା ପୋଲିସ ।

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ସହ ସରପଞ୍ଚଙ୍କୁ ତୁଳନା କରୁଥିଲେ ବିଜୁ ବାବୁ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ । ଆକାଶଛୁଆଁ ବ୍ୟକ୍ତିତ୍ବ, ମାଟିର ବ୍ୟଥାକୁ ବି ଅନୁଭବ କରିପାରୁଥିଲେ  । ଗାଁକୁ କାମ, ମା’କୁ ସମ୍ମାନ କଥା ସବୁବେଳେ କହୁଥିଲେ ବିଜୁ ପଟ୍ଟନାୟକ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ସହ ସରପଞ୍ଚଙ୍କୁ ତୁଳନା କରୁଥିଲେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ବାସ୍ତବତା କିନ୍ତୁ ଭିନ୍ନ ଥିଲା  । ତଳସ୍ତର ଥିଲା ଦୁର୍ବଳ  । ମହିଳାମାନେ ଥିଲେ ପଛୁଆ  ।

କ୍ଷମତାର ବିକେନ୍ଦ୍ରୀକରଣ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମହିଳାଙ୍କ ଅଂଶ ଗ୍ରହଣ ପାଇଁ ମଧ୍ୟ ବିଜୁବାବୁଙ୍କ ସମୟରେ ଓଡ଼ିଶା ଦେଶରେ ଦୃଷ୍ଟାନ୍ତ ସାଜିଥିଲା । ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ହେବାର ଯଥେଷ୍ଟ ପୂର୍ବରୁ ଓଡ଼ିଶାରେ ବିଜୁବାବୁ ଏହାର ମୂଳଦୁଆ ପକାଇ ଥିଲେ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଥିଲା । ଯାହାର ଗୁରୁତ୍ବ ବୁଝି ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି  ।

୧୯୬୧ରେ ପ୍ରଥମ ଥର ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପଞ୍ଚାୟତକୁ କ୍ଷମତା ପ୍ରଦାନ ଓ ମହିଳା ପ୍ରତିନଧିତ୍ବ କଥା ଚିନ୍ତା କରିଥିଲେ । ଗଣତନ୍ତ୍ରରେ କ୍ଷମତା ବିକେନ୍ଦ୍ରୀକରଣର ଆବଶ୍ୟକତା ବୁଝିଥିଲେ । ଏ ପ୍ରସଙ୍ଗରେ ୧୯୬୧ ନଭେମ୍ବର ୨୦ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଇଥିବା ଔଜସ୍ୱିନୀ ଭାଷଣକୁ ପ୍ରଶଂସା କରିଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ପ୍ରାଥମିକ ସ୍କୁଲ, ସେବାଶ୍ରମ, ଅଞ୍ଚଳର ବିକାଶ ଯୋଜନା, ଋଣ ଜରିଆରେ ମାଛଚାଷ, ପାନୀୟଜଳ, ଗ୍ରାମ୍ୟ ଗମନାଗମନ ବ୍ୟବସ୍ଥାର ଦାୟିତ୍ୱ ପଞ୍ଚାୟତକୁ ଦେଇଥିଲେ ବିଜୁବାବୁ । ପଞ୍ଚାୟତ ଶିଳ୍ପ କଥା ବି ସେତେବେଳେ ସେ ଉଠାଇଥିଲେ । ରାଜ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୮ଟି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା ।

୧୯୯୩ରେ କେନ୍ଦ୍ର ସରକାର ସମ୍ବିଧାନର ୭୩ତମ ସଂଶୋଧନ କରି ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ପାଇଁ ଆଇନ ଆଣିଲେ । କ୍ଷମତା ବିକେନ୍ଦ୍ରୀକରଣ ହେଲା । ଏଥିରେ ବି ବିଜୁବାବୁଙ୍କ ଅବଦାନ କିଛି କମ୍ ନଥିଲା । ଏହା ପୂର୍ବରୁ ୧୯୯୦ରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପଙ୍ଗୁ ହୋଇପଡ଼ିଥିବା ପଞ୍ଚାୟତ ବ୍ୟବସ୍ଥାକୁ ସକ୍ରିୟ କରିଥିଲେ  । ୧୯୯୨ରେ ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । କ୍ଷମତା ପାଇଲା ପଞ୍ଚାୟତ । ମହିଳା ସଶକ୍ତୀକରଣ ପାଇଁ ସେମାନଙ୍କ ହାତକୁ କ୍ଷମତା ଦେବାକୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ସଂଶୋଧନ ହେଲା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଆଇନ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସରଂକ୍ଷିତ ରହିଲା  । ନୂଆ ଆଇନ ପରେ ଏକାଥରେ ୨୮ହଜାର ମହିଳା ନିର୍ବାଚିତ ହୋଇ ସମ୍ଭାଳିଥିଲେ ପଞ୍ଚାୟତର ଡୋର । କେବଳ ବିଭିନ୍ନ ବିଭାଗର କ୍ଷମତା ପଞ୍ଚାୟତକୁ ହସ୍ତାନ୍ତର କରାଗଲା ନାହିଁ, ଆର୍ଥିକ କ୍ଷମତା ବି ଦିଆଗଲା । ପୂର୍ବ ବିଭାଗ ସହ ମହିଳା ଓ ଶିଶୁ ବିକାଶ, ସାମାଜିକ ବନୀକରଣ,କୁଟୀର ଶିଳ୍ପ, ସାଧାରଣ ଖାଦ୍ୟ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଥିଲା।

ବିଜୁବାବୁଙ୍କ ପାଇଁ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମିଳିଲା ନୂଆ ପରିଚୟ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁବାବୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ତାଙ୍କ ସୁଯୋଗ୍ୟ ସନ୍ତାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । କେବଳ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନୁହେଁ, ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଜୁବାବୁ ପଦକ୍ଷେପ ନେଇଥିବା ବେଳେ ନବୀନ ପଟ୍ଟନାୟକ ଏହାକୁ ବ୍ୟାପକ କରିଛନ୍ତି । ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟର ୭୦ଲକ୍ଷରୁ ଅଧିକ ମହିଳାଙ୍କ ମୁହଁରେ ହସ ଫୁଟିଛି  । ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି  । ଏସବୁର ମୂଳଦୁଆ ପକାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଚିରସ୍ମରଣୀୟ ହୋଇ ରହିବେ  ।

 

ଦକ୍ଷିଣ ଆଫ୍ରିକାରେ ବନ୍ୟା: ବର୍ତ୍ତମାନ ସୁଧା ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ୪୦ ହଜାର ଲୋକ ବାସହରା

ଡର୍ବାନ: ଦକ୍ଷିଣ ଆଫ୍ରିକାର ବନ୍ୟାରେ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଆଉ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । କାରଣ ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ ସହର ଡର୍ବାନର କିଛି ଅଂଶ ବନ୍ୟାଜଳରେ ଭାସି ଯାଇଛି । କେବଳ ସେତିକି ନୁହେଁ ରାସ୍ତାଘାଟ ମଧ୍ୟ ଧୋଇ ହୋଇଯାଇଛି । ଆଉ ଲଗାତାର ବର୍ଷା କାରଣରୁ ଡାକ୍ତରଖାନା ଏବଂ ଘର ଭିତରେ ପାଣି ପଶିଛି । ଯେଉଁ କାରଣରୁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ଦକ୍ଷିଣ-ପୂର୍ବ ପ୍ରଦେଶର କ୍ୱାଜୁଲୁ-ନାତାଲ୍ (KZN) ରେ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି । ଏବଂ  ଭାରତ ମହାସାଗର ଉପକୂଳରେ ଅବସ୍ଥିତ ଡର୍ବାନ୍, ହାଇ ଆଲର୍ଟରେ ରହିଛି । ଏହାସହ ୩.୫ ମିଲିୟନ୍ ସହରରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ଏନେଇ ସରକାର ଏକ ବିବୃତ୍ତିରେ କହିଛନ୍ତି ଯେ, ଶନିବାର ଦିନ ମୃତ୍ୟୁ ସଂଖ୍ୟା ୩୯୮କୁ ବୃଦ୍ଧି ପାଇଥିବାବେଳେ ୨୭ ଜଣ ନିଖୋଜ ଥିଲେ । ୪୦ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ତେବେ ଏକ ରିପୋର୍ଟରେ କୁହାଯାଇଛି ଯେ, ବିଶେଷ କରି ଗ୍ରାମାଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ସେଠାରେ ବର୍ଷା ଲାଗି ରହିଥିବାରୁ ବନ୍ୟାର ସ୍ଥିତି ଆହୁରି ଭୟାବହ ହେବା ନେଇ ଦକ୍ଷିଣ ଆଫ୍ରିକା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମାହାଙ୍ଗା ଗଣହତ୍ୟା: ୩ ଦିନିଆ ରିମାଣ୍ଡ ପରେ ଜେଲ ଗଲା ଅଭିଯୁକ୍ତ ଶିବ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ଜେଲ୍ ଗଲା ଅଭିଯୁକ୍ତ ଶିବ ସାହୁ । ୩ ଦିନିଆ ରିମାଣ୍ଡ ପରେ ସାଲେପୁର କୋର୍ଟରେ ହାଜର କରିଥିଲା ପୋଲିସ । କୋର୍ଟ ଅଭିଯୁକ୍ତ ଶିବକୁ ସାଲେପୁର ସବଜେଲକୁ ପଠାଇ ଦେଇଛି । ଗତକାଲି ଶିବର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଥିଲା । ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପରେ ଶିବକୁ କୋର୍ଟରେ ହାଜର କରାଯାଇଥିଲା ।

୩ ଦିନିଆ ରିମାଣ୍ଡରେ ସେ ଏକୁଟିଆ ପୁରା ପରିବାରକୁ ହତ୍ୟା କରିଥିବା କହିଥିବା ବେଳେ କୁସୁପୁର ସ୍ଥିତ କ୍ରାଇମସ୍ପଟରେ କ୍ରାଇମ ସିନ୍ ରିକ୍ରିଏଟ କରିଥିଲା ଶିବ । କେଉଁ ପରିସ୍ଥିତିରେ ଭାଇ, ଭାଉଜ, ୨ ପୁତୁରା ଓ ଝିଆରୀକୁ ରକ୍ତମୁଖା ହୋଇ ନୃଶଂସ ଭାବେ ହତ୍ୟା କରିଥିଲା, ତାହା ଟିକନିକ୍ ଦେଖାଇଥିଲା ଶିବ ସାହୁ । ହତ୍ୟାକାଣ୍ଡ ପରେ ସବୁ ମୃତଦେହକୁ ଗୋଟେ ରୁମ୍‌ରେ ଭର୍ତ୍ତି କରି ଘଣ୍ଟାଏ ବସିଥିଲା ଶିବ । ତାପରେ ସମସ୍ତଙ୍କ ହାତ ଓ ଗୋଡ଼ର ଶିରା କାଟିଦେଇଥିଲା ।

ହତ୍ୟା ପୂର୍ବରୁ କମାର ଶାଳରେ କାତି ପଜାଇଥିଲା ଅଭିଯୁକ୍ତ । ବାଲିଚନ୍ଦ୍ରପୁର ହାଟରେ ଥିବା କମାର ଶାଳକୁ ନେଇ ଅଭିଯୁକ୍ତ ଓ କମାରଶାଳ କାରିଗର ସହ ମୁହାଁମୁହିଁ ଜେରା କରିଥିଲା ପୋଲିସ । କମାରଶାଳ କାରିଗର ଅଭିଯୁକ୍ତ ଶିବ ସାହୁକୁ ଚିହ୍ନଟ କରିଥିଲା । ଜେରା ବେଳେ ନିଜ ମୁହଁରେ କହିଥିଲା ଗଣହତ୍ୟାର ପୂରା କାହାଣୀ ।

ଶ୍ରୀମନ୍ଦିରରେ ଦର୍ଶନ ବେଳେ ଉଡ଼ିଗଲା ଭକ୍ତଙ୍କ ପ୍ରାଣବାୟୁ

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଶ୍ରୀମନ୍ଦିରରେ ଠାକୁରଙ୍କ ଦର୍ଶନ କରୁଥିବା ବେଳେ ଜଣେ ଛତିଶଗଡ଼ର ଭକ୍ତ ମୃତ୍ୟୁ ବରଣ କରିଛନ୍ତି । ଶ୍ରୀମନ୍ଦିରର ବିମଳା ମନ୍ଦିର ଠାରେ ଘଟିଛି ଏହି ଅଘଟଣ । ମୃତକ ଜଣକ ହେଉଛନ୍ତି ଛତିଶଗଡ଼ର ୭୨ ବର୍ଷୀୟ ୱାଇ.ଜି. ମୂର୍ତ୍ତି ।

Devotee Dies During Jagannath Darshan In Puri Temple

ସୂଚନା ଅନୁସାରେ, ଜଗା ଦର୍ଶନ ପାଇଁ ୱାଇ.ଜି. ଛତିଶଗଡ଼ରୁ ପୁରୀ ଆସିଥିଲେ । ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ୍ ସେ ଅଚେତ ହୋଇ ପଡ଼ି ଯାଇଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।

ଆମେରିକାରେ ଗୁଳିମାଡ଼, ୧୨ରୁ ଅଧିକ ଆହତ

ୱାଂଶିଟନ୍: ଆମେରିକା ସାଉଥ କାରୋଲିନାରେ ପୁଣି ବଡ଼ ଧରଣର ଗୁଳିକାଣ୍ଡ । ଗୁଳିମାଡ଼ରେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜନଗହଳିପୂର୍ଣ୍ଣ କଲମ୍ବିଆନ ସେଣ୍ଟରର ଏକ ମଲରେ ଅକସ୍ମାତ ଗୁଳିମାଡ଼ ଯୋଗୁ ଆତଙ୍କ ଖେଳି ଯାଇଛି । ଆଗ୍ନେୟାସ୍ତ୍ର ଧରିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କଲମ୍ବିଆ ପୋଲିସ ମୁଖ୍ୟ । ଆହତ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Firing In America's Carolina 12 Injured

ଅଭିଯୁକ୍ତଙ୍କ ବୟସ ୧୫ରୁ ୭୩ ବର୍ଷ ବୟସ ମଧ୍ୟରେ । ଗୁଳିକାଣ୍ଡ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ବିଭିନ୍ନ ସ୍ଥାନରେ ଲୁଚି ଯାଇଥିଲେ । ଗତ ବୁଧବାର ଦିନ ବ୍ରୁକଲିନର ଆଟଲାଣ୍ଟିକ ଟର୍ମିନାଲ ମଲରେ ଜଣେ ବାଳକକୁ ଗୁଳି କରାଯାଇଥିଲା । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ଗତ ୧୨ ତାରିଖରେ ନ୍ୟୁୟର୍କ ବ୍ରୁକଲିନ ସବୱେରେ ହୋଇଥିବା ଗୁଳିକାଣ୍ଡରେ ଆହତ ହୋଇଥିଲେ ୧୩ ଜଣ । ଗ୍ୟାସମାସ୍କ ପିନ୍ଧି ଗୁଳି ମାରିଥିବା ଅଭିଯୁକ୍ତ ଫ୍ରାଙ୍କ ଜେମସକୁ ପରେ ଗିରଫ କରିଥିଲା ପୋଲିସ ।

ପୋଖରୀ ଖୋଳାକୁ ଅଶାନ୍ତ କନ୍ଧପାଳ, ଗୁଳିମାଡ଼ରେ ଗଲା ଜଣଙ୍କ ଜୀବନ

ଢେଙ୍କାନାଳ: ସଦର ଥାନା କନ୍ଧପାଳ ଗାଁରେ ଗୁଳିମାଡ଼ । ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଖରୀ ଖୋଳାକୁ ନେଇ ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ମୃତ ବ୍ୟକ୍ତିଙ୍କ ନାମ ଦଳେଇ ନାୟକ ବୋଲି ଜଣାପଡ଼ିଛି ।

Dhenkanal Firing For Pond One Death

ଗୁଳିମାଡ଼ ପରେ ଫେରାର୍ ହୋଇ ଯାଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କିଏ, କେଉଁ ପରିସ୍ଥିତିରେ ଗୁଳିମାଡ଼ କଲା ତାର ତଦନ୍ତ କରୁଛି ସଦର ଥାନା ପୋଲିସ ।

ମୃତ ଦଳେଇ ନାୟକଙ୍କ ସାନ ପୁଅ ତପନ ନାୟକ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିଛି । ଗୁଳିମାଡ଼ କରିଥିବା ସନ୍ଦେହରେ ନୃପତୀ ନାଏକଙ୍କ ପତ୍ନୀ ଓ ତିନି ବର୍ଷର ପୁଅକୁ କଟୁରିରେ ଆକ୍ରମଣ କରିଛି ତପନ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।